Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭାରତ ବନ୍ଦ : ବନ୍ଦକୁ ସମର୍ଥନ ନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର 8 ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ 11 ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର  ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ଆପ୍‌ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛି । ଆପ୍‌ ସହିତ 11ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ।

ତେବେ ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ଅଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ଚାଷୀଙ୍କ ସହ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ନୂତନ କୃଷି ବିଲ୍‌କୁ ନେଇ ଅଡୁଆରେ ଏନ୍‌ଡିଏ : ମେଣ୍ଟରୁ ଓହରିବ ଆରଏଲ୍‌ପି  !

ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ନେଇ ଦେଶବ୍ୟାପୀ କୃଷକ ମାନେ ଆନେ୍ଦାଳନରେ ବସିଥିବା ବେଳେ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ବିଲକୁ ପ୍ରତ୍ୟାହାର ନକଲେ ଏନଡିଏ ମେଣ୍ଟରୁ ଓହରିବାର ଧମକ ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଆରଏଲପିର ମୁଖପାତ୍ର ତଥା ନାଗପୁରର ସାଂସଦ ହନୁମାନ ବେନିୱାଲ ଅମିତ ଶାହାଙ୍କୁ ଟାର୍ଗେଟ କରି ଏକାଧିକ ଟ୍ୱିଟ କରିଛନ୍ତି । ନୂତନ କୃଷି ବିଲକୁ ନେଇ ସମଗ୍ର ଦେଶରେ ବିରୋଧ କରାଯାଉଛି । ଯଦି ଏହି ନୂତନ ବିଲକୁ ପ୍ରତ୍ୟାହାର କରାନଯାଏ ତେବେ ଏନଡିଏ ସହିତ ନିଜର ମେଣ୍ଟ ଭାଙ୍ଗିବାକୁ ଦଳ ବାଧ୍ୟ ହେବ ବୋଲି ବେନିୱାଲ ଟ୍ୱିଟ କରିଛନ୍ତି ।

ଅନ୍ୟ ଏକ ଟ୍ୱିଟରେ ବେନିୱାଲ ଲେଖିଛନ୍ତି ଆରଏଲପି ଏପରି ଏକ ରାଜନୈତିକ ଦଳ ଯାହାକି କୃଷକ ଏବଂ ଯବାନଙ୍କ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଥାଏ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଦଳ ନିଜର ସମର୍ଥନ ପ୍ରତ୍ୟାହର କରିବ ବୋଲି ବେନିୱାଲ କହିଛନ୍ତି । ନୂତନ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରି ସ୍ୱାମୀନାଥନ କମିଶନଙ୍କ ପ୍ରସ୍ତାବକୁ ଲାଗୁ କରିବା ପାଇଁ ବେନିୱାଲ ଦାବି କରିଛନ୍ତି । ସୂଚନାଯୋଗ୍ୟ, ନୂତନ କୃଷିବିଲ୍‌କୁ ବିରୋଧ କରି ପଞ୍ଜାବର ଅକାଳୀ ଦଳ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରି ସାରିଛି । (ଏଜେନ୍ସି)