Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲକଡାଉନ ନିୟମ ଭଙ୍ଗକାରୀଙ୍କୁ ଛତ୍ରପୁର ପୋଲିସର ହାତଯୋଡି ଆକୁଳ ନିବେଦନ, ଦୟାକରି ଘରେ ରହନ୍ତୁ

ବ୍ରହ୍ମପୁର, ସାରା ଓଡିଶାକୁ ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଅନେକ ଲୋକ ଏହି ନିୟମକୁ ଭାଙ୍ଗି ରାସ୍ତା ଉପରକୁ ଆସୁଛନ୍ତି। ଏପରିକି ପୋଲିସ ତରଫରୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କେତେକ ଲୋକ ମାନିବାକୁ ନାରାଜ। ଏହି ଘଟଣା ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ଲୋକେ ଜାଣନ୍ତି ନାହିଁ ଯେ, ଏହା ନା ପୋଲିସର ନା ସରକାରଙ୍କ ହିତ ପାଇଁ। ଏପରି କଟକଣା କେବଳ ଲୋକମାନଙ୍କ ହିତ ପାଇଁ ଉଦ୍ଦିଷ୍ଠ।

ବାରମ୍ବାର ଲୋକଙ୍କୁ ତାଗିଦ କରିବା ସତ୍ବେ ଅନେକ ରାସ୍ତା ଉପରକୁ ଆସିବା ପରେ ପୋଲିସ ବ୍ୟତିବ୍ୟସ୍ତ ହୋଇପଡିଛି। ଫଳରେ କଟକଣା ନୁହେଁ ଶେଷରେ ହାତ ଯୋଡି ଲୋକଙ୍କୁ ଅନୁରୋଧ କରୁଛି ପୋଲିସ। ଏହିପରି ଘଟଣା ଗଂଜାମ ଜିଲ୍ଲାର ଛତ୍ରପୁର ପୋଲିସ ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ପୋଲିସ ଅଧିକାରୀ ଲକଡାଉନ ଭଙ୍ଗକାରଙ୍କୁ ହାତ ଯୋଡି ଆକୁଳ ନିବେଦନ କରୁଥିବାର ପରିଲକ୍ଷିତ ହୋଇଛି।

ସେହି ଅଞ୍ଚଳରେ ପୋଲିସ ତରଫରୁ ବାରମ୍ବାର ମନାକରିବା ସତ୍ବେ ଲୋକେ ଆରାମରେ ଗାଡି ଚାଲାଇ ଯାଉଛନ୍ତି। ଅନେକ ମିଛ କହି ପୋଲିସକୁ ଠକି ଚାଲିଯିବାର ଦେଖିବାର ମଧ୍ୟ ମିଳିଛି। ଶେଷରେ ଉପାୟହୀନ ହୋଇ ପୋଲିସ ହାତ ଯୋଡି ଲୋକଙ୍କୁ ବୁଝାଉଥିବାର ଦେଖାଯଇଛି।