ଭୁବନେଶ୍ବର : ଲକ୍ ଡାଉନ୍ ଯୋଗୁଁ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ସମାବେଶ, ବିବାହ କାର୍ଯ୍ୟକ୍ରମକୁ ଆଦିକୁ ସ୍ଥଗିତ ରଖାଯାଉଛି। ଦେଶର ଏପରି ସଂକଟ ସମୟରେ କରୋନା ସହ ଲଢେଇ କରୁଥିବାର କରୋନା ଯୋଦ୍ଧାମାନେ ନିଃସ୍ବାର୍ଥପର ଭାବରେ ଦେଶସେବାରେ ଲାଗିପଡିଛନ୍ତି। ଦେଶର ସୁରକ୍ଷା ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ ଦିନ ରାତି ପରିଶ୍ରମ କରୁଥିବା ପୋଲିସ୍ମାନେ ନିଜ ସୁଖ ସ୍ବାଚ୍ଛନ୍ଦକୁ ମଧ୍ୟ ବଳି ପକାଉଛନ୍ତି। କରୋନା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲଢୁଛନ୍ତି। ଧୁଧୁ ଖରାରେ ନିଜର କର୍ତ୍ତବ୍ୟ କରୁଛନ୍ତି। ତେଣୁ ଏପରି ପରିସ୍ଥିତିରେ ସେମାନେ ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ପାଇଁ କର୍ତ୍ତବ୍ୟ ଆଗ ହୋଇଛି, ଜୀବନର ସବୁ ସୁଖ ପଛ ହୋଇଛି। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏହି ଦୁଇ ପୁଲିସ୍ ଅଧିକାରୀ ନିଜର ବିବାହକୁ ସ୍ଥଗିତ କରି ଆଗ ଦେଶସେବା ପାଇଁ ନିଷ୍ପତ୍ତି ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବା, ସେମାନଙ୍କ ମଧ୍ୟରେ ସଚେତନତାକୁ ପ୍ରାଥମିକତା ଦେଇଛନ୍ତି ସେମାନେ।
ଏମିତି ଜଣେ କରୋନା ଯୋଦ୍ଧାଙ୍କ କାହାଣୀ ସାମ୍ନାକୁ ଆସିଛି । କର୍ତ୍ତବ୍ୟ ଆଗରେ ସେ ନିଜର ବିବାହକୁ ସ୍ଥଗିତ ରଖିଛନ୍ତି । କର୍ତ୍ତବ୍ୟକୁ ଆଗ କରି ନିଜ ଜୀବନ ଆନନ୍ଦକୁ ପଛରେ ପକାଇଥିବା ଦୁଇ କରୋନା ଯୋଦ୍ଧା ହେଉଛନ୍ତି ବ୍ରହ୍ମପୁର ସଦର ଥାନାର ଏସ୍ଆଇ ବିଭୂତି ଭୂଷଣ ସେଠୀ ଓ ଭଦ୍ରକ ଜିଲ୍ଲା ତିହିଡି ଥାନା ଏସ୍ଆଇ ସସ୍ମିତା ସେଠୀ। ବାଣପୁର ବ୍ଲକର ଵାଲେଡିହ ଗ୍ରାମର ହେଉଛନ୍ତି ଏସ୍ଆଇ ବିଭୂତି ଭୂଷଣ ସେଠୀ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ରହିଥିଲେ ବିଭୂତି।
ପବିତ୍ର ଅକ୍ଷୟ ତୃତୀୟା ଦିନ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ସବୁ ଆୟୋଜନ ମଧ୍ୟ ସରି ଯାଇଥିଲା। କାର୍ଡ ବଣ୍ଟାଯାଇଥିଲା। କିନ୍ତୁ କରୋନା କଟକଣା ଏହି ବିବାହରେ ବାଧକ ସାଜିଲା। କର୍ତ୍ତବ୍ୟ ଓ ସେବା ଆଗରେ ସେମାନେ ବାହାଘର ବାତିଲ୍ କରି କରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି ଏହି ଦୁଇ କରୋନା ଯୋଦ୍ଧା । ଦୁହିଁଙ୍କ ଏପରି କର୍ତ୍ତବ୍ୟବୋଧ ତଥା ସେବା ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି। କର୍ତ୍ତବ୍ୟ ଆଗରେ ସେମାନେ ନିଜ ଜୀବନକୁ ପଛ କରିଛନ୍ତି।
“କରୋନା ପରି ମହାମାରୀ ସମୟରେ ଦୁହେଁ ବିବାହ ଅପେକ୍ଷା ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ବିଭୂତି ସେଠୀ। ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଉଭୟ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଉଛୁ। ତା’ ଠୁ ବଡ଼ କିଛି ନୁହେଁ। ବାହାଘର ଆଜି, ନ ହେଲେ କାଲି ହେବ। ଲୋକମାନେ ଖୁସିରେ ରହିଲେ ଆମେ ବି ଖୁସିରେ ରହିବୁ ବୋଲି କହିଛନ୍ତି ବିଭୂତି। ସ୍ଥିତି ସୁଧୁରିବା ପରେ ବିବାହ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଭୂତି।