Categories
ଆଜିର ଖବର ଜାତୀୟ ଖବର

14 ଦିନିଆ ରିମାଣ୍ଡରେ ଜାମିଆ ଗୁଳିଚାଳନାକାରୀ

ନୂଆଦିଲ୍ଲୀ : ଜାମିଆ ଗୁଳିଚାଳନାକାରୀ ଅଭିଯୁକ୍ତକୁ 14 ଦିନିଆ ପୋଲିସ୍‌ ରିମାଣ୍ଡରେ ପଠାଯାଇଛି । 14 ଦିନିଆ ରିମାଣ୍ଡରେ ପଠାଯାଇଥିବା ବେଳେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଅସ୍ଥିମଜ୍ଜା ପରୀକ୍ଷଣ ପାଇଁ ଆବେଦନ କରାଯାଇଛି । ଉତ୍ତର ପଦେଶର ଜେଓ୍ବାରରେ ଅଭିଯୁକ୍ତଙ୍କ ସ୍କୁଲ ପକ୍ଷରୁ ସେ ନାବାଳକ ଥିବା ନେଇ ସୂଚନା ଦିଆଯାଇଛି । ନାବାଳକର ସ୍କୁଲ ପକ୍ଷରୁ ତାଙ୍କର ଜନ୍ମତାରିଖ 8 ଏପ୍ରିଲ 2002 ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଜାମିଆ ଗୁଳିକାଣ୍ଡ ପାଇଁ ବିଜେପିକୁ ଦାୟୀ କଲେ ଶଶୀ ଥରୁର

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ଜାମିଆ ମାଲିଆ ବିଶ୍ବ ବିଦ୍ୟାଳୟରେ ଘଟି ଯାଇଥିବା ଗୁଳିକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗତକାଲି ଘଟିଥିବା ଗୁଳିକାଣ୍ଡରେ ଜଣେ ଛାତ୍ର ଆହତ ହୋଇଥିବା ବେଳେ ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଥରୁର୍‌ । ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇ କିଛି ବ୍ୟକ୍ତି ନିଜକୁ ଶକ୍ତିଶାଳୀ ବୋଲି ବିବେଚନା କରୁଛନ୍ତି ବୋଲି ଥିରୁଅନନ୍ତପୁରମ୍‌ ସାଂସଦ ପ୍ରକାଶ କରିଛନ୍ତି । ସରକାର ହିଂସା ଏବଂ ଘୃଣାର ରାଜନୀତି କରୁଛନ୍ତି ଏବଂ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥରୁର୍‌ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଜାମିଆ ଗୁଳିକାଣ୍ଡ : ଅନୁରାଗଙ୍କ ବିରୋଧରେ ମାମଲା ଦାୟର କଲା ଛାତ୍ର କଂଗ୍ରେସ

ନୂଆଦିଲ୍ଲୀ : ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ଗୁଳିକାଣ୍ଡ ମାମଲାରେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ମାମଲା କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଶ୍ରୀନିବାସ ବି ଭିଙ୍କ ନେତୃତ୍ବରେ ଏକ କମିଟି ଅନୁରାଗ ଠାକୁରଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ପାର୍ଲିଆମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ଯୁବ କଂଗ୍ରେସ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଅନୁରାଗଙ୍କ ଘୃଣା ଭରା ଭାଷଣ କାରଣରୁ ଗୁଳିକାଣ୍ଡ ଘଟିଥିବା ନେଇ ଏହି ଅଭିଯୋଗ କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଜଣେ ବନ୍ଧୁକଧାରୀ ଆତତାୟୀ ଜଣକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ । ଅଭିଯୁକ୍ତ ଜଣକ ୟେ ଲୋ ଆଜାଦୀ ବୋଲି ଚିତ୍କାର କରି ଛାତ୍ରଛାତ୍ରୀଙ୍କୁ ଉପରକୁ ଗୁଳି ଚଳାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜାମିଆ ମାଲିଆ ଇସ୍‌ଲାମିଆରେ ଗୁଳିଚାଳନା ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ବୈଠକ ଡକାଇଛନ୍ତି । ଦିଲ୍ଲୀ ପୋଲିସ୍‌ର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଗୁଳିଚାଳନାକୁ ନେଇ ଉଭୟ ବିଜେପି ଏବଂ ଆପ୍‌ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ନିର୍ବାଚନ କମିଶନ ବୈଠକ ଡକାଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଗୁଳି ଚଳାଇବାର କିଛି ସମୟ ପୂର୍ବରୁ ଫେସ୍‌ବୁକ୍‌ରେ ଲାଇଭ୍‌ ଯାଇ ଗୁଳି ମାରିବା ନେଇ ଘୋଷଣା କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଇଣ୍ଡିଆ ଗେଟ୍‌ ଆଗରେ ପ୍ରିୟଙ୍କାଙ୍କ ଧାରଣା

ନୂଆଦିଲ୍ଲୀ, ୧୬/୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍‌ ପାଖରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିବାର ଜଣାପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶ କୌଣସି ଅସାମାଜିକ ବ୍ୟକ୍ତିଙ୍କ ଅଧିନରେ ନାହିଁ। ଏହାର ବାତାବରଣକୁ ଖରାପ୍‌ କରିବାକୁ ଚେଷ୍ଟା କରନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଜାମିଆ ଛାତ୍ରଙ୍କ ପ୍ରଦର୍ଶନ ସମୟରେ କେତେକ ଛାତ୍ରୀ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ସହ ଏହି ଧାରଣାରେ କେସି ବେଣୁଗୋପାଳ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି, ଅହମ୍ମଦ ପଟେଲ୍‌ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଧାରଣାରେ ବସି ରହିଛନ୍ତି। ଏହି ସମୟରେ ତିନି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିଲା। (ଏଜେନ୍ସି)

Categories
ବିଶେଷ ଖବର

ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ଲାଠି-ଗୁଳି ଚଲାଉଥିବା ସରକାର ଇତିହାସରେ କଳଙ୍କିତ ହୋଇ ରହିଛନ୍ତି ଓ ରହିବେ

କେଦାର ମିଶ୍ର

ଆଜି ଏ ଲେଖା ପ୍ରସ୍ତୁତ ହେଲା ବେଳକୁ ଦିଲ୍ଲୀର ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଜୁଲମ ଚାଲିଛି। ମୋଦୀ ସରକାର ଦ୍ଵାରା ସଂଶୋଧିତ ନାଗରିକତା ଆଇନ ଲାଗୁ ହେବାର ପ୍ରତିବାଦରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏହି କଳଙ୍କିତ ଆଇନ ବିରୋଧରେ ପ୍ରତିବାଦର ସ୍ଵର ଉଠୁଛି। ସାଢେ ପାଞ୍ଚ ବର୍ଷର ଶାସନରେ ନରେନ୍ଦ୍ର ମୋଦୀ ନିଜର କୌଣସି ପଦକ୍ଷେପ ବିରୋଧରେ ଏତେ ବ୍ୟାପକ ପ୍ରତିରୋଧର ସାମ୍ନା କରି ନଥିଲେ। ସରକାରଙ୍କର ପ୍ରତ୍ୟେକ ଜନ ବିରୋଧୀ ପଦକ୍ଷେପକୁ ଜାତୀୟତା ଓ ଦେଶପ୍ରେମର ପୋଷାକ ପିନ୍ଧାଇ ଆଜି ପର୍ଯ୍ୟନ୍ତ ସୁବିଧାରେ ରହି ଆସିଥିବା ଏ ସରକାର ପ୍ରଥମ ଥର ଲାଗି ଏତେ ବଡ ଜନ ଆକ୍ରୋଶ ଆଗରେ ଅସହାୟ ହୋଇ ଛିଡା ହୋଇଛି। ତେବେ ନିଜର ଚିରାଚରିତ ଢଙ୍ଗରେ ଜନ ଆକ୍ରୋଶ ଓ ଜନ ପ୍ରତିବାଦକୁ “ଦେଶଦ୍ରୋହ” ବୋଲି କହି ଖସିଯିବାର ଉଦ୍ୟମ ବିଜେପି ଏବେ ଆରମ୍ଭ କରିଛି। ତ୍ରିପୁରା, ଆସାମ, ମେଘାଳୟ ଠୁ ଆରମ୍ଭ ହୋଇଥିବା ଏ ପ୍ରତିବାଦ ଏବେ ରାଜଧାନୀ ଦିଲ୍ଲୀରେ ବ୍ୟାପକ ହେବା ଆରମ୍ଭ କରିଛି। ବିଶ୍ଵ ବିଦ୍ୟାଳୟର ଛାତ୍ର ଓ ସାଧାରଣ ନାଗରିକ ଆଜି ନିର୍ଭୀକ ଭାବରେ ସରକାରର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ବିରୋଧରେ ଦୃଢ ହୋଇ ଛିଡା ହୋଇଛନ୍ତି।

ତେବେ ଲୋକଙ୍କ ପ୍ରତିବାଦକୁ ଶୁଣିବା ପରିବର୍ତ୍ତେ ଏହାକୁ ବିରୋଧୀଙ୍କ ଷଡଯନ୍ତ୍ର ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖସିଯିବାକୁ ଚାହୁଛନ୍ତି। ବିଜେପି ତରଫରୁ ନିଜର ପୋଷା ଗଣମାଧ୍ୟମ ଓ ମସ୍ତିସ୍କ ବିହୀନ ଭକ୍ତ ବାହିନୀକୁ ଲଗାଇ ସରକାର ବିରୋଧୀ ପ୍ରତିବାଦୀଙ୍କୁ ଦେଶଦ୍ରୋହୀ ବୋଲି କହିବାର ପୁରୁଣା ନାଟକ ମଧ୍ୟ ଚାଲିଛି। ଆଜି ବିଜେପିର ଦେଶପ୍ରେମ ପରୀକ୍ଷାଗାରରେ ଦେଶର ଅର୍ଦ୍ଧାଧିକ ଲୋକ ଦେଶଦ୍ରୋହୀ ଘୋଷିତ ହୋଇ ସାରିଛନ୍ତି। କାଶ୍ମୀର ତଥା ଉତ୍ତର ପୂର୍ବ ରାଜ୍ୟର ଜନ ସାଧାରଣ, ଜେଏନୟୁ ଓ ଜାମିଆର ଛାତ୍ର, ବିରୋଧୀ ଦଳର ନେତା କର୍ମୀ, ପ୍ରମୁଖ ବୁଦ୍ଧିଜୀବୀ, ଲେଖକ ଓ ବୈଜ୍ଞାନିକ, ମୁକ୍ତ ବିଚାର ରଖୁଥିବା ସାମ୍ବାଦିକ, ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ଧାର୍ମିକ ବିଭାଜନରେ ବିଶ୍ଵାସ ରଖୁନଥିବା ଚିନ୍ତାଶୀଳ ଲୋକେ- ବିଜେପିର ଦେଶଦ୍ରୋହୀ ତାଲିକାରେ ଏମିତି ଆହୁରି ଅସଂଖ୍ୟ ଜନସାଧାରଣ ଯୋଡି ହୋଇ ସାରିଲେଣି। ଏବେ ବିଜେପି ଭକ୍ତ ଓ ଅଭଦ୍ର ଟ୍ରୋଲଙ୍କୁ ନେଇ ବିଜେପିର ଦେଶପ୍ରେମ ଦୋକାନ ଚାଲିଛି।

ଗତ ସପ୍ତାହ ସାରା ଦେଶର ବିଭିନ୍ନ ପ୍ରାନ୍ତରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରବଳ ଆନ୍ଦୋଳନ ଚାଲିଛି। କେଉଁଠି ହିଂସ୍ର ବା ଆଉ କେଉଁଠି ଅହିଂସା ଉପାୟରେ ଲୋକେ ପ୍ରତିବାଦ କରୁଛନ୍ତି। ତେବେ ପ୍ରତିବାଦକାରୀଙ୍କୁ ଲାଠି ଓ ଗୁଳି ଖାଇବାକୁ ସରକାର ବାଧ୍ୟ କରୁଛନ୍ତି। ଗଣତାନ୍ତ୍ରିକ ଉପାୟରେ ଲୋକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିବା ମୋଦୀ ସରକାର ଏବେ ପୋଲିସକୁ ଏକ ଜୁଲମକାରୀ ଅନୁଷ୍ଠାନ ଭାବେ ବ୍ୟବହାର କରୁଛନ୍ତି।

ଏଠି ଆମେ ସୂଚାଇଦେବାକୁ ଚାହୁଁ ଯେ, ଯେଉଁ ସରକାର ଲାଠି, ଗୁଳି ଓ ଲୁହାବୁହା ଗ୍ୟାସର ପ୍ରୟୋଗ କରି ଲୋକଙ୍କ ପ୍ରତିବାଦକୁ ଚପାଇଦେବାକୁ ଚେଷ୍ଟା କରିଛି, ସେ ସରକାର ଇତିହାସ ଆଖିରେ କଳଙ୍କିତ ହୋଇ ରହିଛି। ଜରୁରୀ କାଳୀନ ପରିସ୍ଥିତିରେ ଏ ଦେଶର ଛାତ୍ର ଓ ସାଧାରଣ ଜନତାଙ୍କ ଉପରେ ହୋଇଥିବା ପୋଲିସ ଜୁଲମ କାରଣରୁ ଇନ୍ଦିରା ଗାନ୍ଧୀ ଏବେ ମଧ୍ୟ ଅଗଣତାନ୍ତ୍ରିକ ବୋଲି ବିବେଚିତ ହୁଅନ୍ତି। ମଣ୍ଡଳ ବିରୋଧୀ ଆନ୍ଦୋଳନରେ ଛାତ୍ର ଓ ଲୋକଙ୍କ ଉପରେ ହୋଇଥିବା ଜୁଲମ ଜନିତ ଆକ୍ରୋଶରୁ ବିଜେପିକୁ ସଫଳତା ମିଳିଥିଲା। ମନମୋହନ ସିଂ ସରକାର ଅମଳରେ ନିର୍ଭୟା ଘଟଣାକୁ ନେଇ ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ପୋଲିସ ଆକ୍ରମଣ ଯୋଗୁଁ ସରକାର ଅଧିକ ବଦନାମ ହୋଇଥିଲା।

ଆଜି ମୋଦୀ ସରକାର ନିଜେ ନିଜର ବଦନାମର ରାସ୍ତା ବାଛିଛି। ଲୋକଙ୍କ ଉପରେ ନିରନ୍ତର ଚାପ ପକାଇ ଦେଶପ୍ରେମୀ ହୁଅ ବୋଲି କହିଲେ, ଲୋକେ ହୁଏତ ଠାରେ ଦୁଇଥର ତାକୁ ସ୍ଵୀକାର କରିବେ। ହେଲେ ତାହା ଯଦି ଅଭ୍ୟାସଗତ ସୁବିଧାବାଦ ହୋଇଯାଏ, ତାହେଲେ ଲୋକେ ତାକୁ ବିରୋଧ କରିବା ସୁନିଶ୍ଚିତ। ଗୁଡାଏ ଛଳନା ଓ ବାହାନା ଦେଖାଇ ବିମୁଦ୍ରାକରଣ ଭଳି ଅତ୍ୟନ୍ତ ଏକଛତ୍ରବାଦୀ ଯୋଜନାକୁ ଦେଶର ଜନ ସାଧାରଣ ଗ୍ରହଣ କରିଥିଲେ, କାରଣ ସେତେବେଳେ ଲୋକେ ଭାବିଥିଲେ, ଏହା ଦ୍ଵାରା ହୁଏତ କଳାଧନ ଚାଲିଯିବ। ପରିଣତିରେ କଳାଧନ ତ ଗଲା ନାହିଁ, ଓଲଟି ଏହା ଦେଶର ଅର୍ଥନୀତିକୁ ଭୟଙ୍କର ବିପଦରେ ପକାଇଲା।

ଆଜିର ନାଗରିକତା ସଂଶୋଧନ ଆଇନ ଦେଶର ନେରୁଦଣ୍ଡକୁ ଦୋହଲାଇ ଦେଇଛି। ଧର୍ମ ଆଧାରରେ ଆଇନ ତିଆରି କରିବା ଭଳି ଭୟଙ୍କର ପ୍ରୟାସକୁ ଲୋକେ ବିରୋଧ କରୁଛନ୍ତି ଏବଂ କରିବା ଉଚିତ। ଏହାକୁ ନ ବୁଝି ସରକାର ଯଦି ଲୋକଙ୍କୁ ମାରିବେ ଓ ଲୋକଙ୍କ ଉପରେ ଜୁଲମ କରିବେ, ତାହେଲେ ନିଜ ବଦନାମ ଲାଗି ସରକାର ନିଜେ ହିଁ ଦାୟୀ ରହିବେ। ଭକ୍ତ ବା ଟ୍ରୋଲ କିମ୍ବା ପୋଷା ମିଡିଆ ବହୁତ ଦିନ ଯାଏ ସରକାରକୁ ବଦନାମ ହେବାର ପରିଣାମରୁ ବଞ୍ଚାଇ ପାରିବେ ନାହିଁ।