Categories
ବିଶେଷ ଖବର

ବଲାଙ୍ଗୀରରେ ବନ୍ୟା: ଅଦ୍ଭୁତ, ଅବିଶ୍ଵାସ ହେଲେ ବି ନିର୍ଘାତ ସତ୍ୟ- କେବେ ଦିନେ ସାରା ଦେଶ ବଲାଙ୍ଗୀର ପାଲଟି ଯାଇପାରେ!!

କେଦାର ମିଶ୍ର

ବନ୍ୟା ଓ ବଲାଙ୍ଗୀର, ଏ ଦୁଇଟି ଶବ୍ଦର ସମ୍ପର୍କ ନିଆଁ ଓ ପାଣି ପରି ବିପରୀତ। କେବେ ଦିନେ ବଲାଙ୍ଗୀର ସହରରେ ବନ୍ୟାଜଳ ପଶି ଆସିବ ଓ ସାରା ସହର ଜଳମଗ୍ନ ହୋଇଯିବ, ଏକଥା ବିଶ୍ଵାସ କରି ହେଉନି। ଅଥଚ ତାହା ହିଁ ହୋଇଛି। ଗତ ଚବିଶ ଘଣ୍ଟା ଭିତରେ ପୁରା ବଲାଙ୍ଗୀର ସହର ପାଣିଘେରରେ ଅଣନିଃଶ୍ଵାସୀ। ଯେଉଁ ଚିତ୍ର ସବୁ ଆସୁଛି, ସେ ସବୁ ଅତ୍ୟନ୍ତ ଭୟାବହ। ବଲାଙ୍ଗୀର ସହର ମଝିରେ ରହିଥିବା ଇଷ୍ଟଦେବୀ ସମଲେଶ୍ବରୀଙ୍କ ମନ୍ଦିରରେ ଆଣ୍ଠୁଏ ପାଣି। ସହରର ବିଭିନ୍ନ ପଡା ଓ ବସ୍ତିରେ ପ୍ରବଳ ପାଣିର ସୁଅ। କାର ଓ ବସ ବି ବୁଡିକି ଅଛନ୍ତି। ସବୁ ଘରେ ପାଣି ପଶିଯାଇଛି। ଅନେକ ପଡାରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏହାକୁ ଗତ ପଚାଶ ବର୍ଷ ଭିତରେ ସବୁଠୁ ବଡ ପ୍ରାକୃତିକ ବିସ୍ମୟ ବୋଲି କୁହା ଯାଇପାରେ।

ମରୁଡି ଓ ଜଳକଷ୍ଟ ଲାଗି ପ୍ରସିଦ୍ଧ ବଲାଙ୍ଗୀର ଜଳ ବହୁଳ ହେବାର କାରଣ କଣ? ବଲାଙ୍ଗୀର ସହରର ୧୫ କିଲୋମିଟର ଭିତରେ ସେମିତି ବଡ ନଦୀ ନାହିଁ। ସହର ଭିତର ଦେଇ ଅଙ୍କେଇ ବଙ୍କେଇ ଗୋଟେ ଛୋଟ ନାଳ ବୋହିଯାଉଛି। ଲକ୍ଷ୍ମୀ ଜୋର ନାମରେ ପରିଚିତ ଏଇ ଛୋଟ ଜଳ ପ୍ରବାହ ଟି କୌଣସି ବି ବନ୍ୟାରେ ଏତେ ଉଗ୍ର ହେବାର ରେକର୍ଡ ନଥିଲା। ୧୯୮୨ ର ପ୍ରଳୟଙ୍କରୀ ବନ୍ୟାରେ ଯେତେବେଳେ ସାରା ଓଡିଶା ଉବୁଟୁବୁ ହେଉଥିଲା, ସେତେବେଳେ ମଧ୍ୟ ବଲାଙ୍ଗୀର ସହର ଥିଲା ଅତ୍ୟନ୍ତ ଶାନ୍ତ ଓ ସୁରକ୍ଷିତ। ପରବର୍ତ୍ତୀ ସମୟରେ ବା ତା ଆଗରୁ ବଲାଙ୍ଗୀର ସହରରେ ବନ୍ୟା କଥା କେହି କେବେ ଶୁଣି ନଥିଲେ ବା ଦେଖି ନଥିଲେ। ଗୋଟେ ଜଳକ୍ଳିଷ୍ଟ ସହରରେ ଏ ଏ ଭୟଙ୍କର ବନ୍ୟାଜଳର ତାଣ୍ଡବ କାହିଁକି ହେଲା, ତାର ଉତ୍ତର ଖୋଜିବା ଆଜି ନିହାତି ଜରୁରୀ। ପାଣିପାଗ ପରିବର୍ତ୍ତନ ସହିତ ପରିବେଶର ଯେଉଁ ଭୟଙ୍କର ଅସନ୍ତୁଳନ ଘଟି ଚାଲିଛି, ସେଥିରେ କେଉଁଠି କିଛି ବି ଘଟିପାରେ।

ନଦୀ ନାହିଁ ବୋଲି ଗୋଟେ ସହରରେ ବନ୍ୟା ଯେ ହେବନାହିଁ, ସେକଥା ଆଉ କୁହାଯାଇ ପାରିବ ନାହିଁ। ସଂପୂର୍ଣ୍ଣ ଭାବରେ ନଦୀ ଓ ସମୁଦ୍ରଠୁ ଦୂରରେ ଥିବା ଏକ ଜଣ ବସତି ମଧ୍ୟ ଜଳ ବନ୍ଦୀ ହୋଇ ଯାଇପାରେ। ବଲାଙ୍ଗୀର ବନ୍ୟାରୁ ଅନ୍ତତଃ ଆମକୁ ଗୋଟେ ବଡ ଶିକ୍ଷା ମିଳିବା ଦରକାର। ସହର ଗଢିବା ବଡ କଥା ନୁହେଁ, ସହରର ଜୀବନକୁ ସୁରକ୍ଷିତ ରଖି ପାରିବା ବଡ କଥା। ବଲାଙ୍ଗୀର ସହର ଗତ ୨୦ ବର୍ଷ ଭିତରେ ନିଜକୁ ବହୁତ ବଡ କରି ଦେଇଛି। ତେବେ ଏତେ ବଡ ହେବା ପରେ ଯେଉଁ ସବୁ ମୌଳିକ ଭିତ୍ତିଭୂମିର ପରିବର୍ତ୍ତନ ହେବା କଥା ତାହା ହୋଇ ନାହିଁ। ଲକ୍ଷ୍ମୀ ଜୋରର ତଳ ଓ ଉପର ମୁଣ୍ଡକୁ ବାନ୍ଧି ଦେବା ଏକପ୍ରକାର ଆତ୍ମଘାତି ବ୍ୟବସ୍ଥା, ଏକଥା ସେଠିକାର ପ୍ରଶାସନ ବୁଝି ନଥିଲା କି? ଜଳ ପରିଚାଳନା କ୍ଷେତ୍ରରେ ଆମର ପ୍ରଶାସକମାନେ ଆଜି ମଧ୍ୟ ବିଶେଷ ସଚେତନ ନୁହନ୍ତି। ଆମର ଜଳ ପରିଚାଳନା ନୀତି ବୋଲି କିଛି ନାହିଁ। ଯାହା ଫଳରେ ଏ ପ୍ରକାର ବନ୍ୟାକୁ ଦେଖି ଆମେ ଅସହାୟ ହେବାକୁ ବାଧ୍ୟ ହେଉଛୁ।

ବଲାଙ୍ଗୀର ସହରକୁ ଆପାତତଃ ନୂଆ ଓ ଏକ ଯୋଜନାବଦ୍ଧ ସହର ବୋଲି କୁହା ଯାଇପାରିବ। ହେଲେ ସମୟକ୍ରମେ ମୂଳ ସହରର ଯୋଜନାଠୁ ଅଲଗା ହୋଇ ଅତ୍ୟନ୍ତ ବିଶ୍ରୂଙ୍ଖଳିତ ଭାବରେ ଏହା ବଢିଛି। ଖାଲ ଜମି, ଚାଷ ଜମି ଓ ଜଳ ନିଷ୍କାସନ ଲାଗି ରହିଥିବା ପୁରୁଣା ନାଳ ଗୁଡିକ ଜବର ଦଖଲକୁ ଚାଲି ଯାଇଛି। ବର୍ଷା ପାଣି ନିଷ୍କାସିତ ହେବା ଲାଗି ଯେଉଁ ବ୍ୟବସ୍ଥା ସବୁ ରହିଥିଲା ତାହା ପୋତି ହୋଇ ପଡିଛି। ଗୋଟେ ସମୟରେ ବଲାଙ୍ଗୀର ସହରକୁ ଘେରି ପ୍ରଚୁର ଚାଷ ଜମି ରହିଥିଲା। ସେ ସବୁ ଏବେ କଂକ୍ରିଟ ଜଙ୍ଗଲ ପାଲଟି ଯାଇଛି।

ତେବେ ଏ ବନ୍ୟା କେବଳ ବଲାଙ୍ଗୀର ନୁହଁ, ବରଂ ସାରା ଦେଶ ଲାଗି ଚିନ୍ତାର ବିଷୟ। ଯଦି ସଠିକ ଭାବରେ ଜଳ ପରିଚାଳନା କରା ନଯାଏ ଓ ସାଧାରଣ ଲୋକ ଜଳ ପରିଚାଳନାକୁ ନେଇ ସଚେତନ ନ ହୁଅନ୍ତି, ହୁଏତ ଦିନ ଆସିବ, ଆମର ପୁରା ମାନଚିତ୍ର ପାଣିରେ ଭାସୁଥିବ।

Categories
ଆଜିର ଖବର

ବନ୍ୟାଗ୍ରସ୍ତ ଜିଲ୍ଲାରେ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଷ,ସାତଦିନ ପାଇଁ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ବନ୍ୟା ଅଶଙ୍କା ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ 24 ଘଣ୍ଟା ସତର୍କ ରହିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ ବଲାଙ୍ଗୀର,କଳାହାଣ୍ଡି, ବୈଦ,ସୁବର୍ଣ୍ଣପୁର,କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବନ୍ୟାସ୍ଥିତିରେ ସୁଧାର ଆସି ନାହିଁ। ଏହି ଜିଲ୍ଲାଗୁଡିକରେ ସହାୟତ କାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲାର ସ୍ଥିତି ଉଦବେଗ ଜନିତ ରହିଥିବାରୁ ସେଠାକୁ ଆଉ 3ଟି ଓଡ୍ରାଫ ଟିମ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି 15 ତାରିଖ ସୁଦ୍ଧା ମହାନଦୀରେ ପ୍ରାୟ 11 ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହା ଦ୍ବାରା କଟକ, ଜଗତସିଂହପୁର,ପୁରୀ,ନୟାଗଡ,ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲା କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାର ନଦୀବନ୍ଧଗୁଡିକ ସୁଦୃଢ ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହିତ ସାତଦିନ ପାଇଁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି, ବଉଦ, କନ୍ଧମାଳ,ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାରେ ଏହି ରିଲିଫ ଦେବାକୁ କହିଛନ୍ତି। ଏଥିରେ ବୟସ୍କମାନଙ୍କ ଦିନ ପିଛା 60 ଟଙ୍କା ଏବଂ ପିଲାମାନଙ୍କୁ ଦିନପିଛା 45 ଟଙ୍କାର ରିଲିଫ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ଧରି ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରି ଏପରି ପଦକ୍ଷେପ ନେଇଛନ୍ତି।