ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହୋଇଥିବା ଆଇପିଏଲ-୨୦୨୬ ଆଜି ସଂପୂର୍ଣ୍ଣ ହୋଇଛି। ଟାଇଟଲ ଲଢେଇ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ହରାଇ ଆରସିବି କ୍ରମାଗତ ଦ୍ଵିତୀୟ ଥର ପାଇଁ ଚମ୍ପିୟାନ ହୋଇଛି। ଗତ ବର୍ଷ ମଧ୍ୟ ଆରସିବି ଚମ୍ପିୟାନ ହୋଇଥିଲା।
ଆଜି ଆରସିବି ଅଧିନାୟକ ରଜତ ପଟିଦାର ଟସ ଜିତି ଗୁଜୁରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୫୫ ରନ କରିଥିଲା। ଜବାବରେ ଆରସିବି ୫ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଆରସିବି ର ବିଜୟର ନାୟକ ଥିଲେ ବିରାଟ କୋହିଲି। ସେ ଶେଷ ପର୍ଯ୍ୟନ୍ତ ପିଚରେ ରହି ଦଳ ପାଇଁ ବିଜୟ ସଟ ମାରିଥିଲେ। ବିରାଟ ୪୨ ବଲରେ ଅପରାଜିତା ୭୫ ରନ କରିଥିଲେ।
ଏହିପରି ଆରସିବି କ୍ରମାଗତ ଆଇପିଏଲ ର ୧୮ ଥମ ସଂସ୍କରଣ ଏବଂ ୧୯ ତମ ସଂସ୍କରଣରେ ଚମ୍ପିୟାନ ହୋଇପାରିଛି। ଏହି ବିଜୟ ସହିତ ଅଧିନାୟକ ଭାବରେ ରଜତ ପଟିଦାର ମହେନ୍ଦ୍ର ସିଂହ ଧୋନୀ ଏବଂ ରୋହିତ ଶର୍ମାଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଯେଉଁମାନେ ଅଧିନାୟକ ଭାବରେ ଆଇପିଏଲ ଇତିହାସରେ କ୍ରମାଗତ ଦୁଇଟି ଲେଖାଏଁ ଟାଇଟଲ ଜିତିଥିଲେ। ମହେନ୍ଦ୍ର ସିଂହ ଧୋନୀ ୨୦୧୦ ଏବଂ ୨୦୧୧ ରେ କ୍ରମାଗତ ଟାଇଟଲ ଜିତିଥିବା ବେଳେ ରୋହିତ ଶର୍ମା ୨୦୧୯ ଏବଂ ୨୦୨୦ ରେ କ୍ରମାଗତ ଟାଇଟଲ ଜିତିବାରେ ସଫଳତା ଅର୍ଜନ କରିଥିଲେ। ଏବେ ସେହି ତାଲିକାରେ ରଜତ ପଟିଦାରଙ୍କ ନାମ ସାମିଲ ହୋଇଛି।


