ନୂତନ କୃଷି ବିଲ୍‌କୁ ନେଇ ଅଡୁଆରେ ଏନ୍‌ଡିଏ : ମେଣ୍ଟରୁ ଓହରିବ ଆରଏଲ୍‌ପି  !

Published: Dec 1, 2020, 5:18 pm IST

ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ନେଇ ଦେଶବ୍ୟାପୀ କୃଷକ ମାନେ ଆନେ୍ଦାଳନରେ ବସିଥିବା ବେଳେ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ବିଲକୁ ପ୍ରତ୍ୟାହାର ନକଲେ ଏନଡିଏ ମେଣ୍ଟରୁ ଓହରିବାର ଧମକ ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଆରଏଲପିର ମୁଖପାତ୍ର ତଥା ନାଗପୁରର ସାଂସଦ ହନୁମାନ ବେନିୱାଲ ଅମିତ ଶାହାଙ୍କୁ ଟାର୍ଗେଟ କରି ଏକାଧିକ ଟ୍ୱିଟ କରିଛନ୍ତି । ନୂତନ କୃଷି ବିଲକୁ ନେଇ ସମଗ୍ର ଦେଶରେ ବିରୋଧ କରାଯାଉଛି । ଯଦି ଏହି ନୂତନ ବିଲକୁ ପ୍ରତ୍ୟାହାର କରାନଯାଏ ତେବେ ଏନଡିଏ ସହିତ ନିଜର ମେଣ୍ଟ ଭାଙ୍ଗିବାକୁ ଦଳ ବାଧ୍ୟ ହେବ ବୋଲି ବେନିୱାଲ ଟ୍ୱିଟ କରିଛନ୍ତି ।

ଅନ୍ୟ ଏକ ଟ୍ୱିଟରେ ବେନିୱାଲ ଲେଖିଛନ୍ତି ଆରଏଲପି ଏପରି ଏକ ରାଜନୈତିକ ଦଳ ଯାହାକି କୃଷକ ଏବଂ ଯବାନଙ୍କ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଥାଏ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଦଳ ନିଜର ସମର୍ଥନ ପ୍ରତ୍ୟାହର କରିବ ବୋଲି ବେନିୱାଲ କହିଛନ୍ତି । ନୂତନ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରି ସ୍ୱାମୀନାଥନ କମିଶନଙ୍କ ପ୍ରସ୍ତାବକୁ ଲାଗୁ କରିବା ପାଇଁ ବେନିୱାଲ ଦାବି କରିଛନ୍ତି । ସୂଚନାଯୋଗ୍ୟ, ନୂତନ କୃଷିବିଲ୍‌କୁ ବିରୋଧ କରି ପଞ୍ଜାବର ଅକାଳୀ ଦଳ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରି ସାରିଛି । (ଏଜେନ୍ସି)

Related posts