Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉତ୍ତର ପୂର୍ବ ରାଜ୍ୟ ଗୁଡିକର ରାଜପଥରେ ପ୍ରତିବାଦ କରି ଗୁଳି ଖାଉଥିବା ଲୋକେ କଣ ପାକିସ୍ତାନୀ?
ବିଶେଷ ଖବର

ଉତ୍ତର ପୂର୍ବ ରାଜ୍ୟ ଗୁଡିକର ରାଜପଥରେ ପ୍ରତିବାଦ କରି ଗୁଳି ଖାଉଥିବା ଲୋକେ କଣ ପାକିସ୍ତାନୀ?

December 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ବିରୋଧୀଙ୍କୁ ଚୁପ କରାଇଦେବାର ଏକ ପରିଚିତ କୌଶଳ ରହିଛି। ସରକାରକୁ ଯିଏ ବିରୋଧ କଲା, ସେ ପାକିସ୍ତାନର ଭାଷା କହୁଛି ବୋଲି କହି ଚୁପ କରାଇ ଦେବାରେ ଦୁଇ ବଡ ନେତା ସଫଳ ହେଉଛନ୍ତି। ବିରୋଧୀ ନେତାମାନେ ନିଜକୁ ପାକିସ୍ତାନୀ ହେବାର ଭୟରୁ ରକ୍ଷା ପାଇବା ଲାଗି ଅନେକ ସମୟରେ ନୀରବ ରହୁଛନ୍ତି। ବିମୂଦ୍ରାକରଣକୁ ଆପଣ ବିରୋଧ କଲେ,ଆପଣ କଳାଧନର ଓ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦର ସମର୍ଥକ। କାଶ୍ମୀର ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବାର ବିରୋଧରେ ଠିଆ ହେଲେ, ଆପଣ ପାକିସ୍ତାନ ପ୍ରେମୀ। ପୋଲିସ ର ବେଆଇନ ଗୁଳିଚାଳନାର ବିରୋଧ କଲେ ମଧ୍ୟ ଆପଣ ପାକିସ୍ତାନ ସମର୍ଥକ। ଖୋଦ ପ୍ରଧାନମନ୍ତ୍ରୀ ନିଜ ଦଳର ସଂସଦୀୟ ବୈଠକରେ କହିଲେ, ଯେଉଁମାନେ ନାଗରିକ ସଂଶୋଧନ ବିଲକୁ ବିରୋଧ କରୁଛନ୍ତି, ସେମାନେ ପାକିସ୍ତାନ ବିଚାରର ସମର୍ଥକ। ଏହା ବୋଧହୁଏ ସଂସଦୀୟ ଇତିହାସରେ ଏକ ବିରଳ ଇତିହାସ। ରାଜନୈତିକ ପ୍ରତିପକ୍ଷକୁ ଶତ୍ରୁ ସମର୍ଥକ ବୋଲି କହିବା ସବୁଠୁ ନିକୃଷ୍ଟ ରାଜନୀତି ଓ ଦୁର୍ଭାଗ୍ୟର କଥା ହେଉଛି ଏ ପ୍ରକାର ରାଜନୀତି ପ୍ରତି ଆମ ଦେଶରେ ଆକର୍ଷଣ ବଢୁଛି।

ସଂସଦରେ ନାଗରିକତା ସଂଶୋଧନ ଆଇନର ଆଲୋଚନା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖି ବିଲକୁଲ ମାନେ ହେଉନଥିଲା ଯେ, ସେ ସଂସଦୀୟ ପରମ୍ପରାର ଅନୁକୂଳ ବିତର୍କ କରୁଛନ୍ତି। ସତେକି କଂଗ୍ରେସ ବିରୋଧରେ ଯୁଦ୍ଧ କରିବାକୁ ସେ ସେନାପତି ହୋଇ ସେଠି ଛିଡା ହୋଇଥିଲେ। ଅଥଚ ସରକାରୀ ଦଳର ପ୍ରତିନିଧି ଭାବରେ ସଂସଦର ଗରିମା ରକ୍ଷା କରିବା ଏବଂ ବିରୋଧୀ ଦଳର ସମାଲୋଚନାକୁ ସାମ୍ନା କରିବା ତାଙ୍କର ସାମ୍ବିଧାନିକ ଦାୟିତ୍ଵ। ତେବେ ସଂସଦରେ ବିରୋଧୀ ଦଳକୁ ଚୁପ କରାଇଦେବା ହୁଏତ ସହଜ। ଏପରିକି ବିଲ ପାସ କରାଇବାକୁ ବିଭିନ୍ନ ଦଳ ସହିତ “ଡିଲ” କରିବା ମଧ୍ୟ ସହଜ। ହେଲେ ଲୋକଙ୍କୁ କିଣିବା ବା ଲୋକଙ୍କ ସହ “ଡିଲ” କରିବା ଏତେ ସହଜ ନୁହେଁ। ଆଜି ସାରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଯେଉଁ ଭୟଙ୍କର ପ୍ରତିବାଦର ନିଆଁ ଜଳୁଛି, ସେଥିଲାଗି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ କାହାକୁ ଦାୟୀ କରିବେ?

କାଶ୍ମୀରକୁ ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରି ସେଠାରୁ ଧାରା ୩୭୦ ଉଚ୍ଛେଦ କଲାବେଳେ, କାଶ୍ମୀରବାସୀଙ୍କ କଥା ଶୁଣାଗଲା ନାହିଁ କିମ୍ବା କାଶ୍ମୀରବାସୀଙ୍କ କଥା କାହାକୁ ଶୁଣାଇ ଦିଆଗଲା ନାହିଁ। ଏବେ ସେହି ସମାନ ମଡେଲ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଦେଖିବାକୁ ମିଳୁଛି। ଆସାମ, ତ୍ରିପୁରା ଓ ମେଘାଳୟ ସଂପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବାରୁ ବିଚ୍ଛିନ୍ନ ହୋଇଛନ୍ତି। ଆସାମରେ ପୋଲିସ ଗୁଳିରେ ଦୁଇଜଣ ଲୋକ ପ୍ରାଣ ହରାଇଲେଣି। କରଫ୍ୟୁ ସତ୍ତ୍ୱେ ହଜାର ହଜାର ଲୋକ ନିଜ ଜୀବନକୁ ପାଣି ଛଡାଇ ଏହି ବିଲ ବିରୋଧରେ ଆଜି ଆନ୍ଦୋଳନ କରୁଛନ୍ତି। ଗୌହାଟି, ଦିବ୍ରୁଗଡ, ଶିଲଂ, ଅଗରତାଲା ଭଳି ଉତ୍ତରପୂର୍ବ ରାଜ୍ୟର ପ୍ରମୁଖ ସହର ଗୁଡିକ ଅଶାନ୍ତ ହୋଇ ପଡିଛି। ଉତ୍ତର ପୂର୍ବରୁ ଏହି ଆନ୍ଦୋଳନ ଏବେ ବିହାର, ପଶ୍ଚିମ ବଙ୍ଗ ଓ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି।

ତେବେ ପ୍ରଧାନମନ୍ତ୍ରୀ କଣ ଏମାନଙ୍କୁ ସମସ୍ତଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବେ? ଯେ କୌଣସି ଆଇନ ତିଆରି କଲାବେଳେ ଏହା ଦ୍ଵାରା ପ୍ରଭାବିତ ହେଉଥିବା ଲୋକଙ୍କ ସହ ବ୍ୟାପକ ବିଚାର ବିମର୍ଶ କରିବା ଏକ ଗଣତାନ୍ତ୍ରିକ ସରକାରର ପ୍ରଧାନ ଦାୟିତ୍ଵ। ମୋଦୀ ସରକାର ଏହାର ବିପରୀତ ଆଚରଣ କରୁଛନ୍ତି। ଲୋକଙ୍କ ସହ ପରାମର୍ଶ କରି ଆଇନ ତିଆରି କରିବା ପରିବର୍ତ୍ତେ ନିଜ ଆଇନକୁ ଲୋକଙ୍କ ଉପରେ ଲଦି ଦିଆଯାଉଛି। ଉଦ୍ଦେଶ୍ୟମୂଳକ ଭାବରେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିବା ପାଇଁ ସରକାର କାମ କରୁଥିବା ଭଳି ମନେ ହେଉଛି।

ନାଗରିକତା ସଂଶୋଧନ ବିଲକୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକର ସମର୍ଥନ ମୂଳରୁ ନଥିଲା। ଏହା ବିରୋଧରେ ଉତ୍ତର ପୂର୍ବ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀମାନେ ନିଜର ସ୍ପଷ୍ଟ ମତ ରଖିଥିଲେ। ଏହି ସବୁ ରାଜ୍ୟର ବିଜେପି ସଂଗଠନ ମଧ୍ୟ ଏହି ବିଲ ଆଦୌ ଗ୍ରହଣୀୟ ହୋଇ ନପାରେ ବୋଲି କହିଥିଲେ। ତା ସତ୍ତ୍ୱେ ଏହାକୁ ଜିଦଖୋର ମନୋବୃତ୍ତି ନେଇ ଗୃହୀତ କରାଇବା ପଛରେ ଏକ ଭିନ୍ନ ଉଦ୍ଦେଶ୍ୟ ରହିଥିଲା।

ଏହି ବିଲ ବିରୋଧରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ହିଂସ୍ର ପ୍ରତିବାଦ ହେବ ବୋଲି ଜାଣି ମଧ୍ୟ ଏହି ବିଲ କୁ ଗୃହୀତ କରାଇନେବାର ଜିଦ ପଛରେ ମୋଦୀ ଏବଂ ଶାହାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା, ଭାରତର ନାଗରିକ ଆଇନକୁ ସଂଶୋଧନ କରି ଦେଶର ମୁସଲମାନଙ୍କୁ ନୀଚା ଦେଖାଇବା। ଏଠି ଅନ୍ୟ ସବୁ ଧର୍ମର ଲୋକଙ୍କୁ ସ୍ଵାଗତ କରାଯିବ, ହେଲେ ମୁସଲମାନମାନେ ଆମର ଅବାଞ୍ଛିତ ବୋଲି ଏକ ବାର୍ତ୍ତା ଦେବାକୁ ବିଜେପି ଚାହୁଁଥିଲା। ସେହି ବାର୍ତ୍ତା ଦେବାକୁ ହେଲେ ଉତ୍ତର ପୂର୍ବ ରାଜ୍ୟରେ କିଛିଟା ଅଶାନ୍ତି ଗ୍ରହଣୀୟ ବୋଲି ବିଜେପି ମନସ୍ଥିର କରି ସାରିଥିଲା।

କେବଳ ହିନ୍ଦୁ ବନାମ ମୁସଲମାନ ବିତର୍କକୁ ବଞ୍ଚାଇ ରଖିବାକୁ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର ଜନ ସାଧାରଣଙ୍କ ଉପରେ ଏ ପ୍ରକାର ଦମନମୂଳକ ଆଇନ ଲଦି ଦିଆ ଯାଉଥିବା, ଦିନକୁ ଦିନ ସ୍ପଷ୍ଟ ହୋଇଯାଉଛି।

caa northeast Protest
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.