Categories
ଆଜିର ଖବର ଜାତୀୟ ଖବର

ଆସନ୍ତା କାଲି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସେହିପରି ଭାରତରେ ବି ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାରରୁ ଉର୍ଦ୍ଧ୍ବ ହୋଇଥିବାବେଳେ 40ରୁ ଅଧିକଙ୍କର ମୃତ୍ୟୁ ହେଲାଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ପର୍କରେ ଚର୍ଚ୍ଚା କରିବେ । ଗୁରୁବାର ଦିନ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚାନ କରିବେ ବୋଲି ସୂଚନା ରହିଛି ।

ପୂର୍ବରୁ ଥରେ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ନେଇ ଆଲୋଚନା କରିଥିଲେ ।  ସେହିପରି କରୋନା ମହାମାରୀକୁ ନେଇ ଦେଶବାସୀଙ୍କୁ ଦୁଇଥର ସମ୍ବୋଧିତ କରିସାରିଛନ୍ତି । ପ୍ରଥମ ଥର ସମ୍ବୋଧନ କରି ଜନତା କର୍ଫ୍ୟୁ ପାଳନ କରିଥିବାବେଳେ ଦ୍ବିତୀୟ ଥର ଦେଶବାସୀଙ୍କୁ ସମ୍ବୋଧନ କରି 21 ଦିନିଆ ଲକ୍‌ଡାଉନ୍‌ର ଘୋଷଣା କରିଥିଲେ । ଏହା 14 ଏପ୍ରିଲ୍‌ ପର୍ଯ୍ୟନ୍ତ ଜାରି ରହିଛି । ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ କରୋନା ଭାଇରସ୍‌କୁ ନେଇ ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରତିନିଧି ତଥା ଲୋକଙ୍କ ସହିତ ଆଲୋଚନା କରିଥିଲେ । ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ବାସ୍ଥ୍ୟ କର୍ମୀ, ମିଡିଆ ପ୍ରତିନିଧି, ସମାଜସେବକ, ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଗତ ଦୁଇ ତିନି ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । 27 ମାର୍ଚ୍ଚରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଥିବାବେଳେ ବୁଧବାର ଅପରାହ୍ନ ସୁଦ୍ଧା 1700 ପାର କରିଛି । ଗତ 48 ଘଣ୍ଟା ମଧ୍ୟରେ 400ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଓ କେରଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। (ଏଜେନ୍ସି)