Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ପ୍ରେସ୍‌ ଦିବସ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ଗଣମାଧ୍ୟମ ପାଇଁ ବଡ ଆହ୍ବାନ

ଭୁବନେଶ୍ବର: ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥା। ଏହା ବ୍ୟତୀତ ପ୍ରେସ୍‌ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍‌ର ବଡ଼ କର୍ତ୍ତବ୍ୟ। ସେଥିପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାଏ।

ଆଜିର ଦିନଟିକୁ ସାରା ଦେଶରେ ଜାତୀୟ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍‌ କାଉନ୍‌ସିଲ୍‌ର ଭୂମିକା ମହତ୍ତ୍ୱପୂର୍ଣ୍ଣ। ପ୍ରେସ୍‌ର ସ୍ୱାଧୀନତା, ଦାୟିତ୍ୱ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି।

ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମଲ୍ଲିକ ଏହା ପ୍ରକାଶ କରିଛନ୍ତି।

ଜାତୀୟ ପ୍ରେସ୍‌ ଦିବସ ଅବସରରେ ଆୟୋଜିତ ‘କୃତି୍ରମ ବୁଦ୍ଧିମତା ସମୟରେ ଗଣମାଧ୍ୟମ’ ଶୀର୍ଷକ ସେମିନାରକୁ ଉଦ୍‌ଘାଟନ କରି ସୂଚନା ଓ ଲୋକସଂପର୍କ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କହିଲେ ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗ୍‌ଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ସମାଜକୁ ଉନ୍ନତି ଓ ପ୍ରଗତି ପଥରେ ଆଗେଇନେବା ପାଇଁ ଗଣମାଧ୍ୟମ ସବୁବେଳେ ପ୍ରୟାସରତ।

ସାରା ଦେଶରେ ସାମ୍ବାଦିକମାନଙ୍କ ପାଇଁ କଲ୍ୟାଣ ଯୋଜନା ଲାଗୁ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ମିଳୁଥିବା ୨ ଲକ୍ଷ ଟଙ୍କାକୁ ୫ ଲକ୍ଷ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ସାମ୍ବାଦିକମାନଙ୍କର ସୁବିଧା-ଅସୁବିଧା ସଂପର୍କରେ ସରକାର ସଚେତନ ଅଛନ୍ତି।

ଆଜି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ବା କୃତି୍ରମ ବୁଦ୍ଧିମତା ସାମ୍ବାଦିକତା କ୍ଷେତ୍ରରେ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ତେବେ ଆମକୁ ପରବର୍ତ୍ତିତ ସମୟରେ ଟେକ୍‌ନୋଲୋଜିର ବ୍ୟବହାର ସହ ପାରମ୍ପରିକ ପଦ୍ଧତିରେ କାର୍ଯ୍ୟ କରିବାକୁ ପଡ଼ିବ। ଆମେ କେବେହେଲେ ସଂପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ଓ ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ, ଅଶୋକ ପଣ୍ଡା, ରମେଶ ଚନ୍ଦ୍ର ମହାନ୍ତି, ଭାଗବତ ତ୍ରିପାଠୀ, ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ସେମିନାରରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ଡ. ସୁପ୍ରିତା ପାଲିତ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ବରରେ ସମ୍ବାଦପତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆଜି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡିଶା ପର‌୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ପ୍ରଦର୍ଶନୀ ଉଦଘାଟନ ଓ ଏହାକୁ ପରିଦର୍ଶନ କରି ପ୍ରମୁଖ ଶାସନ ଶ୍ରୀ ସିଂ କହିଲେ ଯେ, ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିରଳ ସମ୍ବାଦପତ୍ରଗୁଡିକ ସ୍ଥାନ ପାଇଛି, ଯାହାର ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂରକ୍ଷଣକରିବା ପାଇଁ ଡିଜିଟାଇଜେସନ ଆବଶ୍ୟକ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ପ୍ରଦର୍ଶନୀରେ ସ୍ଥାନିତ ସମ୍ବାଦପତ୍ର ଓ ପତ୍ରପତ୍ରିକା ଅତ୍ୟନ୍ତ ଆକର୍ଷଣୀୟ ଓ ସୂଚନା ଧର୍ମୀ ହୋଇଥିବାରୁ ଏହାକୁ ସବୁଦିନ ଯେପରି ଜନସାଧାରଣ ଦେଖିବାର ସୁଯୋଗ ପାଇପାରିବେ, ସେଥିପାଇଁ ଏକ ସ୍ଥାୟୀ ଗ୍ୟାଲେରୀ ବ୍ୟବସ୍ଥା କରିବାକୁ କହିଥିଲେ । ସେହିପରି ଓଡିଶାରେ ସମ୍ବାଦପତ୍ରର କ୍ରମ ବିକାଶ ଉପରେ ଏକ ସୂଚନା ଫଳକ ବ୍ୟବସ୍ଥା କରିବା ଉପରେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଜୟଦେବ ଭବନ ଯୁଗ୍ମ ନିର୍ଦ୍ଦେଶକଶ୍ରୀ ସୂର‌୍ୟ୍ୟରଞ୍ଜନ ମହାନ୍ତି, ବିଭାଗର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରବୀର୍ ସିଂଙ୍କ ସମତେ ବିଭାଗର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।