Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସେପ୍ଟେମ୍ବର ୧୨ରୁ ‘ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪’: ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରିବ ଓଡ଼ିଶା

ଭୁବନେଶ୍ୱର: ଭାରତର ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ସମୃଦ୍ଧ କରିବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ବଳିଷ୍ଠ ଯୋଗଦାନ ରହିବ। ସେପ୍ଟେମ୍ବର ୧୨ରୁ ୧୪ ତାରିଖ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ହେବାକୁ ଥିବା ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀରେ ଏହି ବାର୍ତ୍ତା ଦେବାକୁ ଯାଉଛି ଓଡ଼ିଶା। ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପକୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛି।

ଓଡ଼ିଶାରେ ବ୍ୟାପକ ପ୍ରାକୃତିକ ସମ୍ପଦ ସହିତ ଜୈବ ବିବିଧତାର ଅପୂର୍ବ ସମ୍ଭାର ରହିଛି। ଘଞ୍ଚ ଜଙ୍ଗଲ ଓ ଜୈବମଣ୍ଡଳ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ବିରଳ ବନ୍ୟପ୍ରାଣୀଙ୍କ ଅଭୟାରଣ୍ୟ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଏବଂ ବିସ୍ତୀର୍ଣ୍ଣ କୃଷି କ୍ଷେତ୍ର ଭଳି ପ୍ରାକୃତିକ ଉତ୍ସ ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ବିପୁଳ ସମ୍ଭାବନା ସୃଷ୍ଟି କରିଛି। ଏହା ସହିତ ଆବଶ୍ୟକ ଗବେଷଣା, ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ଶିଳ୍ପ ଭିତ୍ତିଭୂମିର ସୃଷ୍ଟି ଫଳରେ ବାୟୋଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଭାରତର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି।

ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତର ରୂପରେଖ ଉପସ୍ଥାପନ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ପ୍ରତିବର୍ଷ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଭାଗନେଇ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରିବାକୁ ଯାଉଛି।

‘‘ଜୈବ ସମ୍ଵଳରେ ସମୃଦ୍ଧ ଓଡ଼ିଶା ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ବିରାଟ ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟରେ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ବାୟୋଟେକ୍ନୋଲୋଜିକୁ ଶିଳ୍ପ ନୀତି-୨୦୨୨ରେ ରାଜ୍ୟ ସରକାର ଏକ ଅଗ୍ରାଧିକାର କ୍ଷେତ୍ର ଭାବେ ଘୋଷଣା କରିଛନ୍ତି। ତା’ ସହିତ ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ନୀତି ପ୍ରସ୍ତୁତ କରାଯାଇ ଏ କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ବୃହତ୍ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଆଗାମୀ ଦିନରେ ଅର୍ଥନୈତିକ ବିକାଶ ସହ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ଏହା ନୂତନ ସମ୍ଭାବନା ସୃଷ୍ଟି କରିବ,’’ ଏହି ଅବସରରେ କହିଛନ୍ତି ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଉଛି। ଏଥିରେ ରାଜ୍ୟର ୧୦ଟି ଅଭିନବ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ ଅଂଶଗ୍ରହଣ କରି ସେମାନଙ୍କ ଜ୍ଞାନକୌଶଳ ଓ ଉତ୍ପାଦ ପ୍ରଦର୍ଶନ କରିବେ।

ଏହି କାର୍ଯ୍ୟକ୍ରମରେ ୧୩ ତାରିଖ ଦିନ ହେବାକୁ ଥିବା ‘ଷ୍ଟେଟ୍ ରାଉଣ୍ଡ ଟେବଲ୍’ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେବେ। ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରର ବିପୁଳ ସମ୍ଭାବନା ଏବଂ ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାର ଦେଉଥିବା ବିଭିନ୍ନ ପ୍ରୋତ୍ସାହନ ବିଷୟରେ ସେ ଉପସ୍ଥାପନ କରିବେ।

ସେହିପରି ୧୪ ତାରିଖରେ ଭାରତର ସାମୁଦ୍ରିକ ସମ୍ବଳକୁ ନେଇ ‘ବ୍ଲୁ ଇକୋନମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ କରାଯିବ। ଏଥିରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବାୟୋଟେକ୍ନୋଲୋଜି କ୍ଷେତ୍ରର ପ୍ରସାର ଦିଗରେ ଓଡ଼ିଶାର ସୁଦୀର୍ଘ ବେଳାଭୂମି ଏବଂ ସାମୁଦ୍ରିକ ସମ୍ପଦର ଉପଯୋଗ ସମ୍ପର୍କରେ ତାଙ୍କର ଭିତ୍ତି ବକ୍ତବ୍ୟ ଉପସ୍ଥାପନ କରିବେ।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିଭିନ୍ନ ଗବେଷଣା ଓ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ପାଇଁ ସହାୟତା ଦିଆଯିବା ସହ ରାଜ୍ୟରେ ଥିବା ବିଭିନ୍ନ ବାୟୋ-ଇନକ୍ୟୁବେଟର ତଥା ଅଭିନବ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ଏହାସହିତ ରାଜ୍ୟ ସରକାର ଯେଉଁ ବାୟୋଟେକ୍ନୋଲୋଜି ନୀତି ଆଣିଛନ୍ତି, ତାହା ଏ କ୍ଷେତ୍ରରେ ଆଧୁନିକ ଶିଳ୍ପ ବିକାଶ ପାଇଁ ସହାୟକ ହେବ। ଗ୍ଲୋବାଲ ବାୟୋ ଇଣ୍ଡିଆ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ଏହି ସମ୍ଭାବନାକୁ ଉପସ୍ଥାପନ କରାଯିବ,’’ କହିଛନ୍ତି ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ, ଅଧ୍ୟାପକ ଏବଂ ବୈଜ୍ଞାନିକମାନଙ୍କର ଏକ ପ୍ରତିନିଧି ଦଳ ଯୋଗଦେବେ। ଭାରତରେ ଆଜି ଏ କ୍ଷେତ୍ରରେ ହେଉଥିବା ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ଔଦ୍ୟୋଗିକ ପରୀକ୍ଷା ନିରୀକ୍ଷା ବିଷୟରେ ସେମାନେ ଅନୁଭୂତି ହାସଲ କରିବେ।

ବାୟୋଟେକ୍ନୋଲୋଜି ଆଗାମୀ ଦିନରେ ପୃଥିବୀ ପାଇଁ ଏକ ବଡ଼ ସମ୍ଭାବନା ହେବାକୁ ଯାଉଛି। ଅଭିନବ ଜ୍ଞାନକୌଶଳର ପ୍ରୟୋଗ ଫଳରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଔଷଧ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା, ସାମୁଦ୍ରିକ ଉତ୍ପାଦ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଏହା ଏକ ବିପ୍ଲବ ଆଣିବାକୁ ଯାଉଛି। ୨୦୩୦ ସୁଦ୍ଧା ଭାରତର ବାୟୋ-ଅର୍ଥନୀତି ୨୪୦ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ବର୍ଷ ପୂରିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ କରିଛନ୍ତି।

କାର୍ଯ୍ୟକାଳର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷୟିତ୍ରୀ ଭୂମିକା ନିର୍ବାହ କରିଥିଲେ। ରାଷ୍ଟ୍ରପତି ଭବନରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ସଂକ୍ଷିପ୍ତ କିନ୍ତୁ ସାରଗର୍ଭକ ମତ ବିନିମୟ କାର୍ଯ୍ୟକ୍ରମରେ ସେ ପ୍ରକୃତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଶିକ୍ଷା ଦେଇଥିଲେ। ନିଜ ପିଲାଦିନ କଥା ମନେ ପକାଇ, ରାଷ୍ଟ୍ରପତି ଉଦ୍ଭିଦ ଓ ପ୍ରାଣୀମାନଙ୍କର ଯତ୍ନ ନେବାରେ ତାଙ୍କର ଅନୁଭୂତି ବାଣ୍ଟିଥିଲେ । ଛାତ୍ରଛାତ୍ରୀ ଉତ୍ସାହର ସହ ମତ ରଖିବା ସହ ଅନେକ ପରାମର୍ଶ ମଧ୍ୟ ଦେଇଥିଲେ।

ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା:

୧. ପୁନଃବିକଶିତ ଶିବ ମନ୍ଦିରର ଉଦଘାଟନ।

୨. ପ୍ରଣବ ମୁଖାର୍ଜୀ ସାର୍ବଜନୀନ ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାଷ୍ଟ୍ରପତି ଭବନ ପାଠାଗାରର ପୁରୁଣା ଓ ବିରଳ ପୁସ୍ତକର ଡିଜିଟାଲ ସଂସ୍କରଣ ଦେଖିଥିଲେ।

୩. ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଉପସ୍ଥିତିରେ ଏକ ସ୍କିଲ୍ ଇଣ୍ଡିଆ କେନ୍ଦ୍ରର ଉଦଘାଟନ କରିଥିଲେ।

୪. ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର କ୍ରୀଡ଼ା ପଡ଼ିଆରେ କ୍ରିକେଟ ପାଭିଲିୟନ ଉଦଘାଟନ।

୫. ସିନ୍ଥେଟିକ୍ ଓ ଘାସ ଟେନିସ୍ କୋର୍ଟର ଉଦଘାଟନ।

6. ରାଷ୍ଟ୍ରପତି ଭବନରେ ଇ-ଉପହାର, ଆରବି ଆପ୍, ଇ-ପୁସ୍ତକ – ରାଷ୍ଟ୍ରପତି ପଦବୀରେ ଗତ ଏକ ବର୍ଷର ଝଲକ (ଲିଙ୍କ୍ https://rb.nic.in/ebook.htm ) ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରୟାସର ସଂକଳନକୁ ଉନ୍ମୋଚନ କରିଥିଲେ।

ବିଭିନ୍ନ ଡିଜିଟାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସଂକ୍ଷିପ୍ତ ବକ୍ତବ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ କରାଯାଇଥିବା ଡିଜିଟାଲକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ସୁବିଧା, ଗତି, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବ ବୋଲି କହିଥିଲେ।

ସମାଜର ସବୁ ବର୍ଗ, ବିଶେଷ କରି ବଞ୍ଚିତ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଆମେ ସର୍ବଦା ଉଦ୍ୟମ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଏଭଳି ଅନେକ ନିଷ୍ପତ୍ତି ନିଆଯାଇଛି ଯାହା ରାଷ୍ଟ୍ରପତି ଭବନ ସହିତ ସାଧାରଣ ଲୋକଙ୍କ ସଂପୃକ୍ତିକୁ ବଢ଼ାଇଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି ଭବନରେ ପଠନ ସଂସ୍କୃତି ଓ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀରେ ‘କୌଶଳ ଭବନ’ର ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ନୂତନ କୌଶଳ ଭବନ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ, ସଂକଳ୍ପ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ସରକାରଙ୍କ ବିଭିନ୍ନ ମହିଳା ଲାଭାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀ ଷ୍ଟଲକୁ ବୁଲିବା ସହ ଲାଭାର୍ଥୀଙ୍କ ସହ କଥା ହୋଇଥିଲେ।

କୌଶଳ ଭବନର ଉଦଘାଟନ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅତ୍ୟାଧୁନିକ କୌଶଳ ଭବନ ଦକ୍ଷତା ପରିସଂସ୍ଥାନ ସହ ସମନ୍ୱୟକୁ ଅଧିକ ସୁଗମ କରିବ। ଦକ୍ଷତା ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ। ସ୍କିଲକୁ ଲୋକ ସଶକ୍ତିକରଣ ତଥା ବିକଶିତ ଭାରତର ସାରଥୀ ହେବା ଦିଗରେ ଆମ ସମସ୍ତଙ୍କୁ ପ୍ରେରଣା ଦେବ।

ଏହି ଭବନର ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେବଗଡ଼ର ପିଏମ୍ ଜନମନ ଯୋଜନାର ଲାଭାର୍ଥୀ ଶ୍ରୀମତୀ ରୁପାଲି ଦେହୁରୀଙ୍କୁ ଭେଟି ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି ଯେ ଶ୍ରୀମତୀ ଦେହୁରୀ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ମହିଳା ଆଧାରିତ ବିକାଶର ଉଦାହରଣ। ପିଏମ୍ ଜନମନରେ ଦକ୍ଷତା ତାଲିମ ନେଇ ନିଜ ଜୀବିକା ଯାତ୍ରାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ମୋଦି ସରକାରଙ୍କ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟି ତୃଣମୂଳ ସ୍ତରରେ ଲୋକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିଛି।

ଉଲ୍ଲେଖନୀୟ ଯେ, ୨୦୧୯ ମାର୍ଚ୍ଚରେ କୌଶଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ଭବନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସମେତ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ, ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପାଇଁ ରାଷ୍ଟ୍ରୀୟ ପରିଷଦ ତଥା ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ପାଇଁ କାର୍ଯ୍ୟାଳୟର କାମ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 60 ହଜାର 963 ଜଣ ଆକ୍ରାନ୍ତ, 834 ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅଗଷ୍ଟ ମାସରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେଉଛି । ତେବେ ଦେଶରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି, ଯାହା ଟିକେ ଆଶ୍ବସ୍ତି ପ୍ରଦାନ କରୁଛି । ଦେଶରେ ଆରୋଗ୍ୟ ହାର 70 ପ୍ରତିଶତରେ ପହଞ୍ଚିଛି । ସେହିପରି 10ଟି ସହରରୁ ଦେଶର 80 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 60 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 834ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 60 ହଜାର 963ଜଣ ଆକ୍ରାନ୍ତ ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 29 ହଜାର 639 ରେ ପହଞ୍ଚିଛି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 46 ହଜାର 91କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ଆକ୍ଟିଭ୍‌ କେସ୍‌ 6 ଲକ୍ଷ 43ହଜାର 948 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 16 ଲକ୍ଷ 39 ହଜାର 599ଜଣ । ମହାରାଷ୍ଟ୍ରରେ ସର୍ବାଧିକ 18 ହଜାର 306ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁରେ 5 ହଜାର 159, ଦିଲ୍ଲୀରେ 4 ହଜାର 139, କର୍ଣ୍ଣାଟକରେ 3 ହଜାର 398 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଏବେ କରୋନା ଆରୋଗ୍ୟ ହାର 64.44 ପ୍ରତିଶତ, ଜାଣନ୍ତୁ ଅଧିକ ତଥ୍ୟ

ନୂଆଦିଲ୍ଲୀ, ଦେଶରେ ବର୍ତ୍ତମାନ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତ ରହିଛି। କୋଭିଡ-19 ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଓଏସଡି ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତକୁ ବୃଦ୍ଧି ପାଇଛି।

16ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ସର୍ବାଧିକ 88 ପ୍ରତିଶତ ରହିଥିବା ବେଳେ ଲଦାଖରେ ଏହି ହାର ରହିଛି 80 ପ୍ରତିଶତ। ଦେଶରେ ଏ ଯାଏଁ 10 ଲକ୍ଷ 20 ହଜାର ସୁସ୍ଥ ହେଲେଣି, 5 ଲକ୍ଷ 88 ହଜାର ଚିକିତ୍ସାଧୀନ ଅଛନ୍ତି। ସୁସ୍ଥ ହାର ବଢିବା ସହ ମୃତ୍ୟୁହାର ଲଗାତାର ଭାବେ କମି ଚାଳିଛି।

ଜୁନରେ ମୃତ୍ୟୁହାର 3.33 ପ୍ରତିଶତ ଥିବା ବେଳେ ଏବେ ଏହା 2.21 ପ୍ରତିଶତ ରହିଛି। ଭାରତରେ କରୋନା ଜନିତ ମୃତ୍ୟୁହାର ସାରା ବିଶ୍ବରେ ସର୍ବନିମ୍ନ। ଏଯାବତ ଦେଶରେ 1 କୋଟି 81 ଲକ୍ଷ 90 ହଜାର ଟେଷ୍ଟ କରାଯାଇଛି। ଓଡ଼ିଶା ଭଳି କିଛି ରାଜ୍ୟରେ ମୃତ୍ୟୁହାର 1 ପ୍ରତିଶତରୁ ବି କମ୍ ରହିଛି ବୋଲି ଓଏସଡି କହିଛନ୍ତି। ତେବେ ଓଡ଼ିଶାରେ କରୋନା ସଂକ୍ରମିତ ହାର 10 ପ୍ରତିଶତରୁ ଅଧିକ ରହିଛି।

ସମଗ୍ର ବିଶ୍ୱରେ ଏବେ ୩ଟି କରୋନା ଟିକା ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ପହଞ୍ଚିଛି । ସେଗୁଡ଼ିକ ଆମେରିକା, ବ୍ରିଟେନ ଓ ଚୀନରେ ବିକଶିତ କରାଯାଉଛି । ଭାରତରେ ୨ଟି କରୋନା ଟିକାର ପରୀକ୍ଷଣ ଚାଲିଛି ଓ ସେଗୁଡ଼ିକ ଏବେ ୧ମ ଓ ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଓଏସଡି ରାଜେଶ ଭୂଷଣ କହିଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସହକର୍ମୀଙ୍କୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା। ସିଆରପିଏଫ ଇନ୍ସପେକ୍ଟର ଉପରକୁ ଗୁଳି କରିବା ପରେ ନିଜ ଉପରକୁ ଗୁଳି ଚଳାଇଛନ୍ତି ସିଆରପିଏଫ ସବ-ଇନ୍ସପେକ୍ଟର। ଘଟଣାରେ ଉଭୟ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ଦିଲ୍ଲୀର ପୋଶ ଲୋଧି ଇଷ୍ଟେଟ ଅଞ୍ଚଳରେ ଘଟଣାଟି ଘଟିଛି।

61 ଲୋଧି ଅଞ୍ଚଳରେ ଗୁଳି ବିନିମୟ ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଦୁଇ ଜଣ ସିଆରପିଏଫ ଯବାନ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ପୋଲିସ କହିଛି, ଉଭୟ ଯବାନ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା ​​ଯାହା ଶୁକ୍ରବାର ରାତିରେ ଉଗ୍ରରୂପ ନେଇଥିଲା। ସବ୍-ଇନ୍ସପେକ୍ଟର କର୍ଣ୍ଣେଲ ସିଂ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। (ଏଜେନସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

24 ଘଣ୍ଟାରେ ରେକର୍ଡ 28 ହଜାର 472 ରୋଗୀ ସୁସ୍ଥ, ଜାଣନ୍ତୁ ପୂରା ତଥ୍ୟ

ନୂଆଦିଲ୍ଲୀ, ବର୍ତ୍ତମାନ ସୁଦ୍ଧା ଦେଶରେ 7.5 ଲକ୍ଷରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର 63 ପ୍ରତିଶତ ଅତିକ୍ରମ କରିଛି। 19ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର 63.13 ପ୍ରତିଶତରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

ଗୋଟିଏ ଦିନରେ ସର୍ବାଧିକ 28,472 ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହା ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ସର୍ବୋଚ୍ଚ ସଂଖ୍ୟା। ଏହା ସହିତ ସମୁଦାୟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 7,53,049ରେ ପହଞ୍ଚିଛି। ଏହା ସୁସ୍ଥତା ହାର 63.13%କୁ ବୃଦ୍ଧି କରିଛି।

କ୍ରମାଗତ ଭାବରେ ବୃଦ୍ଧି ପାଇଥିବା ଆରୋଗ୍ୟ ଓ ସକ୍ରିୟଙ୍କ ସଂଖ୍ୟା (ଆଜି 4,11,133) ମଧ୍ୟରେ ପାର୍ଥକ୍ୟ ସଂଖ୍ୟା 3,41,916କୁ ବୃଦ୍ଧି ପାଇଛି । ଏହି ପାର୍ଥକ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଧାରାକୁ ଦର୍ଶାଉଛି।

ଜାତୀୟ ସୁସ୍ଥତା ହାରରେ ଉନ୍ନତି ଆସିଥିବାବେଳେ, 19ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ଆରୋଗ୍ୟ ହାର ଜାତୀୟ ହାର ତୁଳନାରେ ଅଧିକ ଥିବା ଦର୍ଶାଯାଇଛି।

ଆରୋଗ୍ୟ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଏବଂ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପାର୍ଥକ୍ୟ, କେନ୍ଦ୍ର ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ରଣନୀତିର ଫଳାଫଳ। ଘରକୁ ଘର ସର୍ବେକ୍ଷଣ, ଚିହ୍ନଟ, ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ଯୋଜନା, ଅସୁରକ୍ଷିତ ଜନତାଙ୍କ ସ୍କ୍ରିନିଂ ଏବଂ ବ୍ୟାପକ ପରୀକ୍ଷଣ ମାଧ୍ୟମରେ ପ୍ରାଥମିକ ଚିହ୍ନଟ ଉପରେ ଧ୍ୟାନ ଦିଆଯାଉଛି। ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଉତ୍ତମ ରୂପେ କାର୍ଯ୍ୟକ୍ଷମ ହୋଇଥିବା ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ହସ୍ପିଟାଲଗୁଡିକରେ ପ୍ରଭାବୀ ଚିକିତ୍ସା ଏବଂ ଘରୋଇ ଏକାନ୍ତବାସକୁ ସହାୟତା କରିଛି।

ଏମ୍ସ, ନୂଆଦିଲ୍ଲୀ ସହିତ ସେଣ୍ଟର୍ସ ଅଫ ଏକ୍ସଲେନ୍ସ ଅଫ ଷ୍ଟେଟସ / ୟୁଟିସି ଆଇସିୟୁ ରୋଗୀଙ୍କ ଚିକିତ୍ସା ତଥା ଗୁରୁତ୍ଵପୂର୍ଣ ଚିକିତ୍ସାକୁ ବଢାଇ ଦେଇଛନ୍ତି, ଯାହା ଦ୍ଵାରା ଭାରତରେ ମୃତ୍ୟୁ ହାର ହ୍ରାସ ପାଇଛି। ଏମ୍ସର ଇ-ଆଇସିୟୁ କାର୍ଯ୍ୟକ୍ରମ ହେଉଛି କେନ୍ଦ୍ର-ରାଜ୍ୟ ସହଯୋଗର ଆଉ ଏକ ଉପାୟ ଯାହା ମୃତ୍ୟୁହାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ସପ୍ତାହରେ ଦୁଇଥର ଆୟୋଜିତ ଏହି ଟେଲି-ପରାମର୍ଶ ଅଧିବେଶନଗୁଡ଼ିକ ଆଇସିୟୁ ରୋଗୀଙ୍କ ଚିକିତ୍ସା ପରିଚାଳନାରେ ଡୋମେନ ବିଶେଷଜ୍ଞଙ୍କ ସହଭାଗୀ ଅଭିଜ୍ଞତା ଏବଂ ବୈଷୟିକ ପରାମର୍ଶ ମାଧ୍ୟମରେ ରାଜ୍ୟଗୁଡିକର ବଡ କୋଭିଡ-19 ଡାକ୍ତରଖାନାଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଏବଂ ସମର୍ଥନ କରିଛନ୍ତି। ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ଦ୍ୱାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଉଛି, ଯାହା ବର୍ତ୍ତମାନ 2.41%ରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶପଥ ନେଲେ 4 ଓଡ଼ିଆ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଶପଥ ନେଇଛନ୍ତି ଓଡ଼ିଶାର 4  ନବ ନିର୍ବାଚିତ ରାଜ୍ୟସଭା ସାଂସଦ । ଓଡ଼ିଆରେ ଶପଥ ନେଲେ 4 ସାଂସଦ । ସାଂସଦ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ଶପଥ ନେଇଛନ୍ତି । ରାଜ୍ୟସଭା ଭିତରେ ସମୁଦାୟ 62 ସାଂସଦଙ୍କ ସହିତ ଏମାନେ ଶପଥ ନେଇଛନ୍ତି । ଓଡ଼ିଶାରୁ ଖାଲି ପଡିଥିବା 4ଟି ରାଜ୍ୟସଭା ଆସନ ପାଇଁ ବିଜେଡିର ଏହି 4 ଜଣ ସାଂସଦ ଆଜି ଶପଥ ନେଇଛନ୍ତି ।

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଉପସ୍ଥିତିରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ସୂଚନାଥାଉ କି, କରୋନା ପାଇଁ ବିଳମ୍ବରେ ଶପଥ ପାଠ କରାଯାଇଛି । ରାଜ୍ୟର 4 ସାଂସଦ ମାର୍ଚ୍ଚ 11 ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ ଦେଶରେ 13 ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଗତ  24 ଘଣ୍ଟା ମଧ୍ୟରେ 13 ହଜାର 586 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 336ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ସର୍ବମୋଟ୍‌ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 80 ହଜାର 532ରେ ପହଞ୍ଚିଛି । ସେହିପରି ଦେଶରେ ସର୍ବମୋଟ ମୃ୍ତ୍ୟୁ ସଂଖ୍ୟା 12 ହଜାର 573ରେ ପହଞ୍ଚିଛି ।  ଆକ୍ଟିଭ୍‌ କେସ୍‌ – 1 ଲକ୍ଷ 63ହଜାର 248 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 04 ହଜାର 711 ଜଣ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ 1 ଲକ୍ଷ 20 ହଜାର 504 ଆକ୍ରାନ୍ତ ହୋଇଥିବାବେଳେ 5751ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ 1969 ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 1591, ତାମିଲନାଡୁରେ 625,  ପଶ୍ଚିମବଙ୍ଗରେ 518, ମଧ୍ୟପ୍ରଦେଶରେ 486, ଉତ୍ତରପ୍ରଦେଶରେ 465ଜଣଙ୍କ ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଟିକେଟ୍‌ ଚାହିଦା ବୃଦ୍ଧି : 5ଟି ନୂତନ ବଗି ସଞ୍ଜୋଗ ନେଇ ରେଳବାଇ ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ : ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସରକାରଙ୍କ ପକ୍ଷରୁ ରେଳ ସେବା ଆରମ୍ଭର ନିଷ୍ପତ୍ତି ନିଆଯାଇଥିବା ବେଳେ ଟିକେଟ୍‌ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅହେତୁକ ଚାହିଦା ଦେଖାଦେଇଥିଲା । ମାତ୍ର 30 ମିନିଟ୍‌ ମଧ୍ୟରେ ସମସ୍ତ ଟିକେଟ୍‌ ଶେଷ ହୋଇଯିବା କାରଣରୁ ରେଳବାଇ ପକ୍ଷରୁ ବଗି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟରେ ଥାର୍ଡ ଏସିର ଚାରିଟି କୋଚ୍‌ ଏବଂ ସେକେଣ୍ଡ ଏସିର ଗୋଟିଏ କୋଚ୍‌ ଯୋଗ କରିବା ପାଇଁ ଘୋଷଣା କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସରେ ନାବାଳିକାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ବେଳେ ଦିଲ୍ଲୀରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଆମେରିକୀୟ ଦୂତାବାସରେ ଗତ ଶନିବାର ଦିନ ଏହି କାଣ୍ଡ ଘଟିଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘଟଣାରେ ପୋଲିସ୍‌ ଜଣେ ଡ୍ରାଇଭରକୁ ଗିରଫ କରିଛି । ଶନିବାର ସକାଳ 9ଟା ସମୟରେ ଏହି ଦୁଷ୍କର୍ମ ଘଟିଥିବା ନେଇ ଏସିପି ପ୍ରଜ୍ଞା ସୂଚନା ଦେଇଛନ୍ତି । ପୀଡିତାଙ୍କ ମା ଉକ୍ତ ଦୂତାବାସରେ ଜଣେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ । ନାବାଳିକା ଜଣକ ନିଜ ମାଙ୍କୁ ଭେଟିବାକୁ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଚାଣକ୍ୟପୁରୀ ପୋଲିସ୍‌ ଷ୍ଟେସନ୍‌ରେ ରବିବାର ଦିନ ପୀଡିତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର

ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ସଂସଦୀୟ ବୈଠକର ଗୋଟିଏ ଦିନ ପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ରବିବାର ସଂସଦ ପରିସରରେ ଦେଶର ବିଭିନ୍ନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ସୁରୁଖୁରୁରେ ସଂସଦର ଉଭୟ ଗୃହର ପରିଚାଳନା ନେଇ ବିରୋଧୀ ଦଳଙ୍କ ସହିତ ଆଲୋଚନା ହୋଇଥିବା ଜଣାପଡିଛି। ଏହି ଆଲୋଚନାରେ ଟ୍ରିପଲ୍‌ ତଲାକ୍‌, ଶିକ୍ଷକ ସଂରକ୍ଷଣ ବିଲ୍‌, ଆଧାର ବିଲ୍‌ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତା ସୋମବାରରୁ ଲୋକସଭାର ପ୍ରଥମ ଅଧିବେଶମନ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୪ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ସହିତ ଜୁଲାଇ ୫ରେ ବଜେଟ୍‌ ଉପସ୍ଥାପନ କରାଯିବ। ଜୁନ୍‌ ୧୯ ତାରିଖରେ ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ କରାଇବା ସହିତ ବାଚସ୍ପତି ନିର୍ବାଚନ ମଧ୍ୟ କରାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ୍‌ ୨୦ ତାରିଖରେ ଉଭୟ ଗୃହକୁ ସମ୍ବୋଧିତ କରିବେ।

Categories
ଆଜିର ଖବର

ଆଜି ନିତି ଆୟୋଗ ବୈଠକ : ଯୋଗ ଦେବେନି କେସିଆର୍‌ ଏବଂ ମମତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଭବନରେ ଅନୁ୍ଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ନିତି ଆୟୋଗର ପଞ୍ଚମ ବୈଠକ। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରର ଦ୍ବିତୀୟ ପାଳିର ଏହା ପ୍ରଥମ ବୈଠକ। ଏହି ବୈଠକରେ ଚାଷ ଏବଂ ଚାଷୀ ସମସ୍ୟା, ମରୁଡି ଏବଂ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲ୍ୟୁଟନାଣ୍ଟ ଗଭର୍ଣ୍ଣରଙ୍କୁ ଏହି ବୈଠକକୁ ଆମନ୍ତ୍ରଣ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ମମତା ଏହି ବୈଠକକୁ ନିରର୍ଥକ ବୋଲି କହି ଯୋଗ ଦେଉନଥିବା ବେଳେ କେସିଆର ଏକ କୃଷି ଜଳଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ ନିମନ୍ତେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି।