Categories
ଆଜିର ଖବର ଜାତୀୟ ଖବର

ପୁଅ ପାଇଁ ଆଶା କରିଥିଲେ, କିନ୍ତୁ ଜନ୍ମ ହେଲା ଝିଅ : ରାଗରେ ନବଜାତ କନ୍ୟାକୁ ହତ୍ୟା କଲା ପିଶାଚ ପିତା

ମନାଲି : ଆଜିର ସମୟରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ କରାଯାଉଥିବା ବେଳେ ଝିଅମାନଙ୍କ ପାଇଁ ବହୁ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନମାନ ପ୍ରଣୟନ କରିଛନ୍ତି । କିନ୍ତୁ ଆଜିର ସମାଜରେ ବି ଝିଅମାନଙ୍କୁ ନେଇ ଏକ ଘୃଣ୍ୟ ମାନସିକତା ରହି ଆସିଛି । ସରକାରଙ୍କ ସମସ୍ତ ଯୋଜନା ସତ୍ତ୍ବେ ବି ଝିଅଙ୍କୁ ନେଇ ସମାଜରେ ଏବେବି ରୂଢୀବାଦୀ ଚିନ୍ତାଧାରା ରହି ଆସିଛି । ଆଜି ବି ଝିଅ ଜନ୍ମ ହେଲେ କେହି କେହି ବୋଝ ଭାବି ନାକ ଟେକୁଥିବାବେଳେ କେହି କେହି ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଏପରି ଏକ କୁତ୍ସିତ ଘଟଣା ମନାଲି ଅଞ୍ଚଳରେ ଘଟିଥିବାର ଜଣାଯାଇଛି ।

ପୁଅ ବଦଳରେ  ଝିଅ ଜନ୍ମ ହେବାରୁ ନବଜାତ କନ୍ୟା ହତ୍ୟା କରିଛି ପିଶାଚ ପିତା । ମନାଲୀର ନାଶଲୋ ଗ୍ରାମର ବାସିନ୍ଦା ହରିଶ କୁମାର ନିଜ ଝିଅକୁ ହତ୍ୟା କରିଥିଲେ। ହରିଶଙ୍କ ପତ୍ନୀ ମୀନା ଦେବୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ହରିଶ ଏବଂ ମୀନା ୮ ବର୍ଷ ତଳେ ବିବାହ କରିଥିବା ବେଳେ ଉଭୟଙ୍କର ୭ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ରହିଛି । ବୁଧବାର ଦିନ ପୁଣି ଏକ  କନ୍ୟା ସନ୍ତାନ ଜନ୍ମ ହେବା ପରେ ହରିଶ ମୀନାଙ୍କୁ ମାଡ ମାରିବା ସହିତ ଝିଅଟିକୁ ନିର୍ମମ ଭାବରେ ହତ୍ୟା କରିଥିଲେ । ଏହାପରେ ନବଜାତର ଶବକୁ ନେଇ କେଉଁ ଆଡେ ପଳାଇଯାଇଥିଲେ । ତେବେ ଏହି ଘଟଣାରେ ଅଭିଯୁକ୍ତ ହରିଶ୍‌କୁ ପୋଲିସ୍‌ ଗିରଫ କରିଛି । ହରିଶ୍‌ ଦୁଇ ପୁତ୍ର ସନ୍ତାନ ପାଇଁ ଆଶାୟୀ ରହିଥିଲେ । ପୁଣି ଥରେ ଏକ ଝିଅ ଜନ୍ମ ହେବାରୁ ସେ ଏପରି ବୀଭତ୍ସ କାଣ୍ଡ ଘଟାଇଛନ୍ତି ।  (ଏଜେନ୍ସି)