ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: କରୋନା ସହ ମୁକାବିଲା କରିବା ନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପମାନ ନେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହି କ୍ରମରେ ବାଲୁଗାଁ ଏନ୍ଏସି ଓ ଚିଲିକା ତହସିଲ ପ୍ରଶାସନ ମାସ୍କ ନ ପିନ୍ଧିବା ଅଭିଯୋଗରେ ୩୨ ଜଣଙ୍କଠୁ ଜରିମାନା ଆଦାୟ କରିଛନ୍ତି। ଗତକାଲି ପୂର୍ବାହ୍ନ୧୦ ଟା ସୁଦ୍ଧା ବାଲୁଗାଁ ଗାନ୍ଧି ଛକ ନିକଟରେ ୩୨ଜଣଙ୍କଠାରୁ ୬୪୦୦ ଫାଇନ୍ ଆଦାୟ କରାଯାଇଛି। ଏହି ଜରିମାନା ଆଦାୟ ସମୟରେ ଉପସ୍ଥିତ ରହିଥିଲେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ। ବାଲୁଗାଁ ରାଜସ୍ବ ନିରୀକ୍ଷକ ଅଧିକାରୀ, ଏନଏସିର ଟ୍ୟାକ୍ସ କଲେକ୍ଟର ସାମନ୍ତ ଅନନ୍ତ ପଟ୍ଟନାୟକ। ପ୍ରତିଦିନ ତହସିଲଦାରଙ୍କ ଉପସ୍ଥିତରେ ଏପରି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି। ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ତହସିଲଦାର ପରାମର୍ଶ ଦେଇଛନ୍ତି।
ଅପରପକ୍ଷେ ଗତକାଲି ଖୋର୍ଦ୍ଧା ପୋଲିସ୍ ଓ ବାଲୁଗାଁ ଥାନା ତରଫରୁ କରୋନା ସଚେତନତା କରାଯିବା ସହ ମାସ୍କ, ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି। ବାଲୁଗାଁ ଗାନ୍ଧି ଛକ, ଉମା ମହେଶ୍ବର ମନ୍ଦିର ନିକଟ ଓ ନାଭାଲ ଫାଣ୍ଡି ନିକଟରେ ଜନସାଧାରଣଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ମାସ୍କ ବଣ୍ଟନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟରେ ଯୋଗଦେଇଥିଲେ ଖୋର୍ଦ୍ଧା ଆଡ଼ିସିନାଲ ଏସ ପି ମାୟାଧର ସେଠୀ, ଆଡ୍ସିନାଲ୍ ଏସ୍ପି କେ.ବି ଜେନା, ଡିଏସ୍ପି ସତୀଶ ଚନ୍ଦ୍ର ପାଢୀ, ଡିଏସ୍ପି ଓମ୍ ପ୍ରକାଶ ପାତ୍ର, ବାଲୁଗାଁ ଏସ୍ଡିପିଓ ଏସ୍କେ ଦାସ, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ ଓ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ।