Categories
ଆଜିର ଖବର ଜାତୀୟ ଖବର

ଷାଠିଏ ବର୍ଷ ବୟସରେ ନୂଆ ଇନ୍ନିଂସ ଆରମ୍ଭ କଲେ କଂଗ୍ରେସର ସାଧାରଣ ସମ୍ପାଦକ ମୁକୁଲ ଓ୍ବାସନିକ୍

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ୍ ତାଙ୍କର ପୁରୁଣା ବାନ୍ଧବୀ ରବୀନା ଖୁରାନାଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ବିବାହ କରିଛନ୍ତି । 60 ବର୍ଷ ବୟସରେ ମୁକୁଲ୍‌ ତାଙ୍କ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି ।  ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ମୁକୁଲ ରବୀନାଙ୍କୁ ବିବାହ କରିଥିବାବେଳେ ଏହି ଉତ୍ସବରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ବିବାହ ଉତ୍ସବରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ଅମ୍ବିକା ସୋନି, ଗୁଲାମ ନବୀ ଆଜାଦ୍‌, ଓ ମନୀଷ ତିଓ୍ବାରୀ ମଧ୍ୟ ଉପସ୍ଥିତ ଥିଲେ। ମୁକୁଲ ୱାସନିକ ମହାରାଷ୍ଟ୍ର ରାଜନେତା ବାଲକ୍ରିଷ୍ଣଙ୍କ ପୁତ୍ର ଏବଂ କଂଗ୍ରେସର ଅନ୍ୟତମ ପ୍ରମୁଖ ଚେହେରା।

ଅଶୋକ ଗେହଲେଟ୍‌ ଟୁଇଟ୍‌ କରି ଦୁହିଁଙ୍କୁ ନୂତନ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିଓ୍ବାରୀ ଟୁଇଟ୍‌ କରି ମୁକୁଲ୍‌ ଓ୍ବାସନିକ୍‌ ଓ ରବୀନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସର ମହାସଚିବ ରୂପେ ଅବସ୍ଥାପିତ ମୁକୁଲ୍‌ ଓ୍ବାସନିକ୍‌ ମହମୋହନ ସିଂଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହିଥିଲେ । ସେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତିର ପ୍ରମୁଖ ରୂପେ କାର୍ଯ୍ୟ କରୁଛନ୍ତି । ମାତ୍ର 25 ବର୍ଷ ବୟସରେ ମୁକୁଲ୍‌ ଲୋକସଭା ନିର୍ବାଚନ ଜିତିଥିଲେ ।