Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଏବେ କରୋନା ଆରୋଗ୍ୟ ହାର 64.44 ପ୍ରତିଶତ, ଜାଣନ୍ତୁ ଅଧିକ ତଥ୍ୟ

ନୂଆଦିଲ୍ଲୀ, ଦେଶରେ ବର୍ତ୍ତମାନ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତ ରହିଛି। କୋଭିଡ-19 ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଓଏସଡି ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତକୁ ବୃଦ୍ଧି ପାଇଛି।

16ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ସର୍ବାଧିକ 88 ପ୍ରତିଶତ ରହିଥିବା ବେଳେ ଲଦାଖରେ ଏହି ହାର ରହିଛି 80 ପ୍ରତିଶତ। ଦେଶରେ ଏ ଯାଏଁ 10 ଲକ୍ଷ 20 ହଜାର ସୁସ୍ଥ ହେଲେଣି, 5 ଲକ୍ଷ 88 ହଜାର ଚିକିତ୍ସାଧୀନ ଅଛନ୍ତି। ସୁସ୍ଥ ହାର ବଢିବା ସହ ମୃତ୍ୟୁହାର ଲଗାତାର ଭାବେ କମି ଚାଳିଛି।

ଜୁନରେ ମୃତ୍ୟୁହାର 3.33 ପ୍ରତିଶତ ଥିବା ବେଳେ ଏବେ ଏହା 2.21 ପ୍ରତିଶତ ରହିଛି। ଭାରତରେ କରୋନା ଜନିତ ମୃତ୍ୟୁହାର ସାରା ବିଶ୍ବରେ ସର୍ବନିମ୍ନ। ଏଯାବତ ଦେଶରେ 1 କୋଟି 81 ଲକ୍ଷ 90 ହଜାର ଟେଷ୍ଟ କରାଯାଇଛି। ଓଡ଼ିଶା ଭଳି କିଛି ରାଜ୍ୟରେ ମୃତ୍ୟୁହାର 1 ପ୍ରତିଶତରୁ ବି କମ୍ ରହିଛି ବୋଲି ଓଏସଡି କହିଛନ୍ତି। ତେବେ ଓଡ଼ିଶାରେ କରୋନା ସଂକ୍ରମିତ ହାର 10 ପ୍ରତିଶତରୁ ଅଧିକ ରହିଛି।

ସମଗ୍ର ବିଶ୍ୱରେ ଏବେ ୩ଟି କରୋନା ଟିକା ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ପହଞ୍ଚିଛି । ସେଗୁଡ଼ିକ ଆମେରିକା, ବ୍ରିଟେନ ଓ ଚୀନରେ ବିକଶିତ କରାଯାଉଛି । ଭାରତରେ ୨ଟି କରୋନା ଟିକାର ପରୀକ୍ଷଣ ଚାଲିଛି ଓ ସେଗୁଡ଼ିକ ଏବେ ୧ମ ଓ ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଓଏସଡି ରାଜେଶ ଭୂଷଣ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲାରେ ଭାରତର ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବିଶ୍ବ ହାରଠାରୁ କମ୍ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ବିଶ୍ୱରେ ହାରାହାରି ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ବେଳେ ଭାରତରେ ତାହା ମାତ୍ର ୨୦.୪ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି । ବ୍ରିଟେନରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ସର୍ବାଧିକ ୬୬୭ ଜଣ ମୃତ୍ୟୁବରଣ କରୁଥିବାବେଳେ ଆମେରିକାରେ ତାହା ୪୨୧ ଓ ବ୍ରାଜିଲରେ ୩୭୧ ରହିଛି । ଏଣୁ ମୃତ୍ୟୁହାର ଦୃଷ୍ଟିରୁ ଭାରତରେ ସ୍ଥିତି ଭଲ ରହିଛି।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପିଜିଟିଭିଟି ହାର ଜାତୀୟ ହାର ୮.୦୭ ପ୍ରତିଶତଠାରୁ କମ ରହିଛି । ମାତ୍ର ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ହାର ଜାତୀୟ ହାରଠାରୁ ଅଧିକ । ଦେଶରେ ଅଧିକରୁ ଅଧିକ ପରୀକ୍ଷା କରି ପଜିଟିଭିଟି ହାରକୁ ୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ପରୀକ୍ଷା ସଂଖ୍ୟା ବଢିବା କାରଣରୁ ସଂକ୍ରମଣ ମାମଲା ବଢି ଚାଲିଛି । ଭାରତରେ ଏବେ ପ୍ରତି ନିୟୁତ ଲୋକଙ୍କ ପିଛା ୧୮୦ଟି ପରୀକ୍ଷା ହେଉଛି । ୧୯ଟି ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳ ପ୍ରତି ଏକ ନିୟୁତ ଲୋକଙ୍କ ପିଛା ୧୮୦ରୁ ଅଧିକ ପରୀକ୍ଷା କରୁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭୟ କରନ୍ତୁନି, ବଢୁଛି କରୋନା ସୁସ୍ଥ ହାର, କମୁଛି ମୃତ୍ୟୁ ହାର, କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, କରୋନାକୁ ଭୟ ବଢୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ଭଲ ଖବର ଶୁଣାଇଛନ୍ତି। ଦେଶରେ ସାଂଘାତିକ ଭାବେ ବିଶେଷ କରି ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସହ ଏହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି। ହେଲେ ଆଜି (ଶୁକ୍ରବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ନିଶ୍ଚିତ ଭାବେ ସମସ୍ତଙ୍କ ମନରୁ ଭୟ ଦୂର କରିଦେବ। କାରଣ ଏହି ରିପୋର୍ଟ ଅନଯାୟୀ ଦେଶରେ କୋଭିଡ-19 ସଂକ୍ରମିତଙ୍କ ସୁସ୍ଥ ହାରରେ ଯଥେଷ୍ଟ  ଉନ୍ନତି ଘଟୁଛି।  ଏହା 62.42 ପ୍ରତିଶତରେ ପହଞ୍ଚିଛି। ଅନ୍ୟପକ୍ଷରେ ମୃତ୍ୟୁ ହାର 2.72 ପ୍ରତିଶତକୁ ଖସିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ପଜିଟିଭ୍ ସଂଖ୍ୟା ବଢୁଛି କିନ୍ତୁ ଏହାଠୁ ଅଧିକ ମାତ୍ରାରେ ସୁସ୍ଥ ହେଉଛନ୍ତି । ଏପରିକି ବର୍ତ୍ତମାନ ଦେଶରେ ସୁସ୍ଥ ହାର ପାଖାପାଖି ୬୩ ପ୍ରତିଶତ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି, ଭାରତରେ କରୋନା ରୋଗୀଙ୍କ ସୁସ୍ଥତା ହାର ପ୍ରାୟ ୬୩% ଥିବା ବେଳେ ମୃତ୍ୟୁ ହାର ମାତ୍ର ୨.୭2 ପ୍ରତିଶତ ରହିଛି।

ଭୟ କରନ୍ତୁ ନାହିଁ କାରଣ ଦେଶରେ କରୋନା ମୃତ୍ୟୁ ହାର ମାତ୍ର ୨.୭୨ ପ୍ରତିଶତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଆଜି ଦେଶବାସୀଙ୍କୁ ସୁସ୍ଥ ହାର ବଢିବା ସହ ମୃତ୍ୟୁ ହାର କମିବା ନେଇ ଏକ ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ, ଏହା ଫଳରେ ଆକ୍ରାନ୍ତଙ୍କୁ ଠିକଣା ସମୟରେ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା ଦିଆଯାଇ ପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। (ଏଜେନସି)