ଇଣ୍ଡିଆ ଗେଟ୍‌ ଆଗରେ ପ୍ରିୟଙ୍କାଙ୍କ ଧାରଣା

Published: Dec 16, 2019, 5:52 pm IST

ନୂଆଦିଲ୍ଲୀ, ୧୬/୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍‌ ପାଖରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିବାର ଜଣାପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶ କୌଣସି ଅସାମାଜିକ ବ୍ୟକ୍ତିଙ୍କ ଅଧିନରେ ନାହିଁ। ଏହାର ବାତାବରଣକୁ ଖରାପ୍‌ କରିବାକୁ ଚେଷ୍ଟା କରନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଜାମିଆ ଛାତ୍ରଙ୍କ ପ୍ରଦର୍ଶନ ସମୟରେ କେତେକ ଛାତ୍ରୀ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ସହ ଏହି ଧାରଣାରେ କେସି ବେଣୁଗୋପାଳ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି, ଅହମ୍ମଦ ପଟେଲ୍‌ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଧାରଣାରେ ବସି ରହିଛନ୍ତି। ଏହି ସମୟରେ ତିନି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିଲା। (ଏଜେନ୍ସି)

Related posts