Categories
ଆଜିର ଖବର

ଯାନବାହନକୁ ନେଇ ଆସୁଛି ଆଉ ଏକ ନୂତନ ନିୟମ : ଏଥିର ପ୍ରମାଣପତ୍ରରେ ବାଧ୍ୟତାମୂଳକ ହେବ ମୋବାଇଲ ନମ୍ବର

ନୂଆଦିଲ୍ଲୀ, ୭/୧୨: ସାରା ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୁଣି ଥରେ ଏନେଇ ଆଉ ଏକ ନି ୟମ କରିବାକୁ ଯାଉଛନ୍ତି ସରକାର । ଏଥର ଯାନବାହନ ସମ୍ପର୍କିତ ସମସ୍ତ ପ୍ରମାଣପତ୍ରରେ ମୋବାଇଲ ନମ୍ବର ବାଧ୍ୟତାମୂଳକ ହେବା ନେଇ ସୂଚନା ରହିଛି।  ଏବେ ଯାନବାହନ ପ୍ରମାଣପତ୍ର ତଥା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ (ଆର୍‌ସି) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌), ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ସମେତ ଅନ୍ୟ ପ୍ରମାଣପତ୍ରରେ ମୋବାଇଲ୍‌ ନମ୍ବରକୁ ସଂଯୋଗ କରିବାକୁ ପଡ଼ିବ। ଏନେଇ ଭାରତ ସରକାର ଏକ ନୂତନ ନିୟମ ଆଣିବାକୁ ଯାଉଛନ୍ତି। ଏହା ଏପ୍ରିଲ୍‌ ୨୦୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ବନ୍ଧରେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିବା ନେଇ ଲୋକଙ୍କୁ ତାଙ୍କ ରାୟ ମାଗିଛନ୍ତି ।

ଏହି ସମ୍ବନ୍ଧରେ ୩୦ଦିନ ଭିତରେ ଅର୍ଥାତ୍‌ ୨୯ ଡିସେମ୍ବର ଭିତରେ ନିଜର ମତାମତ ସଡକ ପରିବହନ ମନ୍ତ୍ରାଳୟକୁ ପଠାଇପାରିବେ।  ଯାନବାହନ ପ୍ରମାଣପତ୍ରରେ ମାଲିକର ମୋବାଇଲ୍‌ ନମ୍ବର ସଂଯୋଗ କରିବା ଦ୍ବାରା ଗାଡ଼ି ଚୋରି ଉପରେ ଅଙ୍କୁଶ ଲଗାଇବା ସହ ବାହନ ନେଇ ଅନ୍ୟ ଅପରାଧ କାର୍ଯ୍ୟଗୁଡ଼ିକ ଉପରେ ମଧ୍ୟ ଅଙ୍କୁଶ ଲଗାଇଯାଇପାରିବ।

କେନ୍ଦ୍ର ସରକାର ଓ ଅନ୍ୟ ସରକାରୀ ସଂସ୍ଥା ପାଖରେ ମଧ୍ୟ ବାହନ ଓ ଡ୍ରାଇଭିଂ ଲାଇସେନ୍ସର ପୂରା ବିବରଣୀ, ମୋବାଇଲ୍‌ ନମ୍ବର ସହିତ ଉପଲବ୍ଧ ରହିବ। ଜରୁରୀ ସମୟରେ ପୁଲିସ୍‌, ଆରଟିଓ ତଥା ଅନ୍ୟ କିଛି ଏଜେନ୍ସି ସହଜରେ ଗାଡ଼ି ଡ୍ରାଇଭର୍‌ ତଥା ମାଲିକ ସହିତ ସମ୍ପର୍କ କରିହେବ। ବଡ଼ ମହାନଗରୀ ଗୁଡ଼ିକରେ ଇଣ୍ଟିଲିଜେଣ୍ଟ ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ଲାଗୁ କରାଯିବା ନେଇ ସୂଚନା ରହିଛି। (ଏଜେନ୍ସି)