ନନ୍ଦନକାନନର ରୋପୱେ ମାସେ ମଧ୍ୟରେ ଚାଲୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

Published: Dec 10, 2022, 5:37 pm IST

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଛନ୍ତି। ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରିତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଅଞ୍ଚଳରେ ବାଘ,ସିଂହ, ଭାଲୁ ଓ ତୃଣଭୋଜୀ ଜୀବଜନ୍ତୁ ମାନଙ୍କ ପାଇଁ ସଫାରି ନିର୍ମାଣ ହେବ। ସଫାରି ମଧ୍ୟରେ ପର୍ଯ୍ୟଟକ ମାନଙ୍କ ବୁଲିବା ବ୍ୟବସ୍ଥା, ପ୍ରାଣୀ ଚିକିତ୍ସାକେନ୍ଦ୍ର ମଧ୍ୟ ରହିବ। ଏହି ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ବାରନ୍ବିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ପରେ ବଟାନିକାଲ ଗାର୍ଡେନ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ରୋପୱେକୁ ଆସନ୍ତା ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ଆସିବା ଆଶା କରାଯାଉଥିବାରୁ ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ରୋପୱେରେ ଦୈନିକ ପ୍ରାୟ ୩ ହଜାର ପର୍ଯ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି। ଏହାଦ୍ବାରା ପର୍ଯ୍ୟଟକ ମାନେ ବଟାନିକାଲ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଭାବେ ଯିବା ଆସିବା କରିପାରିବେ।

ସେହିଭଳି ୯ କୋଟି ଟଙ୍କା ବିନିମୟରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ହ୍ରଦରେ ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ। ବଟାନିକାଲ ଗାର୍ଡେନ ସମ୍ମୁଖ ଗେଟ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସଂପର୍କରେ ଅବଗତ ହେବା ସହ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହାପରେ ପ୍ରାଣୀ ଉଦ୍ୟାନରେ ଥିବା ଟୟଟ୍ରେନ, ପ୍ରସ୍ଥାନ ସ୍ଥାନର ନିର୍ମାଣ କାର୍ଯ୍ୟ, ପର୍ଯ୍ୟଟନ ସହାୟତା କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ। ବହୁତଳ ଓ ବସ ପାର୍କିଂ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ। ନନ୍ଦନକାନନର ଆଧୁନିକିକରଣ ନିମନ୍ତେ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶକଙ୍କୁ ସେ ପରାମର୍ଶ ଦେଇଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଆଧୁନିକୀକରଣ ଶେଷ ହେବା ନେଇ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଡଃ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ଡଃ ସଞ୍ଜିତ କୁମାର, ଖୋରଧା ଜିଲ୍ଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts