Categories
ଆଜିର ଖବର ଜାତୀୟ ଖବର

୧୦୦୦ ବର୍ଷ ପର୍ଯ୍ୟନ୍ତ ଶ୍ରୀ ରାମ ମନ୍ଦିରର କିଛି କ୍ଷତି ହେବ ନାହିଁ, L&T ଦେଶକୁ ଦେଲା ଏକ ମାଷ୍ଟରପିସ୍

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ। ଦେଶର ବୃହତ୍ତମ ନିର୍ମାଣକାରୀ କମ୍ପାନୀ ଏଲ ଆଣ୍ଡ ଟି ଦାବି କରିଛି ଯେ, ୧୦୦୦ ବର୍ଷ ଧରି ଶ୍ରୀ ରାମ ମନ୍ଦିରରେ କିଛି କ୍ଷତି ହେବ ନାହିଁ। ଏଲ ଆଣ୍ଡ ଟି ଏହାର ଡିଜାଇନ୍ ଏବଂ ସାମଗ୍ରୀକୁ ଏପରି ଭାବରେ ବାଛିଛି ଯେ, ଏହା ସହଜରେ ନଷ୍ଟ ହେବ ନାହିଁ। ଏହା ଏକ ମାଷ୍ଟରପିସ୍ ବୋଲି ପ୍ରମାଣ କରିବ ବୋଲି କମ୍ପାନୀ ଦାବି କରିଛି। ଏହାକୁ ପ୍ରସ୍ତୁତ କରିବାରେ ଦେଶର ସଂସ୍କୃତି, କଳା ଏବଂ ଲୋକଙ୍କ ଭାବନା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ମଧ୍ୟ ଏହା ନିଶ୍ଚିତ କରିଛି।

ତିନି ମହଲା ବିଶିଷ୍ଟ ମନ୍ଦିରରେ ପାଞ୍ଚଟି ମଣ୍ଡପ ଏବଂ ମୁଖ୍ୟ ଶିଖର:

ଅଯୋଧ୍ୟାରେ ପ୍ରାୟ ୭୦ ଏକର ଜମିରେ ଶ୍ରୀ ରାମ ମନ୍ଦିର ବ୍ୟାପିଛି। ନାଗର ଶୈଳୀରେ ଏହାର ସ୍ଥାପତ୍ୟ। ଏହାର ଉତ୍କୃଷ୍ଟ ଡିଜାଇନ୍ ସବୁଠାରେ ପ୍ରଶଂସିତ ହେଉଛି। ଏହି ମନ୍ଦିର ଉଚ୍ଚତା ୧୬୧.୭୫ ଫୁଟ, ଲମ୍ବ ୩୮୦ ଫୁଟ ଏବଂ ଚଉଡା ୨୪୯.୫ ଫୁଟ। ଏହି ତିନି ମହଲା ମନ୍ଦିରରେ ପାଞ୍ଚଟି ମଣ୍ଡପ ଅଛି। ଏଗୁଡିକ ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ଗୁଢ ମଣ୍ଡପ, କୀର୍ତ୍ତନ ମଣ୍ଡପ ଏବଂ ପ୍ରାର୍ଥନା ମଣ୍ଡପ ନାମରେ ଜଣାଶୁଣା। ସାଥିରେ ମୁଖ୍ୟ ଶିଖର ମଧ୍ୟ ଅଛି।

ଏଲ ଆଣ୍ଡ ଟି ଚେୟାରମ୍ୟାନ୍ କହିଛନ୍ତି ଯେ, ଏହି ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରି ଆମେ ବହୁତ ଖୁସି ଅନୁଭବ କରୁଛୁ। ଆମକୁ ଶ୍ରୀ ରାମ ମନ୍ଦିରର ପରିକଳ୍ପନା ତଥା ନିର୍ମାଣ କରିବାର ସୁଯୋଗ ଦେଇଥିବାରୁ ଆମେ ଭାରତ ସରକାର, ଉତ୍ତରପ୍ରଦେଶ ସରକାର, ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ, ନୃପେନ୍ଦ୍ର ମିଶ୍ର ଏବଂ ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟଙ୍କୁ ଧନ୍ୟବାଦ ଦେଉଛୁ। ଏହି ସମସ୍ତ ଲୋକଙ୍କ ନିରନ୍ତର ସମର୍ଥନ ସହିତ, ଆମେ ଏହି ଇଞ୍ଜିନିୟରିଂ ଚମତ୍କାର ସୃଷ୍ଟି କରିବାରେ ସକ୍ଷମ ହେଲୁ। ହଜାର ହଜାର ବର୍ଷ ଧରି ଏହା ପରିଦର୍ଶକଙ୍କୁ ଆକର୍ଷିତ କରିବ।

ଶ୍ରୀ ରାମ ମନ୍ଦିରର ବୈଶିଷ୍ଟ୍ୟ:

ଏହାକୁ ପ୍ରସ୍ତୁତ କରିବା ପାଇଁ ରାଜସ୍ଥାନର ଭରତପୁର ଜିଲ୍ଲାରୁ ଗୋଲାପୀ ବଂଶୀ ପହାଡପୁର ପଥର ମଗାଯାଇଛି। ମନ୍ଦିର ମଧ୍ୟ ଅତି ଶକ୍ତିଶାଳୀ ଭୂକମ୍ପକୁ ସହଜରେ ସହ୍ୟ କରିପାରିବ। ମନ୍ଦିରର ଉଭୟ ପାର୍ଶ୍ୱରେ ୩୯୦ ସ୍ତମ୍ଭ ଏବଂ ୬ ଟି ମକ୍ରାନା ମାର୍ବଲ ସ୍ତମ୍ଭ ଅଛି। ସେଥିରେ ୧୦ ହଜାରରୁ ଅଧିକ ମୂର୍ତ୍ତି ଏବଂ ଥିମ୍ ଖୋଦିତ ହୋଇଛି। ମନ୍ଦିର ନିର୍ମାଣ କାର୍ଯ୍ୟ ମେ ୨୦୨୦ରୁ ଆରମ୍ଭ ହୋଇଥିଲା। ଏହାର ଭିତ୍ତିପ୍ରସ୍ତର ପାଇଁ ଆଇଆଇଟି ପରି ଅନୁଷ୍ଠାନଗୁଡ଼ିକର ସହାୟତା ମଧ୍ୟ ନିଆଯାଇଥିଲା। L&T ବରିଷ୍ଠ ଉପସଭାପତି ଏମ.ଭି ସତୀଶ କହିଛନ୍ତି ଯେ, ଏହି ମନ୍ଦିରର ପ୍ରତ୍ୟେକ ପଥରକୁ ଯତ୍ନ ସହକାରେ ସ୍ଥାପନ କରାଯାଇଛି ଏବଂ ସର୍ବୋତ୍ତମ ଜ୍ଞାନକୌଶଳ ବ୍ୟବହାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

L&T କମ୍ପାନୀ ଦ୍ଵାରା ମେଗା ଜଳ ଟାଙ୍କି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

କୁଜଙ୍ଗ: L&T ଦ୍ବାରା ମେଗା ପ୍ରକ୍ଳପ ନବ ନିର୍ମିତ ଜଳ ଟାଙ୍କି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି। ପୋତା ବାଲି ଓ ମୁଣ୍ଡା ହୋଇଯାଇଥିବା ସିମେଣ୍ଟରେ ଚାଲିଛି ନିର୍ମାଣ କାର୍ଯ୍ୟ। କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ କରିବା ପାଇଁ ମସୁଧା ଚଳେଇଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର। କୁଜଙ୍ଗ ବ୍ଲକ୍ ପାଟପୁର ପଞ୍ଚାୟତ ପାଟପୁର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି।

ତେବେ ପ୍ରତେକ୍ୟ ପଞ୍ଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାର ଜଳ ଜୀବନ ମିଶନରେ ଗଠନ କରି ପାନୀୟ ଜଳର ସୁବନ୍ଦବସ୍ତର ବ୍ୟବସ୍ଥା କରୁଥିବା ବେଳେ ତରଭରିଆ ଭାବେ ପୋତା ବାଲି, ମୁଣ୍ଡା ସିମେଣ୍ଟ ଓ ନିମ୍ନ ମାନର କଂକ୍ରିଟରେ ନିର୍ମାଣ କାର୍ଯ୍ୟ କରି କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ କରିବା ପାଇଁ L&T କର୍ତ୍ତୁପକ୍ଷ ମସୁଧା ଚଳେଇ ଥିବା ଅଭିଯୋଗ ହୋଇଛି।

ତେବେ ପଞ୍ଚାୟତର କେତେକ ଲୋକେ ମନିଂ ୱାକ୍ କରିବାକୁ ଯାଇଥିବା ବେଳେ ପୋତା ବାଲିରେ ନିର୍ମାଣ କାର୍ଯ୍ୟ ହେଉଥିବା ଦେଖି ବିରୋଧ କରିଥିଲେ। ଏଥିସହିତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଲାଗି ରହିଥିବାରୁ L&T ଦ୍ବାରା ନିର୍ମାଣ ହେଉଥିବା ମେଗା ପ୍ରକଳ୍ପ ଜଳ ଟାଙ୍କି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ସମାଜସେବୀ ଭରତ ପ୍ରଧାନ,ପାଟପୁର ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତି ପ୍ରକାଶ ପାଣି, ପ୍ରବୀର ସାହାଣୀ, ରମେଶ ଚନ୍ଦ୍ର ସାହୁଙ୍କ ସମେତ ଅନେକ ଲୋକେ।

ତେବେ ଏହି ମେଗା ପ୍ରକ୍ଳପରେ ହେଉଥିବା ଜଳ ଟାଙ୍କି ନିର୍ମାଣ କାର୍ଯ୍ୟ ସଠିକ୍ ଭାବେ ନିର୍ମାଣ କରିବା ପାଇଁ ପଞ୍ଚାୟତ ବାସୀ ଦାବୀ କରିଛନ୍ତି।

Categories
ବିଶେଷ ଖବର

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନବୀକରଣ କାମ ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଏକ ବିଶେଷ ସୁନାମ ରହିଛି। ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଓ ଶିକ୍ଷା ଅନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତଦନୁଯାୟୀ ୫-ଟି ଉପକ୍ରମରେ ଏହାର ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାକୁ ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିବା ପାଇଁ କାମ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ଯାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବର୍ତ୍ତମାନ L&T ଦ୍ୱାରା ଚାରି ଗୋଟି କ୍ଲିନିକାଲ ବ୍ଲକ ଓ NCC ଦ୍ୱାରା ୧୩ ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ବ୍ଲକ ଗୁଡିକର କାମ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ସମୟରେ ପୂର୍ତ୍ତ ବିଭାଗର ସଚିବ ଶ୍ରୀ ଭି.ଭି.କେ. ଯାଦବ ଓ ଜିଲ୍ଲାପାଳ ଭବାନୀ ପ୍ରସାଦ ଚଇନି ପ୍ରମୁଖ ଉପସ୍ଥିତି ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏଲ ଆଣ୍ଡ ଟି ର ସିଇଓ ଏସ.ଏନ ସୁବ୍ରମଣ୍ୟମ

ଭୁବନେଶ୍ବର:  ଆଜି ଏଲ ଆଣ୍ଡ ଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ନବୀନ ନିବାସରେ କଂପାନୀର ବରିଷ୍ଠ ଅଧିକାରୀଙ୍କ ସହିତ ସେ ଏହି ସାକ୍ଷାତ କରିଛନ୍ତି। ଏଥିରେ ଓଡିଶାରେ ଆୟୋଜିତ ହେବାକୁ ଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି।

ତେବେ ଓଡିଶାରେ ଏହି କଂପାନୀ ତରଫରୁ ବର୍ତ୍ତମାନ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ସେ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ଆଉ କେତେକ ପ୍ରକଳ୍ପ କରିବା ପାଇଁ କଂପାନୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସ୍ଥାପନ। ସେହିପରି ଏରୋସ୍ପେସ୍ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦୀପ ଆଇଓସିଏଲ ରିଫାଇନେରୀ ଓ ଏଲଏଣ୍ଡଟିର 2ଟି କଲୋନିରେ 144 ଧାରା ଜାରି

ରମେଶ ମହାନ୍ତି

ଜଗତସିଂହପୁର, କରୋନା ପ୍ରତିଷେଧକମୂଳକ ବ୍ୟବସ୍ଥାକ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ଆଇ.ଓ.ସି.ଏଲର ରିଫାଇନେରି, ତାହାର ଚତୁଃପାର୍ଶ୍ବ ଏବଂ ଏଲ ଏଣ୍ଡ ଟିର ଦୁଇଟି କଲୋନୀ ଅଭୟଚନ୍ଦ୍ରପୁର ଓ ବଗଡିଆରେ 144 ଧାରା ଜାରି କରିଛନ୍ତି। ଏଲ ଏଣ୍ଡ ଟି କମ୍ପାନିରେ କାମ କରୁଥିବା କିଛି ଲୋକ ପ୍ରାଶାସନିକ ନିର୍ଦ୍ଦେଶ ମାନୁ ନଥିବାରୁ ସେଠାରେ 144 ଧାରା ଲାଗୁ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ଏହି ସମୟରେ 144 ଧାରା ଜାରି କରାଯାଇଥିବା ଅଞ୍ଚଳରେ ବାହାରୁ କାହାରିକୁ ଯାତାୟତ ଅନୁମତି ଦିଆଯିବ ନାହିଁ ଏବଂ ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଅଞ୍ଚଳ ପ୍ରତି ନିୟମିତ ନଜର ରଖିବାକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ସେଠାରେ ରହି ସ୍ଥିତି ତଦାରଖ କରୁଛନ୍ତି।

ଏଥିରେ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ଜିଲ୍ଲବାସୀଙ୍କୁ ନିବେଦନ କରିଛନ୍ତି। ଜଗତସିଂହପୁର ବାସୀ କରୋନା ମହାମାରୀ ନେଇ ସଚେତନ ଥିବା କଥା କହି ଜିଲ୍ଲାପାଳ ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବିଶେଷ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ଭିଡିଓ ବାର୍ତ୍ତାରେ ଲୋକଙ୍କୁ ନିବେଦନ କରିଛନ୍ତି।