Categories
ଆଜିର ଖବର ଜାତୀୟ ଖବର

ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧର ଲଢେଇ ପାଇଁ ଭାରତ ଓ ଆମେରିକା ପ୍ରସ୍ତୁତ : ଟ୍ରମ୍ପ

ଅହମଦାବାଦ : ଭାରତ ଗସ୍ତରେ ରହିଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ନବ ନିର୍ମିତ ମୋଟେରା ଷ୍ଟାଡିୟମରେ 1 ଲକ୍ଷ 25 ଲୋକଙ୍କ ଉପସ୍ଥିତିରେ ଟ୍ରମ୍ପ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଇସଲାମିକ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଉଭୟ ଭାରତ ଏବଂ ଆମେରିକା ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି । ଉଭୟ ରାଷ୍ଟ୍ର ଇସ୍‌ଲାମିକ ଆତଙ୍କବାଦ ଦ୍ବାରା ଗଭୀର ଭାବରେ ପ୍ରଭାବିତ । ଇସ୍‌ଲାମିକ ଆତଙ୍କବାଦ କବଳରୁ ଦେଶବାସୀଙ୍କୁ ଉଦ୍ଧାର କରିବା ଉଭୟ ରାଷ୍ଟ୍ରର ପ୍ରାଥମିକତା ଏବଂ ଦୁଇ ରାଷ୍ଟ୍ର ମିଳିତ ଭାବରେ ଆତଙ୍କବାଦର ମୁକାବିଲା କରିବେ ବୋଲି ଟ୍ରମ୍ପ ପ୍ରକାଶ କରିଥିଲେ । ଭାରତ ଏବଂ ଆମେରିକାର ଭାଗିଦାରୀ କୌଣସି ସାଧାରଣ ଭାଗିଦାରୀ ନୁହେଁ ବରଂ ବନ୍ଧୁତାରେ ପରିଣତ ହୋଇଛି ବୋଲି ନିଜ ଅଭିଭାଷଣରେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ସହିତ ଭାରତ ଏବଂ ଆମେରିକା ମଧ୍ୟରେ 3 ବିଲିୟନ୍‌ ଡଲାରର ଏକ ପ୍ରତିରକ୍ଷା ଚୁକ୍ତି ହେବା ନେଇ ଟ୍ରମ୍ପ ସୂଚନା ଦେଇଥିଲେ । (ଏଜେନ୍ସି)