Categories
ଆଜିର ଖବର ଜାତୀୟ ଖବର

ମହରମ ଶୋଭାଯାତ୍ରାକୁ ସୁପ୍ରିମ୍‌କୋର୍ଟଙ୍କ ରେଡ୍‌ ସିଗନାଲ୍‌

ନୂଆଦିଲ୍ଲୀ : ମହରମ ଶୋଭାଯାତ୍ରାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ମହରମ ଶୋଭାଯାତ୍ରା ଆୟୋଜନକୁ ନେଇ ଦାଖଲ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଉତ୍ତର ପ୍ରଦେଶର ସୟେଦ କବାଲ ଜୱାଦଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋର୍ଚ୍ଚ ଅଦାଲତ ।

ଏହି ଶୋଭାଯାତ୍ରାକୁ ଅନୁମତି ପ୍ରଦାନ କରାଗଲେ ଦେଶବ୍ୟାପୀ କରୋନାର ବିସ୍ତାରକୁ ଗୋଟିଏ ନିର୍ଦ୍ଧିଷ୍ଟ ଧର୍ମ ସହିତ ଯୋଡାଯିବ ବୋଲି କହିବା ସହିତ ଅନୁମତି ଦେବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ମୁ୍ଖ୍ୟ ବିଚାରପତି ଏସ୍ ଏ ବୋବଡେ ଏହି ମାମଲାର ଶୁଣାଣି କରିଥିଲେ । ଏହି ଶୁଣାଣୀ ସମୟରେ ପିଟିସନର ପକ୍ଷରୁ ପୁରୀ ରଥଯାତ୍ରାର ଉଦାହରଣ ନିଆଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାହାକୁ ଖାରଜ କରାଯାଇଥିଲା । ରଥଯାତ୍ରା କେବଳ ଗୋଟିଏ ସ୍ଥାନରେ କରାଯିବା ପାଇଁ ଅନୁମତି ଦିଆଯାଇଥିଲା, ତାହା ପୁଣି ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ । ଯଦି କୌଣସି ଗୋଟିଏ ସ୍ଥାନରେ ଏପରି ଶୋଭାଯାତ୍ରା ପାଇଁ ଅନୁମତି ମଗାଯାଏ ତେବେ ଏହା  ଉପରେ ବିଚାର କରାଯିବ ବୋଲି ସର୍ବୋଚ୍ଚ କୋର୍ଟ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ 29 ତାରିଖରେ ମହରମ୍‌ ପର୍ବ ପାଳିତ ହେବ ।(ଏଜେନ୍ସି)