Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଣୟନ ହେବ ଷ୍ଟାର୍ଟ ଅପ୍‌ ନୀତିର ନୂତନ ସଂସ୍କରଣ,ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ପ୍ରମୁଖ ସଚିବଙ୍କ ସୂଚନା

ଭୁବନେଶ୍ୱର, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାର ତୃତୀୟ ଦିନରେ ‘ନୂତନ ଉଦ୍ୟୋଗ ପ୍ରସଙ୍ଗ’ ((Start up Talk)) ଆଲୋଚନାଚକ୍ର ସେମିନାର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଲୋଚନା ଚକ୍ରରେ ସ୍ୱତନ୍ତ୍ର ନିମନ୍ତ୍ରିତ ବିଶେଷଜ୍ଞ ଭାବେ ଯୋଗଦେଇ ନୂତନ ଉଦ୍ୟୋଗୀମାନଙ୍କର କାର୍ଯ୍ୟଧାରାର ମାନ ବୃଦ୍ଧି ନିମନ୍ତେ ୬ଟି କୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସେଗୁଡ଼ିକ ହେଲା ଭାବନା, କୌଶଳ, ବୁଦ୍ଧି, ପ୍ରତିଷ୍ଠା, ନିଜ କର୍ମଚାରୀଙ୍କୁ ମାପିବା ଏବଂ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବା ।

ସୁନ୍ଦର ରାଜନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗୁଣା କୁକୁଡ଼ା ଫାର୍ମର ଉଦାହରଣ ଦେଇ ତାହା ୬୦୦ କୋଟି ଟଙ୍କାର ଉଦ୍ୟୋଗ ହୋଇପାରିଥିବାର ସଫଳ କାହାଣୀକୁ ସେ ଆଲୋଚନା ଚକ୍ରରେ ଉପସ୍ଥାପନ କରିଥିଲେ। ଏକ କ୍ଷୁଦ୍ର ଉଦ୍ୟୋଗକୁ କିପରି ବିଶାଳ କରିହେବ ସେଥିପାଇଁ ଆବଶ୍ୟକ ଅଧ୍ୟବସାୟ ଓ ନିଜକୁ ମାର୍ଜିତ କରିବାର କୌଶଳ ଉପରେ ଗୁରୁତ୍ୱ ପ୍ରଦାନ କରି ‘ମାଇଣ୍ଡ ଟି୍ର’କୁ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ କରିବା ଭିତରେ ସେ ଅର୍ଜନ କରିଥିବା ଅନୁଭୂତି ଓ ଅଭିଜ୍ଞତା ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ରାଜ୍ୟରେ ସଂପ୍ରତି ୯୫୦ଟି ନୂତନ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ସମସ୍ତ ନୂତନ ଉଦ୍ୟୋଗକୁ ସହାୟତା ଯୋଗାଇ ଦେଉଛନ୍ତି । ଅଦ୍ୟାବଧି ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ।

ଇନ୍‌ଫୋସିସ୍‌ ନିକଟରେ ୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଷ୍ଟାର୍ଟ ଅପ୍‌ କେନ୍ଦ୍ର ନିର୍ମାଣାଧୀନ ରହିଛି ତାହା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ମଜବୁତ କରିବ । ଏଥି ସହିତ ନୂତନ ଷ୍ଟାର୍ଟ ଅପ୍‌ ନୀତି ଶୀଘ୍ର ପ୍ରଣୟନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ନୂତନ ଉଦ୍ୟୋଗୀମାନଙ୍କର ସହଯୋଗରେ ଏହାର ପୂର୍ଣ୍ଣ ସଫଳତା ଲାଭ ହେବ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ ।

ଆଲୋଚନା ଚକ୍ର ପ୍ରାରମ୍ଭରେ ଅରେଞ୍ଜ କ୍ରସ ହୋମ୍‌ ହେଲଥ୍‌ ପ୍ରା. ଲିଃର ମୁଖ୍ୟ ନିର୍ବାହୀ ଶ୍ରୀ ଅଜୟ ବେହେରା କିପରି ତାଙ୍କ କାରବାର ୨୦ କୋଟି ଟଙ୍କାରେ ପହଞ୍ଚିପାରିଛି ସେଥିରେ ଥିବା ତାଙ୍କ ଅଭିଜ୍ଞତା ବ୍ୟକ୍ତ କରିଥିଲେ । ସେହିପରି ପ୍ରିଣ୍ଟଭୁ୍ୟଉ୍‌ ମ୍ୟାଜିକ୍‌ ୱାଲର୍ଡର ସିଇଓ ସିଦ୍ଧେଶ୍ୱର ପଣ୍ଡା, ନେଚର ଏସେନ୍‌ସିଆଲ୍‌ ଅଏଲ୍‌ର ଡ. ଗୀତାଞ୍ଜଳି, କେସିଙ୍ଗାର ସାତ୍ତ୍ୱିକ ଅଗ୍ରୱାଲ, ଶିବା ଗ୍ରୀନ୍‌ର ନୀଳିମା ମିଶ୍ର, ରୋବୋଟିକ୍‌ କ୍ଲାସେସ୍‌ର ସ୍ୱାତ୍ତିକ, ଅମର ଲ୍ୟାବ୍‌ର ସଲୋନୀ ପାତ୍ର, ପୋଷ୍ଟ ହାର୍ଭେଷ୍ଟ ଟେକ୍‌ନୋଲୋଜିସ୍‌ର ଭିଲା ମାର୍ଟର ପ୍ରତିଷ୍ଠାତା ଡ. ରମେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ନୂତନ ଉଦ୍ୟୋଗୀ ସେମାନଙ୍କର ଉଦ୍ୟୋଗ ଯାତ୍ରାର ବିବରଣୀ ପ୍ରଦାନ କରିଥିଲେ ।

କିଟ୍‌ ଟିବିଆଇର ଡ. ମୃତୁ୍ୟଞ୍ଜୟ ସୁଆର ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କାହାଣୀ ସମସ୍ତଙ୍କ ସହିତ ସହଭାଗୀ ହେବା ସହ ନିଜର କୌଶଳ ନିଜେ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଡାଲମା ପ୍ରତିଷ୍ଠାତା ଶ୍ରୀ ଦେବାଶିଷ ପଟ୍ଟନାୟକ ନିଜ ଉଦ୍ୟୋଗ ଲୋକଲୋଚନକୁ ଆଣିବା ସହିତ ନିଜର ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ନାଲ୍‌କୋର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ ତାଙ୍କର ଆଲୁମିନିୟମ୍‌ ଶିଳ୍ପର ଅଭିନବୀକରଣ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଡିଜିଏମ୍‌ ଲଲାଟେନ୍ଦୁ ୨୦୨୦ ଜୁଲାଇ ୧ ତାରିଖରେ ନୂତନ ଉଦ୍ୟୋଗୀମାନଙ୍କୁ ଅଦ୍ୟାବଧି ୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ଏହି କ୍ରମରେ ପ୍ରାୟ ୩୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ । ବିଗତ ୪ ବର୍ଷରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।

ଆଗାମୀ ଦିନରେ ସମସ୍ତ ଜିଲ୍ଲା ଏବଂ କ୍ଷେତ୍ରୀୟ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ସେମାନଙ୍କ ଅଞ୍ଚଳରେ ନୂତନ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାସ୍ତରୀୟ ପରାମର୍ଶ କମିଟିରେ ଏ ସଂପର୍କୀୟ ବିଷୟରେ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ । କେତେକ ପୁରୁଷ ଓ ମହିଳା ଉଦ୍ୟୋଗୀ ଆଲୋଚନା ଚକ୍ରରେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ, ଯାହାର ତୁରନ୍ତ ସମାଧାନ ନିମନ୍ତେ ପ୍ରମୁଖ ସଚିବ ସାହୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ସାହୁ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ପ୍ରଶାନ୍ତ ବିଶ୍ୱାଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ଆଲୋଚନା ଚକ୍ରକୁ ସାଫଲ୍ୟମଣ୍ଡିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ଏହି ଆଲୋଚନା ଚକ୍ରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି., ଓଏସ୍‌ଆଇସିର ଏମ୍‌ଡି ପି.କେ. ସାହାଣୀ, ଇପିଏମ୍‌ର ନିର୍ଦ୍ଦେଶକ ଶରଣ କୁମାର ଜେନା, ସମସ୍ତ ଜିଏମ୍‌, ଡିଆଇସି, ବିଭାଗୀୟ ଅଧିକାରୀ ଏବଂ ରାଜ୍ୟର ନୂତନ ଉଦ୍ୟୋଗୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ଏମଏସଏମଇ ସଚିବଙ୍କ ସହିତ ଆଲୋଚନା

ଭୁବନେଶ୍ୱର,  କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନୂଆଦିଲ୍ଲୀଠାରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ ।

ଏହି ଅବସରରେ ସେ ଓଡ଼ିଶାରେ ‘ସ୍ପୁର୍ତ୍ତି’ ଯୋଜନା ଅଧୀନରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ସ୍ଥାପନ ପାଇଁ ଅନୁରୋଧ ଜଣାଇଥିଲେ। ସେହିପରି ଏହି କ୍ଷେତ୍ରରେ ବ୍ୟାଙ୍କ ଅର୍ଥ ଲଗାଣ ପରିମାଣ ବୃଦ୍ଧି, ପିଏମ୍‌ଇଜିପି ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାକୁ ସେ କହିଥିଲେ।

ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲେ ହେଁ କେନ୍ଦ୍ର ସଚିବ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଟିପାତ୍ର ନିର୍ମାଣ ଏବଂ ମହୁଚାଷ ପାଇଁ କେନ୍ଦ୍ରର130 କୋଟି ଟଙ୍କାର ସହାୟତା ଘୋଷଣା, ଜାଣନ୍ତୁ କଣ

ନୂଆଦିଲ୍ଲୀ, ମାତ୍ର କିଛି ଦିନ ପୂବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ପକ୍ଷରୁ ଧୂପବତୀ ପ୍ରସ୍ତୁତ କରିବା ପାଇଁ ଆଗ୍ରହୀ କାରିଗରମାନଙ୍କୁ ସହାୟତା ପ୍ରଦାନକୁ ସଂପ୍ରସାରଣ ଏବଂ ଦ୍ୱିଗୁଣିତ କରିବା ନିମନ୍ତେ ଘୋଷଣା କରାଯାଇଥିଲା । ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇ ନେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏବେ ଆଉ ଦୁଇଟି ନୂଆ ଯୋଜନା ପାଇଁ ମାର୍ଗଦର୍ଶିକା ଘୋଷଣା କରାଯାଇଛି । ସେହି ଦୁଇଟି ଯୋଜନା ହେଲା “ମୃତ୍ତିକା ଶିଳ୍ପ କାର୍ଯ୍ୟକ୍ରମ” ଏବଂ “ ମହୁଚାଷ କାର୍ଯ୍ୟକ୍ରମ” ।

ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନୂତନ ଦୁଇଟିଯାକ ପ୍ରୟାସ ହିତାଧିକାରୀମାନଙ୍କ ନିମନ୍ତେ ଆତ୍ମ ନିଯୁକ୍ତି ଯୋଜନା ଭିତ୍ତିକ, ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରର ଅର୍ଥନୀତିକୁ ପୁନର୍ଜାଗରିତ କରାଯାଇ ପାରିବ ଏବଂ ଆତ୍ମ ନିର୍ଭର ଭାରତ ଅଭିଯାନ ମଜଭୁତ ହୋଇପାରିବ ।

“ମୃତ୍ତିକା ଶିଳ୍ପ କାର୍ଯ୍ୟ” ପାଇଁ ସରକାର କୁମ୍ଭାର ଚକ, କାଦୁଅ ଚକଟା ଯନ୍ତ୍ର ଏବଂ ଗ୍ରାନୁଲେଟର ଇତ୍ୟାଦି ଯୋଗାଇଦେବେ । ଏଥି ସହିତ ସରକାର ପାରମ୍ପରିକ କୁମ୍ଭକାର ମାନଙ୍କୁ କୁମ୍ଭାରଚକରେ କିଭଳି ଭାବେ ବିଭିନ୍ନ ପ୍ରକାର ମାଟି ସାମଗ୍ରୀ ପ୍ରସ୍ତୁତ କରାଯାଏ ସେଭଳି ତାଲିମ ପ୍ରଦାନର ବ୍ୟବସ୍ଥା କରିବେ ।

ପାରମ୍ପରିକ ମାଟି ପାତ୍ର ନିର୍ମାଣ ସହ ଚାପଯୁକ୍ତ ମାଟିପାତ୍ର ପ୍ରସ୍ତୁତି ସଂପର୍କୀତ ତାଲିମ ମଧ୍ୟ ପ୍ରଦାନ କରାଯିବ । ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀର ଅଣ-ମାଟିପାତ୍ର ପ୍ରସ୍ତୁତକାରୀ କଳାକାରମାନଙ୍କୁ ମଧ୍ୟ ନାନା ପ୍ରକାର ତାଲିମ ଯୋଗାଇ ଦିଆଯିବ । ସେହିଭଳି ମାଟିପାତ୍ର ନିର୍ମାଣ ସକାଶେ ଜିଗର-ଜୋଲି ତାଲିମ କାର୍ଯ୍ୟକ୍ରମ ଉଭୟ ପାରମ୍ପରିକ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ଅଣ-ମାଟିପାତ୍ର ନିର୍ମାଣକାରୀ କଳାକାରମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ନିମ୍ନଲିଖିତ କାର୍ଯ୍ୟକ୍ରମ ମାଧ୍ୟମରେ ସେହିସବୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି:

  • ମାଟିପାତ୍ର ନିର୍ମାଣକାରୀ ଶିଳ୍ପୀମାନଙ୍କ ଉତ୍ପାଦନ, ପ୍ରଯୁକ୍ତିଗତ ଜ୍ଞାନକୌଶଳ ବୃଦ୍ଧି କରିବା ସକାଶେ ଏବଂ ସେମାନଙ୍କୁ ନୂଆ ନୂଆ ସାମଗ୍ରୀ ସୁଲଭ ମୂଲ୍ୟରେ ନିର୍ମାଣ କରିବା କୌଶଳ ଶିଖାଇ ଦିଆଯିବ;
  • ମାଟିପାତ୍ର ପ୍ରସ୍ତୁତକାରୀ କଳାକାରମାନଙ୍କ ଉପାର୍ଜନ ବୃଦ୍ଧି ସକାଶେ ସେମାନଙ୍କୁ ତାଲିମ ଏବଂ ଆଧୁନିକ/ ସ୍ୱୟଂକ୍ରିୟ ଉପକରଣ ଚାଳନା ଶିକ୍ଷା ଦିଆଯିବ;
  • ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନଙ୍କୁ ମାଟିପାତ୍ର ନିର୍ମାଣ କୌଶଳ ଯୋଗାଇ ଦିଆଯିବ ଯଦ୍ୱାରା ସେମାନଙ୍କ ସାମଗ୍ରୀ ପ୍ରତି ଉପଭୋକ୍ତାମାନେ ଅଧିକ ଆକୃଷ୍ଟ ହେବେ କାରଣ ସେମାନଙ୍କ ସେହିସବୁ ସାମଗ୍ରୀ ଅଧିକ ଚିତ୍ରିତ ଉତ୍ପାଦ ହେବ । ତେଣୁ ସେମାନଙ୍କୁ ମାଟିଶିଳ୍ପ କଳାର ନୂଆ ନୂଆ ଡିଜାଇନମାନ ଶିକ୍ଷା ଦିଆଯିବ;
  • ପାରମ୍ପରିକ କୁମ୍ଭକାରମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ପିଏମଇଜିପି ଯୋଜନାରେ ନୂଆ ନୂଆ ୟୁନିଟମାନ ସ୍ଥାପନ କରାଯିବ;
  • ବଜାର ଲିଙ୍କେଜର ବିକାଶ ଘଟାଇବା ନିମନ୍ତେ ବିଶେଷଜ୍ଞମାନଙ୍କ ସହ ସଂପର୍କ ସ୍ଥାପନ କରାଯିବ ଏବଂ ବଡ଼ ବଡ଼ କ୍ରେତା ସଂସ୍ଥାମାନଙ୍କ ସହ ଯୋଗାଯୋଗ କରାଯିବ;
  • ନୂଆ ନୂଆ ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ଏବଂ ଏଥିପାଇଁ କଞ୍ଚାମାଲ ଯାହାକି ଅନ୍ତରାଷ୍ଟ୍ରୀୟ ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବ ସେଥିପାଇଁ ଦେଶର ମୃତ୍ତିକାଶିଳ୍ପକୁ ସମୃଦ୍ଧ କରାଯିବ;
  • ମାଟିପାତ୍ର ଠାରୁ ସେମାନେ କିଭଳି ବିଭିନ୍ନ ପ୍ରକାର ନୂତନ ରନ୍ଧନସାମଗ୍ରୀ ଓ ଖାଦ୍ୟପାତ୍ର ପ୍ରସ୍ତୁତ କରିପାରିବେ ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ ଏବଂ
  • କୁଶଳୀ ମୃତ୍ତିକା ଶିଳ୍ପୀ ପ୍ରସ୍ତୁତ କରିବା ନିମନ୍ତେ ତାଲିମଦାତାମାନଙ୍କ ତାଲିମ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯିବ । ସେମାନେ ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରିବେ ।

ଏହି ଯୋଜନାରେ ପୋଟେରୀ ଉନ୍ନତିକରଣ ପାଇଁ ମଧ୍ୟ ସ୍କିମମାନ ରହିଛି । ସେଗୁଡ଼ିକ ହେଲା:

1) ସ୍ୱୟଂ ସହାୟକ ଗୋଷ୍ଠୀର କଳାକାରମାନଙ୍କୁ ଚାହିଦା ଭିତ୍ତିକ ବଗିଚା କୁଣ୍ଡ, ରୋଷେଇ ଉପକରଣ, ଖୁଲ୍ଲାଡ଼, ପାଣି ବୋତଲ, ଘରସଜା ସାମଗ୍ରୀ, ଭିତ୍ତିଚିତ୍ର ଇତ୍ୟାଦି ପ୍ରସ୍ତୁତ ନିମନ୍ତେ କୌଶଳ ବିକାଶ ତାଲିମ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

2)ନୂତନ ଯୋଜନା ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି ଯଦ୍ୱାରା ମୃତ୍ତିକାଶିଳ୍ପୀମାନଙ୍କ ଉତ୍ପାଦନ, ପ୍ରଯୁକ୍ତିଗତ ଜ୍ଞାନ ଏବଂ ମାଟିରୁ ପ୍ରସ୍ତୁତ ଶକ୍ତି ସଂରକ୍ଷକ ଚୁଲା ପ୍ରସ୍ତୁତ କରିପାରିବେ ଏବଂ ସେମାନଙ୍କ ଉତ୍ପାଦନ ମୂଲ୍ୟ ମଧ୍ୟ ହ୍ରାସ ପାଇବ

3) ବଜାର ସହ ସଂଯୁକ୍ତ କରିବା ସକାଶେ ଏକ ବ୍ୟବସ୍ଥାର ବିକାଶ ପାଇଁ ଚେଷ୍ଟା କରାଯିବ ଏବଂ ସେଥିପାଇଁ ବିଶେଷଜ୍ଞ ବଡ଼ ବଡ଼ କ୍ରୟକାରୀ ସଂସ୍ଥାମାନଙ୍କ ସହ ସଂପର୍କ ସ୍ଥାପନ କରାଯିବ ।

ଏହି ଯୋଜନାରୁ ମୋଟ 6075 ଜଣ ପାରମ୍ପରିକ ତଥା ଅନ୍ୟ (ଅଣ-ପାରମ୍ପରିକ) କୁମ୍ଭକାର କଳାକାର/ ଗ୍ରାମୀଣ ବେକାର ଯୁବକ/ ପ୍ରବାସୀ ଶ୍ରମିକ ଉପକୃତ ହୋଇପାରିବେ ।

2020-21 ଆର୍ଥିକ ବର୍ଷ ନିମନ୍ତେ ଯେହେତୁ ଏଥିପାଇଁ 19.50 କୋଟିର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି ଏବଂ ତାହା 6075ଜଣ କଳାକାରଙ୍କୁ ସହାୟକ ହେବା ସହ ୱାର୍ଦ୍ଧାର ଏମଜିଆଇଆରଆଇ, ଖୁର୍ଜାର ସିଜିସିଆରଆଇ, ନାଗପୁରର ଭିଏନଆଟି ଠାରେ ଉତ୍କର୍ଷ କେନ୍ଦ୍ର ଏବଂ ଉପଯୁକ୍ତ ଆଇଆଇଟି/ ଏନଆଡ଼ି/ ଏନଆଇଏଫଟି ଆଦିରେ ସ୍ଥାପନ କରାଯାଇ ସେଠାରେ ଏହିସବୁ ପ୍ରଶିକ୍ଷାର୍ଥୀମାନଙ୍କୁ ଉନ୍ନତ କୌଶଳ ତାଲିମ ଏବଂ ଗୁଣାତ୍ମକ ମାନଯୁକ୍ତ ଉତ୍ପାଦ ପ୍ରସ୍ତୁତ ସକାଶେ କୌଶଳ ପ୍ରଦାନ କରାଯାଇପାରିବ ।

ଟେରାକୋଟା, ଲାଲ ମୃତ୍ତିକାରେ ପ୍ରସ୍ତୁତ ମାଟିପାତ୍ର ଏବଂ ଅଭିନବ ମୂଲ୍ୟଯୁକ୍ତ ଉତ୍ପାଦ  ଯେଉଁଥିରେ ଖାଦ୍ୟ ଖାଇହେବ ଦକ୍ଷତା ତାଲିମ ପାଇଁ କ୍ଲଷ୍ଟର ସ୍ଥାପନ ଲାଗି ଏବଂ ଟାଇଲ ପ୍ରସ୍ତୁତ ଯାହାକି ମନ୍ତ୍ରଣାଳୟର “ସ୍ଫୁର୍ତ୍ତି” ଯୋଜନା ଅଧୀନରେ ପ୍ରଦାନ କରାଯାଇଥାଏ ସେସବୁ ଯୋଗାଇ ଦେବା ନିମନ୍ତେ ଅତିରିକ୍ତ 50.00 କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।

ସେହିଭଳି “ମହୁ ଚାଷ କାର୍ଯ୍ୟ” ସକାଶେ କରାଯାଇଥିବା ଯୋଜନା ପାଇଁ ସରକାର ମହୁମାଛିମାନଙ୍କ ପାଇଁ ବାକ୍ସ, ଅନ୍ୟାନ୍ୟ ଉପକରଣ ଇତ୍ୟାଦି ଯୋଗାଇ ଦେବେ । ଏହି ଯୋଜନା ଅଧୀନରେ ମହୁବାକ୍ସ ସହିତ ମହୁ ଫେଣା ଆଦି ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ (ପିଏମଜିକେଆରଏ) ଜିଳ୍ଲାମାନଙ୍କରେ ଯୋଗାଇ ଦିଆଯିବ । ଏଭଳି  ହିତାଧିକାରୀମାନଙ୍କୁ ଏକ ମହୁଚାଷ ସଂପର୍କୀତ ଏକ ପାଞ୍ଚଦିନିଆ ତାଲିମ ମଧ୍ୟ ପ୍ରଦାନ କରାଯିବ ଯାହାକି ତାଲିମ କେନ୍ଦ୍ର/ ରାଜ୍ୟ ମହୁଚାଷ ସଂପ୍ରସାରଣ କେନ୍ଦ୍ର/ ମାଷ୍ଟର ଟ୍ରେନରମାନଙ୍କୁ ଅନୁସୃତ ପାଠ୍ୟକ୍ରମ ଅନୁସାରେ ପ୍ରଦାନ କରାଯିବ ।

ଏହା ନିମ୍ନମତେ କାର୍ଯ୍ୟକାରୀ କରାଯିବ:

  • ମହୁଚାଷୀ/ କୃଷକମାନଙ୍କ ନିମନ୍ତେ ପୋଷଣୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ;
  • ମହୁଚାଷୀ/ କୃଷକମାନଙ୍କ ନିମନ୍ତେ ଅତିରିକ୍ତ ଉପାର୍ଜନ ସୁଯୋଗ ସୃଷ୍ଟି;
  • ମହୁ ଏବଂ ଅନ୍ୟାନ୍ୟ ମହୁଫେଣା ଉତ୍ପାଦ ସଂପର୍କରେ ସେମାନଙ୍କୁ ସଚେତନ କରିବା;
  • ଏଭଳି ମହୁଚାଷୀମାନଙ୍କୁ ବୈଜ୍ଞାନିକ ଉପାୟରେ ମହୁଚାଷ ଓ ପରିଚାଳନା ସକାଶେ ସହାୟତା ଯୋଗାଇ ଦେବା
  • ମହୁଚାଷ ନିମନ୍ତେ ଉପଲବ୍ଧ ପ୍ରାକୃତିକ ସଂପଦର ଉପଯୋଗ; ଏବଂ
  • ପରାଗ ସଂଗମ ନିମନ୍ତେ ମହୁଚାଷର ଉପକାରୀତା ସଂପର୍କରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବା ।

ମନ୍ତ୍ରଣାଳୟର ଅଧିକାରୀମାନେ ମତ ପୋଷଣ କରନ୍ତି ଯେ, ଏଭଳି କାର୍ଯ୍ୟ ଦ୍ୱାରା ସେମାନଙ୍କ ପାଇଁ ଅତିରିକ୍ତ ଉପାର୍ଜନର ପନ୍ଥା ସୃଷ୍ଟି ହେବା ସହ ସେମାନେ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତକୁ ସେହିସବୁ ଉତ୍ପାଦ କ୍ଷେତ୍ରରେ ଆତ୍ମ ନିର୍ଭର କରିବା ଏବଂ ସମୟକ୍ରମେ ରପ୍ତାନୀ ବଜାରକୁ ଆୟତ୍ତ କରିବା ।

ମହୁଚାଷ ପାଇଁ ଯୋଜନାର ଉନ୍ନତିକରଣ ନିମନ୍ତେ ନିମ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି:

1-ଶିଳ୍ପୀମାନଙ୍କର ଉପାର୍ଜନ ବୃଦ୍ଧି, ସେମାନଙ୍କ ମହୁ ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।

2-ବୈଜ୍ଞାନିକ ପଦ୍ଧତିରେ କିଭଳି ମହୁମାଛି ପାଳନ କରାଯାଇପାରିବ ଏବଂ ଏହାର ସୁପରିଚାଳନା ପଦ୍ଧତି ଗ୍ରହଣ ପାଇଁ ଲୋକମାନଙ୍କୁ ସହଜ ମାର୍ଗ ପ୍ରଦର୍ଶନ କରିବା ।

3-ମହୁ ଆଧାରିତ ଉତ୍ପାଦକୁ କିଭଳି ଭାବେ ବିଦେଶକୁ ରପ୍ତାନୀକ ରାଯାଇପାରିବ ତାହାର ଉପାୟ ବୃଦ୍ଧି କରିବା ଲାଗି ଲୋକମାନଙ୍କୁ ସହାୟତା ପ୍ରଦାନ କରିବା

ପ୍ରାରମ୍ଭରୁ ଏହି ଯୋଜନାରେ 2020-21 ବର୍ଷରେ ମୋଟ 2050 ଜଣ ମହୁଚାଷୀ, ଉଦ୍ୟୋଗୀ, କୃଷକ, ବେକାର ଯୁବକଯୁବତୀ, ଆଦିବାସୀ ବର୍ଗର ଲୋକଙ୍କୁ ସକଳ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବା ନିମନ୍ତେ ପ୍ରକଳ୍ପ/ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ପ୍ରସ୍ତାବ ରହିଛି । ସେଥିପାଇଁ 2020-21 ଆର୍ଥିକ ବର୍ଷରେ 13.00 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ସେଥିରୁ 2050 ଜଣ (1250  ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ଏବଂ 800 ଜଣ ପ୍ରବାସୀ ଶ୍ରମିକ) ଉପକୃତ ହୋଇପାରିବେ ।

ସିଏସଆଇଆର/ ଆଇଆଇଟି କିମ୍ବା ଅନ୍ୟ କୌଣସି ପ୍ରମୁଖ ଅନୁଷ୍ଠାନ ସହିତ ମିଶି ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଏହି ଉତ୍ପାଦକୁ ମୂଲ୍ୟଯୁକ୍ତ କରିବାରେ ସହାୟକ ହୋଇପାରୁଥିବ । ଏହା ସହିତ ମହୁଚାଷ ପାଇଁ ମହୁ କ୍ଲଷ୍ଟର ଯାହାକି ମନ୍ତ୍ରଣାଳୟର “ସ୍ଫୁର୍ତ୍ତି” ଯୋଜନାରେ କରାଯିବାର ପ୍ରାବଧାନ ରହିଛି ତାହାର ବିକାଶ ଘଟାଯିବା ସକାଶେ 50.00 କୋଟି ଟଙ୍କାର ଅତିରିକ୍ତ ରାଶି ରଖାଯାଇଛି ।

ଏହିସବୁ ଯୋଜନା ସଂପର୍କୀତ ବିସ୍ତୃତି ଗାଇଡ଼ ଲାଇନ୍ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ମନ୍ତ୍ରଣାଳୟର ୱେବସାଇଟରେ ସ୍ଥାନୀତ କରାଯାଇଛି । ସେଗୁଡ଼ିକ ସାମାଜିକ ଗଣମାଧ୍ୟମ ଆଉଟରିଚ୍ରେ ମଧ୍ୟ ପ୍ରସାରଣ କରାଯାଉଛି ।

ସ୍ମରଣ ଯୋଗ୍ୟ ଯେ  ଗତ କିଛିଦିନ ପୂର୍ବରୁ ତୃଣମୂଳ ସ୍ତରରେ ଅଗରବତୀ ପ୍ରସ୍ତୁତି ଶିଳ୍ପକୁ ପୁନର୍ଜାଗରିତ କରିବା ସକାଶେ ସରକାର ପଦକ୍ଷେପ ଗ୍ରହଣ କରିଥିଲେ । ଆତ୍ମ ନିର୍ଭର ଭାରତ ନିର୍ମାଣ ଦିଗରେ ଏହା ଆଉ ଏକ ଆଗୁଆ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କର ଘରକରଣ ସାମଗ୍ରୀ ଯୋଗାଇ ଦିଆଯାଇ ପାରିବ ।

ଏଭଳି କାର୍ଯ୍ୟକ୍ରମ ମଧ୍ୟରେ ସେଭଳି କାରିଗରମାନଙ୍କୁ ତାଲିମ ପ୍ରଦାନ, କଞ୍ଚାମାଲ ଯୋଗାଣ, ବାସ୍ନା ଓ ପ୍ୟାକେଜିଂରେ ଅଭିନବତ୍ୱ ଆଣିବା ସକାଶେ ସହାୟତା ଓ ସମର୍ଥନ ଯୋଗାଣ ତଥା ମାର୍କେଟିଂ ଓ ଆର୍ଥିକ ସହାୟତା ଯୋଗାଣ ଆଦି ସାମିଲ । ଏହି କାର୍ଯ୍ୟକ୍ରମ ଦ୍ୱାରା ତୁରନ୍ତ 1500 ପର୍ଯ୍ୟନ୍ତ କାରିଗର ଉପକୃତ ହୋଇପାରିବେ ଯାହାକି ସେମାନଙ୍କୁ ପୋଷଣୀୟ ନିଯୁକ୍ତି ପ୍ରଦାନ କରିବା ସହ ସେମାନଙ୍କର ଉପାର୍ଜନ ବୃଦ୍ଧିରେ ସହାୟକ ହେବ।

ଗ୍ରାମାଞ୍ଚଳରେ ବସବାସ କରୁଥିବା କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ “ପ୍ରବାସୀ ଶ୍ରମିକ”ମାନେ ବିଶେଷ କରି ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇପାରିବେ । ଏହା ଛଡ଼ା, ସ୍ଥାନୀୟ ଭାବେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ନିମନ୍ତେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ । ମହୁଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଯୋଗୁ ରପ୍ତାନୀ ବଜାରକୁ ମଧ୍ୟ ଆୟତ୍ତ କରାଯାଇପାରିବ ।