Categories
ଆଜିର ଖବର ଜାତୀୟ ଖବର

ଚର୍ଚ୍ଚାରେ ଚକୋଲେଟ୍‌ ଗଣପତି : ଜାଣନ୍ତୁ କିପରି ହୋଇଛି ଏହାର ନିର୍ମାଣ

ଲୁଧିଆନା : ଗତ 22 ତାରିଖରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ସାରା ଭାରତ ବର୍ଷରେ ଅଗ୍ରପୂଜ୍ୟଙ୍କର ପୂଜା ସମ୍ପନ୍ନ ହୋଇଛି । ଲୋକେ ଘରେ ଘରେ ଗଣପତିଙ୍କୁ ଆବାହନ କରିଛନ୍ତି । ଚଳିତ ଗଣେଶ ପୂଜା ଅବସରରେ ବିଭିନ୍ନ ପ୍ରକାରର ଗଣେଶ ପ୍ରତିମାମାନ ଦେଖିବାକୁ ମିଳିଥିଲା । କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର କରୋନା ଥିମ୍‌ରେ ଗଣେଶ ମୂର୍ତ୍ତିମାନ ଶୋଭା ପାଇଥିଲା । ଭିନ୍ନ ଭିନ୍ନ ଗଣେଶ ପ୍ରତିମା ମଧ୍ୟରେ ଚାଳିଶ କିଲୋର ଚକୋଲେଟ୍‌ ଗଣପତି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲୁଧିଆନା ସ୍ଥିତ ଶିଖ ରେସ୍ତୋରାଁ ମାଲିକ ହଜିନ୍ଦର ସିଂହ କୁକ୍ରେଜା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଗଣେଶ ମୂର୍ତ୍ତି ସେୟାର କରିଛନ୍ତି ।

ଏହି ଗଣପତିଙ୍କ ପ୍ରତିମା ନିର୍ମାଣ ପାଇଁ 10 ଜଣ ରୋଷେୟା ପ୍ରାୟ 10 ଦିନ ପରିଶ୍ରମ କରି ଏହି ପ୍ରତିମା ନିର୍ମାଣ କରିଛନ୍ତି । ଗଣପତି ମୂର୍ତ୍ତି ନିର୍ମାଣରେ 40 କିଲୋ ଚକଲେଟ ଆବଶ୍ୟକ ହୋଇଥିଲା । ହଜିନ୍ଦର ସିଂହ କୁକ୍ରେଜା ଏହି ଚକଲେଟ ଗଣପତିଙ୍କ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ସେ ଏହି ଚକଲେଟ ଗଣେଶ ଜରିଆରେ ପରିବେଶ ଅନୁକୂଳ ଉପାୟରେ ଗଣେଶ ଚତୁର୍ଥୀ ପାଳନ କରିବାକୁ ଲୋକଙ୍କୁ ପ୍ରେରିତ କରିଛନ୍ତି ।’ ଏହି ପରିବେଶ ଅନୁକୁଳ ଚକୋଲେଟ୍‌ ଗଣେଶ ମୂର୍ତ୍ତି ପାଇଁ ସୋସିଆଲ ମିଡିଆ ୟୁଜର ହଜିନ୍ଦରଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ସେହିପରି ଏହି ଚକୋଲେଟ୍‌ ଗଣପତିକୁ କ୍ଷୀରରେ ବିସର୍ଜନ କରାଯିବ । ଏବଂ ଏହି ଚକୋଲେଟ୍‌ ବାଲା କ୍ଷୀରକୁ ଶିଶୁଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ହଜିନ୍ଦର ।  (ଏଜେନ୍ସି)