Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର

ଭୁବନେଶ୍ଵର: ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟରେ ମୋଟ ୨୭ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେବେ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ଏହି ଟଙ୍କା ଓ ବ୍ୟାଗ୍‌ ମିଳିବ। ଏଥିରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଯାତ୍ରା: ଅସୁସ୍ଥ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିବେ

ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଚେନ୍ନାଇ ଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ ହୋଇ ବର୍ତ୍ତମାନ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶ୍ରୀମତୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଏବଂ ସେ ୧୦ ଥର ବିଧାୟିକା ଭାବରେ ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତି। ଖଲିକୋଟ ରାଣୀ ଭାବେ ମଧ୍ୟ ସେ ସୁପରିଚିତ ଅଟନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମାଜର ଦୁର୍ବଳତାଗୁଡ଼ିକର ନିରାକରଣ ନିମନ୍ତେ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ: ଭି.କେ. ପାଣ୍ଡିଆନ୍

ଭୁବନେଶ୍ୱର: ସମାଜର ଅନ୍ତର୍ନିହିତ ଦୁର୍ବଳତାଗୁଡ଼ିକୁ ଗୁରୁତ୍ୱ ଦେଇ ଏହାର ନିରାକରଣ ନିମନ୍ତେ ସାହିତ୍ୟିକମାନେ ମନୋନିବେଶ କରିବା ଆବଶ୍ୟକ ବୋଲି କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍।

ସାହିତ୍ୟ ସମାଜର ଦର୍ପଣ ସଦୃଶ ଯାହାକି ସମାଜର ଅନ୍ତର୍ନିହିତ ଅନ୍ୟାୟକୁ ସାମ୍ନାକୁ ଆଣିବା ସହ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ୍ ଏହା କହିଛନ୍ତି ।

ଯେତେବେଳେ ସମାଜ କୌଣସି ଆହ୍ୱାନର ସାମ୍ନା କରିଥାଏ, ସେତେବେଳେ ସାହିତ୍ୟିକମାନେ ହିଁ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାନ୍ତି । ଫରାସୀ ବିପ୍ଳବ ହେଉ ଅଥବା ଇରାନ୍‌ରେ ବିଦ୍ରୋହ ସବୁ କ୍ଷେତ୍ରରେ ସାହିତ୍ୟିକମାନଙ୍କର ଏକ ବଡ଼ ଭୂମିକା ରହିଥିଲା ବୋଲି ସେ କହିଛନ୍ତି ।

ଓଡ଼ିଆ ଔପନ୍ୟାସିକ ବ୍ୟାସକବି ଫକୀରମୋହନଙ୍କ ‘ରେବତୀ’ ଉପନ୍ୟାସକୁ ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ୍ କହିଥିଲେ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ପୁସ୍ତକ । କାରଣ ଏଥିରେ ସମାଜର ଅନ୍ୟାୟ, ଅନ୍ଧବିଶ୍ୱାସ ଓ କନ୍ୟା ସନ୍ତାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

ଆଜି ସାହିତ୍ୟକମାନେ ସମାଜରେ ମୂଲ୍ୟବୋଧର ଅବନତି, ସାମାଜିକ ଗଣମାଧ୍ୟମର କୁପ୍ରଭାବ, ବୃଦ୍ଧି ପାଉଥିବା ନିଶା କାରବାର ଏବଂ ଭାଙ୍ଗି ଯାଉଥିବା ଭାରତୀୟ ପରିବାର ବ୍ୟବସ୍ଥା ଭଳି ପ୍ରସଙ୍ଗ ଉପରେ ତାଙ୍କ ଲେଖନୀରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ପରିବାର ଭାରତର ଶକ୍ତି ଓ ସାମର୍ଥ୍ୟ ବୋଲି ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ପରିବର୍ତିତ ସମୟରେ ପରିବାରର ଗୁରୁତ୍ୱ ହ୍ରାସ ପାଉଛି ଏବଂ ଆଗାମୀ ୫୦ ବର୍ଷ ମଧ୍ୟରେ ଏହା ପାଶ୍ଚାତ୍ୟ ଦେଶଗୁଡ଼ିକ ପରି ହୋଇଯିବ । ସମାଜରେ ଏପରି ଅନେକ ପ୍ରସଙ୍ଗ ରହିଛି ଯାହାକୁ କି ପ୍ରଶାସକ କିମ୍ବା ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟକ୍ତିମାନେ ସମାଧାନ କରିପାରିବେ ନାହିଁ ମାତ୍ର ସାହିତ୍ୟିକମାନେ ଏହାର ସମାଧାନ କରିପାରିବେ ବୋଲି ସେ କହିଥିଲେ ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ବିଶିଷ୍ଟ ଔପନ୍ୟାସିକ ବିଭୁତି ପଟ୍ଟନାୟକଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କୁ ଏକ ମାନପତ୍ର, ଉତରୀୟ ଓ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯାଇଥିଲା ।

ସମ୍ବର୍ଦ୍ଧିତ ହେବା ଅବସରରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଦ୍ୱାରା ଓଡ଼ିଆ ଭାଷା ପ୍ରତି ଲୋକମାନଙ୍କ ସଚେତନତା ବୃଦ୍ଧି ପାଇବ ବୋଲି କହିଥିଲେ ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ପ୍ରାୟ ୫୦ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସମ୍ପର୍କରେ ଚିନ୍ତା କରିଥିଲେ । ଆମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଏକ ବିମର୍ଶ ଆୟୋଜନ କରିବା ନିମନ୍ତେ ସୋଆକୁ ଅନୁରୋଧ କରିଥିଲୁ ଯାହାକି ବିଶ୍ୱବିଦ୍ୟାଳୟ ଉତମ ଭାବେ କରିପାରିଛି ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ।

ସେ କହିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ୍‌ ଉଦ୍‌ଘାଟିତ ହେଲା। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି ଏବଂ ଫେବୃଆରୀ ୩ ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଗୌରବର ସମୟ, ଅସ୍ମିତାର ସମୟ।

ଏହି ଅବସରରେ ବିଶ୍ବ ବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ, ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସଂସ୍କୃତି, ଆମ ଜୀବନଧାରା, ଆମ ପରମ୍ପରାକୁ  ଭିତ୍ତି  କରି ଭଲ  ଭଲ  ସାହିତ୍ୟ ସୃଷ୍ଟିକୁ  ପ୍ରୋତ୍ସାହନ ଦେବା ଦରକାର। ଏ ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ  ନେତୃତ୍ୱ ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସତ୍ୟବାଦୀକୁ ଓଡିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ସେ କହିଲେ ଯେ  ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ହେଉଛି ସତ୍ୟବାଦୀ।

ଏହି ଅବସରରେ ସେ ଆଦି କବି ସାରଳା ଦାସଙ୍କୁ  ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କୁ ସେ ତାଙ୍କର ସମ୍ମାନ ଜଣାଇ ଥିଲେ। ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀ ମାନଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ତା’ର ଭାଷା। ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ।

ସେ ପୁଣି କହିଲେ ଯେ  ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି।  ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଦରକାର। ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଦରକାର। ସାମାଜିକ ଗଣମାଧ୍ୟମରେ  ଓଡ଼ିଆ ଭାଷାର ବ୍ୟବହାର  ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଦରକାର ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ଓଡିଆ ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏକ ବଡ ଅବଦାନ । ଓଡିଆ ବିଶ୍ବବିଦ୍ୟାଳୟ ଯୋଗୁ ଓଡିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ଦେଶ ବିଦେଶରେ ରହୁଥିବା ଓଡିଆ ମାନେ ଖୁବ ଉତ୍ସାହିତ ବୋଲି ସେ କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, କୁଳପତି ପ୍ରଫେସର ସବିତା ପ୍ରଧାନ ପ୍ରମୁଖ ସେମାନଙ୍କ ଅଭିଭାଷଣ ଦେଇଥିଲେ। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିଲେ ଏବଂ  କୁଳସଚିବ ରଶ୍ମୀରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଯୋଗ୍ୟ ଯେ ସତ୍ୟବାଦୀ ଠାରେ ୨୦୧୮ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵ ବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ପ୍ରଶାସନିକ ବିଲ୍ଡିଂ ରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ଅତୀବ ମନୋରମ ପରିଦୃଶ୍ୟ ହେଉଛି। ଏଥିରେ ସ୍କୁଲ ଅଫ ଲର୍ଣିଂ, ଗ୍ରନ୍ଥାଗାର,   ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏ ସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ ଅଛି।

Categories
ଜାତୀୟ ଖବର ବିଶେଷ ଖବର

ମହାପ୍ରଭୁଙ୍କ ନିକଟରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଇଥିଲେ।

ଭକ୍ତ ମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ଉନ୍ନତି ଓ ମଙ୍ଗଳ କାମନା କରିଥିଲେ। ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଥଲେ।

ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। ଶ୍ରୀ ମନ୍ଦିରର ସୁରକ୍ଷା, ମହାପ୍ରଭୁଙ୍କ ଯାନିଯାତ୍ରା ଓ ଭକ୍ତ ମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା।

ମନ୍ଦିର ଚତୁଃ ପାର୍ଶ୍ଵରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହେବା ସହିତ ପିଢ଼ି ପରେ ପିଢ଼ି ଭକ୍ତ ମାନଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରିବ।

ସୁନ୍ଦର୍ ସବୁଜ ପରିବେଶ, ଖଣ୍ଡେଲାଇଟସ ପଥରର ଆକର୍ଷଣୀୟ କାରିଗରୀ କାମ ସହିତ ଭକ୍ତ ମାନଙ୍କ ପାଇଁ କ୍ଲୋକ୍ ରୁମ୍, ସୂଚନା କେନ୍ଦ୍ର, ଆମ୍ପି ଥିଏଟର ଆଦି ଅନେକ ସୁବିଧା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ ଫୋନ କରି ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ହୋଇ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ଫୋନ କରି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି ଯେ – ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ଖବର ପାଇବା ପରେ ମୁଁ ଚିନ୍ତିତ। ତାଙ୍କ ସହିତ କଥା ହୋଇଛି ଓ ତାଙ୍କର ଦ୍ରୁତ ଆରୋଗ୍ୟଲାଭ କାମନା କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ରାଜନୈତିକ ନେତା ଓ କର୍ମୀ ଶ୍ରୀ ପ୍ରଧାନଙ୍କର ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜୟଙ୍କ ବିୟୋଗରେ ଶୋକ ପ୍ରକଟ କଲେ ମୁଖ୍ୟମନ୍ତ୍ରୀ : ରାଷ୍ଟ୍ର୍ରୀୟ ମର୍ଯ୍ୟାଦାର ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବାଦ୍‌ଶାହା ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି । ବିଜୟଙ୍କ ଅଭିନୟର ଛାପ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ନବୀନ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବିଜୟ ମହାନ୍ତିଙ୍କ ବିୟୋଗରେ  ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଶୋକ ପ୍ରକଟ କରିଛନ୍ତି । ଅଭିନୟ ଲାଗି ସେ ସମସ୍ତଙ୍କ ହୃଦୟରେ ସବୁଦିନ ମନେ ରହିବେ ବୋଲି କହିଛନ୍ତି ରାଜ୍ୟପାଳ ।

ସେହିପରି  ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବିଜୟଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଲହରୀ ଖେଳି ଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ପାଇଁ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22ଶହ କୋଟିର ପ୍ୟାକେଜ୍‌ର ଘୋଷଣା କରିଛନ୍ତି । ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଆସୁଥିବା 94 ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କଲେ ନବୀନ। ଏଥିପାଇଁ 940 କୋଟି ଖର୍ଚ୍ଚ ହେବ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ତିନି ମାସର ରାସନ ଆଗୁଆ ମିଳିଛି। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର 48 ହିତାଧିକାରୀଙ୍କୁ 4 ମାସର ଭତ୍ତା ଆଗୁଆ ଦିଆଯାଉଛି। ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଚାରି ମାସର ଭତ୍ତା ଆଗୁଆ ମିଳୁଛି। ଚାରି ମାସର ଆଗୁଆ ଭତ୍ତା ପାଇଁ 932 ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର 94 ଲକ୍ଷ ପରିବାରକୁ 1 ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସେହିପରି ରାଜ୍ୟର 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ। 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ 15 ଶହ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବ । ନିର୍ମାଣ ଶ୍ରମିକଙ୍କୁ ସହାୟତା ବାବଦରେ 330 କୋଟି ଖର୍ଚ୍ଚ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ 23 କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ 23 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ମଞ୍ଜୁର କରିଛନ୍ତି । ଘୋଷିତ ତାଲିକାରେ 10ଟି ମନ୍ଦିର, 5ଟି ଗୀର୍ଜା, 6ଟି ମସ୍‌ଜିଦ୍‌ ଏବଂ 2ଟି ଗୁରୁଦ୍ବାରକୁ ସାମିଲ କରାଯାଇଛି । ନିମ୍ନ ଲିଖିତ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଏହି ଧାରାରେ ସାମିଲ କରାଯିବା ସହିତ ପ୍ରତ୍ୟେକ ଧାର୍ମିକ ସ୍ଥଳକୁ 1 କୋଟି ଟଙ୍କା ପ୍ରଦାନ କରାଯିବ ।
ମନ୍ଦିର :
ବରଗଡ : ନୃସିଂହନାଥ ମନ୍ଦିର
ଭଦ୍ରକ : ମା ଭଦ୍ରକାଳୀ ମନ୍ଦିର
ବଲାଙ୍ଗୀର : ହରିଶଙ୍କର
ବୌଦ୍ଧ : ଜଗନ୍ନାଥ ମନ୍ଦିର
ଢେଙ୍କାନାଳ : ଚନ୍ଦ୍ରଶେଖର ଜୀଉ ବିଜେ
ଜଗତସିଂହପୁର : ମା ଶାରଳା ମନ୍ଦିର
ଯାଜପୁର : ମା ବିରଜା ବନ୍ଦିର
କେନ୍ଦୁଝର : ବଳଦେବ ଜୀଉ ମନ୍ଦିର
କୋରାପୁଟ : ଶ୍ରୀ ଗୁପ୍ତେଶ୍ବର ମନ୍ଦିର
ନବରଙ୍ଗପୁର : ନୀଳକଣ୍ଠେଶ୍ବର ମନ୍ଦିର
ଗୀର୍ଜା :
ବଲାଙ୍ଗୀର : ସିଏନ୍‌ଆଇ ଗୀର୍ଜା
ଖୋର୍ଦ୍ଧା : ବାପ୍‌ଟିଷ୍ଟ ଗୀର୍ଜା
କଟକ : ମାଉଣ୍ଟ ହାଉସ୍‌ ଗୀର୍ଜା
କଳାହାଣ୍ଡି : ସେଣ୍ଟ ପଲ୍‌ ପ୍ରୋଟେଷ୍ଟାଣ୍ଟ ଗୀର୍ଜା
ଭୁବନେଶ୍ବର : ଚର୍ଚ୍ଚ ଅଫ୍‌ କ୍ରିଷ୍ଟ
ମସ୍‌ଜିଦ୍‌ :
ପୁରୀ : ଜାହାନିଆଁ ପୀର
ସୋନପୁର : ହାଜିର ଅବ୍‌ଦୁଲ ସକୁର ବାବା ତରଭା ସରିଫ୍‌
ଭଦ୍ରକ : ଦରଘ ଏ ହଜୁର ମୁଜାହିଦ୍‌ ଏ ମିଲାତ୍‌
ବାଲେଶ୍ବର : ଭୁଜାଖିଆ ପୀର
ଭୁବନେଶ୍ବର : ଜାମା ମସ୍‌ଜିଦ୍‌
ଖୋର୍ଦ୍ଧା : ହଜରତ ବୁଖାରୀ
ଗୁରୁଦ୍ବାର :
ସୁନ୍ଦରଗଡ : ଗୁରୁ ସିଂ ସାହିବ ଗୁରୁଦ୍ବାର
ପୁରୀ : ବଉଳି ମଠ

Categories
ଆଜିର ଖବର ରାଜ୍ୟ ଖବର

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଥିଲେ। ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ନାମାଙ୍କନ ପାଇଁ 10 ଜଣ ପ୍ରସ୍ତାବକ ଓ 10 ଜଣ ସମର୍ଥକ ରହିଥିଲେ ।  ସେହିପରି ଆଜି ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ 80 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା 26 ତାରିଖରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ସାଙ୍ଗଠନିକ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ । ଏହା ପୂର୍ବରୁ 21 ତାରିଖରେ ଦଳର ସାଂଗଠନିକ ଜିଲ୍ଲା ସଭପତିଙ୍କ ନାଁ ଘୋଷଣା କରାଯାଇଥିଲା।

 

Categories
ଆଜିର ଖବର ରାଜ୍ୟ ଖବର

୩୩ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବରେ ଅହିଂସାକୁ ମୂଳମନ୍ତ୍ର କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 2/1:

୩୩ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଅହିଂସା ମହାତ୍ମା ଗାନ୍ଧିଙ୍କ ବିଶ୍ବକୁ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ମତ ଦେଇ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବାକୁ ଆହ୍ବାନ ଜଣାଇଥିଲେ। ସାରା ବିଶ୍ବ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି।  ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ବାବଲମ୍ବୀ ଅର୍ଥନୀତି ହୋଇପାରିଲେ ହିଁ ଏହା ଗାନ୍ଧିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଛନ୍ତି ନବୀନ ପଟ୍ଟନାୟକ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ସ୍ବାଧୀନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ, ରମେଶ ଚନ୍ଦ୍ର ମାଝୀ, ସୁରେଶ କୁମାର ରାଉତରାୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ବାଧୀନତା ସଂଗ୍ରାମୀ ସର୍ବଭାରତୀୟ ସଭାପତି କୁଲକର୍ଣ୍ଣୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଡ. ମହତାବଙ୍କ 120ତମ ଜନ୍ମବାର୍ଷିକୀ ଜାତୀୟ ଉତ୍ସବର ଲୋଗୋ ଓ ମହୋତ୍ସବର ସ୍ମରଣିକା ଉନେ୍ମାଚନ କରିଥିଲେ। ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଅବସରରେ ଆୟୋଜିତ ଫଟୋଚିତ୍ର  ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ଚଳିତ ବର୍ଷ ନୂଆବର୍ଷ ପାଳିବେନି ନବୀନ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 31/12: ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆବର୍ଷ ପାଳିବେ ନାହିଁ। ତାଙ୍କ ବଡ଼ ଭିଣୋଇ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରକାଶକ ଓ ସମ୍ପାଦକ ସୋନି ମେହେଟ୍ଟାଙ୍କର ଗତକାଲି ରାତିରେ ନ୍ୟୁୟର୍କରେ ମୃତ୍ୟୁ ହୋଇଥିବାରୁ ସେ ଆସନ୍ତାକାଲି ନବବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ଆସନ୍ତା କାଲି ନୂଆବର୍ଷ ଶୁଭେଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ନିଜର ଭିଣୋଇଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର ଚିଠା ଲୋକାର୍ପିତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩୦/୧୨: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରଟେଜ୍‌ କରିଡର ଚିଠା (ଆର୍କିଟେକଚର୍‌ ପ୍ଲାନ୍‌) ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇମେଲ ଜରିଆରେ ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିରର ପ୍ରଶାସନକୁ ପଠାଇବା ନିମେନ୍ତ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡ଼ାନ୍ତ ସ୍ଥପତି ଶୈଳୀର ରୂପରେଖ ଫେବୃଆରୀ ମାସରେ ପ୍ରକାଶିତ ହେବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦଙ୍କ ସମେତ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ପଦାଧିକାରୀପ୍ରମୁଖ ଉପସ୍ଥିତ ରହିଥିଲେ।

ମତାମତା ପଠାଇବା ପାଇଁ ଇମେଲ : [email protected]

ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଜମି ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ଏହି କାର୍ଯ୍ୟ ପାଇଁ ସମ୍ପୃକ୍ତ ଜମି ଦାନ କରିଥିବା ବ୍ୟକ୍ତବିଶେଷଙ୍କର ନାମ ଐତିହ୍ୟ କରିଡରରେ ଏକ ଫଳରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଏହି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ବୋଲି ଘୋଷଣା କରାଯାଇଛି।

ଲୋକାର୍ପିତ ହୋଇଥିବା ଚିଠା ‘ଆର୍କିଟେକଚର୍‌ ପ୍ଲାନ୍‌’ କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ ଅଟେ। ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ବ ଏସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀମାନଙ୍କୁ ଅର୍ପଣ କରିବା ପାଇଁ ସ୍ଥିର କରାଯାଇଛି।

ପୁରୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ସାମିଲ୍‌ କରିବା ନେଇ ରାଜ୍ୟସରକାର ପୁରୀର ବିକାଶ ଦିଗରେ ବିଶେଷ ଗୁରୁତ୍ବ ଦେଇଛନ୍ତି। ପୁରୀଧାମରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ। ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମେନ୍ତ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ। ଶ୍ରୀମନ୍ଦିର ଚତୁର୍ପାଶ୍ବରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ। ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ।

Categories
ଆଜିର ଖବର

ଲିଙ୍ଗରାଜ ସଂଲଗ୍ନ ବିକାଶ ପାଇଁ ୫ କୋଟିର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୨୮/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଠ  ଓ ମନ୍ଦିରର ବିକାଶ ପାଇଁ ବିଭିନ୍ନ ପ୍ରକାରର ଘୋଷଣା କରିଛନ୍ତି। ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯିବା ପରେ ଲିଙ୍ଗରାଜ ସଂଲଗ୍ନ ବିକାଶ ପାଇଁ ୫ କୋଟି ଟଙ୍କାର ଘୋଷଣା କରିଛନ୍ତି। ଏହି ଅନୁମୋଦିତ ଅର୍ଥରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପର ନୂଆ ବିଲିଡିଂ ନିର୍ମାଣ ହେବ। ସେହିପରି ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିକଟରେ ଲିଙ୍ଗରାଜ ରିସର୍ଚ୍ଚ ସେଣ୍ଟର ପାଇଁ ମଧ୍ୟ ଖର୍ଚ୍ଚ ହେବ। ନିର୍ମାଣ ହେବାକୁ ଥିବା ନୂତନ କୋଠାରେ ଓ୍ବାଚ ଟାଓ୍ବାରର ସୁବିଧା କରାଯିବ।

Categories
ବିଶେଷ ଖବର

ଓଡିଶା ରାଜନୀତିରେ ପ୍ରସଙ୍ଗବିହୀନ ପ୍ରସଙ୍ଗ; ନବୀନଙ୍କ ଉତ୍ତରାଧିକାର ଓ ବିଜେଡ଼ିର ଭବିଷ୍ୟତ

କେଦାର ମିଶ୍ର

ଯେତେବେଳେ ଓଡିଶା ରାଜନୀତିରେ ବିଶେଷ କିଛି ପ୍ରସଙ୍ଗ ନଥାଏ, ସେତେବେଳେ ଗଣମାଧ୍ୟମରେ ଦୁଇଟି କଥା ଟାଣି ଓଟାରି ଚର୍ଚ୍ଚାକୁ ଅଣା ହୁଏ। ପ୍ରଥମ- ନବୀନଙ୍କ ସ୍ୱାସ୍ଥ୍ୟ ଓ ଦ୍ଵିତୀୟ- ନବୀନଙ୍କ ଉତ୍ତରାଧିକାର। ଏହି ଦୁଇଟି ଯାକ ପ୍ରସଙ୍ଗ ଗଲା ଦଶ ବର୍ଷ ଧରି ମଝିରେ ମଝିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଆସିଛି। କାହିଁକି ଓ କେଉଁ ସୂତ୍ରରୁ ଏ ଖବର ଆସେ, ସେ କଥା କେହି ଜାଣନ୍ତି ନାହିଁ। ହେଲେ ସପ୍ତାହେ ଅଧେ ଚର୍ଚ୍ଚାରେ ରହିବା ପରେ ଏ ପ୍ରସଙ୍ଗ ଆପେ ଆପେ ମଉଳି ଯାଏ। ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟକୁ ନେଇ ଶହେ ଥର ଏମିତି ଗୁଜବ ଉଠିଛି ଓ ମିଳେଇ ଯାଇଛି। ସେମିତି ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଗତ ୨୦୧୨ରୁ ଆମେ ଶୁଣି ଆସୁଛୁ। ଯଦି ପୁରୁଣା ଖବର କାଗଜ ଓ ଟେଲିଭିଜନ ଲାଇବ୍ରେରୀ ଅଣ୍ଡାଳିବା, ତାହେଲେ ଏ ପ୍ରକାର ଶହ ଶହ ଖବର ଆମ ଆଖିରେ ପଡିବ। ଏ ପ୍ରକାର ଖବର ବିଜୁ ଜନତା ଦଳ ଉପରେ କିମ୍ବା ଓଡିଶାବାସୀଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇପାରେ ନାହିଁ।

ଏ ସମ୍ପର୍କିତ ନୂଆ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି ଗତ ବିଜେଡି ପ୍ରତିଷ୍ଠା ଉତ୍ସବରେ ନବୀନ ଦେଇଥିବା ଭାଷଣକୁ ନେଇ। ନବୀନ କୁଆଡେ ନିଜ ଉତ୍ତରାଧିକାରୀ ପ୍ରସଙ୍ଗ ତାଙ୍କ ଭାଷଣରେ ଈଶାରା ଦେଇଥିବା କଥା କୁହାଯାଉଛି। ନବୀନ ପଟ୍ଟନାୟକଙ୍କର ଏକଦା ଘନିଷ୍ଠ ମିତ୍ର ଓ ଆଜିକାର ପରମ ଶତ୍ରୁ ପାଲଟିଥିବା ଜଣେ ପୂର୍ବତନ ସାଂସଦଙ୍କ ମାଲିକାନାରେ ଥିବା ଏକ ଗଣମାଧ୍ୟମ ସଂସ୍ଥା ଏହି ପ୍ରସଙ୍ଗରେ ବେଶ ଉତ୍ସାହଜନକ ଆଲୋଚନା କରୁଛନ୍ତି। ଏହି ପ୍ରସଙ୍ଗରେ ଗୋଟେ ଅଧେ ଜାତୀୟ ଖବର କାଗଜ ମଧ୍ୟ ଆଲୋଚନା କରିଥିବାର ଦେଖିବାକୁ ମିଳିଛି। ତେବେ ସତରେ ନବୀନ ତାଙ୍କ ଭାଷଣରେ ଉତ୍ତରାଧିକାରୀ ପ୍ରସଙ୍ଗ ଉଠାଇଛନ୍ତି କି? ବରଂ ନବୀନ ତାଙ୍କ ଭାଷଣରେ ତାଙ୍କ ଉତ୍ତରାଧିକାର ପ୍ରସଙ୍ଗକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହିତ, ଓଡିଶାର ଜନ ସାଧାରଣ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି।

ଏ ପ୍ରସଙ୍ଗ ଆଲୋଚନା କଲାବେଳେ ଗତ ଚାରି ବର୍ଷ ଧରି ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା ଭାଷଣକୁ ତୁଳନା କରି ଦେଖିବାକୁ ପଡିବ। ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ସବୁବେଳେ ବିଜେଡ଼ିକୁ ଲୋକଙ୍କ ଆନ୍ଦୋଳନ ଓ ଏହା କୌଣସି ନେତାଙ୍କ ଉପରେ ନିର୍ଭର କରେନାହିଁ ବୋଲି କହି ଆସିଛନ୍ତି। ଏପରିକି ମୁଁ ମଧ୍ୟ ଦଳ ଲାଗି ଅପରିହାର୍ୟ ନୁହେଁ ବୋଲି କହିବା ପଛରେ, ବିଜେଡ଼ିକୁ ଭବିଷ୍ୟତ ଲାଗି ନିଜ ଲକ୍ଷ୍ୟ ଥୟ କରିବାର ଏକ ପରାମର୍ଶ ରହିଛି। ଯେତେବେଳେ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ସାଙ୍ଗଠନିକ ଦାୟିତ୍ଵ ବୁଝୁଥିଲେ, ସେ ଏହାକୁ ଏକ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ସବୁବେଳେ କହି ଆସୁଥିଲେ। ପ୍ୟାରୀ ବାବୁଙ୍କ ସମୟରୁ ବିଜେଡ଼ିର ଏକ ସୁଦୃଢ ସାଙ୍ଗଠନିକ ଆଧାର ସୃଷ୍ଟି ହୋଇଛି ଓ ସମୟକ୍ରମେ ଏହା ଅଧିକ ଶକ୍ତିଶାଳୀ ହୋଇଛି।

୨୦୧୪ ଓ ୨୦୧୯ ନିର୍ବାଚନରେ ଓଡିଶାରେ ବିଜେଡ଼ିର ବିପୁଳ ବିଜୟ ପଛରେ ଏହି ସାଙ୍ଗଠନିକ ଶକ୍ତି କାମ ଦେଇଛି। ବିପୁଳ ମୋଦୀ ହାୱା ଓ ବିଜେପିର ପରାକ୍ରମୀ ପ୍ରଚାରକୁ କେବଳ ନବୀନଙ୍କ ଭାବମୂର୍ତ୍ତି ଜରିଆରେ ଜିତିବା ସମ୍ଭବ ନଥିଲା। ଅବଶ୍ୟ ନବୀନଙ୍କ ଭାବମୂର୍ତ୍ତି ବିଜେଡ଼ିର ଏକ ବିଶେଷ ସମ୍ବଳ, ହେଲେ ବିଜେଡି ବିଜୟର ଏହା ଏକମାତ୍ର କାରଣ ନୁହେଁ। ବିଜେଡି ନିଜର ଏକ ଶକ୍ତିଶାଳୀ ଓ ପ୍ରଭାବଶାଳି ସଂଗଠନ ଯେ ଗଢିପାରିଛି, ଏହାକୁ ଆମର ସାମ୍ବାଦିକ ଓ ସମୀକ୍ଷକମାନେ ବିଶ୍ଵାସ କରନ୍ତି ନାହିଁ। ନବୀନଙ୍କ ଭାବମୂର୍ତ୍ତି ସହିତ ଗାଁ ସ୍ତରରେ ବିଜେଡ଼ିର ସଂଗଠନ ପହଞ୍ଚିଛି। ସେହିପରି ବିଜେଡି କର୍ମୀ ଓ ନେତାଙ୍କର ଏକ ସ୍ଵୟଂ ସଂପୂର୍ଣ୍ଣ ଡାଟା ବ୍ୟାଙ୍କ ନିର୍ମାଣ କରିବାରେ ବିଜେଡି ସମର୍ଥ ହୋଇଛି।

ବିଜେଡ଼ିର ନିର୍ବାଚନ ପରିଚାଳନା ଅନ୍ୟ ଯେ କୌଣସି ରାଜନୈତିକ ଦଳଙ୍କଠାରୁ ଅଲଗା ରହି ଆସିଛି। ନବୀନ ବାବୁ ଗତ ପାଞ୍ଚ ବର୍ଷ ଭିତରେ ନିଜର ରାଜନୈତିକ ବିରୋଧୀଙ୍କୁ ଆକ୍ଷେପ କରି ବା ସମାଲୋଚନା କରି କିଛି କହିଥିବାର ଉଦାହରଣ ମିଳିବ ନାହିଁ। ବିଜେଡ଼ିକୁ ସାଢେ ଚାରି କୋଟି ଓଡିଆଙ୍କ ଦଳ ବୋଲି କହିବା ବେଳେ ନବୀନ ବାବୁ ତାରି ଭିତରେ ରାଜନୈତିକ ବିରୋଧୀଙ୍କୁ ମଧ୍ୟ ନିଜର ବୋଲି କହି ପକାନ୍ତି। ଏହାହିଁ ନବୀନ ରାଜନୀତିର ସଫଳତା। ସକାରାତ୍ମକ ରାଜନୀତି ର କଥା କହି ବିରୋଧୀଙ୍କୁ ନିରସ୍ତ୍ର କରିଦେବାର କଳା ଯୋଗୁଁ ନବୀନଙ୍କ ବ୍ୟକ୍ତିତ୍ବ ଲୋକଙ୍କ ପାଇଁ ଏକ ବଡ ଆକର୍ଷଣ ପାଲଟିଛି।

ନବୀନଙ୍କ ଉତ୍ତରାଧିକାରୀ କିଏ, ଏହାର ଉତ୍ତର ରେ ନବୀନ କହିଛନ୍ତି, ବିଜେଡି ଅଛି ଓ ରହିବ, ନେତା କିଏ ହେବ ତାହା ଲୋକେ ବାଛିବେ। ଏଥିରୁ ଉତ୍ତରାଧିକାରୀ ବଛା ହେବା ପ୍ରସଙ୍ଗ ଉଠିବା ହାସ୍ୟାସ୍ପଦ। ବିଜେଡି ଭିତରେ ସଙ୍ଗଠନକୁ ନେଇ ଏକ ଗଭୀର ଆତ୍ମବିଶ୍ଵାସ ରହିଛି। ନବୀନଙ୍କ ପରେ ବିଜେଡ଼ିର ଅସ୍ତିତ୍ଵକୁ ନେଇ ସନ୍ଦେହ କରୁଥିବା ଲୋକଙ୍କ ଲାଗି, ନବୀନଙ୍କର ଏହି ଭାଷଣରେ ଏକ ବାର୍ତ୍ତା ରହିଛି- ଯାହାକୁ କହିହେବ ଯେ- ବିଜେଡି ଆହୁରି ଅନେକ ବର୍ଷ ଯାଏଁ ଓଡିଶା ରାଜନୀତିର କ୍ଷମତା ଦଖଲ କରିବାର ନକ୍ସା ପ୍ରସ୍ତୁତ କରି ରଖିଛି।

Categories
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ କି?

କେଦାର ମିଶ୍ର

ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସଂସଦରେ ତାଙ୍କ ଦଳ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜାତୀୟ ନାଗରିକ ରେକର୍ଡ ବା ଏନଆରସିକୁ ସମର୍ଥନ କରିବ ନାହିଁ। ନବୀନ ବାବୁଙ୍କ ମତରେ ନାଗରିକତା ସଂଶୋଧନ ଆଇନରେ ଭାରତର କୌଣସି ନାଗରିକ ପ୍ରଭାବିତ ହେବେନାହିଁ, କାରଣ ଏହା କେବଳ ବିଦେଶୀଙ୍କ ପାଇଁ ଲାଗୁ ହେବ ବୋଲି ବ୍ୟବସ୍ଥା ରହିଛି। ଆପାତତଃ ନବୀନ ବାବୁ ଠିକ କହୁଛନ୍ତି। ନାଗରିକ ସଂଶୋଧନ ଆଇନର କୌଣସି ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବ ନାହିଁ। ତେବେ ଏହି ଆଇନକୁ ବିରୋଧ କରିବାର କାରଣ ଆଦୌ ସ୍ଵଦେଶୀ ବା ବିଦେଶୀ ନୁହେଁ, ବରଂ ଏହି ଆଇନକୁ ବିରୋଧ କରିବାର ଏକମାତ୍ର କାରଣ ହେଉଛି, ଏହା ନାଗରିକତାର ବିଚାର ପାଇଁ ଧର୍ମକୁ ଏକ ଯୋଗ୍ୟତା ଭାବେ ଗ୍ରହଣ କରିଛି। ଜଣେ ବିଦେଶୀ ଭାରତର ନାଗରିକତା ଗ୍ରହଣ କରିବାର ଏକମାତ୍ର ଯୋଗ୍ୟତା ହେଉଛି, ସେ ଆମର ସମ୍ବିଧାନକୁ ମାନିବା ସହିତ ଆମର ସାର୍ବଭୌମତ୍ଵକୁ ଅନ୍ତଃକରଣରେ ସ୍ଵୀକାର କରିବ। ଭାରତ ପ୍ରତି ସେ ନିଜର ନିଷ୍ଠା ଓ ପ୍ରେମ ପ୍ରମାଣିତ କରିଥିବ । ଏହା ବ୍ୟତୀତ ଅନ୍ୟ କୌଣସି ଯୋଗ୍ୟତା ନାଗରିକତା କ୍ଷେତ୍ରରେ ବିବେଚିତ ହେବା ଆମ ସମ୍ବିଧାନର ବିରୋଧାଚରଣ କରୁଛି ଓ କରିବ।

ସମ୍ବିଧାନର ଧାରା ୧୪ ଓ ୧୫ ଅନୁଯାୟୀ ସମାନତାର ଅଧିକାର ନାଗରିକତା କ୍ଷେତ୍ରରେ ସବୁଠୁ ଅପରିହାର୍ୟ ଉପାଦାନ। ଯେଉଁ ମାନଙ୍କୁ ନୂଆ ନାଗରିକତା ଦେବାର କଥା ଉଠିବ ସେଥିରେ ଧାରା ୧୪ ଓ ୧୫ ପ୍ରଯୁଜ୍ୟ ନୁହେଁ ବୋଲି ବିଜେପି ଯୁକ୍ତି କରୁଛି। ଏହି ଯୁକ୍ତି ପଛରେ ସବୁଠୁ ବଡ ଷଡଯନ୍ତ୍ର ରହିଛି। ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ଦେବା ପ୍ରସଙ୍ଗରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଗୋଟେ ଭିନ୍ନ ୟୁନିଟ ଭାବରେ ଗ୍ରହଣ କରିବାର କାରଣ କଣ? ବିଜେପିର ଯୁକ୍ତି ହେଲା ଏହି ତିନୋଟି ଦେଶ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହୋଇଥିବାରୁ ଏ ନିୟମ ଜରୁରୀ। ତେବେ ଆରବ ରାଜ୍ୟ ବା ଇଣ୍ଡୋନେସିଆ ବା ମାଲେସିୟା ଭଳି ଦେଶ କ୍ଷେତ୍ରରେ ଏହା ଲାଗୁ ହେବନାହିଁ କାହିଁକି? କାଲି ଇଣ୍ଡୋନେସିଆ ବା ମାଲେସିଆରେ ରହୁଥିବା ହିନ୍ଦୁ, ବୌଦ୍ଧ, ପାର୍ସି, ଶିଖ, ଜୈନ ବା ଖ୍ରୀଷ୍ଟିୟାନ ନିର୍ୟାତିତ ହୋଇ ଭାରତକୁ ଶରଣ ମାଗିଲେ ଆଉ ଗୋଟେ ଅଲଗା ନିୟମ ତିଆରି ହେବ କି? ଆମର ଅନ୍ୟ ତିନି ପଡୋଶୀ ମିଆଁମାର, ନେପାଳ ଓ ଶ୍ରୀଲଙ୍କାରେ ପାଇଁ ଏ ଆଇନ ଲାଗୁ ହେବନାହିଁ କାହିଁକି? ତିନୋଟି ନିର୍ଦ୍ଦିଷ୍ଟ ମୁସଲମାନ ବହୁଳ ଦେଶରୁ କେବଳ ଅଣ ମୁସଲମାନଙ୍କୁ ନାଗରିକତା ଦେବାର ସର୍ତ୍ତ ରଖିବା ଫଳରେ ଏହି ଆଇନ ଯେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଉଦ୍ଦେଶ୍ୟ କରି ତିଆରି ହୋଇଛି, ତାହା ଅତ୍ୟନ୍ତ ସ୍ପଷ୍ଟ। ଭାରତର ସମ୍ବିଧାନ ଧାର୍ମିକ ଉଦ୍ଦେଶ୍ୟ ରାଖୀ ତିଆରି ହୋଇଥିବା ଆଇନକୁ ସବୁବେଳେ ଅସ୍ଵୀକାର କରେ। ତେଣୁ ସମ୍ବିଧାନ ଆଧାରରେ ଏ ଆଇନକୁ ବିରୋଧ କରିବା ପ୍ରତ୍ୟେକ ଭାରତୀୟର ପ୍ରଥମ କର୍ତ୍ତବ୍ୟ।

ପୁନଶ୍ଚ ଏହି ଆଇନ ସହିତ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି। ଏହି ଆଇନ ଜନ୍ମ ନେଇଛି ଆସାମରେ ଜାତୀୟ ନାଗରିକ ରେକର୍ଡ ତିଆରି କରିବାର ନିର୍ବୋଧତାରୁ। ଆସାମରେ କୋଟି କୋଟି ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ବୋଲି ବିଜେପି ଓ ସଂଘ ପରିବାର ଯେଉଁ ପ୍ରଚାର କରୁଥିଲେ, ତାର ଅସଲ ମୁଖା ଆସାମ ଏନଆରସି ତଥ୍ୟ ଖୋଲି ଦେଇଥିଲା। ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରି ଆସାମରେ ଯେଉଁ ରେକର୍ଡ ପ୍ରସ୍ତୁତ କରାଗଲା ସେଥିରୁ ମାତ୍ର ୧୯ ଲକ୍ଷ ଲୋକ ନିଜର ନାଗରିକତା ପ୍ରମାଣିତ କରି ପାରିନାହାନ୍ତି। ବିଜେପିର ମୁଣ୍ଡ ବିନ୍ଧା ସେତେବେଳେ ଅଧିକ ବଢିଗଲା, ଯେତେବେଳେ ଜଣାପଡିଲା ଯେ ୧୯ ଲକ୍ଷ ଅନୁପ୍ରବେଶକାରୀଙ୍କ ଭିତରୁ ପ୍ରାୟ ୧୩ ଲକ୍ଷ ହିନ୍ଦୁ ବା ଅଣମୁସଲମାନ ରହିଛନ୍ତି। ସେମାନଙ୍କୁ ନାଗରିକତା ଦେବାର ଅଭିସନ୍ଧିରୁ ଏହି ବିଲ କୁ ଆଇନରେ ପରିଣତ କରିବାର ଯୋଜନା ଆରମ୍ଭ ହୋଇଥିଲା।

ସାରା ଦେଶ ଏହି ଆଇନକୁ ସାମ୍ବିଧାନିକ ଦୃଷ୍ଟିରୁ ବିରୋଧ କରୁଥିବା ବେଳେ ଆସାମ ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକ କୌଣସି ଅନୁପ୍ରବେଶକାରୀଙ୍କୁ ନାଗରିକତା ନ ଦେବାକୁ ଦାବି କରୁଛନ୍ତି। ତେଣୁ ଜାତୀୟ ନାଗରିକତା ରେକର୍ଡ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିବାର ଅର୍ଥ ହେଉଛି ନିଜକୁ ନିଜେ ପ୍ରବଞ୍ଚନା ଦେବା।

ଅମିତ ଶାହ ଅନେକ ଥର ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ରେକର୍ଡକୁ ଏକାଠି ଦେଖିବାର କଥା କହିଛନ୍ତି। ହଠାତ ଭାରତକୁ ଅନୁପ୍ରବେଶକାରୀଙ୍କର ଏକ ଦେଶ ବୋଲି କହିବାର ଏକ ଷଡଯନ୍ତ୍ର ଏବେ ଆରମ୍ଭ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରତ୍ୟେକ ନାଗରିକଙ୍କୁ ସନ୍ଦେହ କରାଯାଉ ବୋଲି ବିଜେପି ଓ ସଂଘ ପରିବାର ଚାହୁଁଛନ୍ତି। ବିଜେପିର ଏହି ଷଡଯନ୍ତ୍ର ପଛରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବୈଚାରିକ ଆଧାର ରହିଛି। ସେ ସମ୍ପର୍କରେ ନବୀନ ପଟ୍ଟନାୟକ ବା ବିଜୁ ଜନତା ଦଳ ଯଦି ଜାଣି ନାହାନ୍ତି, ତାହେଲେ ସେମାନେ ଇତିହାସ-ଅନ୍ଧ ବୋଲି ଆମକୁ ଭାବିନେବାକୁ ପଡିବ।

ନାଗରିକତା ସଂଶୋଧନ ଆଇନ ସହିତ ଜାତୀୟ ନାଗରିକ ରେକର୍ଡର ଗଭୀର ସମ୍ପର୍କ ରହିଛି। ଗୋଟାଏ କୁ ସମର୍ଥନ କରି ଆରଟିକୁ ବିରୋଧ କରିବାର ଅର୍ଥ ହେଉଛି, ଦେଶର ସମ୍ବିଧାନ ତିଆରି କରିଥିବା ମୌଳିକ ଧର୍ମନିରପେକ୍ଷ ଆଧାରକୁ ଦୋହଲାଇ ଦେବା।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍‌’ ଲୋକାର୍ପିତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩/୧୨: ପିଲାମାନଙ୍କ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜାମ ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍‌’। ଏହି ଆପ୍‌ ଜରିଆରେ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ସେଥିରୁ ଭିଡିଓ ଦ୍ବାରା ସେମାନେ ଶ୍ରେଣୀରେ ପଢାଯାଇଥିବା ପାଠକୁ ବୁଝିପାରିବେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍‌’କୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଆୟୋଜିତ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ୍‌ର ଛାତ୍ରଛାତ୍ରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍‌’ ସମ୍ପର୍କରେ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯା, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ। ତେଣୁ ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି ପାଇଁ କମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କ ତ୍ୟାଗ ବିଷୟରେ ଆଲୋଚନା କରି ମଧୁବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଝୁଲା ସଂସଦର ସମ୍ଭାବନା; ପଶ୍ଚିମବଙ୍ଗ ଓ ଓଡିଶା ର ଫଳାଫଳ ଉପରେ ନିର୍ଭର କରୁଛି ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ

କେଦାର ମିଶ୍ର

ଆଜି ସନ୍ଧ୍ୟାରେ ୧୭ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯାୟ ଲାଗି ଭୋଟ ଗ୍ରହଣ କରାଯିବ। ଶେଷ ପର୍ଯାୟରେ ଆଉ ୫୯ ଟି ଆସନରେ ଭୋଟ ଗ୍ରହଣ ବାକିଥିବା ବେଳେ ୪୮୩ ଆସନରେ ଭୋଟ ଗ୍ରହଣ ସରିଯାଇଛି। ମୋଟାମୋଟି ଏବେ ଦେଶର ଜନମତ କେଉଁ ଦିଗକୁ ଯିବ ତାର ଏକ ସ୍ପଷ୍ଟ ଚିତ୍ର ଜଣା ପଡିଯାଉଛି। ନିର୍ବାଚନ ଆରମ୍ଭ ସମୟରେ ପୁଲୱାମା ଆକ୍ରମଣ ଓ ତାର ପରବର୍ତ୍ତୀ ସାମରିକ ଉତ୍ତେଜନା କୁ କେନ୍ଦ୍ର କରି ରାଜନୀତି ଚଳଚଞ୍ଚଳ ଥିଲା। ଡିସେମ୍ବର ୨୦୧୭ ରେ ବିଜେପି ମଧ୍ୟପ୍ରେଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ହାରିବା ପରେ ଦଳ ଭିତରେ ଯେଉଁ ଆଶଙ୍କା ଥିଲା ତାହା ପୁଲୱାମା ଓ ବାଲାକୋଟ ମାଧ୍ୟମରେ ଦୂର ହୋଇ ଯାଇଥିଲା। ତେବେ ନିର୍ବାଚନ ଘୋଷଣା ପରେ ସେନାବାହିନୀକୁ ନେଇ ବିଜେପି ରାଜନୀତି ଖୁବ ବେଶୀ ପ୍ରଭାବଶାଳୀ ସାବ୍ୟସ୍ତ ହେଲାନାହିଁ।

ପାଞ୍ଚ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ସଫଳତା ଆଧାରରେ ଭୋଟ ନ ମାଗି, କଂଗ୍ରେସକୁ ଗାଳି ଦେବାକୁ ମୁଖ୍ୟ ପ୍ରସଙ୍ଗ କଲେ। ଏହି ନିର୍ବାଚନ ପ୍ରଚାରରେ ହଠାତ ପଣ୍ଡିତ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଗଲେ। ନରେନ୍ଦ୍ର ମୋଦୀ ନିଜ ସଫଳତାର ମୂଳ ଭାବରେ ଗାନ୍ଧୀ ପରିବାରର ବିଫଳତା ବୋଲି ବୋଧେ ଭାବିନେଲେ! ଯାହାର ପରିଣତି ସ୍ଵରୂପ ନିର୍ବାଚନ ପ୍ରଚାରରେ କୌଣସି ବାସ୍ତବ ପ୍ରସଙ୍ଗ ଆଉ ଆଲୋଚିତ ହେଲାନାହିଁ। ରାଜନୀତିର ଗମ୍ଭୀର ଚିନ୍ତନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆମ୍ବ ଖାଆନ୍ତି କି ନାଇଁ, ଯଦି ଖାଆନ୍ତି ତାକୁ ଚୁଚୁମି କି ନା କାଟିକରି ଖାଆନ୍ତି, ତାହା ଚର୍ଚ୍ଚାରେ ରହିଲା। ଏପରିକି ପ୍ରଧାନମନ୍ତ୍ରୀ ମନି ପର୍ସ ଧରନ୍ତି କି ନାଇଁ, ତାହା ମଧ୍ୟ ଚର୍ଚ୍ଚାରେ ରହିଲା। ମୂଳତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ନିର୍ବାଚନକୁ ଏକ ଅଣରାଜନୈତିକ ନିର୍ବାଚନ କରିବାକୁ ପ୍ରବଳ ପ୍ରୟାସ କରିଥିଲେ।

ତେବେ ପ୍ରଧାନମନ୍ତ୍ରୀ ରାଜନୀତି ଚର୍ଚ୍ଚା ରୁ ଯେତେ ଦୂରେଇବାକୁ ଚାହିଁଲେ ମଧ୍ୟ ନିର୍ବାଚନ ରାଜନୀତିର ସବୁଠୁ ବଡ ଖେଳ,ଏହାକୁ ଅସ୍ଵୀକାର କରି ନିର୍ବାଚନ ଲଢି ହେବନାହିଁ। ନିର୍ବାଚନର ପ୍ରଥମ  ପର୍ୟାୟରୁ ଶେଷ ପର୍ଯାୟ ପର୍ଯନ୍ତ ପ୍ରଧାନମନ୍ତ୍ରୀ ବାରମ୍ବାର ପ୍ରସଙ୍ଗ ବଦଳାଇଛନ୍ତି ଓ ବିଜେପିର ଏକମାତ୍ର ଏଜେଣ୍ଡା ଯେ କେବଳ ନରେନ୍ଦ୍ର ମୋଦୀ, ତାହା ପ୍ରମାଣିତ କରିଛନ୍ତି। ତେବେ ଛଅ ଟି ପର୍ଯାୟର ନିର୍ବାଚନ ଫଳାଫଳ ବିଜେପି ଲାଗି ଖୁବ ଉତ୍ସାହଜନକ ନୁହେଁ ବୋଲି ଏବେ ଦିଲ୍ଲୀ ମହଲରେ ଚର୍ଚ୍ଚା ଚାଲିଛି। ବିଶେଷକରି ଉତ୍ତରପ୍ରଦେଶରେ ପ୍ରବଳ ବିଜେପି ବିରୋଧୀ ହାୱା ବିଷୟରେ ସବୁଠି ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶରେ ଗତଥର ବିଜେପିକୁ ୮୦ ରୁ ୭୩ ଆସନ ମିଳିଥିବା ବେଳେ ଚଳିତ ନିର୍ବାଚନରେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ବିଜେପିର ବାଟ ଓଗାଳିଛି। ମେଣ୍ଟ ଅତି କମରେ ୪୦ ରୁ ୫୦ ଆସନ ଏଥର ପାଇବ ବୋଲି ଏବେ ଆକଳନ କରାହେଉଛି।

ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ଛତିଶଗଡ, ହରିୟାନା ଓ କର୍ଣ୍ଣାଟକ ରେ ଗତଥର ଭଳି ସମାନ ଫଳାଫଳ ବିଜେପି ଖାତାକୁ ଆସୁନାହିଁ। ତେଣୁ ଉତ୍ତର ଭାରତ ଓ ପଶ୍ଚିମ ଭାରତର ରାଜ୍ୟ ଗୁଡିକରେ ବିଜେପି ଯେଉଁ କ୍ଷତି ସହିବ ତାହା ଓଡିଶା ଓ ପଶ୍ଚିମବଙ୍ଗରେ ଭରଣା ହୋଇ ପାରିବ ବୋଲି ବିଜେପି ଚିନ୍ତା କରୁଛି। ଓଡିଶାରେ ୧୨ଓ ପଶ୍ଚିମ ବଙ୍ଗରେ ୨୨ ଟି ଆସନ ପାଇବାକୁ ବିଜେପି ଆଶା ରଖିଛି। ତେବେ ଓଡିଶାରେ କେଉଁ ୧୨ଟି ଆସନ ବିଜେପି ପାଇବ ଓ ଏହା ପଛରେ ନିର୍ବାଚନୀ ଯୁକ୍ତି କଣ, ତାହା ବିଜେପିକୁ ଜଣା ନାହିଁ। ବିଜେପିର ଯୁକ୍ତି ହେଲା ଗୋଟିଏ ଲୋକସଭା ଆସନର କୌଣସି ବିଧାନସଭା ଆସନ ନ ଜିତିଲେ ମଧ୍ୟ ଲୋକସଭା ଆସନ ବିଜେପି ଖାତାକୁ ଆସିବ। ଯଦି ସତରେ ତାହା ଘଟେ ଏହା ଭାରତୀୟ ନିର୍ବାଚନୀ ଇତିହାସରେ ଏକ ବିସ୍ମୟକର ଘଟଣା ବୋଲି ଆମକୁ ମାନିବାକୁ  ପଡିବ।

ପ୍ରଥମଥର ଲାଗି ଓଡିଶା ନିର୍ବାଚନରେ ଏଥର ଭୋଟ ବିଭାଜନର ପ୍ରଶ୍ନ ଉଠିଛି। ଲୋକସଭାରେ ଓ ବିଧାନସଭା ରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାର ପ୍ରବଣତା ଦେଖିବାକୁ ମିଳିଛି। ତେବେ ଏ ପ୍ରକାର ପ୍ରବଣତା ବିଜେପିକୁ କେତୋଟି ଆସନ ଦେବ, ତାହା କହିବା ମୁସ୍କିଲ। ଭୋଟ ପ୍ରତିଶତ ବଢିଲେ ଯେ ଦଳର ଆସନ ସଂଖ୍ୟା ବଢିବ, ତାହା ବିଲକୁଲ କହିହେବ ନାହିଁ। ଏହା ଆଗରୁ ବିଜେଡି ବିରୋଧରେ ବିଜେପିର ଯେଉଁ ମୁହଁ ଫୁଟାଣି ଥିଲା ଆଜି ଆଉ ତାହା ନାହିଁ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବେ ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନରେ ଲାଗି ପଡିଛନ୍ତି। ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ବିଜେପିର ଓଡିଶା ଆଶା ନବୀନଙ୍କ ଭରସାରେ ଚାଲିଛି। ପଶ୍ଚିମବଙ୍ଗରେ ବିଜେପି ଏଥର ଏକ ପ୍ରକାର “କର ବା ମର” ସଂଘର୍ଷ କରୁଛି। ତ୍ରିଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନରେନ୍ଦ୍ର ମୋଦୀଙ୍କ ଏକ ନମ୍ବର ଶତ୍ରୁ ଭାବରେ ଉଭା ହୋଇଛନ୍ତି। ପଶ୍ଚିମ ବଙ୍ଗ ନିର୍ବାଚନରେ ବ୍ୟାପକ ହିଂସା ଓ ବିଜେପି ତଥା ତୃଣମୂଳ ଭିତରେ ଯେଉଁ କଟୁ ସଂଘର୍ଷ ଚାଲିଛି, ସେଥିରୁ ଗୋଟେ କଥା ଜଣ ପଡୁଛି ଯେ, ବିଜେପି ଲାଗି ପଶ୍ଚିମବଙ୍ଗ ହିଁ ଶେଷ ଆଶା।

ପଶ୍ଚିମବଙ୍ଗ ରାଜନୀତି ରେ ଭୟଙ୍କର ଧୃବୀକରଣ ଯୋଗୁଁ ବିଜେପି ଲାଭବାନ ହେବ ବୋଲି ବିଜେପି ତରଫରୁ ପ୍ରଚାର ଚାଲିଛି। ତେବେ ବାସ୍ତବ କ୍ଷେତ୍ରରେ ମମତା ଦିଦିଙ୍କୁ ମାତ ଦେବା ଭଳି ପରିସ୍ଥିତି ବଙ୍ଗଳାରେ ଆସିନାହିଁ। ଓଡିଶା ଓ ବଙ୍ଗଳା କୁ ମିଶେଇ ବିଜେପି ୧୫ ଆସନ ପାଇଲେ ବହୁତ ବଡ ସଫଳତା ହେବ। ବର୍ତ୍ତମାନର ପରିସ୍ଥିତି ଓ ପୃଷ୍ଠଭୂମିରୁ ଏକଥା କୁହାଯାଇପାରେ ଯେ ଆମେ ଏକ ଝୁଲା ଭବିଷ୍ୟତ ଆଡକୁ ଗତି କରୁଛୁ।