କରୋନା ମୁକାବିଲାରେ ଭାରତର ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ

Published: Jul 21, 2020, 8:46 pm IST

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବିଶ୍ବ ହାରଠାରୁ କମ୍ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ବିଶ୍ୱରେ ହାରାହାରି ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ବେଳେ ଭାରତରେ ତାହା ମାତ୍ର ୨୦.୪ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି । ବ୍ରିଟେନରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ସର୍ବାଧିକ ୬୬୭ ଜଣ ମୃତ୍ୟୁବରଣ କରୁଥିବାବେଳେ ଆମେରିକାରେ ତାହା ୪୨୧ ଓ ବ୍ରାଜିଲରେ ୩୭୧ ରହିଛି । ଏଣୁ ମୃତ୍ୟୁହାର ଦୃଷ୍ଟିରୁ ଭାରତରେ ସ୍ଥିତି ଭଲ ରହିଛି।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପିଜିଟିଭିଟି ହାର ଜାତୀୟ ହାର ୮.୦୭ ପ୍ରତିଶତଠାରୁ କମ ରହିଛି । ମାତ୍ର ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ହାର ଜାତୀୟ ହାରଠାରୁ ଅଧିକ । ଦେଶରେ ଅଧିକରୁ ଅଧିକ ପରୀକ୍ଷା କରି ପଜିଟିଭିଟି ହାରକୁ ୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ପରୀକ୍ଷା ସଂଖ୍ୟା ବଢିବା କାରଣରୁ ସଂକ୍ରମଣ ମାମଲା ବଢି ଚାଲିଛି । ଭାରତରେ ଏବେ ପ୍ରତି ନିୟୁତ ଲୋକଙ୍କ ପିଛା ୧୮୦ଟି ପରୀକ୍ଷା ହେଉଛି । ୧୯ଟି ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳ ପ୍ରତି ଏକ ନିୟୁତ ଲୋକଙ୍କ ପିଛା ୧୮୦ରୁ ଅଧିକ ପରୀକ୍ଷା କରୁଛନ୍ତି ।

Related posts