Categories
ବିଶେଷ ଖବର

ଉତ୍ତର ପୂର୍ବ ରାଜ୍ୟ ଗୁଡିକର ରାଜପଥରେ ପ୍ରତିବାଦ କରି ଗୁଳି ଖାଉଥିବା ଲୋକେ କଣ ପାକିସ୍ତାନୀ?

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ବିରୋଧୀଙ୍କୁ ଚୁପ କରାଇଦେବାର ଏକ ପରିଚିତ କୌଶଳ ରହିଛି। ସରକାରକୁ ଯିଏ ବିରୋଧ କଲା, ସେ ପାକିସ୍ତାନର ଭାଷା କହୁଛି ବୋଲି କହି ଚୁପ କରାଇ ଦେବାରେ ଦୁଇ ବଡ ନେତା ସଫଳ ହେଉଛନ୍ତି। ବିରୋଧୀ ନେତାମାନେ ନିଜକୁ ପାକିସ୍ତାନୀ ହେବାର ଭୟରୁ ରକ୍ଷା ପାଇବା ଲାଗି ଅନେକ ସମୟରେ ନୀରବ ରହୁଛନ୍ତି। ବିମୂଦ୍ରାକରଣକୁ ଆପଣ ବିରୋଧ କଲେ,ଆପଣ କଳାଧନର ଓ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦର ସମର୍ଥକ। କାଶ୍ମୀର ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବାର ବିରୋଧରେ ଠିଆ ହେଲେ, ଆପଣ ପାକିସ୍ତାନ ପ୍ରେମୀ। ପୋଲିସ ର ବେଆଇନ ଗୁଳିଚାଳନାର ବିରୋଧ କଲେ ମଧ୍ୟ ଆପଣ ପାକିସ୍ତାନ ସମର୍ଥକ। ଖୋଦ ପ୍ରଧାନମନ୍ତ୍ରୀ ନିଜ ଦଳର ସଂସଦୀୟ ବୈଠକରେ କହିଲେ, ଯେଉଁମାନେ ନାଗରିକ ସଂଶୋଧନ ବିଲକୁ ବିରୋଧ କରୁଛନ୍ତି, ସେମାନେ ପାକିସ୍ତାନ ବିଚାରର ସମର୍ଥକ। ଏହା ବୋଧହୁଏ ସଂସଦୀୟ ଇତିହାସରେ ଏକ ବିରଳ ଇତିହାସ। ରାଜନୈତିକ ପ୍ରତିପକ୍ଷକୁ ଶତ୍ରୁ ସମର୍ଥକ ବୋଲି କହିବା ସବୁଠୁ ନିକୃଷ୍ଟ ରାଜନୀତି ଓ ଦୁର୍ଭାଗ୍ୟର କଥା ହେଉଛି ଏ ପ୍ରକାର ରାଜନୀତି ପ୍ରତି ଆମ ଦେଶରେ ଆକର୍ଷଣ ବଢୁଛି।

ସଂସଦରେ ନାଗରିକତା ସଂଶୋଧନ ଆଇନର ଆଲୋଚନା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖି ବିଲକୁଲ ମାନେ ହେଉନଥିଲା ଯେ, ସେ ସଂସଦୀୟ ପରମ୍ପରାର ଅନୁକୂଳ ବିତର୍କ କରୁଛନ୍ତି। ସତେକି କଂଗ୍ରେସ ବିରୋଧରେ ଯୁଦ୍ଧ କରିବାକୁ ସେ ସେନାପତି ହୋଇ ସେଠି ଛିଡା ହୋଇଥିଲେ। ଅଥଚ ସରକାରୀ ଦଳର ପ୍ରତିନିଧି ଭାବରେ ସଂସଦର ଗରିମା ରକ୍ଷା କରିବା ଏବଂ ବିରୋଧୀ ଦଳର ସମାଲୋଚନାକୁ ସାମ୍ନା କରିବା ତାଙ୍କର ସାମ୍ବିଧାନିକ ଦାୟିତ୍ଵ। ତେବେ ସଂସଦରେ ବିରୋଧୀ ଦଳକୁ ଚୁପ କରାଇଦେବା ହୁଏତ ସହଜ। ଏପରିକି ବିଲ ପାସ କରାଇବାକୁ ବିଭିନ୍ନ ଦଳ ସହିତ “ଡିଲ” କରିବା ମଧ୍ୟ ସହଜ। ହେଲେ ଲୋକଙ୍କୁ କିଣିବା ବା ଲୋକଙ୍କ ସହ “ଡିଲ” କରିବା ଏତେ ସହଜ ନୁହେଁ। ଆଜି ସାରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଯେଉଁ ଭୟଙ୍କର ପ୍ରତିବାଦର ନିଆଁ ଜଳୁଛି, ସେଥିଲାଗି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ କାହାକୁ ଦାୟୀ କରିବେ?

କାଶ୍ମୀରକୁ ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରି ସେଠାରୁ ଧାରା ୩୭୦ ଉଚ୍ଛେଦ କଲାବେଳେ, କାଶ୍ମୀରବାସୀଙ୍କ କଥା ଶୁଣାଗଲା ନାହିଁ କିମ୍ବା କାଶ୍ମୀରବାସୀଙ୍କ କଥା କାହାକୁ ଶୁଣାଇ ଦିଆଗଲା ନାହିଁ। ଏବେ ସେହି ସମାନ ମଡେଲ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଦେଖିବାକୁ ମିଳୁଛି। ଆସାମ, ତ୍ରିପୁରା ଓ ମେଘାଳୟ ସଂପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବାରୁ ବିଚ୍ଛିନ୍ନ ହୋଇଛନ୍ତି। ଆସାମରେ ପୋଲିସ ଗୁଳିରେ ଦୁଇଜଣ ଲୋକ ପ୍ରାଣ ହରାଇଲେଣି। କରଫ୍ୟୁ ସତ୍ତ୍ୱେ ହଜାର ହଜାର ଲୋକ ନିଜ ଜୀବନକୁ ପାଣି ଛଡାଇ ଏହି ବିଲ ବିରୋଧରେ ଆଜି ଆନ୍ଦୋଳନ କରୁଛନ୍ତି। ଗୌହାଟି, ଦିବ୍ରୁଗଡ, ଶିଲଂ, ଅଗରତାଲା ଭଳି ଉତ୍ତରପୂର୍ବ ରାଜ୍ୟର ପ୍ରମୁଖ ସହର ଗୁଡିକ ଅଶାନ୍ତ ହୋଇ ପଡିଛି। ଉତ୍ତର ପୂର୍ବରୁ ଏହି ଆନ୍ଦୋଳନ ଏବେ ବିହାର, ପଶ୍ଚିମ ବଙ୍ଗ ଓ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି।

ତେବେ ପ୍ରଧାନମନ୍ତ୍ରୀ କଣ ଏମାନଙ୍କୁ ସମସ୍ତଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବେ? ଯେ କୌଣସି ଆଇନ ତିଆରି କଲାବେଳେ ଏହା ଦ୍ଵାରା ପ୍ରଭାବିତ ହେଉଥିବା ଲୋକଙ୍କ ସହ ବ୍ୟାପକ ବିଚାର ବିମର୍ଶ କରିବା ଏକ ଗଣତାନ୍ତ୍ରିକ ସରକାରର ପ୍ରଧାନ ଦାୟିତ୍ଵ। ମୋଦୀ ସରକାର ଏହାର ବିପରୀତ ଆଚରଣ କରୁଛନ୍ତି। ଲୋକଙ୍କ ସହ ପରାମର୍ଶ କରି ଆଇନ ତିଆରି କରିବା ପରିବର୍ତ୍ତେ ନିଜ ଆଇନକୁ ଲୋକଙ୍କ ଉପରେ ଲଦି ଦିଆଯାଉଛି। ଉଦ୍ଦେଶ୍ୟମୂଳକ ଭାବରେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିବା ପାଇଁ ସରକାର କାମ କରୁଥିବା ଭଳି ମନେ ହେଉଛି।

ନାଗରିକତା ସଂଶୋଧନ ବିଲକୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକର ସମର୍ଥନ ମୂଳରୁ ନଥିଲା। ଏହା ବିରୋଧରେ ଉତ୍ତର ପୂର୍ବ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀମାନେ ନିଜର ସ୍ପଷ୍ଟ ମତ ରଖିଥିଲେ। ଏହି ସବୁ ରାଜ୍ୟର ବିଜେପି ସଂଗଠନ ମଧ୍ୟ ଏହି ବିଲ ଆଦୌ ଗ୍ରହଣୀୟ ହୋଇ ନପାରେ ବୋଲି କହିଥିଲେ। ତା ସତ୍ତ୍ୱେ ଏହାକୁ ଜିଦଖୋର ମନୋବୃତ୍ତି ନେଇ ଗୃହୀତ କରାଇବା ପଛରେ ଏକ ଭିନ୍ନ ଉଦ୍ଦେଶ୍ୟ ରହିଥିଲା।

ଏହି ବିଲ ବିରୋଧରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ହିଂସ୍ର ପ୍ରତିବାଦ ହେବ ବୋଲି ଜାଣି ମଧ୍ୟ ଏହି ବିଲ କୁ ଗୃହୀତ କରାଇନେବାର ଜିଦ ପଛରେ ମୋଦୀ ଏବଂ ଶାହାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା, ଭାରତର ନାଗରିକ ଆଇନକୁ ସଂଶୋଧନ କରି ଦେଶର ମୁସଲମାନଙ୍କୁ ନୀଚା ଦେଖାଇବା। ଏଠି ଅନ୍ୟ ସବୁ ଧର୍ମର ଲୋକଙ୍କୁ ସ୍ଵାଗତ କରାଯିବ, ହେଲେ ମୁସଲମାନମାନେ ଆମର ଅବାଞ୍ଛିତ ବୋଲି ଏକ ବାର୍ତ୍ତା ଦେବାକୁ ବିଜେପି ଚାହୁଁଥିଲା। ସେହି ବାର୍ତ୍ତା ଦେବାକୁ ହେଲେ ଉତ୍ତର ପୂର୍ବ ରାଜ୍ୟରେ କିଛିଟା ଅଶାନ୍ତି ଗ୍ରହଣୀୟ ବୋଲି ବିଜେପି ମନସ୍ଥିର କରି ସାରିଥିଲା।

କେବଳ ହିନ୍ଦୁ ବନାମ ମୁସଲମାନ ବିତର୍କକୁ ବଞ୍ଚାଇ ରଖିବାକୁ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର ଜନ ସାଧାରଣଙ୍କ ଉପରେ ଏ ପ୍ରକାର ଦମନମୂଳକ ଆଇନ ଲଦି ଦିଆ ଯାଉଥିବା, ଦିନକୁ ଦିନ ସ୍ପଷ୍ଟ ହୋଇଯାଉଛି।

Categories
ବିଶେଷ ଖବର

ସେପଟେ ଆସାମ, ତ୍ରିପୁରା ଜଳୁଛି, ହେଲେ ସଂସଦରେ ଚାଲିଛି ପ୍ରବଳ ଉତ୍ସାହର ଭାଷଣ

କେଦାର ମିଶ୍ର

ଯେମିତି କାଶ୍ମୀରକୁ ବାକି ଭାରତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ସଂସଦରେ ଧାରା ୩୭୦ ଉଚ୍ଛେଦ କରାଗଲା, ନାଗରିକତା ସଂଶୋଧନ ବିଲ ଗୃହୀତ ହେଲା ବେଳକୁ ମଧ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ସେଇ ସମାନ ପରିସ୍ଥିତି ସୃଷ୍ଟି ହେଲା। ଆଜି ଆସାମ, ତ୍ରିପୁରା, ମଣିପୁର, ମେଘାଳୟ ସମେତ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ନିଆଁ ଜଳୁଛି। ଅନେକ ସହରରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ପ୍ରାୟ ସବୁ ସହରରେ ସେନାବାହିନୀ ସଜାଗ ରହିଛନ୍ତି। ଅନେକ ଅଞ୍ଚଳରେ ଇଣ୍ଟରନେଟ ଓ ଫୋନ ସେବା ବନ୍ଦ କରି ଦିଆଯାଇଛି।  ସବୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ନାଗରିକତା ସଂଶୋଧନ ବିଲକୁ ବିରୋଧ କରୁଛନ୍ତି। ଖୋଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବିଲି ଗୃହୀତ ନ କରାଇବାକୁ ଅନୁରୋଧ କରିଥିଲେ। ବିଜେପିର ସ୍ଥାନୀୟ ସଂଗଠନ ଗୁଡିକ ଏହି ବିଲ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ବିଜେପି ନେତୃତ୍ବକୁ ସତର୍କ କରାଇ ଦେଇଥିଲେ। ତା ସତ୍ତ୍ୱେ ଏହି ବିଲକୁ ଗୃହୀତ କରାଇ ନେବାକୁ  ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ତତ୍ପରତା ପ୍ରକାଶ କରିବାର କାରଣ କଣ?

କାଶ୍ମୀର ଭଳି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ମଧ୍ୟ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳ ହୋଇ ରହିବାର ସମ୍ଭାବନା ରହିଛି କି? ସଂସଦୀୟ ଗଣତନ୍ତ୍ରରେ ସଂଖ୍ୟା ଦୃଷ୍ଟିରୁ ଯେଉଁ ରାଜ୍ୟ ମାନଙ୍କର ପ୍ରତିନିଧିତ୍ଵ ଦୁର୍ବଳ ସେମାନଙ୍କ ଉପରେ ସଂଖ୍ୟା ଗରିଷ୍ଠତାର ଅହଂକାର ଦେଖାଇ ଜୁଲମ କରା ଯାଉନାହିଁ କି? ଉତ୍ତର ପୂର୍ବ ସ୍ଥିତ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ମେଘାଳୟ ଓ ସିକିମ- ଏହି ୯ ଟି ରାଜ୍ୟର ମୋଟ ଲୋକସଭା ସଦସ୍ୟଙ୍କ ସଂଖ୍ୟା ମାତ୍ର ୨୭। ତାରି ଭିତରୁ କେବଳ ଆସାମରେ ଅଛନ୍ତି ୧୪ ଜଣ ଲୋକସଭା ସଦସ୍ୟ। ସଂଖ୍ୟା ଦୃଷ୍ଟିରୁ ଜାମ୍ମୁ କାଶ୍ମୀରର ଯେମିତି କୌଣସି ବିଶେଷ ପ୍ରଭାବ ନଥିଲା, ସେମିତି ଉତ୍ତର ପୂର୍ବ ରାଜ୍ୟ ଗୁଡିକର ମଧ୍ୟ କୌଣସି ପ୍ରଭାବ ନାହିଁ। ଯଦି ଏ ପ୍ରକାର ପ୍ରତିବାଦ ଉତ୍ତର ପ୍ରଦେଶ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ ବା ବିହାରରେ ହୋଇଥାନ୍ତା, ତାହେଲେ ଲୋକମତକୁ ଉପେକ୍ଷା କରି ସରକାର ଏ ପ୍ରକାର ଆଇନ ପ୍ରଣୟନ କରିବାକୁ ସାହସ କରି ନଥାନ୍ତେ।

ଲୋକେ ପ୍ରତିବାଦ କରୁଥିବା ବେଳେ ଶାସକ ଦଳ ସେଇ ପ୍ରତିବାଦକୁ ଉପେକ୍ଷା କରି ନିଜ ମତକୁ ଲୋକଙ୍କ ଉପରେ ଚାପି ଦେବାର ଉଦ୍ୟମ କରୁଛନ୍ତି। ଏହାର ପରିଣତି ଆଗକୁ ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଆଡେଇ ଦିଆ ଯାଇ ନପାରେ। ଏହି ବିଲ ସହିତ ଧର୍ମ ଏକ ମୌଳିକ ଆଧାର ବାବେ ସଂଯୁକ୍ତ ହୋଇଥିବାରୁ ବିଦେଶନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଆଗାମୀ ଦିନରେ ବହୁ ବିଦେଶୀ ରାଷ୍ଟ୍ର ଏହାକୁ ନେଇ ପ୍ରତିବାଦ କରିବେ। ବାଂଲାଦେଶ ଯିଏକି ଭାରତର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ରହି ଆସିଛି, ତାକୁ ଏକ ହିନ୍ଦୁ ବିଦ୍ଵେଷୀ ରାଷ୍ଟ୍ର ବୋଲି ବିଜେପି ତରଫରୁ ପ୍ରଚାର କରା ଯାଉଛି। ଗୋଟେ ପକ୍ଷରେ ବାଂଲାଦେଶ ସହିତ ଆମ ସମ୍ପର୍କ ଅତ୍ୟନ୍ତ ମଧୁର ବୋଲି କୁହା ଯାଉଥିବା ବେଳେ ଘରୋଇ ରାଜନୀତିରେ ବାଂଲାଦେଶକୁ ନିୟମିତ ବିରୋଧ କରାଯାଉଛି। ଏ ପ୍ରକାର ଦୋ ମୁହାଁ ନୀତିର ପରିଣତି ସାଂଘାତିକ ହୋଇପାରେ।

ସଂସଦରେ ଏହି ବିଲର ଆଲୋଚନା ସମୟରେ ଅମିତ ଶାହ ତାଙ୍କର ଚିରାଚରିତ ଘୋଷାପାଠ ଦୋହରାଇଛନ୍ତି। ସବୁ କଥା ପାଇଁ କଂଗ୍ରେସକୁ ଗାଳି କରି ଖସିଯିବାର ସହଜ ବାଟ ଛଡା ବିଜେପିକୁ ଅଧିକ କିଛି ଦେଖା ଯାଉନି। ଗୋଟେ ବିଲ ବିରୋଧରେ ୯ ଟି ରାଜ୍ୟର କ୍ରୋଧ ଓ ପ୍ରତିବାଦ ପାଇଁ କେବଳ କଂଗ୍ରେସକୁ ଦାୟୀ କରିବାର କୌଣସି ଯୁକ୍ତି ନାହିଁ। ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଅନେକ ଜାଗାରେ ବିଜେପି ସରକାର ରହିଛି ଓ ସମ୍ପୃକ୍ତ ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାର ବିରୋଧରେ କିଛି କହି ପାରୁନାହାନ୍ତି। ତଥାପି ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ସମୟରେ ଏହି ବିଲ ବିରୋଧରେ ନିଜର ସ୍ପଷ୍ଟ ମତ ଦେଇଛନ୍ତି। ହେଲେ ସେମାନଙ୍କ କଥା ଶୁଣିବ କିଏ?

ଛୋଟିଆ ରାଜ୍ୟ ଗୁଡିକ ଲୋକସଭା ଓ ରାଜ୍ୟସଭାରେ ସଙ୍ଖ୍ୟାବଳରେ ସବୁବେଳେ ଦୁର୍ବଳ ରହିବେ। ଏହାର ଅର୍ଥ କଣ ସେମାନଙ୍କ ମତ ଓ ପ୍ରତିବାଦର କିଛି ମୂଲ୍ୟ ନାହିଁ? ସଙ୍ଘିୟ ବ୍ୟବସ୍ଥାରେ ସବୁ ରାଜ୍ୟର ନିଜସ୍ଵ ଅଧିକାର ରହିଛି। ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଓ ଅନୁରୋଧକୁ ଉପେକ୍ଷା କରି କେନ୍ଦ୍ର ସରକାର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛନ୍ତି।

ନିଜ ରାଜ୍ୟର ସ୍ଵାର୍ଥ ପାଇଁ କାମ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ହେଲେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର କ୍ଷମତା ସଙ୍କୁଚିତ କରୁଥିବା ଆଇନକୁ ସମାର୍ଥନ ଦେଉଥିବା ବିଜୁ ଜନତା ଦଳ ଗୁଡିକ କଦାପି ଏହି ଭ୍ରମରେ ରୁହନ୍ତୁ ନାହିଁ ଯେ, ବିଜେପିକୁ ସମର୍ଥନ କରି ସେମାନେ ସୁରକ୍ଷିତ ରହିବେ। କେନ୍ଦ୍ର ସରକାର ନିଜ ହାତରେ ସବୁ କ୍ଷମତା ଠୁଳ କରିବା ଲାଗି ଗୋଟାଏ ପରେ ଗୋଟେ ସଙ୍ଘିୟ ବ୍ୟବସ୍ଥାକୁ ଉଚ୍ଛେଦ କରି ଚାଲୁଛନ୍ତି ଓ  ଚାଳିବେ ମଧ୍ୟ। କାଲି କାଶ୍ମୀର ଥିଲା, ଆଜି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ସେହି ଦୁର୍ଦ୍ଦଶା ଭୋଗୁଛନ୍ତି, ଆସନ୍ତା କାଲୀ ବିହାର କି ଓଡିଶା ଯେ ସେ ଦୁର୍ଦ୍ଦଶା ନ ଭୋଗିବେ, ତାହା ବିଲକୁଲ କହିହେବା ନାହିଁ!!

Categories
ବିଶେଷ ଖବର

ନାଗରିକତ୍ଵ ସଂଶୋଧନ ଆଇନକୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ବିରୋଧ କରୁଥିବା ବେଳେ ଏହାକୁ ବଳପୂର୍ବକ ଲାଗୁ କରିବା ବିପଜ୍ଜନକ ହୋଇପାରେ 

କେଦାର ମିଶ୍ର 

ଗୋଟେ ସରକାରର କେତୋଟି ମୁହଁ- ଏକ ନା ଏକାଧିକ- ଏହା ଏକ ବିଚିତ୍ର ପ୍ରଶ୍ନ। ଏନଡିଏ ସରକାରର ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର କହୁଛନ୍ତି ଯେ, ଦେଶରେ ଜଣେ ହେଲେ ବେଆଇନ ଅନୁପ୍ରବେଶକାରୀଙ୍କୁ ସେ ରଖାଇଦେବେ ନାହିଁ, ହେଲେ ଗତକାଲି ଲୋକସଭାରେ ସେ ନାଗରିକତ୍ଵ ସଂଶୋଧନ ଆଇନ ପାଇଁ ବିଲ ଉପସ୍ଥାପନ କରିଛନ୍ତି। ଯଦି ବେଆଇନ ଅନୁପ୍ରବେଶକାରୀ ରହିବେ ନାହିଁ, ତାହେଲେ ଏ ଆଇନର ଆବଶ୍ୟକତା କଣ? ଏହି ବିଲ ଜୁଲାଇ ୨୦୧୬ରେ ଏହି ସରକାର ଦ୍ଵାରା ଲୋକସଭାରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ପୂରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏହା ବିରୋଧରେ ଆନ୍ଦୋଳନ ତେଜିବାରୁ ବାଧ୍ୟ ହୋଇ ସରକାର ଏହାକୁ ଆଉ ଆଗକୁ ନେଇ ନଥିଲେ। ଏବେ ଅମିତ ଶାହ ପୁଣିଥରେ ସେହି ସମାନ ବିଲକୁ ଉପସ୍ଥାପନ କରିବା ପଛରେ ଉଦ୍ଦେଶ୍ୟ କଣ? ଉତ୍ତର ପୂର୍ବ ରାଜ୍ୟ ଗୁଡିକର ଜନସଂଖ୍ୟା ର ସମୀକରଣ ବିଗାଡିବାକୁ ଏହା ଏକ ଷଡଯନ୍ତ୍ର ବୋଲି ଏହି ରାଜ୍ୟ ଗୁଡିକ ବିଚାର କରୁଛନ୍ତି। ଏହି ସଂଶୋଧନ ସଂସଦରେ ଗୃହୀତ ହେଲେ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ରୁ ଆସି ଭାରତରେ ରହି ଯାଇଥିବା ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିୟାନ, ଶିଖ ଓ ହିନ୍ଦୁମାନେ ନାଗରିକ ହେବାର ଅଧିକାର ପାଇବେ। ୩୧, ଡିସେମ୍ବର, ୨୦୧୪ ପୂର୍ବରୁ ଛଅ ବର୍ଷ ଭାରତରେ ରହିଥିବା ଏହି ସବୁ ଧର୍ମର ବିଦେଶୀ ନାଗରିକଙ୍କୁ ନାଗରିକ ଭାବରେ ମାନ୍ୟତା ଦିଆଯିବ।

ଦେଶର ସମ୍ବିଧାନ ଆମକୁ ମୌଳିକ ଅଧିକାରେ ସମାନତାର ଅଧିକାର ଦେଇଛି। ନାଗରିକତା ଦେବା ଲାଗି ଧର୍ମକୁ ଏକ ଆଧାର ଭାବେ ଗ୍ରହଣ କରିବା ସମ୍ବିଧାନର ଧାରା ୧୪ର ଖୋଲା ଉଲ୍ଲଙ୍ଘନ ନୁହେଁ କି? ସମ୍ବିଧାନର ଧାରା 14 ଅନୁସାରେ ଭାରତର ପ୍ରତ୍ଯେକ ନାଗରିକ ଆଇନ ଆଖିରେ ସମାନ। ରାଷ୍ଟ୍ର ବା ସରକାର ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ବା ଜନ୍ମସ୍ଥାନ ଭେଦରେ ନାଗରିକକୁ କୌଣସି ଆଇନ ପାଖରେ ସମାନତାର ଅଧିକାରରୁ ବଞ୍ଚିତ କରି ପାରିବେ ନାହିଁ। ପ୍ରଥମ ଥର ଲାଗି ସମାନତାର ମୌଳିକ ଅଧିକାରକୁ କ୍ଷୁଣ୍ଣ କରି ଧର୍ମ ଭେଦରେ ନାଗରିକ ଅଧିକାର ଦେବାର ଆଇନ ତିଆରି ହେଉଛି। ଏହା ସମ୍ବିଧାନର ମୌଳିକ ଢାଞ୍ଚା ଓ ବିଚାର ବିରୋଧୀ ହୋଇଥିବା ସତ୍ତ୍ୱେ ଅନେକ ରାଜନୈତିକ ଦଳ ଏହାକୁ ସମର୍ଥନ କରିବା ଆଶ୍ଚର୍ୟର କଥା।

ଏହି ବିଲକୁ ସଂସଦରେ ବିଜୁ ଜନତା ଦଳ ସମର୍ଥନ କରିବ କି ନାହିଁ, ତାକୁ ନେଇ ଅବଶ୍ୟ କୌଣସି ପ୍ରଶ୍ନବାଚୀ ନଥିଲା। ନିର୍ବାଚନ ପରଠୁ ବିଜେଡି ବିଜେପିର ପ୍ରତ୍ୟେକ ନୀତିକୁ ଆଖିବୁଜା ସମର୍ଥନ ଦେଇଆସୁଛି। କାଶ୍ମୀରଠୁ ଆରମ୍ଭ କରି ସୂଚନା ଅଧିକାର ବିଲର ସଂଶୋଧନ ପର୍ଯନ୍ତ ସବୁ ବିଲକୁ ବିଜେଡି ଉଭୟ ଗୃହରେ ସମର୍ଥନ ଦେଇ ଆସୁଛି। ତେଣୁ ଏହି ବିଲକୁ ବିଜେଡି ବିରୋଧ କରିବ ନାହିଁ ବୋଲି ସ୍ପଷ୍ଟ ଜଣା ପଡୁଥିଲା।ଭାଷଣରେ ଧର୍ମନିରପେକ୍ଷ ଆଦର୍ଶ ପ୍ରତି ନିଜର ଅଙ୍ଗୀକାରବଦ୍ଧତା ଦେଖାଉଥିବା ନବୀନ ପଟ୍ଟନାୟକ ଅନେକ ସମୟରେ ସାମ୍ପ୍ରଦାୟିକ ରାଜନୀତିରେ ବିଜେପିକୁ ଆଖିବୁଜା ସମର୍ଥନ ଦେବା ନୂଆ କଥା ନୁହେଁ। ନିତୀଶ କୁମାର ଓ ନବୀନ ପଟ୍ଟନାୟକ ନିଜର ଧର୍ମନିରପେକ୍ଷ ଚରିତ୍ରକୁ ସୁବିଧା ମୁତାବକ ବ୍ୟବହାର କରିବାରେ ବେଶ ଧୁରନ୍ଧର।ଏମାନେ ବିଭିନ୍ନ ସମୟରେ ବିଜେପି କୁ ସାମ୍ପ୍ରଦାୟିକ ବୋଲି କହିଥିବା ବେଳେ ଆସଲବେଳକୁ ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡା ପ୍ରତି ନିଜର ନିଃସର୍ତ୍ତ ସମର୍ଥନ ଦେଇ ଆସିଛନ୍ତି। ସାମ୍ପ୍ରଦାୟିକ କେବଳ ନୁହେଁ, ଭାରତୀୟ ସମ୍ବିଧାନର ମୌଳିକ ଆଦର୍ଶକୁ ବିରୋଧ କରୁଥିବା ନାଗରିକତା ସଂଶୋଧନ ବିଲ ପ୍ରତି ନିଜର ସମର୍ଥନ ଜଣାଇ ବିଜେଡି ପୁଣିଥରେ ନିଜର ବୈଚାରିକ ସତ୍ୟତା କୁ ସାମ୍ନାରେ ସ୍ପଷ୍ଟ କରିଛି।

ଏହି ବିଲ ବିରୋଧରେ ଦେଶର ବିଭିନ୍ନ ରାଜ୍ୟ ନିଜର ସ୍ପଷ୍ଟ ମତ ରଖିଛନ୍ତି। ବିଶେଷ କରି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ଏହା ବିରୋଧରେ ତୀବ୍ର ସ୍ଵର ଉତ୍ତୋଳନ କରୁଛନ୍ତି। ଆସାମରେ ଏହା ୧୯୮୪ରେ ହୋଇଥିବା ଆସାମ ଚୁକ୍ତିନାମାକୁ ବିରୋଧ କରୁଛି। ଆସାମ ଗଣ ପରିଷଦ ସମେତ ସେହି ରାଜ୍ୟ ର ବିଜେପି ମଧ୍ୟ ଏହି ବିଲକୁ ବିରୋଧ କରିଥିଲା। ମଣିପୁର, ମିଜୋରାମ ଓ ମେଘାଳୟରେ ବାଂଲାଦେଶରୁ ଆସୁଥିବା ବୌଦ୍ଧ ଚକମା ମାନଙ୍କୁ ବିରୋଧ କରାଯାଉଛି। ନୂଆ ସଂଶୋଧନରେ ବୌଦ୍ଧ ମାନକୁ ନାଗରିକ ଅଧିକାର ମିଳିବାର ବ୍ୟବସ୍ଥା ଥିବାରୁ ଚକମାଙ୍କୁ ନେଇ ଏବେ ଅସ୍ଥିର ବାତାବରଣ ଲାଗି ରହିଛି।

ସମ୍ବିଧାନରେ ଧର୍ମ ଆଧାରରେ ଆଇନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲେ ମଧ୍ୟ ଧର୍ମ ଆଧାରିତ ନାଗରିକତା ଆମର ମୌଳିକ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଏକ ସାମ୍ପ୍ରଦାୟିକ ଉଦ୍ୟମ । ଏ ପ୍ରକାର ଉଦ୍ୟମ ଭବିଷ୍ୟତରେ ପୁଣି ଆମର ସାମାଜିକ ବ୍ୟବସ୍ଥାରେ ଅଶାନ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି।