Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଙ୍ଗଲ ପରିବେଶ ବିଭାଗର ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବାକୁ ନିର୍ଦ୍ଦେଷ

ଭୁବନେଶ୍ବର: ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଗତ ଚାରି ବର୍ଷର କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ପରେ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି ଯେ ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପରିବେଶ ପର୍ଯ୍ୟଟନ ବିକଶିତ କରାଯାଇଛି।

ଏହି ବିଭାଗର ଅଧୀନରେ ୪୯ ଗୋଟି ପରିବେଶ ପର୍ଯ୍ୟଟନ କେନ୍ଦ୍ର ବିକାଶ କରାଯାଇ କାର‌୍ୟ୍ୟକ୍ଷମ କରାଯାଇଛି ଓ ଆଉ ୬ ଗୋଟି ନୂତନ କେନ୍ଦ୍ରର କାର‌୍ୟ୍ୟକ୍ଷମ କରାଯିବାର ଅଛି। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୬୫୦ ସ୍ଥାନୀୟ ବାସିନ୍ଦାଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି। ଏହି ପ୍ରକଳ୍ପ ମାଧ୍ୟମରେ ଏବେ ବାର୍ଷିକ ୧୩ କୋଟି ଟଙ୍କାର ରାଜସ୍ୱ ଆଦାୟ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଏହା ସହ ୫-ଟି ର ରୂପାନ୍ତରିକରଣ ଅଧୀନରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଓଡିଶା ଜଙ୍ଗଲ ବିଭାଗ କୋଡ୍ ସଂଶୋଧନ, ପରିବେଶପର‌୍ୟ୍ୟଟନ ର ବିକାଶ, ଭରତପୁର ଓ ଚନ୍ଦକା ଅଭୟାରଣ୍ୟ ଠାରେ ପ୍ରାକୃତିକ ଉଦ୍ୟାନର ବିକାଶ, ମଣିଷ ଓ ହାତୀ ଲଢେଇର ପ୍ରତିକାର, ପ୍ଲାଷ୍ଟିକର ଏକକ ବ୍ୟବହାର ଉପରେ କଟକଣା, ୧୪୦୦୦ ହେକ୍ଟର ଭୂମି ବ୍ୟାଙ୍କ ପ୍ରତିଷ୍ଠା ଇତ୍ୟାଦି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଛନ୍ତି।

ବିଗତ ବର୍ଷ ମାନଙ୍କରେ ରାଜ୍ୟ ମଧ୍ୟରେ ୫୩୭ ବର୍ଗ କି.ମି. ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଓ ୩୫୬ ବର୍ଗ କି.ମି. ର ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ଅଭିବୃଦ୍ଧି ହୋଇପାରିଛି। ଫଳରେ ମୋଟ କ୍ଷେତ୍ରଫଳର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ୩୩.୫ % ତଥା ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ୩୬.୭୧% କୁ ବୃଦ୍ଧି ପାଇଛି ଏବଂ ଏହା ଯଥାକ୍ରମେ ଦେଶରେ ୩ୟ ଓ ୨ୟ ସ୍ଥାନ ଅଧିକାର କରିପାରିଛି। ସାରାଦେଶରେ ବିଭାଗ ଦ୍ଵାରା ସର୍ବାଧିକ ୮ ବର୍ଗ କି.ମି.ର ହେନ୍ତାଳ ବନର ଅଭିବୃଦ୍ଧି ଘଟିଛି ଯାହାକି ଦେଶର ସର୍ବାଧିକ।

ବନୀକରଣ କାର‌୍ୟ୍ୟକ୍ରମର ସଫଳ ରୂପାୟନ ସ୍ୱରୂପ ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୩,୭୧,୧୬୩ ହେକ୍ଟର ଜମିରେ ନୂତନ ବନୀକରଣ ଓ ପଥପାର୍ଶ୍ଵ ବନୀକରଣ ଯୋଜନାରେ୧୬,୩୪୬ ରନିଂ କି.ମି.ର ବନୀକରଣ କରାଯାଇଛି। ଜଙ୍ଗଲ ଓ ରାଜସ୍ୱ ବିଭାଗର ମିଳିତ ଉଦ୍ୟମ କ୍ରମେ ରାଜ୍ୟର ମୋଟ ୬୧୨୦୪ ବର୍ଗ କି.ମି. ର ଆଧୁନିକ ପ୍ରଣାଳୀରେ ସର୍ବେକ୍ଷଣ କାର‌୍ୟ୍ୟ ଚାଲୁରହିଛି। ଏଯାବତ ୨୬୫ ଗୋଟି ଜଙ୍ଗଲ ବ୍ଲକର ପୁନଃ-ବିଜ୍ଞପ୍ତି କରିବାରେ ଆମ ରାଜ୍ୟ ଦେଶରେ ସର୍ବ ପ୍ରଥମ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦେଶନାମାର ପ୍ରାବଧାନ ବ୍ୟତୀତ ୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁଦାନ ପ୍ରଦାନ କରାଯାଇ ୮୨୦ ପରିବାରଙ୍କୁ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ମଧ୍ୟରୁ ସ୍ଵେଚ୍ଛାରେ ସ୍ଥାନାନ୍ତରିତ କରାଯାଇପାରିଛି। ରାଜ୍ୟର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦେଶରେ ସର୍ବୋକୃଷ୍ଟ (ଋଙ୍ଘମରକ୍ଷକ୍ଷରଦ୍ଭଗ୍ଧ) ବର୍ଗରେ ସ୍ଥାନିତ ହୋଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମନୁଷ୍ୟ ବନ୍ୟପ୍ରାଣୀଙ୍କ ସଂଘର୍ଷ ଜନିତ ଅନୁକମ୍ପା ରାଶିର ବୃଦ୍ଧି କରାଯାଇଛି।

ମନୁଷ୍ୟ ମୃତ୍ୟୁରେ ୬.୦୦ ଲକ୍ଷ ଟଙ୍କା, ୬୦% ରୁ କମ ଅକ୍ଷମତା ପାଇଁ ୧.୫ ଲକ୍ଷ ଟଙ୍କା, ୬୦% ରୁ ଅଧିକ ଅକ୍ଷମତା ପାଇଁ ୨.୫ ଲକ୍ଷ ତଥା ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ପାଇଁ ୫୦୦୦ ଟଙ୍କା ରୁ ୧୦୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ବାଦ୍ ଗୋରୁ ମୃତ୍ୟୁରେ ୩୭,୫୦୦ ଟଙ୍କା, ବଳଦ/ଷଣ୍ଢ ମୃତ୍ୟୁରେ ୩୨,୦୦୦ ଟଙ୍କା, ଫସଲ ନଷ୍ଟ ପାଇଁ ଏକର ପିଛା ୨୦,୦୦୦ ଟଙ୍କା ରୁ ୨୫,୦୦୦ ଟଙ୍କା, ସମ୍ପୂର୍ଣ ଘର କ୍ଷତି ପାଇଁ ବିଜୁ ପକ୍କା ଘର କିମ୍ବା ସେହି ମୂଲ୍ୟ ସହିତ ଅତିରିକ୍ତ ୨୦,୦୦୦ ଟଙ୍କା ଓ ଆଂଶିକ କ୍ଷତି କ୍ଷେତ୍ରରେ ୧୦,୦୦୦ ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨ଟି ପର‌୍ୟ୍ୟାୟ ରେ ପ୍ରାୟ ୮ ଲକ୍ଷ ୧୫ ହଜାର କେନ୍ଦୁପତ୍ର ହିତାଧିକାରୀମାନଙ୍କ ନିମନ୍ତେ ମୋଟ ୧୯୪ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକ ତୋଳାଳୀଙ୍କୁ ୨୦୦୦ ଟଙ୍କା ସହ ପାଣି ବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଟଙ୍କା ଓ ୧୨୦ ଟଙ୍କା ପ୍ରଦାନ କରାଯାଇଛି। ବନ୍ଧାଳୀ ଓ ଋତୁକାଳୀନ କର୍ମଚାରୀଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ୨୦୨୨ ଫସଲ ବର୍ଷରେ ସଂପୂର୍ଣ୍ଣ ସହାୟତା ରେକର୍ଡ ପରିମାଣର ୧୯୪ କୋଟି ଟଙ୍କା ଅଟେ।

ଓଡିଶା ବନାଞ୍ଚଳ ଉନ୍ନୟନ ସମିତି ଆନୁକୁଲ୍ୟରେ ଆମ ଜଙ୍ଗଲ ଯୋଜନା ଅଧୀନରେ ୬୦୧୬ ବନ ସଂରକ୍ଷଣ ସମିତି, ୨୧୨୭୩ ସ୍ଵୟଂ ସହାୟକ ଗୋଷ୍ଠୀ ଓ ସିଆଇଜି କାର‌୍ୟ୍ୟରତ ରହି ଜଙ୍ଗଲ ସୁରକ୍ଷା ସହ, ରୋଜଗାରକ୍ଷମ ଯୋଜନା ମାଧ୍ୟମରେ ଜୀବିକା ନିର୍ବାହ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଛନ୍ତି।

କେନ୍ଦୁପତ୍ର ତୋଳା ବର୍ଷରେ ରେକର୍ଡରୁ ଉର୍ଦ୍ଧ୍ବ ଏକ୍ସ-ଗ୍ରାସିଆ ମଞ୍ଜୁର କରାଯାଇଛି। ଆମ ଜଙ୍ଗଲ ଯୋଜନା ସହିତ ଅନ୍ୟ ବିଭାଗଗୁଡିକର ବିକାଶମୂଳକ ଯୋଜନାର ସମ୍ମିଶ୍ରଣ ଯୋଗୁଁ ଜଙ୍ଗଲ ଓ ଜୀବନ ଜୀବିକା ସୁଦୃଢ ହୋଇପାରିଛି। ପ୍ରଶମନମୂଳକ ପଦକ୍ଷପଗୁଡକୁ ସୁନିଶ୍ଚିତ କରି ବିଭାଗ ସକ୍ରିୟ ଭାବରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡିକର ରୂପାୟନ କରୁଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର ବାବଦରେ କେନ୍ଦୁପତ୍ର ବ୍ୟବସାୟର କ୍ଷତିକୁ ଭରଣା କରିବା ପାଇଁ ୫୦ କୋଟି ଟଙ୍କାର “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ର ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗୁଡିକର ପ୍ରଶଂସା କରିବା ସହିତ ଭିତରକନିକା, ଚିଲିକା, ଶିମିଳିପାଳ, ଚନ୍ଦକା ଓ ଭରତପୁର ଅଭୟାରଣ୍ୟକୁ ବିକଶିତ କରି ସର୍ବୋତ୍ତମ ବନ୍ୟଜନ୍ତୁ ଆବାସସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ ଉଦ୍ୟାନ ଭାବରେ ବିକଶିତ କରାଯିବ। ସେହିପରି ଗୋଷ୍ଠୀ ସହଭାଗିତାରେ ପରିବେଶ ପର‌୍ୟ୍ୟଟନକୁ ଆହୁରି ଉନ୍ନତ କରାଯିବ। ନିଜସ୍ୱ ଖର୍ଚ୍ଚରେ ରାଜ୍ୟ ସରକାର ବାଘ ଓ ହାତୀର ଗଣନା କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବିଦତ୍ତ ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପଲି, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁଲିପି)ଶ୍ରୀମତୀ ପୁଷା ଜୁଲେ ମେକରୋ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନନ୍ଦନକାନନର ରୋପୱେ ମାସେ ମଧ୍ୟରେ ଚାଲୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଛନ୍ତି। ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରିତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଅଞ୍ଚଳରେ ବାଘ,ସିଂହ, ଭାଲୁ ଓ ତୃଣଭୋଜୀ ଜୀବଜନ୍ତୁ ମାନଙ୍କ ପାଇଁ ସଫାରି ନିର୍ମାଣ ହେବ। ସଫାରି ମଧ୍ୟରେ ପର୍ଯ୍ୟଟକ ମାନଙ୍କ ବୁଲିବା ବ୍ୟବସ୍ଥା, ପ୍ରାଣୀ ଚିକିତ୍ସାକେନ୍ଦ୍ର ମଧ୍ୟ ରହିବ। ଏହି ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ବାରନ୍ବିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ପରେ ବଟାନିକାଲ ଗାର୍ଡେନ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ରୋପୱେକୁ ଆସନ୍ତା ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ଆସିବା ଆଶା କରାଯାଉଥିବାରୁ ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ରୋପୱେରେ ଦୈନିକ ପ୍ରାୟ ୩ ହଜାର ପର୍ଯ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି। ଏହାଦ୍ବାରା ପର୍ଯ୍ୟଟକ ମାନେ ବଟାନିକାଲ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଭାବେ ଯିବା ଆସିବା କରିପାରିବେ।

ସେହିଭଳି ୯ କୋଟି ଟଙ୍କା ବିନିମୟରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ହ୍ରଦରେ ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ। ବଟାନିକାଲ ଗାର୍ଡେନ ସମ୍ମୁଖ ଗେଟ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସଂପର୍କରେ ଅବଗତ ହେବା ସହ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହାପରେ ପ୍ରାଣୀ ଉଦ୍ୟାନରେ ଥିବା ଟୟଟ୍ରେନ, ପ୍ରସ୍ଥାନ ସ୍ଥାନର ନିର୍ମାଣ କାର୍ଯ୍ୟ, ପର୍ଯ୍ୟଟନ ସହାୟତା କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ। ବହୁତଳ ଓ ବସ ପାର୍କିଂ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ। ନନ୍ଦନକାନନର ଆଧୁନିକିକରଣ ନିମନ୍ତେ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶକଙ୍କୁ ସେ ପରାମର୍ଶ ଦେଇଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଆଧୁନିକୀକରଣ ଶେଷ ହେବା ନେଇ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଡଃ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ଡଃ ସଞ୍ଜିତ କୁମାର, ଖୋରଧା ଜିଲ୍ଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନନ୍ଦନକାନନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ ତିନି ମହଲା ବିଶିଷ୍ଠ କାର ପାର୍କିଂ ବ୍ୟବସ୍ଥା

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ।

ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି। ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ ।

ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି ।

ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି। ଏହା ଦ୍ୱାରା ନନ୍ଦନକାନନ ମୁଖ୍ୟ ରାସ୍ତାରେ ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍‌ ସମସ୍ୟାର ସମାଧାନ ହୋଇପାରିବ. ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ଏବଂ ଏଥି ପାଇଁ ଏକ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି ।

ଆଗାମୀ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ନନ୍ଦନକାନନ ଅଧିକ ଆକର୍ଷଣୀୟ ହେବା ସହ ଅତ୍ୟାଧୁନିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବ ସେ ଦିଗରେ ପଦକ୍ଷେପ ନିଆ ଯାଇ ଛି

ଏହି ଅବସରରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର

ନନ୍ଦନକାନନରେ କଲରାପତରିଆ ବାଘୁଣୀ ମୃତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 31/12 : ନନ୍ଦନକାନନରେ ପୁଣି ଏକ ବାଘୁଣୀର ମୃତ ଘଟିଛି । ସୋମବାର ଦିନ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ଗତକାଲି ମୃତ୍ୟୁ ଘଟିଛି । ବର୍ଷାର ଗର୍ଭାଶୟ ସମସ୍ୟା ଦେଖାଦେବାରୁ ଜୁଲାଇ ମାସରେ ତା’ର ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲା । ହେଲେ ସୋମବାର ସକାଳୁ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା । ପ୍ରାଣୀଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ତାକୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାକୁ ବର୍ଷାକୁ 14 ବର୍ଷ ହୋଇଥିଲା । ବର୍ଷାର ମୃତ୍ୟୁ ପରେ କଲରାପତରିଆ ବାଘ ସଂଖ୍ୟା 6କୁ ହ୍ରାସ ପାଇଛି ।

Categories
ଆଜିର ଖବର

ନନ୍ଦନକାନନରେ ଆଉ ଏକ ଆନାକୋଣ୍ଡା ମୃତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,30/11: ବିଗତ ଦୁଇ ଦିନ ମଧ୍ୟରେ ନନ୍ଦନକାନନରେ ଦୁଇଟି ଆନାକୋଣ୍ଡା ପ୍ରାଣ ହରାଇଛନ୍ତି । ଗତମାସରେ ନନ୍ଦନକାନନକୁ 8ଟି ଆନାକୋଣ୍ଡା ଆସିଥିବା ବେଳେ ଗତକାଲି ଏହାମଧ୍ୟରୁ ଗୋଟିଏ ଆନାକୋଣ୍ଡା ପ୍ରାଣ ହରାଇଥିଲା । ଗତକାଲି ମୃତ ଆନାକୋଣ୍ଡାର ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବେଳେ ଆଜି ଆଉ ଏକ ଆନାକୋଣ୍ଡା ପ୍ରାଣ ହରାଇଛି । ହର୍ପିସ୍‌ କାରଣରୁ କିଛି ଦିନ ତଳେ ହାତୀ ମାନେ ପ୍ରାଣ ହରାଉଥିବା ବେଳେ ଆନାକୋଣ୍ଡାଙ୍କ ପ୍ରାଣହାନି ପରେ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।