ପାରାଦୀପ ଆଇଓସିଏଲ ରିଫାଇନେରୀ ଓ ଏଲଏଣ୍ଡଟିର 2ଟି କଲୋନିରେ 144 ଧାରା ଜାରି

Published: Jul 19, 2020, 5:16 pm IST

ରମେଶ ମହାନ୍ତି

ଜଗତସିଂହପୁର, କରୋନା ପ୍ରତିଷେଧକମୂଳକ ବ୍ୟବସ୍ଥାକ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ଆଇ.ଓ.ସି.ଏଲର ରିଫାଇନେରି, ତାହାର ଚତୁଃପାର୍ଶ୍ବ ଏବଂ ଏଲ ଏଣ୍ଡ ଟିର ଦୁଇଟି କଲୋନୀ ଅଭୟଚନ୍ଦ୍ରପୁର ଓ ବଗଡିଆରେ 144 ଧାରା ଜାରି କରିଛନ୍ତି। ଏଲ ଏଣ୍ଡ ଟି କମ୍ପାନିରେ କାମ କରୁଥିବା କିଛି ଲୋକ ପ୍ରାଶାସନିକ ନିର୍ଦ୍ଦେଶ ମାନୁ ନଥିବାରୁ ସେଠାରେ 144 ଧାରା ଲାଗୁ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ଏହି ସମୟରେ 144 ଧାରା ଜାରି କରାଯାଇଥିବା ଅଞ୍ଚଳରେ ବାହାରୁ କାହାରିକୁ ଯାତାୟତ ଅନୁମତି ଦିଆଯିବ ନାହିଁ ଏବଂ ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଅଞ୍ଚଳ ପ୍ରତି ନିୟମିତ ନଜର ରଖିବାକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ସେଠାରେ ରହି ସ୍ଥିତି ତଦାରଖ କରୁଛନ୍ତି।

ଏଥିରେ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ଜିଲ୍ଲବାସୀଙ୍କୁ ନିବେଦନ କରିଛନ୍ତି। ଜଗତସିଂହପୁର ବାସୀ କରୋନା ମହାମାରୀ ନେଇ ସଚେତନ ଥିବା କଥା କହି ଜିଲ୍ଲାପାଳ ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବିଶେଷ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ଭିଡିଓ ବାର୍ତ୍ତାରେ ଲୋକଙ୍କୁ ନିବେଦନ କରିଛନ୍ତି।

Related posts