Categories
ଆଜିର ଖବର ରାଜ୍ୟ ଖବର

ସଂସଦ ପାଣ୍ଠିର ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ଭୁବନେଶ୍ବର : ସଂସଦୀୟ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନବୀନଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡାର ସାଂସଦ ରହିଥିବା ସମୟରେ 1000 ଲୋକଙ୍କ ବସିବା ଭଳି ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିଥିବା ବେଳେ 15ରୁ ଅଧିକ ବହୁମୁଖୀ ଗୃହ ଏବଂ 24ରୁ ଅଧିକ ମିନି ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ । ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସମାପ୍ତ ହେବାକୁ ଯାଉଥିବାରୁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ଓଡିଶାବାସୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ଅଧିକ କ୍ବାରେଣ୍ଟିନ୍‌ ସେଣ୍ଟରର ଆବଶ୍ୟକତା ପଡିବ ତେଣୁ ଏହି ପ୍ରକଳ୍ପ ଗୁଡିକୁ ବ୍ୟବହାର କରିବା ପାଇଁ ବୈଜୟନ୍ତ ଅନୁରୋଧ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି : ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ, ସାଂସଦଙ୍କ ଦରମାର ତିରିଶ ପ୍ରତିଶତ ହ୍ରାସ 

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷଷ୍ପତ୍ତି ନେଇଛନ୍ତି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ  ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସ୍ଥଗିତ ପାଣ୍ଠି କନ୍‌ସୋଲିଡେସନ୍‌ ଫଣ୍ଡକୁ ଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।  ସୂଚନାଯୋଗ୍ୟ, ସାଂସଦଙ୍କ ପାଣ୍ଠି ବାର୍ଷିକ 10 କୋଟି ଲେଖାଏଁ ରହିଥିଲା । ଦୁଇ ବର୍ଷ ସ୍ଥଗିତ ସାଂସଦ ପାଣ୍ଠିରୁ 7900 କୋଟି ମିଳିବ । ଆସନ୍ତା 2020-2021 ଏବଂ 2021-2022 ବର୍ଷ ପାଇଁ ଏହି ସାଂସଦ ପାଣ୍ଠିକୁ ସ୍ଥଗିତ ରଖାଯିବ । କରୋନା ମୁକାବିଲା ପାଇଁ କନ୍‌ସୋଲିଡେସନ୍‌ ଫଣ୍ଡକୁ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ସାଂସଦଙ୍କ ଦରମା କାଟିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ବର୍ଷ ଯାଏଁ ସମସ୍ତ ସାଂସଦଙ୍କ ଦରମାର 30 ପ୍ରତିଶତ କାଟିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳଙ୍କ ଦରମାର ମଧ୍ୟ 30 ପ୍ରତିଶତ ଦରମା କଟାଯିବ । ଦରମା କାଟିବାକୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନେ ସ୍ୱେଚ୍ଛାକୃତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି।