Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆଜି କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । 24 ଘଣ୍ଟାରେ 678ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 33ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 199କୁ ବୃଦ୍ଧି ପାଇଛି । 503ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ପାଇଁ 15 ହଜାର କୋଟିର ପ୍ୟାକେଜ୍‌ ସ୍ଥିର ହୋଇଛି ।

କାଲି ଗୋଟିଏ ଦିନରେ 16 ହଜାର 2ଜଣଙ୍କର କରୋନା ଟେଷ୍ଟ ହୋଇଛି । ଏହି ଟେଷ୍ଟରୁ ମାତ୍ର 0.2% ନମୁନା ପଜିଟିଭ୍‌ ବାହାରିଥିଲା । ଅର୍ଥାତ୍‌ 16 ହଜାର ଟେଷ୍ଟ୍‌ରୁ 320 ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏଯାବତ୍‌ 1 ଲକ୍ଷ 44 ହଜାର 910ଟି କରୋନା ପରୀକ୍ଷା ହୋଇଛି । ସେହିପରି 146ଟି ସରକାରୀ ଓ 67 ଘରୋଇ ଲ୍ୟାବ୍‌ରେ ଟେଷ୍ଟିଂ ସୁବିଧା ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

ସେହିପରି ଦେଶରେ କମ୍ୟୁନିଟି ଟ୍ରାନ୍ସମିଶନ୍‌ ବା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଲବ୍ ଅଗ୍ରଓ୍ବାଲ । ଲୋକମାନେ ନ ଡରି ସଚେତନ ରହୁନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ । ସେହିପରି ସ୍ବାସ୍ଥ୍ୟ କର୍ମଚାରୀ ହେଉଛନ୍ତି କରୋନା ଯୁଦ୍ଧର ମହାଯୋଦ୍ଧା । ସେମାନଙ୍କ ସହ ଦୁବ୍ୟବହାର କରିବା ଆମ ପାଇଁ ହାନିକାର । ତାଙ୍କ ସହିତ ଯେପରି ଦୁବ୍ୟର୍ବହାର ନହୁଏ ସେଥିପ୍ରତି ଧ୍ୟାନ ଦେବା। ସେମାନଙ୍କୁ ସହଯୋଗ କରିବା ଆମର ଧର୍ମ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି । (ଏଜେନ୍ସି)