ମୁମ୍ବାଇ : କରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଏବେ ବେଶ୍ ସଙ୍ଗୀନ୍ । କରୋନା ମୁକାବିଲା ପାଇଁ ଏବେ ମହାରାଷ୍ଟ୍ରକୁ ତିନୋଟି ଜୋନ୍ରେ ବଣ୍ଟାଯାଇଛି । ଦେଶରେ ସର୍ବାଧିକ କରୋନା ରୋଗୀ ଏହି ରାଜ୍ୟରୁ ହିଁ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ 100 ଉପରେ ରହିଛି । ଏଥିପାଇଁ ରାଜ୍ୟକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି । ଏହି ରାଜ୍ୟକୁ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ରେ ବିଭକ୍ତ କରାଯାଇଛି । ରେଡ୍ ଜୋନ୍ରେ ସବୁଠୁ ଅଧିକ ବିପଦପୂର୍ଣ୍ଣ ବା କ୍ଷତିଗ୍ରସ୍ତ ଜିଲ୍ଲା ରହିଛି । ସେହିପରି ଅରେଞ୍ଜ ଜୋନ୍ରେ ମଧ୍ୟମ ଓ ଗ୍ରୀନ୍ ଜୋନ୍ରେ କମ୍ କ୍ଷତି ବା କମ୍ ବିପଦପୂର୍ଣ୍ଣ ଜିଲ୍ଲା ରହିଛନ୍ତି । ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 1900 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 127ରେ ପହଁଞ୍ଚିଛି ।
ରେଡ୍ ଜୋନ୍ରେ ରହିଥିବା ଅଞ୍ଚଳଗୁଡିକ ହେଉଛି ମୁମ୍ବାଇ, ଥାନେ, ପାଲଘର୍, ପୁଣେ, ନାଗପୁର, ରାୟଗଡ୍ ସାଙ୍ଗଲୀ, ଔରଙ୍ଗାବାଦ୍ ପ୍ରମୁଖ । ମହାରାଷ୍ଟ୍ରର ମୁମ୍ବାଇ-ପୁଣେ, ଠାଣେ ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନିତ ହୋଇଛି । ଏଠାରେ ଅଧିକ ସଂଖ୍ୟ କରୋନା ସଂକ୍ରମିତ ରହିଥିବାରୁ ଏହାକୁ ରେଡ୍ ଜୋନ୍ରେ ରଖାଯାଇଛି ।
ଅରେଞ୍ଜ ଜୋନ୍ରେ ରହିଛି ରତ୍ନଗିରି, ସିନ୍ଧୁଦୁର୍ଗ, ସାତାରା, କୋହ୍ଲାପୁର, ନାସିକ୍, ଅହମଦନଗର, ଜଲଗାଁଓ, ଉସମାନବାଦ, ବିଡ୍, ଜାଲନା, ହିଙ୍ଗୋଲି, ଲାତୁର୍,ଅମରାବତୀ, ଅକୋଲା, ୟବତମାଳ, ବୁଲଡାଣା, ଓ୍ବାସିମ୍, ଗୋଦିଆ ଜିଲ୍ଲା ପ୍ରମୁଖ ।
ସେହିପରି ଗ୍ରୀନ୍ ଜୋନ୍ରେ ରହିଛନ୍ତି ଧୁଲେ, ନନ୍ଦୁରବାର୍, ସୋଲାପୁର୍, ପରଭଣି, ନାନ୍ଦେଡ୍, ଓ୍ବର୍ଦ୍ଧା, ଚନ୍ଦ୍ରପୁର, ଭଣ୍ଡାରା ଓ ଗଡଚିରୋଲି ଜିଲ୍ଲା ।
ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଲକ୍ ଡାଉନ୍ର ଅବଧିକୁ ଏପ୍ରିଲ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି । ରାଜ୍ୟର ସ୍ଥିତି ବହୁତ ଗମ୍ଭୀର ଥିବାରୁ ଘରେ ରହିବା ପାଇଁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ଉଦ୍ଧବ । (ଏଜେନ୍ସି)