ଦେଶରେ ଏବେ କରୋନା ଆରୋଗ୍ୟ ହାର 64.44 ପ୍ରତିଶତ, ଜାଣନ୍ତୁ ଅଧିକ ତଥ୍ୟ

Published: Jul 30, 2020, 6:20 pm IST

ନୂଆଦିଲ୍ଲୀ, ଦେଶରେ ବର୍ତ୍ତମାନ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତ ରହିଛି। କୋଭିଡ-19 ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଓଏସଡି ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତକୁ ବୃଦ୍ଧି ପାଇଛି।

16ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ସର୍ବାଧିକ 88 ପ୍ରତିଶତ ରହିଥିବା ବେଳେ ଲଦାଖରେ ଏହି ହାର ରହିଛି 80 ପ୍ରତିଶତ। ଦେଶରେ ଏ ଯାଏଁ 10 ଲକ୍ଷ 20 ହଜାର ସୁସ୍ଥ ହେଲେଣି, 5 ଲକ୍ଷ 88 ହଜାର ଚିକିତ୍ସାଧୀନ ଅଛନ୍ତି। ସୁସ୍ଥ ହାର ବଢିବା ସହ ମୃତ୍ୟୁହାର ଲଗାତାର ଭାବେ କମି ଚାଳିଛି।

ଜୁନରେ ମୃତ୍ୟୁହାର 3.33 ପ୍ରତିଶତ ଥିବା ବେଳେ ଏବେ ଏହା 2.21 ପ୍ରତିଶତ ରହିଛି। ଭାରତରେ କରୋନା ଜନିତ ମୃତ୍ୟୁହାର ସାରା ବିଶ୍ବରେ ସର୍ବନିମ୍ନ। ଏଯାବତ ଦେଶରେ 1 କୋଟି 81 ଲକ୍ଷ 90 ହଜାର ଟେଷ୍ଟ କରାଯାଇଛି। ଓଡ଼ିଶା ଭଳି କିଛି ରାଜ୍ୟରେ ମୃତ୍ୟୁହାର 1 ପ୍ରତିଶତରୁ ବି କମ୍ ରହିଛି ବୋଲି ଓଏସଡି କହିଛନ୍ତି। ତେବେ ଓଡ଼ିଶାରେ କରୋନା ସଂକ୍ରମିତ ହାର 10 ପ୍ରତିଶତରୁ ଅଧିକ ରହିଛି।

ସମଗ୍ର ବିଶ୍ୱରେ ଏବେ ୩ଟି କରୋନା ଟିକା ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ପହଞ୍ଚିଛି । ସେଗୁଡ଼ିକ ଆମେରିକା, ବ୍ରିଟେନ ଓ ଚୀନରେ ବିକଶିତ କରାଯାଉଛି । ଭାରତରେ ୨ଟି କରୋନା ଟିକାର ପରୀକ୍ଷଣ ଚାଲିଛି ଓ ସେଗୁଡ଼ିକ ଏବେ ୧ମ ଓ ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଓଏସଡି ରାଜେଶ ଭୂଷଣ କହିଛନ୍ତି ।

Related posts