Categories
ଆଜିର ଖବର ଜାତୀୟ ଖବର

ସିଏଏ ଆନ୍ଦୋଳନରେ ପିଏଫ୍‌ଆଇର ସମ୍ପୃକ୍ତି ନେଇ ଇଡିର ସୂଚନା

ନୂଆଦିଲ୍ଲୀ : ସୋମବାର ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂତନ ତଥ୍ୟ ପ୍ରକାଶ ପାଇଛି । ସିଏଏ ବିରୋଧୀ ଆକ୍ରମଣ ସମୟରେ ପଶ୍ଚିମ ୟୁପିରେ ଅର୍ଥ ଦେଣ ନେଣ କରାଯାଇଥିବା ନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉତ୍ତର ପ୍ରଦେଶର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ଅର୍ଥ ବିତରଣ କରାଯାଇଥିବାକ ନେଇ ଇଡି ପକ୍ଷରୁ ସୋମବାର କୁହାଯାଇଛି । ସିଏଏ ଆନ୍ଦୋଳନ ପୂର୍ବରୁ ପଶ୍ଚିମ ଉତ୍ତର ପ୍ରଦେଶର 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ଦେଣ ନେଣ କରାଯାଇଛି । ଏହା ସହିତ ପିଏଫ୍‌ଆଇ ପକ୍ଷରୁ ସିଏଏ ଆନ୍ଦୋଳନ ସମୟରେ 1.65 କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଇଡି ପକ୍ଷରୁ ସୋମବାର ଏହି ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି । (ଏଜେନ୍ସୀ)

Categories
ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ସିଏଏ ବିରୋଧୀ ପ୍ରତିବାଦ ସଭା

ରଞ୍ଜିତ ପଣ୍ଡା
କୁଜଙ୍ଗ: ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିକ୍ଷୋଭ କରାଯାଉଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ନାଗରିକତା ଆଇନ ବିରୋଧରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି ସଭାପତିତ୍ବ କରିଥିଲେ । ପ୍ରତିବାଦ ସଭା ପରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନାଗରିକତ୍ବ ଆଇନକୁ ବିରୋଧ କରି ତିର୍ତ୍ତୋଲର କଟକ ପାରାଦ୍ଵୀପ ରାସ୍ତାରେ ଏକ ଶୋଭାଯାତ୍ରା କରାଯାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Categories
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନ, ସଂସଦରେ ଜିତିଲା, ହେଲେ ଲୋକଙ୍କ ପାଖରେ ହାରିଲା ବିଜେପି

କେଦାର ମିଶ୍ର

୨୦୧୯ ବର୍ଷର ଅନ୍ତିମ ଖବର ଭାବେ ନାଗରିକତା ସଂଶୋଧନ ଆଇନ ଓ ତାକୁ ନେଇ ଶାସକ ବିଜେପିର ଭୟକୁ ହିଁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ପର୍ୟନ୍ତ ସବୁ ନିଷ୍ପତ୍ତିକୁ ଲୋକଙ୍କ ଉପରେ ଲଦିଦେବାକୁ ଚାହୁଁ ଥିବା ବିଜେପି ନାଗରିକତା ପ୍ରସଙ୍ଗ ଓ ଏହାର ପରବର୍ତ୍ତୀ ନାଗରିକ ପଞ୍ଜୀକରଣ ପ୍ରସଙ୍ଗକୁ ନେଇ ହରଡଘଣା ରେ ପଡିଛି। ସଂସଦରେ ବିଜୁ ଜନତା ଦଳ, ସଂଯୁକ୍ତ ଜନତା ଦଳ ଓ ଆନ୍ନା ଡିଏମକେ ଭଳି ଦଳର ସମର୍ଥନରେ ନାଗରିକତା ବିଲ ଆଇନରେ ସିନା ପରିଣତ ହୋଇଗଲା, ହେଲେ ଲୋକେ ଏହାକୁ ଗ୍ରହଣ କଲେନାହିଁ। ସାରା ଦେଶରେ ଏହା ବିରୋଧରେ ବ୍ୟାପକ ପ୍ରତିବାଦ ହେଲା ଓ ସେ ପ୍ରତିବାଦକୁ ଦମନ କରିବାକୁ ଯାଇ ବିଜେପି ସରକାର ଆହୁରି ବଦନାମ ହେଲା। ଉତ୍ତରପ୍ରଦେଶରେ ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ଗୁଣ୍ଡାବାହିନୀ ଭଳି ବ୍ୟବହାର କରିବାର ଦୃଶ୍ୟ ଦେଶବାସୀ ଦେଖିଲେ। ସଂସଦରେ ବିଲ ଆଇନ ଭାବରେ ଗୃହିତ ହେଲାପରେ ମଧ୍ୟ ଏହାକୁ ନେଇ ଆଜି ସାରାଦେଶରେ ବିତର୍କ ଓ ବିଦ୍ରୋହ ଅବ୍ୟାହତ ରହିଛି।

ଏହି ପ୍ରତିବାଦକୁ ହିନ୍ଦୁ ବନାମ ମୁସଲମାନ ସଂଘର୍ଷ ଭାବରେ ଦେଖାଇବାକୁ ବିଜେପି ଉଦ୍ୟମ କରିଥିଲେ ମଧ୍ୟ ଲୋକେ ସେହି ଭାବରେ ଏହାକୁ ଗ୍ରହଣ କରିନାହାନ୍ତି। ପ୍ରଥମେ ଏହା ଅନ୍ୟକୁ ନାଗରିକତା ଦେବାର ଆଇନ, ଛଡାଇବାର ନୁହଁ ବୋଲି ଯୁକ୍ତି କରୁଥିବା ବିଜେପି, ନିଜର ପୁରୁଣା ଭାଷଣ ଓ ଚିଠା ଆଗରେ ହାରିବାକୁ ବାଧ୍ୟ ହୋଇଛି। ନାଗରିକତା ସଂଶୋଧନ ଆଇନ, ମୁସଲମାନ ବିରୋଧୀ ନୁହଁ, ଏହା ଦେଶର ସମ୍ବିଧାନ ବିରୋଧୀ। ସମ୍ବିଧାନରେ ନାଗରିକତା ପ୍ରସଙ୍ଗ ଧର୍ମୀୟ ଆଧାରରେ ସ୍ଵୀକୃତି ପାଇବା କଥା ନୁହେଁ। ତେବେ ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ତୁରନ୍ତ କିଛି ନିର୍ଦ୍ଦେଶ ନଦେବା ଫଳରେ ଲୋକ ଅସନ୍ତୋଷ ବଢିଛି ଓ ପ୍ରତିବାଦ ବ୍ୟାପକ ହୋଇଛି। ଲୋକଙ୍କ ଭିତରେ ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଏହି ଆଇନ ବିରୋଧରେ ଏକତ୍ରିତ ହୋଇଛି।

ସଂସଦରେ ଆଇନ କରିସାରିବା ପରେ, ଏହାକୁ କାର୍ୟକାରୀ କରିବାର ଦାୟିତ୍ଵ କେନ୍ଦ୍ର ସରକାରଙ୍କର। ନାଗରିକତା କେନ୍ଦ୍ର ବିଷୟ ହୋଇଥିବାରୁ ଏ ସମ୍ପର୍କରେ ରାଜ୍ୟମାନଙ୍କର ବିଶେଷ କିଛି ଭୂମିକା ନାହିଁ। ହେଲେ ଏହାର ପରବର୍ତ୍ତୀ ପଦକ୍ଷେପ ଭାବରେ ଯଦି ଜାତୀୟ ନାଗରିକତା ପଞ୍ଜୀକରଣ କାମ କରାଜୀ, ତାହେଲେ ତାକୁ ଦେଶର ଅର୍ଦ୍ଧାଧିକ ରାଜ୍ୟ ବିରୋଧ କରୁଛନ୍ତି। ଏପରିକି ନାଗରିକତା ସଂଶୋଧନ ସପକ୍ଷରେ ଭୋଟ ଦେଇଥିବା ବିଜେଡି, ଜେଡ଼ି-ୟୁ ଭଳି ଦଳ ଏହାକୁ ବିରୋଧ କରୁଛନ୍ତି। ପୂର୍ବରୁ ଏହି ସବୁ ପ୍ରକ୍ରିୟାକୁ ଏକ ବୃତ୍ତ ବୋଲି ଭାବୁଥିବା ବିଜେପି, ଏବେ ବହୁ ମୁହଁରେ ବହୁ ଭାଷା କହୁଛି। ସଂସଦରେ ପ୍ରବଳ ଉତ୍ତେଜନା ଓ ଉତ୍ସାହ ଦେଖାଇଥିବା ବିଜେପି ଏବେ ସୋସିଆଲ ମିଡିଆ ଓ ମିଡିଆ ଜରିଆରେ ନିଜର ପକ୍ଷ ରଖିବାକୁ ଚେଷ୍ଟା କରୁଛି। ଏହାକୁ ବିରୋଧ କରି ପ୍ରାଣ ହରାଇଥିବା ଲୋକଙ୍କ ବିରୋଧରେ ବିଜେପିର ବିଷୋଦଗାର  ଅବ୍ୟାହତ ରହିଛି।

କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହା ସପକ୍ଷରେ ଜନମତକୁ ପ୍ରଭାବିତ କରିବାର ଉଦ୍ୟମ ଆରମ୍ଭ ହୋଇଛି। ଏହା ବିରୋଧରେ ହୋଇଥିବା ଆନ୍ଦୋଳନ ଅତ୍ୟନ୍ତ ସ୍ଵାଭାବିକ ଓ କୌଣସି ରାଜନୈତିକ ପୃଷ୍ଠପୋଷକତା ବିନା ହୋଇଥିବା ବେଳେ, ବିଜେପି ଏବେ ଏହା ସପକ୍ଷରେ ଜନମତ ସୃଷ୍ଟି କରାଇବାକୁ ପାଣି ଭଳି ଅର୍ଥ ବୁହାଇ ଚାଲିଛି। ସୋସିଆଲ ମିଡିଆରେ ପ୍ରବଳ ପ୍ରଚାର କରି ବିଜେପି ଭାବୁଛି, ଲୋକେ ଏଥିରେ ଭୂତେଇଯିବେ। ଦେଶର ଆର୍ଥିକ ଦୁରବସ୍ଥା ଉପରୁ ନଜର ହଟାଇବାକୁ ଯାଇ ନାଗରିକତା ପ୍ରସଙ୍ଗକୁ ଉତ୍ତପ୍ତ କରି ରଖିବାକୁ ବିଜେପି ଚାହୁଛି। ବିଜେପି ଭଲ ଭାବରେ ଜାଣେ ଯେ ଜାତୀୟ ନାଗରିକତା ପଞ୍ଜିକରଣକୁ ଲାଗୁ କରିବା ସହଜ ହେବନାହିଁ। ଏହା ଲାଗୁହେଲେ, ଆସାମରେ ଯେଉଁ ସ୍ଥିତି ହୋଇଛି, ସାରାଦେଶରେ ସେହି ସ୍ଥିତି ହେବ। ଅର୍ଥାତ ଏଥିରୁ ବେଆଇନ ଶରଣାର୍ଥୀ ବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସମ୍ଭବ ହେବନାହିଁ। ବରଂ ଏହାର ଓଲଟା ଅନେକ ଦେଶର ବାସ୍ତବ ନାଗରିକ କାଗଜପତ୍ର ଅଭାବରେ ନିଜର ଜାତୀୟ ପରିଚୟ ହରାଇବେ।

ଏବେ ବିଜେପି ନେତାମାନେ କିଛି ବୁଦ୍ଧିଜୀବୀଙ୍କ ଘରକୁ ଯାଇ ତାଙ୍କୁ ଏହି ଆଇନ ସପକ୍ଷରେ ବୁଝାଉଛନ୍ତି। ତାହାହିଁ ଆମ ସମୟର ସବୁଠୁ ବଡ ନାଟକ। ଦେଶରେ ଏମିତି ଏକ ଆଇନ ସରକାର ଆଣିଛନ୍ତି, ଯାହାକୁ ବୁଦ୍ଧିଜୀବୀମାନେ କୁଆଡେ ବୁଝିବାକୁ ଅସମର୍ଥ। ସେହି କ୍ରମରେ ଆମେ ଓଡିଶାରେ ଏକ ଚମତ୍କାର ଚିତ୍ର ଦେଖିଲୁ। ବିଜେପିର ଉପ ସଭାପତି ବୈଜୟନ୍ତ ପଣ୍ଡା ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏହି ଆଇନ ବିଷୟରେ ବୁଝାଇବାକୁ ଯାଇଥିଲେ। ସୌମ୍ୟ ବାବୁ ଓଡିଶାର ସର୍ବାଧିକ ବିକ୍ରି ହେଉଥିବା ଖବର କାଗଜ “ସମ୍ବାଦ” ଓ କନକ ଟିଭିର ମୁଖିଆ। ବୈଜୟନ୍ତ ବାବୁ ରାଜ୍ୟର ଏକନମ୍ବର ଟିଭି ଚାନେଲ ଓ ଟିଭିର ପୃଷ୍ଠପୋଷକ। ଏ ଦୁହେଁ, କିଏ କାହାକୁ କଣ ବୁଝାଇଲେ?

ସୌମ୍ୟବାବୁ ନିଜେ ରାଜନୀତି ବିଜ୍ଞାନର ଅଧ୍ୟାପକ ଥିଲେ। ଆଗରୁ ସାଂସଦ ଥିଲେ, ଏବେ ବିଧାୟକ ଅଛନ୍ତି। ତାଙ୍କ ଦଳ ବିଜେଡି ନାଗରିକତା ସଂଶୋଧନ ଆଇନକୁ ସଂସଦରେ ସମର୍ଥନ କରିଛି। ତାପରେ ବି ସୌମ୍ୟ ପଟ୍ଟନାୟକଙ୍କୁ ବୁଝେଇବାକୁ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ପାଖକୁ ଯିବାକୁ ପଡିଲା କାହିଁକି? ବରଂ ଏହି ବିଲକୁ ବିରୋଧ କରୁଥିବା ସୌମ୍ୟ ବାବୁଙ୍କ ବଡଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଏହି ବିଲ ବାବଦରେ ବୁଝାଇବା ଉଚିତ ହୋଇଥାନ୍ତା।

ଅସଲରେ, ଏହି ଆଇନକୁ ଯେଉଁ ପ୍ରକାର ବିରୋଧ ହେଉଛି, ସେଥିରେ ଛାନିଆଁ ହୋଇ ବିଜେପି ନିଜର ପୁରୁଣା ଅଭ୍ୟାସ କ୍ରମେ ସୋସିଆଲ ମିଡିଆ ଆନ୍ଦୋଳନ ଓ ଫଟୋ-ଅପ ର ନାଟକ କରୁଛି।

Categories
ଆଜିର ଖବର ଜାତୀୟ ଖବର

ସିଏଏ ଓ ଏନ୍‌ଆରସି ବିରୋଧରେ ଷ୍ଟାଲିନ୍‌ ଓ  କାନିମୋଝିଙ୍କ ଅଭିନବ ବିରୋଧ ପ୍ରଦର୍ଶନ

ଚେନ୍ନାଇ, 30/12: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି) ବିରୋଧରେ ପ୍ରଦର୍ଶନ ଜାରି ରହିଛି । ସୋମବାର ଚେନ୍ନାଇଠାରେ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଓ ଡିଏମ୍‌କେ ସାଂସଦ କାନିମୋଝି ଅଭିନବ ଉପାୟରେ ସିଏଏ ଓ ଏନ୍‌ଆରସିର ବିରୋଧ ପ୍ରଦର୍ଶନ କରିଛନ୍ତି । ଷ୍ଟାଲିନ୍‌ ଓ କାନିମୋଝି ଘର ବାହାରେ ଏନ୍ଆରସି ଓ ସିଏଏ ବିରୋଧରେ ରଙ୍ଗୋଲି କରିଛନ୍ତି ।

ଡିଏମ୍‌କେ  ଦଳ ତରଫରୁ ଦଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ନିଜ ଘର ବାହାରେ ରଙ୍ଗୋଲି ତିଆରି କରି ସିଏଏ ଓ ଏନ୍‌ଆରସିର ବିରୋଧ ପ୍ରଦର୍ଶନ କରିବା ଉପରେ ନିଷ୍ପତ୍ତି ନେଇଛନ୍ତି ।  ଏହାର ଆରମ୍ଭ ଷ୍ଟାଲିନ୍‌ ଓ କାନିମୋଝୀ ପ୍ରାରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଚେନ୍ନାଇଠାରେ ନାଗରିକତା ସଂଶୋଧନ ଅଧିନିୟକ (ସିଏଏ), ରାଷ୍ଟ୍ରୀୟ ନାଗରିକ  ରେଜିଷ୍ଟାର (ଏନ୍‌ଆରସି), ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍‌ଟାର (ଏନ୍‌ପିଆର)ର ବିରୋଧରେ ଅନନ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏଠାରେ କିଛି ମହିଳା  ରବିବାର ବସନ୍ତ ନଗର ଅଞ୍ଚଳରେ ନୋ ଟୁ ସିଏଏ, ନୋ ଟୁ ଏନ୍‌ଆରସି ଓ ନୋ ଟୁ ଏନ୍‌ପିଆର ରଙ୍ଗୋଲି କରିଥିଲେ।  ଏହି ରଙ୍ଗୋଲି ବହୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିବାବେଳେ ଏହାକୁ ଦେଖିବାକୁ ନେଇ ବହୁତ ଭିଡ ହୋଇଥିଲା । ଏହି ଘଟଣାରେ ସିଟି ପୁଲିସ୍‌ ଛ’ଜଣ ମହିଳାଙ୍କୁ ଅଟକ ରଖିଥିଲା । ଏହି ଘଟଣାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କରିବା ସହିତ ସାମ୍ବିଧାନିକ ମୌଳିକ ଅଧିକାରକୁ ସରକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

Categories
ଆଜିର ଖବର

ନାଗରିକତା କାନୁନ୍‌ ବିରୋଧରେ ପ୍ରଦର୍ଶନ : ଦଶହଜାରରୁ ଅଧିକ ଲୋକଙ୍କ ଉପରେ ମାମଲା ରୁଜୁ

ପ୍ରୟାଗରାଜ, 21/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରୟାଗରାଜରେ ଗତ ଦୁଇ ଦିନ ଧରି ଚାଲିଥିବା ପ୍ରଦର୍ଶନରେ ଦଶହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସମସ୍ତଙ୍କ ବିରୁଦ୍ଧରେ ସହରର ଛଅଟି ପୋଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଦଶହଜାର ଅଜ୍ଞାତ ପ୍ରଦର୍ଶନକାରୀଙ୍କୁ ସହିତ ପାଖାପାଖି ଦେଢଶହ ଜଣାଶୁଣା ଲୋକଙ୍କ ନାମ ମଧ୍ୟ ସାମିଲ୍‌ ରହିଛି। ଏହି ପ୍ରଦର୍ଶନରେ ସାମିଲ୍‌ ରହିଥିବା ପ୍ରଦର୍ଶନକାରୀଙ୍କ ଚିହ୍ନଟ  ଭିଡିଓ ଫୁଟେଜ୍‌, ମିଡିଆ ରିପୋର୍ଟସ୍‌ ଓ ସିସିଟିଭି ଭିଜୁଆଲର ଆଧାରରେ କରାଯାଇ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ କରାଯିବ। ଏମିତିକି ନିୟମ ଭାଙ୍ଗି ସଡକ ଉପରେ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । ତେବେ ମାମଲା ରୁଜୁ ହେବା ପରେ ଆଜି ପ୍ରୟାଗରାଜରେ କିଛି ମାତ୍ରାରେ ଶାନ୍ତିର ପରିସ୍ଥିତି ରହିଥିବାବେଳେ କିଛି ହିଂସକ ପ୍ରଦର୍ଶନ ହୋଇନାହିଁ।

ପୁଲିସ୍‌ ଓ ପ୍ରଶାସନର ସମସ୍ତ ବଡ଼ ବଡ଼ ଅଧିକାରୀମାନେ ଲଗାତାର ଗସ୍ତ କରି ଏହି ଘଟଣାର ସମ୍ପର୍କରେ ଅବଗତ ହେବା ସହିତ ରାସ୍ତା ଉଫରେ ବ୍ୟାରିକେଡ୍‌ ଓ କଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି।  ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ୍‌ ଓ ପିଏସି ସହିତ ଅର୍ଦ୍ଧସାମରିକ ବଳକୁ ମଧ୍ୟ ନିୟୋଜିତ କରାଯାଇଛି। ଆଜି ବି ପ୍ରୟାଗରାଜରେ ଇଣ୍ଟରନେଟ୍‌ ସେବା ବନ୍ଦ କରହିଛି। ମାମଲା ରୁଜୁ କରାଯାଇ କିଛି ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଆଉ କିଛିକୁ ଅଟକ ରଖାଯାଇଛି। (ଏଜେନ୍ସି)

Categories
ଆଞ୍ଚଳିକ

ଜିନ୍ଦଲ ପରିବେଶ ଜନଶୁଣାଣୀ ଚାଲିଥିବା ବେଳେ ଢିଙ୍କିଆରେ ଜିନ୍ଦଲ ପ୍ରକଳ୍ପ ବିରୋଧୀଙ୍କ ମେଳି

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,୨୧/୧୨: ଏରସମା ବ୍ଳକ ଅନ୍ତର୍ଗତ ଗଡକୁଜଙ୍ଗ ବଡ଼ଦାଣ୍ଡରେ ଶୁକ୍ରବାର ଦିନ ତମାମ ଜିନ୍ଦଳ ପ୍ରକଳ୍ପର ପରିବେଶ ଜନଶୁଣାଣୀ ସମୟରେ ଢିଙ୍କିଆ ଗ୍ରାମରେ ବିରୋଧୀଙ୍କ ଏକ ମେଳି ହୋଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ପାରାଦୀପ ଆଂଚଳିକ ପରିବେଶ ଅଧିକାରୀ ରମେଶ ଏକାଙ୍କ ଉପସ୍ଥିତିରେ ପରିବେଶ ଜନଶୁଣାଣୀ ହୋଇଛି। ପରିବେଶ ଶୁଣାଣୀ ସମୟରେ ପୂର୍ବତନ ସାଂସଦ ଡ଼ାକ୍ତର କୁଳମଣୀ ସାମଲ, ନିର୍ଭୟ ସାମନ୍ତରାୟ, ଅମୃତ ଦାସ, ସୁବାଷ ବେହେରା, ସଞ୍ଜୟ ମହାପାତ୍ର, ରଞ୍ଜନ ବର୍ଦ୍ଧନ ପ୍ରମୁଖ ଯୋଗ ଦେଇଥିଲେ। ଶିଳ୍ପ ବିନିମୟରେ ନିଯୁକ୍ତି, ପରିବେଶ ସନ୍ତୁଳନ, ପାରିପାର୍ଶିକ ଉନ୍ନୟନ ତଥା ଶିଳ୍ପ ପ୍ରତିଷ୍ଠାହେଲେ ମଧ୍ୟ ଯେପରି ଅଂଚଳର କୃଷି ଏହା ଦ୍ୱାର ପ୍ରଭାବିତ ନହୁ ଏ ସେନେଇ କମ୍ପାନୀ ତଥା ପ୍ରଶାସନ ସେଥିପାଇଁ ଉତ୍ତର ଦାୟୀ ରହିବା ନେଇ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ।

ଅପରପକ୍ଷରେ ଫୁଲଖାଇ ମନ୍ଦିର ପରିସର ମଧ୍ୟରେ ମୂରଲୀ ସାହୁଙ୍କ ଅଧ୍ୟକ୍ଷତାରେ ଢିଙ୍କିଆ ଗ୍ରାମର ଲୋକମାନେ ଜନଶୁଣାଣୀକୁ ବର୍ଜନ କରିବା ସହିତ ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରିଥିଲେ। ଜିନ୍ଦଲ ପ୍ରକଳ୍ପକୁ ପ୍ରସ୍ଥାବିତ ଅଂଚଳ ଢିଙ୍କିଆ, ଗଡ଼କୁଜଙ୍ଗ ନୂଆଗାଁ ପଂଚାୟତର ଲୋକମାନେ ବିରୋଧ କରୁଛନ୍ତି ବୋଲି ଏହି ସଭାରେ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ମତ ଦେଇଥିଲେ। ଲୋକଙ୍କ ଅସୁବିଧା ନବୁଝି କମ୍ପାନୀ ରାଜନୈତିକ ସହାୟତା ନେଇ ପ୍ରକଳ୍ପ ଆରମ୍ଭ କରୁଛି ଯାହାକି ଭବିଷ୍ୟତରେ ବୁମେରାଂ ସାବ୍ୟସ୍ତ ହେବ ବୋଲି ମହାପାତ୍ର କହିଥିଲେ। ଏହି ସମ୍ମିଳନୀରେ ତିନି ପଞ୍ଚାୟତର ଶତାଧିକ ଲୋକ ଯୋଗ ଦେଇଥିଲେ।

 

Categories
ଫଟୋ ଖବର

ସିଏଏ ଏବଂ ଏନ୍‌ଆରସି ବିରୋଧରେ ପ୍ରତିବାଦ ସ୍ଥଳରୁ ବିକ୍ଷୋଭକାରୀଙ୍କୁ ଉଠାଉଛି ପୋଲିସ୍‌

Hyderabad: Agitators being detained after they protested against the Citizenship Amendment Act (CAA) 2019 and National Register of Citizens (NRC) despite being denied the permission by police to carry out any form of demonstrations, processions and rallies, in Hyderabad on Dec 19, 2019. (Photo: IANS)

Categories
ଫଟୋ ଖବର

ସିଏଏକୁ ବିରୋଧ କରି ହିଂସାକାଣ୍ଡରେ ଉତ୍ତର ପ୍ରଦେଶରେ ଜଳାପୋଡା

Lucknow: Angry protesters went on rampage and set ablaze vehicles during their protest against the Citizenship Amendment Act (CAA) 2019, in Lucknow on Dec 19, 2019. Violence erupted during protests against CAA on Thursday afternoon in various cities of Uttar Pradesh, including the state capital. Roadways buses were set on fire by protesters in Sambhal district and some private vehicles were also set ablaze. Internet services have been suspended in the western UP district. (Photo: IANS)

Categories
ଆଜିର ଖବର

ଦିଲ୍ଲୀରେ ଫୋନ୍‌ ସେବା ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଟେଲିଫୋନ ସେବା ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ସରକାରଙ୍କ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ଅଚଳ ହୋଇଯାଇଛି । ଲାଲକିଲ୍ଲା, ସୀଲମପୁରା ଏବଂ ବ୍ରିଜପୁରୀ ଅଞ୍ଚଳରେ ପ୍ରାରମ୍ଭିକ ଭାବରେ ଇଣ୍ଟରନେଟ ସେବା ଅଚଳ କରାଯାଇଛି । ଟେଲିକମ୍‌ କମ୍ପାନୀ ଏୟାର ଟେଲ ପକ୍ଷରୁ ଏନେଇ ଏକ ଟ୍ବିଟ୍‌ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଡିଲିଟ୍‌ କରାଯାଇଥିଲା । ହିଂସା ଅଧିକ ଅଞ୍ଚଳକୁ ବ୍ୟାପିଲେ ଅନ୍ୟ ଅଞ୍ଚଳରେ ମଧ୍ୟ ସେବା ବନ୍ଦ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ବିରୋଧ : ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ

ନୂଆଦିଲ୍ଲୀ, 19/12 : ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ଚାଲିଥିବା ବେଳେ ମେଟ୍ରୋ ସେବା ବ୍ୟାହତ ହୋଇଛି । ଏହି ଆନ୍ଦୋଳନ ଫଳରେ ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ରେ ସେବା ବନ୍ଦ ରଖାଯାଇଛି । ଲାଲ କିଲ୍ଲାରେ ଧାରା 144 ଲାଗୁ କରାଯିବା ପରେ ଡିଏମ୍‌ଆର୍‌ସି କର୍ତ୍ତୃପକ୍ଷ ଲାଲ କିଲ୍ଲା, ଜାମା ମସଜିଦ୍‌, ଚାନ୍ଦନୀ ଚୌକ୍‌, ବିଶ୍ବବିଦ୍ୟାଳୟ, ଜାମିଆ ମାଲିଆ ଇସଲାମିଆ, ଜସୋଲା ବିହାର, ଶାହିନ୍‌ ବିହାର ଏବଂ ମୁନିର୍କା ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି । ଗତକାଲି ଠାରୁ 6ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ 59ଟି ମାମଲା ଦାୟର କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନି : ଶାହା

ନୂଆଦିଲ୍ଲୀ, 18/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶ ଜଳୁଥିବା ବେଳେ ଏହି ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି । କୌଣସି ବି ପରସ୍ଥିତିରେ ଏହି ଆଇନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଇଣ୍ଡିଆନ ଇକୋନୋମୀ ଫୋରମରେ ଯୋଗ ଦେଇ ଶାହା କହିଛନ୍ତି । ଏନ୍‌ଆରସି ଲାଗୁ କରାଯିବା ଯୋଜନା ରାଜୀବ ଗାନ୍ଧୀଙ୍କର ରହିଥିଲା । ଏହା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ନିଜର ନାଗରିକ ପଞ୍ଜୀକରଣ କରାଇଥିବା ବେଳେ ଭାରତ ମଧ୍ୟ କରିବା ଉଚିତ୍‌ ବୋଲି ଶାହା ମତ ଦେଇଛନ୍ତି । ଏହା ସହିତ ଏନ୍‌ଆରସି ବା ସିଏଏ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ବା ଦେଶବାସୀଙ୍କ ପାଇଁ କୌଣସି ସମସ୍ୟକା ସୃଷ୍ଟି କରିବ ନାହିଁ ବୋଲି ଶାହା ମତ ଦେଇଥିଲେ । ଦେଶରେ ସଂଖ୍ୟାଧିକ ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ କେବଳ ହାତଗଣତି କିଛି ବିଶ୍ବବିଦ୍ୟାଳୟଙ୍କୁ ଏହି ଆଇନକୁ ନେଇ କାହିଁକି ସମସ୍ୟା ହେଉଛି ବୋଲି ମଧ୍ୟ ଶାହା ପ୍ରଶ୍ନ କରିଥିଲେ । ଦେଶର ସମସ୍ତ ରାଜ୍ୟରେ ଏହା ଲାଗୁ କରାଯିବା ନେଇ ମଧ୍ୟ ଶାହା ଦୃଢୋକ୍ତି ପ୍ରକାଶ କରିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ଏ ଛାତ୍ର ଆନ୍ଦୋଳନର ସବୁ ଶ୍ରେୟ ଆପଣଙ୍କର ପ୍ରଧାନମନ୍ତ୍ରୀ ମହାଶୟ, ସାରା ଦେଶକୁ ଅସ୍ତବ୍ୟସ୍ତ କରିବାର ସାମର୍ଥ୍ୟ କେବଳ ଆପଣଙ୍କର ହିଁ ରହିଛି!!

କେଦାର ମିଶ୍ର

ଆସାମରେ ଏବେ ଇଣ୍ଟରନେଟ ସେବା ନାହିଁ, ତେଣୁ ସେଠିକାର ଖବର ସହଜରେ ଆସୁନାହିଁ। ଏପଟେ ଆଲିଗଡରେ ମଧ୍ୟ ଇଣ୍ଟରନେଟ କାଟି ଦିଆ ଯାଇଛି। ଦେଶର ସବୁ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷର ନିଆଁ ଜଳୁଛି। ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ ଜୁଲମର ପ୍ରତିବାଦରେ ଦେଶର ସବୁ ବିଶ୍ଵ ବିଦ୍ୟାଳୟ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ବମ୍ବେ ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଭାଷାରେ- ଯଦି ଦିଲ୍ଲୀରେ ଛାତ୍ରଙ୍କ ଉପରେ ଆକ୍ରମଣ ହୁଏ ତାହେଲେ ମୁମ୍ବାଇ ର ଛାତ୍ରମାନେ ତାର ଜବାବ ଦେବେ। ଯଦି ମୁମ୍ବାଇ ଛାତ୍ରଙ୍କୁ ଚପାଇଦେବ, ତାହେଲେ ତାର ଉତ୍ତର କେରଳ କି କୋଲକତାର ଛାତ୍ର ଦେବେ“ । ସହଜ ଏବଂ ସ୍ଵାଭାବିକ ଭାବରେ ଆରମ୍ଭ ହୋଇଥିବା ଏହି ଛାତ୍ର ଅସନ୍ତୋଷକୁ ପ୍ରଥମେ ଦେଶଦ୍ରୋହୀ ବୋଲି କହିବାର ଚେଷ୍ଟା ବିଜେପି ତରଫରୁ କରାଯାଇଥିଲା। ପୂର୍ବରୁ ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଯେମିତି ମିଛ ଭିଡିଓ ଦେଖାଇ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଅଣା ଯାଇଥିଲା, ଜାମିଆ ରେ ମଧ୍ୟ ସେହି ଉଦ୍ୟମ ହୋଇଥିଲା। ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଓ ବିଜେପିର ଇଉପିଏ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ମିଛ ଭିଡିଓ ମାଧ୍ୟମରେ ଛାତ୍ରଙ୍କୁ ବଦନାମ କରିବାର ଉଦ୍ୟମ କରିଥିଲେ। ତେବେ ଏହି ଷଡଯନ୍ତ୍ରକୁ ଦେଶର କେତେକ ଦାୟିତ୍ଵବାନ ଗଣମାଧ୍ୟମ ତୁରନ୍ତ ପଦାରେ ପକାଇ ଦେଇଥିଲେ। ଏତେ ବଡ ଛାତ୍ର ଆନ୍ଦୋଳନ ଓ ଏହାର ବ୍ୟାପକତା ଦେଖି, ଏହାକୁ ଦେଶଦ୍ରୋହୀ ବୋଲି କହିବାର ସାହସ ଆଉ ବିଜେପିର ହେଲାନାହିଁ। ହଠାତ ଗତକାଲି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ଆନ୍ଦୋଳନକୁ କଂଗ୍ରେସ ଓ ବିରୋଧୀଙ୍କ ସମର୍ଥନ ରହିଛି ବୋଲି କହିବା ଆରମ୍ଭ କଲେ।

ଯଦି ସତରେ ଏତେ ବଡ ଛାତ୍ର ଆନ୍ଦୋଳନକୁ ସଂଗଠିତ କରିବାର କ୍ଷମତା କଂଗ୍ରେସର ଥାଆନ୍ତା, ତାହେଲେ ତାକୁ କଂଗ୍ରେସର ସାମର୍ଥ୍ୟ ବୋଲି ଆମେ ଭାବନ୍ତୁ। ଆଜିର ତାରିଖରେ କଂଗ୍ରେସ ସବୁଠୁ ଦୁର୍ବଳ ଓ ଅସଂଗଠିତ। ରାଷ୍ଟ୍ରୀୟ ସ୍ତରରେ କୌଣସି ରାଜନୈତିକ ଦଳ ନାହାନ୍ତି, ଯେଉଁମାନେ ଛାତ୍ର ଓ ଯୁବକଙ୍କୁ ସରକାର ବିରୋଧରେ ସଂଗଠିତ କରିପାରିବେ। ଆଜି ସରକାର ବିରୋଧରେ ଏ ଯେଉଁ ବ୍ୟାପକ ଛାତ୍ର ଓ ଯୁବ ଅସନ୍ତୋଷ ଦେଖାଦେଇଛି, ଏହାର ଶ୍ରେୟ କେବଳ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ବ୍ୟତୀତ ଆଉ କେହି ନେଇ ପାରିବେ ନାହିଁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜିଦ ଯୋଗୁଁ ନାଗରିକତା ସଂଶୋଧନ ଆଇନକୁ ନେଇ ଏତେ ବଡ ପରିବେଶ ସୃଷ୍ଟି ହେଲା। ଅର୍ଥନୈତିକ ମାନ୍ଦାବସ୍ଥା ଓ  ବ୍ୟାପକ ଭାବରେ ଉତ୍ତର ପ୍ରଦେଶରେ ଘଟି ଚାଲିଥିବା ନାରୀ ନିର୍ୟାତନା ତଥା ଧର୍ଷଣ ବିରୋଧରେ ସୃଷ୍ଟି ହେଉଥିବା ଜନ ଅସନ୍ତୋଷକୁ ଚପାଇ ଦେବାକୁ ନାଗରିକ ସଂଶୋଧନ ଆଇନକୁ ଏକ ଅସ୍ତ୍ର ଭାବରେ ବିଜେପି ସରକାର ବ୍ୟବହାର କରିବାକୁ ଚାହିଁଥିଲେ। ଦୁର୍ଭାଗ୍ୟକ୍ରମେ ସେ ଅସ୍ତ୍ର ଆଜି ବୁମେରାଂ ପାଲଟି ବିଜେପିକୁ ଗୋଡାଉଛି।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭଲଭାବରେ ଜାଣିଥିଲେ ଯେ ଉତ୍ତରପୂର୍ବ ରାଜ୍ୟ ଓ ଦକ୍ଷିଣ ଭାରତରେ ଏହି ଆଇନକୁ ନେଇ ବ୍ୟାପକ ବିରୋଧ ହେବ। ଏହି ଆଇନରେ ଶ୍ରୀଲଙ୍କାରେ ନିର୍ୟାତିତ ହେଉଥିବା ତାମିଲ ହିନ୍ଦୁ ଓ ମିଆଁମାରର ହିନ୍ଦୁ ରୋହିଙ୍ଗିୟା ( ଭକ୍ତମାନେ ବୁଝିବା ଦରକାର ରୋହିଙ୍ଗିୟା କେବଳ ମୁସଲମାନ ନୁହନ୍ତି) ଙ୍କୁ ସାମିଲ କରା ଯାଇନଥିବାରୁ ଏହା ବିପକ୍ଷରେ ଦକ୍ଷିଣ ଭାରତରେ ମଧ୍ୟ ତୀବ୍ର ଅସନ୍ତୋଷ ରହିଛି। ଉତ୍ତରପୂର୍ବ ରାଜ୍ୟ ଗୁଡିକ ନିଜର ଅସ୍ମିତା ଓ ସାଂସ୍କୃତିକ ପରିଚୟକୁ ନେଇ ଚିନ୍ତିତ ଥିବାବେଳେ ଏହି ଆଇନର ପ୍ରଭାବରେ ଯେ ଏକ ଭୟଙ୍କରସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି ହେବାକୁ ଯାଉଛି, ତାକୁ ନେଇ ପ୍ରତ୍ୟେକ ନାଗରିକ ଚିନ୍ତିତ ହେବା ସ୍ଵାଭାବିକ। ତେଣୁ ଏହି ଆଇନକୁ ନେଇ ବିଜେପି ଯେଉଁ ଉତ୍ତେଜନା ସୃଷ୍ଟି କରିବାକୁ ଚାହିଁଥିଲା, ତାହା ବିଜେପି ବିରୋଧରେ ହିଁ ଅସନ୍ତୋଷର କାରଣ ହେଲା।

ଏହି ଅସନ୍ତୋଷ ଓ ହିଂସ୍ର ଆନ୍ଦୋଳନ ଲାଗି କଂଗ୍ରେସ ଦାୟୀ ବୋଲି ବିଜେପିର ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ। କଂଗ୍ରେସ ନିଜ ନେତୃତ୍ବକୁ ନେଇ ଆଜି ସଙ୍କଟରେ। ସରକାର ବିରୋଧରେ ଛୋଟିଆ ରାଲି ବା ସଭାଟିଏ କରିବାକୁ କଂଗ୍ରେସ ସମର୍ଥ ହୋଇ ପାରୁନାହିଁ। ସେଥିରେ ଏତେ ବଡ ଆନ୍ଦୋଳନ କଂଗ୍ରେସର ପ୍ରରୋଚନାରେ ଚାଲୁଛି ବୋଲି କହି ପ୍ରଧାନମନ୍ତ୍ରୀ କଂଗ୍ରେସର ଓଜନକୁ  ବେଶ ବଢାଇ ଦେଇଛନ୍ତି। ବିନା ଉଦ୍ୟମରେ ଏହି ଆଂଦୋଳନର ରାଜନୈତିକ ଶ୍ରେୟ କଂଗ୍ରେସ ଓ ବିରୋଧୀଙ୍କ ହାତକୁ ଯାଉଛି। ସେଥିଲାଗି କଂଗ୍ରେସ ଓ ବିରୋଧୀ ନେତାମାନେ ବିଜେପିକୁ ଧନ୍ୟବାଦ ଦେବା ଉଚିତ।

ଛାତ୍ରମାନେ ଯେତେବେଳେ ପୋଲିସ ଜୁଲମର ଶିକାର ହେଉଥିଲେ ସେତେବେଳେ କୌଣସି ରାଜନୈତିକ ଦଳ ସେମାନଙ୍କ ସମର୍ଥନରେ ବାହାରି ନାହାନ୍ତି। ଆଜି ଯେତେବେଳେ ସାରା ଦେଶର ଛାତ୍ର ଏକାଠି ହୋଇ ସରକାର ବିରୋଧରେ ଓ ସମ୍ବିଧାନର ଆଦର୍ଶ ବିରୋଧୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦୃଢତାର ସହ ପ୍ରତିବାଦ କରୁଛନ୍ତି, ସେତେବେଳେ ରାଜନୈତିକ ଦଳ ଗୁଡିକ ଏହାକୁ ସମର୍ଥନ କରିବାକୁ ବାଧ୍ୟ ହେଉଛନ୍ତି।

ବିଜେପି ସରକାର ଏହି ଆନ୍ଦୋଳନକୁ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି ଯେତେ କହିଲେ ମଧ୍ୟ ଏହା ଯେ ଆଜି ସବୁଠୁ ବଡ ସରକାର ବିରୋଧୀ ଆଂଦୋଳନର ରୂପ ନେଇଛି, ତାକୁ ମାନିବାକୁ ବାଧ୍ୟ। ଏହି ଆନ୍ଦୋଳନକୁ ଯଦି ଶୀଘ୍ର ପ୍ରଶମିତ କରା  ନଯାଏ ତାହେଲେ ଦେଶର ଅର୍ଥନୀତି ଯେଉଁ ସ୍ଥିତିରେ ଅଛି, ତାହା ଆହୁରି ଭୟଙ୍କର ଅବସ୍ଥାକୁ ଚାଲିଯିବ। ସାମାଜିକ ଶାନ୍ତି ନ ରହିଲେ ଅର୍ଥନୈତିକ ପ୍ରଗତି ସମ୍ଭବ ନୁହେଁ, ଏକଥା ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଯଥାଶୀଘ୍ର ବୁଝିଯିବା ଉଚିତ। ଧାର୍ମିକ ବିଭାଜନ ମାଧ୍ୟମରେ ଭୋଟ ହାତେଇବାର ରାଜନୀତି ହୁଏତ ଥରେ କି ଦୁଇ ଥର ସଫଳ ହୋଇପାରେ, ହେଲେ ଏହା ଚିରସ୍ଥାୟୀ ନୁହେଁ।

ତେଣୁ ଆମର କହିବାର କଥା ହେଉଛି, ପ୍ରଧାନମନ୍ତ୍ରୀ ମହାଶୟ! ସରକାର ବିରୋଧୀ ଏ ବିରାଟ ଛାତ୍ର ଆନ୍ଦୋଳନ ପାଇଁ ଆପଣ ହିଁ ଏକମାତ୍ର ଦାୟୀ। ଏଥିରେ କଂଗ୍ରେସକୁ ଶ୍ରେୟ ଦେଇ ଆପଣଙ୍କୁ କିଛି ମିଳିବାର ନାହିଁ।

Categories
ଆଜିର ଖବର

ଇଣ୍ଡିଆ ଗେଟ୍‌ ଆଗରେ ପ୍ରିୟଙ୍କାଙ୍କ ଧାରଣା

ନୂଆଦିଲ୍ଲୀ, ୧୬/୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍‌ ପାଖରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିବାର ଜଣାପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶ କୌଣସି ଅସାମାଜିକ ବ୍ୟକ୍ତିଙ୍କ ଅଧିନରେ ନାହିଁ। ଏହାର ବାତାବରଣକୁ ଖରାପ୍‌ କରିବାକୁ ଚେଷ୍ଟା କରନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଜାମିଆ ଛାତ୍ରଙ୍କ ପ୍ରଦର୍ଶନ ସମୟରେ କେତେକ ଛାତ୍ରୀ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ସହ ଏହି ଧାରଣାରେ କେସି ବେଣୁଗୋପାଳ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି, ଅହମ୍ମଦ ପଟେଲ୍‌ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଧାରଣାରେ ବସି ରହିଛନ୍ତି। ଏହି ସମୟରେ ତିନି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର

ହିଂସାତ୍ମକ ଆନ୍ଦୋଳନରୁ ନିବୃତ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,16/12: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ ଭାରତ ସମଗ୍ର ଦେଶରେ ହିଂସା ଦେଖିବାକୁ ମିଳିଛି । ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଏହି ଆଇନ ବିରୋଧରେ ହିଂସା ପ୍ରଦର୍ଶନ କରିଛନ୍ତି । ଏହି ମାମଲାର ତତ୍କାଳ ଶୁଣାଣୀ ପାଇଁ ଆବେଦନ କରିଥିବା ବେଳେ ଛାତ୍ରଛାତ୍ରୀ ହିଂସାରୁ ନିବୃତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିବେଦନ କରାଯାଇଛି । ଆସନ୍ତା 18 ତାରିଖରେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି । ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିବା ଉଚିତ୍‌ ମାତ୍ର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ଉଚିତ୍‌ ବୋଲି ବୋବଡେ କହିଛନ୍ତି । ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । (ଏଜେନ୍ସୀ)

Categories
ବିଶେଷ ଖବର

ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ଲାଠି-ଗୁଳି ଚଲାଉଥିବା ସରକାର ଇତିହାସରେ କଳଙ୍କିତ ହୋଇ ରହିଛନ୍ତି ଓ ରହିବେ

କେଦାର ମିଶ୍ର

ଆଜି ଏ ଲେଖା ପ୍ରସ୍ତୁତ ହେଲା ବେଳକୁ ଦିଲ୍ଲୀର ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଜୁଲମ ଚାଲିଛି। ମୋଦୀ ସରକାର ଦ୍ଵାରା ସଂଶୋଧିତ ନାଗରିକତା ଆଇନ ଲାଗୁ ହେବାର ପ୍ରତିବାଦରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏହି କଳଙ୍କିତ ଆଇନ ବିରୋଧରେ ପ୍ରତିବାଦର ସ୍ଵର ଉଠୁଛି। ସାଢେ ପାଞ୍ଚ ବର୍ଷର ଶାସନରେ ନରେନ୍ଦ୍ର ମୋଦୀ ନିଜର କୌଣସି ପଦକ୍ଷେପ ବିରୋଧରେ ଏତେ ବ୍ୟାପକ ପ୍ରତିରୋଧର ସାମ୍ନା କରି ନଥିଲେ। ସରକାରଙ୍କର ପ୍ରତ୍ୟେକ ଜନ ବିରୋଧୀ ପଦକ୍ଷେପକୁ ଜାତୀୟତା ଓ ଦେଶପ୍ରେମର ପୋଷାକ ପିନ୍ଧାଇ ଆଜି ପର୍ଯ୍ୟନ୍ତ ସୁବିଧାରେ ରହି ଆସିଥିବା ଏ ସରକାର ପ୍ରଥମ ଥର ଲାଗି ଏତେ ବଡ ଜନ ଆକ୍ରୋଶ ଆଗରେ ଅସହାୟ ହୋଇ ଛିଡା ହୋଇଛି। ତେବେ ନିଜର ଚିରାଚରିତ ଢଙ୍ଗରେ ଜନ ଆକ୍ରୋଶ ଓ ଜନ ପ୍ରତିବାଦକୁ “ଦେଶଦ୍ରୋହ” ବୋଲି କହି ଖସିଯିବାର ଉଦ୍ୟମ ବିଜେପି ଏବେ ଆରମ୍ଭ କରିଛି। ତ୍ରିପୁରା, ଆସାମ, ମେଘାଳୟ ଠୁ ଆରମ୍ଭ ହୋଇଥିବା ଏ ପ୍ରତିବାଦ ଏବେ ରାଜଧାନୀ ଦିଲ୍ଲୀରେ ବ୍ୟାପକ ହେବା ଆରମ୍ଭ କରିଛି। ବିଶ୍ଵ ବିଦ୍ୟାଳୟର ଛାତ୍ର ଓ ସାଧାରଣ ନାଗରିକ ଆଜି ନିର୍ଭୀକ ଭାବରେ ସରକାରର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ବିରୋଧରେ ଦୃଢ ହୋଇ ଛିଡା ହୋଇଛନ୍ତି।

ତେବେ ଲୋକଙ୍କ ପ୍ରତିବାଦକୁ ଶୁଣିବା ପରିବର୍ତ୍ତେ ଏହାକୁ ବିରୋଧୀଙ୍କ ଷଡଯନ୍ତ୍ର ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖସିଯିବାକୁ ଚାହୁଛନ୍ତି। ବିଜେପି ତରଫରୁ ନିଜର ପୋଷା ଗଣମାଧ୍ୟମ ଓ ମସ୍ତିସ୍କ ବିହୀନ ଭକ୍ତ ବାହିନୀକୁ ଲଗାଇ ସରକାର ବିରୋଧୀ ପ୍ରତିବାଦୀଙ୍କୁ ଦେଶଦ୍ରୋହୀ ବୋଲି କହିବାର ପୁରୁଣା ନାଟକ ମଧ୍ୟ ଚାଲିଛି। ଆଜି ବିଜେପିର ଦେଶପ୍ରେମ ପରୀକ୍ଷାଗାରରେ ଦେଶର ଅର୍ଦ୍ଧାଧିକ ଲୋକ ଦେଶଦ୍ରୋହୀ ଘୋଷିତ ହୋଇ ସାରିଛନ୍ତି। କାଶ୍ମୀର ତଥା ଉତ୍ତର ପୂର୍ବ ରାଜ୍ୟର ଜନ ସାଧାରଣ, ଜେଏନୟୁ ଓ ଜାମିଆର ଛାତ୍ର, ବିରୋଧୀ ଦଳର ନେତା କର୍ମୀ, ପ୍ରମୁଖ ବୁଦ୍ଧିଜୀବୀ, ଲେଖକ ଓ ବୈଜ୍ଞାନିକ, ମୁକ୍ତ ବିଚାର ରଖୁଥିବା ସାମ୍ବାଦିକ, ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ଧାର୍ମିକ ବିଭାଜନରେ ବିଶ୍ଵାସ ରଖୁନଥିବା ଚିନ୍ତାଶୀଳ ଲୋକେ- ବିଜେପିର ଦେଶଦ୍ରୋହୀ ତାଲିକାରେ ଏମିତି ଆହୁରି ଅସଂଖ୍ୟ ଜନସାଧାରଣ ଯୋଡି ହୋଇ ସାରିଲେଣି। ଏବେ ବିଜେପି ଭକ୍ତ ଓ ଅଭଦ୍ର ଟ୍ରୋଲଙ୍କୁ ନେଇ ବିଜେପିର ଦେଶପ୍ରେମ ଦୋକାନ ଚାଲିଛି।

ଗତ ସପ୍ତାହ ସାରା ଦେଶର ବିଭିନ୍ନ ପ୍ରାନ୍ତରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରବଳ ଆନ୍ଦୋଳନ ଚାଲିଛି। କେଉଁଠି ହିଂସ୍ର ବା ଆଉ କେଉଁଠି ଅହିଂସା ଉପାୟରେ ଲୋକେ ପ୍ରତିବାଦ କରୁଛନ୍ତି। ତେବେ ପ୍ରତିବାଦକାରୀଙ୍କୁ ଲାଠି ଓ ଗୁଳି ଖାଇବାକୁ ସରକାର ବାଧ୍ୟ କରୁଛନ୍ତି। ଗଣତାନ୍ତ୍ରିକ ଉପାୟରେ ଲୋକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିବା ମୋଦୀ ସରକାର ଏବେ ପୋଲିସକୁ ଏକ ଜୁଲମକାରୀ ଅନୁଷ୍ଠାନ ଭାବେ ବ୍ୟବହାର କରୁଛନ୍ତି।

ଏଠି ଆମେ ସୂଚାଇଦେବାକୁ ଚାହୁଁ ଯେ, ଯେଉଁ ସରକାର ଲାଠି, ଗୁଳି ଓ ଲୁହାବୁହା ଗ୍ୟାସର ପ୍ରୟୋଗ କରି ଲୋକଙ୍କ ପ୍ରତିବାଦକୁ ଚପାଇଦେବାକୁ ଚେଷ୍ଟା କରିଛି, ସେ ସରକାର ଇତିହାସ ଆଖିରେ କଳଙ୍କିତ ହୋଇ ରହିଛି। ଜରୁରୀ କାଳୀନ ପରିସ୍ଥିତିରେ ଏ ଦେଶର ଛାତ୍ର ଓ ସାଧାରଣ ଜନତାଙ୍କ ଉପରେ ହୋଇଥିବା ପୋଲିସ ଜୁଲମ କାରଣରୁ ଇନ୍ଦିରା ଗାନ୍ଧୀ ଏବେ ମଧ୍ୟ ଅଗଣତାନ୍ତ୍ରିକ ବୋଲି ବିବେଚିତ ହୁଅନ୍ତି। ମଣ୍ଡଳ ବିରୋଧୀ ଆନ୍ଦୋଳନରେ ଛାତ୍ର ଓ ଲୋକଙ୍କ ଉପରେ ହୋଇଥିବା ଜୁଲମ ଜନିତ ଆକ୍ରୋଶରୁ ବିଜେପିକୁ ସଫଳତା ମିଳିଥିଲା। ମନମୋହନ ସିଂ ସରକାର ଅମଳରେ ନିର୍ଭୟା ଘଟଣାକୁ ନେଇ ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ପୋଲିସ ଆକ୍ରମଣ ଯୋଗୁଁ ସରକାର ଅଧିକ ବଦନାମ ହୋଇଥିଲା।

ଆଜି ମୋଦୀ ସରକାର ନିଜେ ନିଜର ବଦନାମର ରାସ୍ତା ବାଛିଛି। ଲୋକଙ୍କ ଉପରେ ନିରନ୍ତର ଚାପ ପକାଇ ଦେଶପ୍ରେମୀ ହୁଅ ବୋଲି କହିଲେ, ଲୋକେ ହୁଏତ ଠାରେ ଦୁଇଥର ତାକୁ ସ୍ଵୀକାର କରିବେ। ହେଲେ ତାହା ଯଦି ଅଭ୍ୟାସଗତ ସୁବିଧାବାଦ ହୋଇଯାଏ, ତାହେଲେ ଲୋକେ ତାକୁ ବିରୋଧ କରିବା ସୁନିଶ୍ଚିତ। ଗୁଡାଏ ଛଳନା ଓ ବାହାନା ଦେଖାଇ ବିମୁଦ୍ରାକରଣ ଭଳି ଅତ୍ୟନ୍ତ ଏକଛତ୍ରବାଦୀ ଯୋଜନାକୁ ଦେଶର ଜନ ସାଧାରଣ ଗ୍ରହଣ କରିଥିଲେ, କାରଣ ସେତେବେଳେ ଲୋକେ ଭାବିଥିଲେ, ଏହା ଦ୍ଵାରା ହୁଏତ କଳାଧନ ଚାଲିଯିବ। ପରିଣତିରେ କଳାଧନ ତ ଗଲା ନାହିଁ, ଓଲଟି ଏହା ଦେଶର ଅର୍ଥନୀତିକୁ ଭୟଙ୍କର ବିପଦରେ ପକାଇଲା।

ଆଜିର ନାଗରିକତା ସଂଶୋଧନ ଆଇନ ଦେଶର ନେରୁଦଣ୍ଡକୁ ଦୋହଲାଇ ଦେଇଛି। ଧର୍ମ ଆଧାରରେ ଆଇନ ତିଆରି କରିବା ଭଳି ଭୟଙ୍କର ପ୍ରୟାସକୁ ଲୋକେ ବିରୋଧ କରୁଛନ୍ତି ଏବଂ କରିବା ଉଚିତ। ଏହାକୁ ନ ବୁଝି ସରକାର ଯଦି ଲୋକଙ୍କୁ ମାରିବେ ଓ ଲୋକଙ୍କ ଉପରେ ଜୁଲମ କରିବେ, ତାହେଲେ ନିଜ ବଦନାମ ଲାଗି ସରକାର ନିଜେ ହିଁ ଦାୟୀ ରହିବେ। ଭକ୍ତ ବା ଟ୍ରୋଲ କିମ୍ବା ପୋଷା ମିଡିଆ ବହୁତ ଦିନ ଯାଏ ସରକାରକୁ ବଦନାମ ହେବାର ପରିଣାମରୁ ବଞ୍ଚାଇ ପାରିବେ ନାହିଁ।

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନ୍‌କୁ ବିରୋଧ : ମୁର୍ଶିଦାବାଦ ରେଳ ଷ୍ଟେସନରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ

କଲିକତା,14/12: ନାଗରିକତ୍ବ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଲାଗି ରହିଥିବା ଆନ୍ଦୋଳନ ଉତ୍ତର ପୂର୍ବ ଭାରତ ପରେ ବର୍ତ୍ତମାନ କଲିକତାରେ ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆନ୍ଦୋଳନ ଡାକରା ଦେବା ପରେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ଲୋକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ମୁର୍ଶିଦାବାଦର ବେଲଡାଙ୍ଗ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ କଲିକତାରୁ ବିଭିନ୍ନ ସ୍ଥାନକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ଆନ୍ଦୋଳନକାରୀ ମାନେ ଆରପିଏଫ୍‌ ସୁରକ୍ଷାବଳଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଟ୍ରେନ୍‌ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । (ଏଜେନ୍ସୀ)

Categories
ବିଶେଷ ଖବର

ଉତ୍ତର ପୂର୍ବ ରାଜ୍ୟ ଗୁଡିକର ରାଜପଥରେ ପ୍ରତିବାଦ କରି ଗୁଳି ଖାଉଥିବା ଲୋକେ କଣ ପାକିସ୍ତାନୀ?

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ବିରୋଧୀଙ୍କୁ ଚୁପ କରାଇଦେବାର ଏକ ପରିଚିତ କୌଶଳ ରହିଛି। ସରକାରକୁ ଯିଏ ବିରୋଧ କଲା, ସେ ପାକିସ୍ତାନର ଭାଷା କହୁଛି ବୋଲି କହି ଚୁପ କରାଇ ଦେବାରେ ଦୁଇ ବଡ ନେତା ସଫଳ ହେଉଛନ୍ତି। ବିରୋଧୀ ନେତାମାନେ ନିଜକୁ ପାକିସ୍ତାନୀ ହେବାର ଭୟରୁ ରକ୍ଷା ପାଇବା ଲାଗି ଅନେକ ସମୟରେ ନୀରବ ରହୁଛନ୍ତି। ବିମୂଦ୍ରାକରଣକୁ ଆପଣ ବିରୋଧ କଲେ,ଆପଣ କଳାଧନର ଓ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦର ସମର୍ଥକ। କାଶ୍ମୀର ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବାର ବିରୋଧରେ ଠିଆ ହେଲେ, ଆପଣ ପାକିସ୍ତାନ ପ୍ରେମୀ। ପୋଲିସ ର ବେଆଇନ ଗୁଳିଚାଳନାର ବିରୋଧ କଲେ ମଧ୍ୟ ଆପଣ ପାକିସ୍ତାନ ସମର୍ଥକ। ଖୋଦ ପ୍ରଧାନମନ୍ତ୍ରୀ ନିଜ ଦଳର ସଂସଦୀୟ ବୈଠକରେ କହିଲେ, ଯେଉଁମାନେ ନାଗରିକ ସଂଶୋଧନ ବିଲକୁ ବିରୋଧ କରୁଛନ୍ତି, ସେମାନେ ପାକିସ୍ତାନ ବିଚାରର ସମର୍ଥକ। ଏହା ବୋଧହୁଏ ସଂସଦୀୟ ଇତିହାସରେ ଏକ ବିରଳ ଇତିହାସ। ରାଜନୈତିକ ପ୍ରତିପକ୍ଷକୁ ଶତ୍ରୁ ସମର୍ଥକ ବୋଲି କହିବା ସବୁଠୁ ନିକୃଷ୍ଟ ରାଜନୀତି ଓ ଦୁର୍ଭାଗ୍ୟର କଥା ହେଉଛି ଏ ପ୍ରକାର ରାଜନୀତି ପ୍ରତି ଆମ ଦେଶରେ ଆକର୍ଷଣ ବଢୁଛି।

ସଂସଦରେ ନାଗରିକତା ସଂଶୋଧନ ଆଇନର ଆଲୋଚନା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖି ବିଲକୁଲ ମାନେ ହେଉନଥିଲା ଯେ, ସେ ସଂସଦୀୟ ପରମ୍ପରାର ଅନୁକୂଳ ବିତର୍କ କରୁଛନ୍ତି। ସତେକି କଂଗ୍ରେସ ବିରୋଧରେ ଯୁଦ୍ଧ କରିବାକୁ ସେ ସେନାପତି ହୋଇ ସେଠି ଛିଡା ହୋଇଥିଲେ। ଅଥଚ ସରକାରୀ ଦଳର ପ୍ରତିନିଧି ଭାବରେ ସଂସଦର ଗରିମା ରକ୍ଷା କରିବା ଏବଂ ବିରୋଧୀ ଦଳର ସମାଲୋଚନାକୁ ସାମ୍ନା କରିବା ତାଙ୍କର ସାମ୍ବିଧାନିକ ଦାୟିତ୍ଵ। ତେବେ ସଂସଦରେ ବିରୋଧୀ ଦଳକୁ ଚୁପ କରାଇଦେବା ହୁଏତ ସହଜ। ଏପରିକି ବିଲ ପାସ କରାଇବାକୁ ବିଭିନ୍ନ ଦଳ ସହିତ “ଡିଲ” କରିବା ମଧ୍ୟ ସହଜ। ହେଲେ ଲୋକଙ୍କୁ କିଣିବା ବା ଲୋକଙ୍କ ସହ “ଡିଲ” କରିବା ଏତେ ସହଜ ନୁହେଁ। ଆଜି ସାରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଯେଉଁ ଭୟଙ୍କର ପ୍ରତିବାଦର ନିଆଁ ଜଳୁଛି, ସେଥିଲାଗି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ କାହାକୁ ଦାୟୀ କରିବେ?

କାଶ୍ମୀରକୁ ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରି ସେଠାରୁ ଧାରା ୩୭୦ ଉଚ୍ଛେଦ କଲାବେଳେ, କାଶ୍ମୀରବାସୀଙ୍କ କଥା ଶୁଣାଗଲା ନାହିଁ କିମ୍ବା କାଶ୍ମୀରବାସୀଙ୍କ କଥା କାହାକୁ ଶୁଣାଇ ଦିଆଗଲା ନାହିଁ। ଏବେ ସେହି ସମାନ ମଡେଲ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଦେଖିବାକୁ ମିଳୁଛି। ଆସାମ, ତ୍ରିପୁରା ଓ ମେଘାଳୟ ସଂପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବାରୁ ବିଚ୍ଛିନ୍ନ ହୋଇଛନ୍ତି। ଆସାମରେ ପୋଲିସ ଗୁଳିରେ ଦୁଇଜଣ ଲୋକ ପ୍ରାଣ ହରାଇଲେଣି। କରଫ୍ୟୁ ସତ୍ତ୍ୱେ ହଜାର ହଜାର ଲୋକ ନିଜ ଜୀବନକୁ ପାଣି ଛଡାଇ ଏହି ବିଲ ବିରୋଧରେ ଆଜି ଆନ୍ଦୋଳନ କରୁଛନ୍ତି। ଗୌହାଟି, ଦିବ୍ରୁଗଡ, ଶିଲଂ, ଅଗରତାଲା ଭଳି ଉତ୍ତରପୂର୍ବ ରାଜ୍ୟର ପ୍ରମୁଖ ସହର ଗୁଡିକ ଅଶାନ୍ତ ହୋଇ ପଡିଛି। ଉତ୍ତର ପୂର୍ବରୁ ଏହି ଆନ୍ଦୋଳନ ଏବେ ବିହାର, ପଶ୍ଚିମ ବଙ୍ଗ ଓ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି।

ତେବେ ପ୍ରଧାନମନ୍ତ୍ରୀ କଣ ଏମାନଙ୍କୁ ସମସ୍ତଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବେ? ଯେ କୌଣସି ଆଇନ ତିଆରି କଲାବେଳେ ଏହା ଦ୍ଵାରା ପ୍ରଭାବିତ ହେଉଥିବା ଲୋକଙ୍କ ସହ ବ୍ୟାପକ ବିଚାର ବିମର୍ଶ କରିବା ଏକ ଗଣତାନ୍ତ୍ରିକ ସରକାରର ପ୍ରଧାନ ଦାୟିତ୍ଵ। ମୋଦୀ ସରକାର ଏହାର ବିପରୀତ ଆଚରଣ କରୁଛନ୍ତି। ଲୋକଙ୍କ ସହ ପରାମର୍ଶ କରି ଆଇନ ତିଆରି କରିବା ପରିବର୍ତ୍ତେ ନିଜ ଆଇନକୁ ଲୋକଙ୍କ ଉପରେ ଲଦି ଦିଆଯାଉଛି। ଉଦ୍ଦେଶ୍ୟମୂଳକ ଭାବରେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିବା ପାଇଁ ସରକାର କାମ କରୁଥିବା ଭଳି ମନେ ହେଉଛି।

ନାଗରିକତା ସଂଶୋଧନ ବିଲକୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକର ସମର୍ଥନ ମୂଳରୁ ନଥିଲା। ଏହା ବିରୋଧରେ ଉତ୍ତର ପୂର୍ବ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀମାନେ ନିଜର ସ୍ପଷ୍ଟ ମତ ରଖିଥିଲେ। ଏହି ସବୁ ରାଜ୍ୟର ବିଜେପି ସଂଗଠନ ମଧ୍ୟ ଏହି ବିଲ ଆଦୌ ଗ୍ରହଣୀୟ ହୋଇ ନପାରେ ବୋଲି କହିଥିଲେ। ତା ସତ୍ତ୍ୱେ ଏହାକୁ ଜିଦଖୋର ମନୋବୃତ୍ତି ନେଇ ଗୃହୀତ କରାଇବା ପଛରେ ଏକ ଭିନ୍ନ ଉଦ୍ଦେଶ୍ୟ ରହିଥିଲା।

ଏହି ବିଲ ବିରୋଧରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ହିଂସ୍ର ପ୍ରତିବାଦ ହେବ ବୋଲି ଜାଣି ମଧ୍ୟ ଏହି ବିଲ କୁ ଗୃହୀତ କରାଇନେବାର ଜିଦ ପଛରେ ମୋଦୀ ଏବଂ ଶାହାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା, ଭାରତର ନାଗରିକ ଆଇନକୁ ସଂଶୋଧନ କରି ଦେଶର ମୁସଲମାନଙ୍କୁ ନୀଚା ଦେଖାଇବା। ଏଠି ଅନ୍ୟ ସବୁ ଧର୍ମର ଲୋକଙ୍କୁ ସ୍ଵାଗତ କରାଯିବ, ହେଲେ ମୁସଲମାନମାନେ ଆମର ଅବାଞ୍ଛିତ ବୋଲି ଏକ ବାର୍ତ୍ତା ଦେବାକୁ ବିଜେପି ଚାହୁଁଥିଲା। ସେହି ବାର୍ତ୍ତା ଦେବାକୁ ହେଲେ ଉତ୍ତର ପୂର୍ବ ରାଜ୍ୟରେ କିଛିଟା ଅଶାନ୍ତି ଗ୍ରହଣୀୟ ବୋଲି ବିଜେପି ମନସ୍ଥିର କରି ସାରିଥିଲା।

କେବଳ ହିନ୍ଦୁ ବନାମ ମୁସଲମାନ ବିତର୍କକୁ ବଞ୍ଚାଇ ରଖିବାକୁ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର ଜନ ସାଧାରଣଙ୍କ ଉପରେ ଏ ପ୍ରକାର ଦମନମୂଳକ ଆଇନ ଲଦି ଦିଆ ଯାଉଥିବା, ଦିନକୁ ଦିନ ସ୍ପଷ୍ଟ ହୋଇଯାଉଛି।

Categories
ଆଜିର ଖବର

ନାଗରିକତ୍ବ ବିଲ୍‌ ବିରୋଧରେ ମେଗା ରାଲିର ଆହ୍ବାନ କଲେ ମମତା

କଲିକତା,13/12 : ନାଗରିକତ୍ବ ବିଲ୍‌କୁ ଦେଶର ଉତ୍ତର ପୂର୍ବୀୟ ପ୍ରାନ୍ତରେ ବିରୋଧ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହା ବିରୋଧରେ ଏକ ମେଗା ରାଲିର ଆହ୍ବାନ ଦେଇଛନ୍ତି ମମତା ବାନାର୍ଜୀ । ଏହି ବିଲ୍‌କୁ ନେଇ ପୂର୍ବରୁ ଆସାମ ,ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଜାରି ରହିଥିବା ବେଳେ ମମତା ନିଜକୁ ଏହି ଧାରାରେ ସାମିଲ କରିଛନ୍ତି । ଏହି ସଂଶୋଧନ ବିରୋଧରେ ଏକାଧିକ ରାଲି କରିବାକୁ ଯାଉଛନ୍ତି ମମତା । ଏହି ବିଲ୍‌ ଦେଶର ବିଭାଜନ କରିଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଗୁରୁବାର ରାତିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି । (ଏଜେନ୍ସୀ)

Categories
ଆଜିର ଖବର

ଆସାମ ଓ ତ୍ରିପୁରା ପରେ ମେଘାଳୟରେ ହିଂସା : ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ

ଶିଲଂ,13/12: ନାଗରିକତ୍ବ ବିଲ୍‌ରେ ସଂଶୋଧନକୁ ନେଇ ଭାରତର ଉତ୍ତର ପୂର୍ବୀୟ ସୀମା ଜଳୁଛି । ଦୁଇ ଦିନ ହେବ ଆସାମ ଏବଂ ତ୍ରିପୁରାରେ ହିଂସା ଲାଗି ରହିଥିବା ବେଳେ ଏହା ବର୍ତ୍ତମାନ ମେଘାଳୟକୁ ବ୍ୟାପିଛି । ମେଘାଳୟକୁ ଏହି ହିଂସା ବ୍ୟାପିବା ପରେ ସତର୍କତା ପଦକ୍ଷେପ ସ୍ବରୂପ ମେଘାଳୟରେ ଇଣ୍ଟରନେଟ ସେବା ଏବଂ ମୋବାଇଲ୍ ଏସଏମ୍‌ଏସ୍‌ ସେବା ବନ୍ଦ କରି ଦିଆଯାଇଛି । ଦୁଇ ଦିନ ପାଇଁ ଏହି ସେବା ବନ୍ଦ ରଖାଯାଇଛି । ଶିଲଂରୁ 250 କିମି ଦୂର ଓ୍ବିଲିୟମ୍‌ନଗରରୁ ଏହି ହିଂସା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ବିରୋଧ କରାଯାଇଥିଲା । ମେଘାଳୟ ପୋଲିସ୍‌ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ଟ୍ବିଟ୍ଟର ଜରିଆରେ ନିବେଦନ କରାଯାଇଛି ।(ଏଜେନ୍ସୀ)

Categories
ଆଜିର ଖବର

ଆସାମରେ କର୍ଫ୍ୟୁ : ପରସ୍ଥିତି ନିୟନ୍ତ୍ରଣ ପାଇଁ ଆସାମ ଓ ତ୍ରିପୁରାରେ 8 କମ୍ପାନୀ ସେନା ମୁତୟନ

ନୂଆଦିଲ୍ଲୀ, 12/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକରେ ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ଠାରୁ ଆସାମରେ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରାଯାଇଥିବା ବେଳେ ଗୁରୁବାର 8 କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି । ନାଗରିକତ୍ବ ବିଲ ସଂଶୋଧନକୁ ନେଇ ସମ୍ପୂର୍ଣ୍ଣ ଆସାମରେ ଆନ୍ଦୋଳନ ଚାଲିଥିବା ବେଳେ 70ରୁ ଅଧିକ ଟ୍ରେନ୍‌ ଏବଂ 30ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ଆସାମ ସମେତ ତ୍ରିପୁରାରେ ମଧ୍ୟ 3 କମ୍ପାନୀ ଯବାନ ମୁତୟନ କରାଯାଇଛି । ଆସାମରେ ଶାନ୍ତି ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।(ଏଜେନ୍ସୀ)

Categories
ବିଶେଷ ଖବର

ସେପଟେ ଆସାମ, ତ୍ରିପୁରା ଜଳୁଛି, ହେଲେ ସଂସଦରେ ଚାଲିଛି ପ୍ରବଳ ଉତ୍ସାହର ଭାଷଣ

କେଦାର ମିଶ୍ର

ଯେମିତି କାଶ୍ମୀରକୁ ବାକି ଭାରତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ସଂସଦରେ ଧାରା ୩୭୦ ଉଚ୍ଛେଦ କରାଗଲା, ନାଗରିକତା ସଂଶୋଧନ ବିଲ ଗୃହୀତ ହେଲା ବେଳକୁ ମଧ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ସେଇ ସମାନ ପରିସ୍ଥିତି ସୃଷ୍ଟି ହେଲା। ଆଜି ଆସାମ, ତ୍ରିପୁରା, ମଣିପୁର, ମେଘାଳୟ ସମେତ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ନିଆଁ ଜଳୁଛି। ଅନେକ ସହରରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ପ୍ରାୟ ସବୁ ସହରରେ ସେନାବାହିନୀ ସଜାଗ ରହିଛନ୍ତି। ଅନେକ ଅଞ୍ଚଳରେ ଇଣ୍ଟରନେଟ ଓ ଫୋନ ସେବା ବନ୍ଦ କରି ଦିଆଯାଇଛି।  ସବୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ନାଗରିକତା ସଂଶୋଧନ ବିଲକୁ ବିରୋଧ କରୁଛନ୍ତି। ଖୋଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବିଲି ଗୃହୀତ ନ କରାଇବାକୁ ଅନୁରୋଧ କରିଥିଲେ। ବିଜେପିର ସ୍ଥାନୀୟ ସଂଗଠନ ଗୁଡିକ ଏହି ବିଲ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ବିଜେପି ନେତୃତ୍ବକୁ ସତର୍କ କରାଇ ଦେଇଥିଲେ। ତା ସତ୍ତ୍ୱେ ଏହି ବିଲକୁ ଗୃହୀତ କରାଇ ନେବାକୁ  ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ତତ୍ପରତା ପ୍ରକାଶ କରିବାର କାରଣ କଣ?

କାଶ୍ମୀର ଭଳି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ମଧ୍ୟ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳ ହୋଇ ରହିବାର ସମ୍ଭାବନା ରହିଛି କି? ସଂସଦୀୟ ଗଣତନ୍ତ୍ରରେ ସଂଖ୍ୟା ଦୃଷ୍ଟିରୁ ଯେଉଁ ରାଜ୍ୟ ମାନଙ୍କର ପ୍ରତିନିଧିତ୍ଵ ଦୁର୍ବଳ ସେମାନଙ୍କ ଉପରେ ସଂଖ୍ୟା ଗରିଷ୍ଠତାର ଅହଂକାର ଦେଖାଇ ଜୁଲମ କରା ଯାଉନାହିଁ କି? ଉତ୍ତର ପୂର୍ବ ସ୍ଥିତ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ମେଘାଳୟ ଓ ସିକିମ- ଏହି ୯ ଟି ରାଜ୍ୟର ମୋଟ ଲୋକସଭା ସଦସ୍ୟଙ୍କ ସଂଖ୍ୟା ମାତ୍ର ୨୭। ତାରି ଭିତରୁ କେବଳ ଆସାମରେ ଅଛନ୍ତି ୧୪ ଜଣ ଲୋକସଭା ସଦସ୍ୟ। ସଂଖ୍ୟା ଦୃଷ୍ଟିରୁ ଜାମ୍ମୁ କାଶ୍ମୀରର ଯେମିତି କୌଣସି ବିଶେଷ ପ୍ରଭାବ ନଥିଲା, ସେମିତି ଉତ୍ତର ପୂର୍ବ ରାଜ୍ୟ ଗୁଡିକର ମଧ୍ୟ କୌଣସି ପ୍ରଭାବ ନାହିଁ। ଯଦି ଏ ପ୍ରକାର ପ୍ରତିବାଦ ଉତ୍ତର ପ୍ରଦେଶ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ ବା ବିହାରରେ ହୋଇଥାନ୍ତା, ତାହେଲେ ଲୋକମତକୁ ଉପେକ୍ଷା କରି ସରକାର ଏ ପ୍ରକାର ଆଇନ ପ୍ରଣୟନ କରିବାକୁ ସାହସ କରି ନଥାନ୍ତେ।

ଲୋକେ ପ୍ରତିବାଦ କରୁଥିବା ବେଳେ ଶାସକ ଦଳ ସେଇ ପ୍ରତିବାଦକୁ ଉପେକ୍ଷା କରି ନିଜ ମତକୁ ଲୋକଙ୍କ ଉପରେ ଚାପି ଦେବାର ଉଦ୍ୟମ କରୁଛନ୍ତି। ଏହାର ପରିଣତି ଆଗକୁ ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଆଡେଇ ଦିଆ ଯାଇ ନପାରେ। ଏହି ବିଲ ସହିତ ଧର୍ମ ଏକ ମୌଳିକ ଆଧାର ବାବେ ସଂଯୁକ୍ତ ହୋଇଥିବାରୁ ବିଦେଶନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଆଗାମୀ ଦିନରେ ବହୁ ବିଦେଶୀ ରାଷ୍ଟ୍ର ଏହାକୁ ନେଇ ପ୍ରତିବାଦ କରିବେ। ବାଂଲାଦେଶ ଯିଏକି ଭାରତର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ରହି ଆସିଛି, ତାକୁ ଏକ ହିନ୍ଦୁ ବିଦ୍ଵେଷୀ ରାଷ୍ଟ୍ର ବୋଲି ବିଜେପି ତରଫରୁ ପ୍ରଚାର କରା ଯାଉଛି। ଗୋଟେ ପକ୍ଷରେ ବାଂଲାଦେଶ ସହିତ ଆମ ସମ୍ପର୍କ ଅତ୍ୟନ୍ତ ମଧୁର ବୋଲି କୁହା ଯାଉଥିବା ବେଳେ ଘରୋଇ ରାଜନୀତିରେ ବାଂଲାଦେଶକୁ ନିୟମିତ ବିରୋଧ କରାଯାଉଛି। ଏ ପ୍ରକାର ଦୋ ମୁହାଁ ନୀତିର ପରିଣତି ସାଂଘାତିକ ହୋଇପାରେ।

ସଂସଦରେ ଏହି ବିଲର ଆଲୋଚନା ସମୟରେ ଅମିତ ଶାହ ତାଙ୍କର ଚିରାଚରିତ ଘୋଷାପାଠ ଦୋହରାଇଛନ୍ତି। ସବୁ କଥା ପାଇଁ କଂଗ୍ରେସକୁ ଗାଳି କରି ଖସିଯିବାର ସହଜ ବାଟ ଛଡା ବିଜେପିକୁ ଅଧିକ କିଛି ଦେଖା ଯାଉନି। ଗୋଟେ ବିଲ ବିରୋଧରେ ୯ ଟି ରାଜ୍ୟର କ୍ରୋଧ ଓ ପ୍ରତିବାଦ ପାଇଁ କେବଳ କଂଗ୍ରେସକୁ ଦାୟୀ କରିବାର କୌଣସି ଯୁକ୍ତି ନାହିଁ। ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଅନେକ ଜାଗାରେ ବିଜେପି ସରକାର ରହିଛି ଓ ସମ୍ପୃକ୍ତ ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାର ବିରୋଧରେ କିଛି କହି ପାରୁନାହାନ୍ତି। ତଥାପି ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ସମୟରେ ଏହି ବିଲ ବିରୋଧରେ ନିଜର ସ୍ପଷ୍ଟ ମତ ଦେଇଛନ୍ତି। ହେଲେ ସେମାନଙ୍କ କଥା ଶୁଣିବ କିଏ?

ଛୋଟିଆ ରାଜ୍ୟ ଗୁଡିକ ଲୋକସଭା ଓ ରାଜ୍ୟସଭାରେ ସଙ୍ଖ୍ୟାବଳରେ ସବୁବେଳେ ଦୁର୍ବଳ ରହିବେ। ଏହାର ଅର୍ଥ କଣ ସେମାନଙ୍କ ମତ ଓ ପ୍ରତିବାଦର କିଛି ମୂଲ୍ୟ ନାହିଁ? ସଙ୍ଘିୟ ବ୍ୟବସ୍ଥାରେ ସବୁ ରାଜ୍ୟର ନିଜସ୍ଵ ଅଧିକାର ରହିଛି। ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଓ ଅନୁରୋଧକୁ ଉପେକ୍ଷା କରି କେନ୍ଦ୍ର ସରକାର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛନ୍ତି।

ନିଜ ରାଜ୍ୟର ସ୍ଵାର୍ଥ ପାଇଁ କାମ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ହେଲେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର କ୍ଷମତା ସଙ୍କୁଚିତ କରୁଥିବା ଆଇନକୁ ସମାର୍ଥନ ଦେଉଥିବା ବିଜୁ ଜନତା ଦଳ ଗୁଡିକ କଦାପି ଏହି ଭ୍ରମରେ ରୁହନ୍ତୁ ନାହିଁ ଯେ, ବିଜେପିକୁ ସମର୍ଥନ କରି ସେମାନେ ସୁରକ୍ଷିତ ରହିବେ। କେନ୍ଦ୍ର ସରକାର ନିଜ ହାତରେ ସବୁ କ୍ଷମତା ଠୁଳ କରିବା ଲାଗି ଗୋଟାଏ ପରେ ଗୋଟେ ସଙ୍ଘିୟ ବ୍ୟବସ୍ଥାକୁ ଉଚ୍ଛେଦ କରି ଚାଲୁଛନ୍ତି ଓ  ଚାଳିବେ ମଧ୍ୟ। କାଲି କାଶ୍ମୀର ଥିଲା, ଆଜି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ସେହି ଦୁର୍ଦ୍ଦଶା ଭୋଗୁଛନ୍ତି, ଆସନ୍ତା କାଲୀ ବିହାର କି ଓଡିଶା ଯେ ସେ ଦୁର୍ଦ୍ଦଶା ନ ଭୋଗିବେ, ତାହା ବିଲକୁଲ କହିହେବା ନାହିଁ!!