Categories
ଆଜିର ଖବର ଜାତୀୟ ଖବର

କଳା ବଜାରୀ ଗୁଜବ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଟିକେଟ୍ ଫେରାଇଲେ ବେଙ୍ଗଲ ରାଜ୍ୟପାଳ

କୋଲକାତା: କଳା ବଜାରୀ ଅଭିଯୋଗ ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଶନିବାର ଦିନ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ ପାଇଁ ଚାରିଟି ଟିକେଟ୍ ଫେରସ୍ତ କରିଛନ୍ତି। ରାଜ ଭବନର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଇଡେନ୍ ଗାର୍ଡେନ୍ ମ୍ୟାଚ୍ ପାଇଁ ଟିକେଟ୍ ରାଜ୍ୟପାଳଙ୍କୁ ବେଙ୍ଗାଲୁରୁ କ୍ରିକେଟ୍ ଆସୋସିଏସନ୍ (କ୍ୟାବ୍) ପ୍ରଦାନ କରିଛି।

ରାଜ ଭବନ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, “ରାଜ୍ୟପାଳ CAB କୁ ସୌଜନ୍ୟମୂଳକ ଉପହାର ଭାବରେ ଟିକେଟ୍ ଫେରସ୍ତ କରିଛନ୍ତି। ସେ ରାଜ ଭବନରେ ‘ଜନତା ଷ୍ଟାଡିୟମ’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଠାରେ ଲୋକମାନେ ଏକ ବିଶାଳ ପରଦାରେ ମ୍ୟାଚ୍ ଦେଖିପାରିବେ।”

ସେ କହିଛନ୍ତି ଯେ, “ମ୍ୟାଚ୍ ଦେଖିବା ପାଇଁ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୋଟ ୫୦୦ ଲୋକଙ୍କୁ ପ୍ରଥମ ଆସୁଥିବା ସେବାରେ ପ୍ରବେଶ ଅନୁମତି ଦିଆଯିବ। ପ୍ରଶଂସକମାନେ ରାଜ ଭବନ ଲନରେ ପ୍ରବେଶ ପାଇଁ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ।”

ଅଧିକାରୀ କହିଛନ୍ତି ଯେ, ରବିବାର ଭବନ ପାଇଁ ଟିକେଟ୍ କଳା ମାର୍କେଟିଂର ଅନେକ ଅଭିଯୋଗ ପାଇବା ପରେ ଆନନ୍ଦ ବୋଷ ଏହି ନିଷ୍ପତ୍ତି ନେଇଛନ୍ତି। ପୋଲିସ କହିଛି ଯେ, ନଭେମ୍ବର ୧ ତାରିଖରୁ ବେଆଇନ ଭାବେ ଟିକେଟ୍ ବିକ୍ରି କରି ୧୯ ଜଣଙ୍କୁ ଗିରଫ କରାଯାଇଛି।

Categories
ବିଶେଷ ଖବର

ଜାଣନ୍ତୁ ସିଏଏ-ଏନ୍‌ଆରସି ମଧ୍ୟରେ ଅନ୍ତର, କ’ଣ ଏହା ମୁସଲମାନ ବିରୋଧୀ? ଏନେଇ ରହିଥିବା କଠିନ ପ୍ରଶ୍ନର ଉତ୍ତର ରଖିଲେ ସରକାର

ସମୀକ୍ଷା ବ୍ୟୁରୋ

ଦେଶରେ ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ସାଧାରଣ ଜନତାଠାରୁ ଆରମ୍ଭ କରି ବିରୋଧୀ ଦଳମାନେ ସମେସ୍ତ ସଡକ ଉପରକୁ ଓହ୍ଲାଇଛନ୍ତି। ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶର ଅନେକ ସହରରେ ମଧ୍ୟ ଏହି ହିଂସ୍ରକ ପ୍ରଦର୍ଶନ ଜାରି ରହିଛି। ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ନୂତନ ଆଇନ୍‌ ସମ୍ବିଧାନ ବିରୋଧୀ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହି ସମସ୍ତ ବିରୋଧ ମଧ୍ୟରେ ମୋଦି ସରକାର ଏବେ ଏହି କାନୁନ୍‌ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସମେତ ପୂରା ସରକାର ଉପରେ ବିରୋଧୀଙ୍କ ଉପରେ ଏହି ଅଭିଯୋଗ କରିଛନ୍ତି ଯେ, ଆଇନକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜାଇବା ସହିତ ସଂଖ୍ୟାଲଘୁଙ୍କ ମନରେ ଏହି ଆଇନ ନେଇ ବିଦ୍ରୋହ ସୃଷ୍ଟି କରୁଛନ୍ତି।

ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ଉଠୁଥିବା ଅନେକଗୁଡ଼ିଏ ପ୍ରଶ୍ନର କିଛି ଉତ୍ତର ରଖିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ତରଫରୁ ଏଇ ନୂତନ ଆଇନ ନେଇ ସର୍ବମୋଟ ୧୩ ଟି ଉତ୍ତର ଆସିଛି। ଏହା ସହିତ ମୋଦି ସରକାର ସମସ୍ତ ଗଣମାଧ୍ୟମକୁ ସିଏଏ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ପାଇଁ ବିଜ୍ଞାପନ ମଧ୍ୟ ଦେଇଛନ୍ତି।

ଏହି ସମସ୍ତ ଉତ୍ତର ନାଗରିକତା ସଂଶୋଧନ ଆଇନ ଓ ନ୍ୟାସନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ ଅନ୍ତଗର୍ତ। ଏହି ଆଇନ ଲାଗୁ ହେବା ପରେ ଦେଶରେ କ’ଣ ପ୍ରଭାବ ପଡ଼ିବ, କ’ଣ ଏହି ନିୟମ ଅନୁସାରେ ମୁସଲମାନଙ୍କୁ ଡରିବାର ଆବଶ୍ୟକତା ରହିଛି କି? ଏନ୍‌ଆରସିରେ ନାଗରିକତା ପ୍ରମାଣ ଦେବା ପାଇଁ କ’ଣ କ’ଣ ଦସ୍ତାବିଜ୍‌ ବା ପ୍ରମାଣପତ୍ରର ଆବଶ୍ୟକତା ରହିଛି? ଏହି ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର।

ପ୍ରଶ୍ନ ୧ – କ’ଣ ସିଏଏ ଭିତରେ ଏନ୍‌ଆରସି ଅନ୍ତର୍ଗତ?

ଉତ୍ତର – ଏପରି କଦାପି ନୁହେଁ। ସିଏଏ  ଓ ଏନ୍‌ଆରସି ଦୁହେଁ ଭିନ୍ନ ଓ ଅଲଗା ପ୍ରକ୍ରିୟା। ସିଏଏ ସଂସଦରେ ପାରିଦ ହେବା ପରେ ସାରା ଦେଶରେ ଲାଗୁ ହୋଇସାରିଛି, କିନ୍ତୁ ଏନଆରସିର ନିୟମ ଓ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ହେବାକୁ ବାକି ରହିଛି। ଆସାମରେ ଯେଉଁ ଏନ୍‌ଆରସି ପ୍ରକ୍ରିୟା ଚାଲୁ ରହିଛି, ତାହା ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ଆସାମ ଚୁକ୍ତି ଅନୁଯାୟୀ କରାଯାଉଛି।

ପ୍ରଶ୍ନ ୨ – କ’ଣ ଭାରତୀୟ ମୁସଲମାନଙ୍କୁ ସିଏଏ ଓ ଏନ୍‌ଆରସିକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ରହିଛି?

ଉତ୍ତର – କୌଣସି ଧର୍ମର ଭାରତୀୟ ନାଗରିକଙ୍କୁ ଏହି ନୂତନ ନିୟମ ‘ସିଏଏ’ ବା ‘ଏନ୍‌ଆରସି’କୁ ନେଇ ବ୍ୟସ୍ତ ବିବ୍ରତ ହେବାର କିଛି କାରଣ ନାହିଁ।

ପ୍ରଶ୍ନ ୩ – କ’ଣ ଏନ୍‌ଆରସି କେବଳ ମୁସଲମାନ୍‌ଙ୍କ ପାଇଁ ଲାଗୁ?

ଉତ୍ତର – ବିଲ୍‌କୁଲ୍‌ ନୁହେଁ। ଏହାର କୌଣସି ଧର୍ମ ସହିତ କିଛି ବି ସମ୍ପର୍କ ନାହିଁ। ଏହା ସମସ୍ତ ଭାରତୀୟଙ୍କ ପାଇଁ। ଏହା କେବଳ ଭାରତୀୟଙ୍କ ପାଇଁ ଏକ ରେଜଷ୍ଟିର, ଯେଉଁଥିରେ ଦେଶର ସମସ୍ତ ନାଗରିକଙ୍କ ନାମ ରହିବ ।

ପ୍ରଶ୍ନ ୪ – କ’ଣ ଏନ୍‌ଆରସି କେବଳ ଧାର୍ମିକ ଆଧାର ଅନୁଯାୟୀ ଲୋକଙ୍କୁ ବାହାର କରାଯିବ?

ଉତ୍ତର –  ନା। ଏନ୍‌ଆରସିରେ କୌଣସି ଧର୍ମକୁ ଆଧାର ରୂପେ ନିଆଯାଇନାହିଁ। ଯେବେ ଏନଆରସି ଲାଗୁ କରାଯିବ, ତେବେ ଏହା ନାହିଁ କୌଣସି ଧର୍ମର ଆଧାର ଉପରେ ଲାଗୁ କରାଯିବ ନାହିଁ କେୌଣସି ଧର୍ମକୁ ଆଧାର କରାଯିବ। ଏପରିକି ଯଦି କିଏ କୌଣସି ବିଶେଷ ଧର୍ମକୁ ମାନୁଛନ୍ତି, ତେବେ ବି ସେମାନଙ୍କୁ ଏହି ନିୟମ ଆଧାରରେ ବାହାର କରାଯିବ ନାହିଁ।

ପ୍ରଶ୍ନ ୫ – କ’ଣ ଏନ୍‌ଆରସି ଜରିଆରେ ମୁସଲମାନଙ୍କୁ ଭାରତୀୟ ହେବାର ପ୍ରମାଣପତ୍ର ମଗାଯିବ?

ଉତ୍ତର – ସର୍ବପ୍ରଥେମ ଆପଣଙ୍କୁ ଏହା ଜାଣିବା ଦରକାର ଯେ, ରାଷ୍ଟ୍ରୀୟ ସ୍ତରରେ ଏନ୍‌ଆରସି ପରି କେୌଣସି ଔପଚାରିକ ଆରମ୍ଭ ହୋଇନାହିଁ। ସରକାର ଏହା ଉପରେ କୌଣସି ଔପଚାରିକ ଘୋଷଣା କରିନାହାନ୍ତି ଓ ଏହା ସମ୍ବନ୍ଧୀୟ କୌଣସି ନିୟମ ମଧ୍ୟ ପ୍ରସ୍ତୁତ କରିନାହାନ୍ତି। ଭବିଷ୍ୟତରେ ଯଦି ଏହାକୁ ଲାଗୁ କରାଯିବ, ତେବେ ଏଥିରେ  କୌଣସି ଭାରତୀୟଙ୍କୁ ପ୍ରମାଣପତ୍ର ମଗାଯିବ ନାହିଁ।

ଏନ୍‌ଆରସି ଏକ ପ୍ରକାର ଆଧାରକାର୍ଡ ରୂପେ ଦ୍ବିତୀୟ ପ୍ରମାଣପତ୍ର ପରି କାର୍ଯ୍ୟ କରିବ। ନାଗରିକତା ରେଜଷ୍ଟାରରେ ନିଜର ନାମ ପଞ୍ଜିକରଣ କରିବା  ପାଇଁ କୌଣସି ପ୍ରମାଣପତ୍ର ଦେଇପାରିବେ, ଯେପରିକି ଆପଣ ମତଦାନ କାର୍ଡ କିମ୍ବା ଆଧାର କାର୍ଡ ଦେଇପାରିବେ।

ପ୍ରଶ୍ନ ୬ – ନାଗରିକତା କିପରି ଦିଆଯିବ ? କ’ଣ ଏହି ପ୍ରକ୍ରିୟା ସରକାରଙ୍କ ହାତରେ ରହିବ?

ଉତ୍ତର – ନାଗରିକତା ନିୟମ ୨୦୦୯ ଆଧାରରେ ଯେକୌଣସି ବ୍ୟକ୍ତି ନାଗରିକତାକୁ ଦିଆଯାଇପାରିବ। ଏହି ନିୟମ ନାଗରିକତା ଆଇନ, ୧୯୫୫ ଆଧାରରେ ନିର୍ମିତ। ଏହି ନିୟମ ସାର୍ବଜନିକ ରୂପରେ ସମସ୍ତଙ୍କ ସାମ୍ନାରେ ରହିଛି। ଯେକୌଣସି ବ୍ୟକ୍ତି ଭାରତୀୟ ନାଗରିକ ହେବା ପାଇଁ ପାଞ୍ଚଟି ପ୍ରକାର ରହିଛି –

କ) ଜନ୍ମ ଆଧାରରେ ନାଗରିକତା

ଖ) ବଂଶ ଆଧାରରେ ନାଗରିକତା

ଗ) ପଞ୍ଜିକରଣ ଆଧାରରେ ନାଗରିକତା

ଘ) ଦେଶୀୟକରଣ ଆଧାରରେ ନାଗରିକତା

ଙ) ଭୂମି ବିସ୍ତାର ଆଧାରରେ ନାଗରିକତା

ପ୍ରଶ୍ନ ୭.  ଯଦି କେବେ ଏନ୍‌ଆରସି ଲାଗୁ ହେବ, ତେବେ କ’ଣ ଭାରତୀୟ ନାଗରିକତ୍ବ ପ୍ରମାଣ କରିବା ପାଇଁ ନିଜ ପିତାମାତାଙ୍କ ଜନ୍ମ ବିବରଣୀ ଦେବାକୁ ବାଧ୍ୟ ହେବେ?

ଉତ୍ତର – ଆପଣଙ୍କୁ ଆପଣଙ୍କ ଜନ୍ମ ବିବରଣୀ ଯେମିତିକି ଜନ୍ମ ତାରିଖ, ମାସ, ବର୍ଷ ଓ ସ୍ଥାନ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ଆପଣଙ୍କ ଜନ୍ମ ବିବରଣୀ ଉପଲବ୍ଧ ନାହିଁ ତେବେ ଆପଣଙ୍କ ମାତା ପିତାଙ୍କ ଜନ୍ମ ବିବରଣୀ ଦେବାକୁ ପଡ଼ିବ। କିନ୍ତୁ ମାତାପିତାଙ୍କ ଦ୍ବାରା ପ୍ରସ୍ତୁତ କରିଥିବା ପ୍ରମାଣପତ୍ର ଯୋଗ୍ୟ ହେବ ନାହିଁ। ଜନ୍ମ ତାରିଖ ଓ ଜନ୍ମସ୍ଥାନ ସମ୍ବନ୍ଧୀୟ କେୌଣସି ପ୍ରମାଣପତ୍ର ଆପଣଙ୍କୁ ନାଗରିକତ୍ବର ପ୍ରମାଣପତ୍ର ଦେବାକୁ ପଡ଼ିବ। କିନ୍ତୁ ଏଥିନିମେନ୍ତ କେୌଣସି ପ୍ରମାଣପତ୍ରର ନିର୍ଣ୍ଣୟ ହୋଇନାହିଁ। ଏଥିପାଇଁ ଭୋଟର କାର୍ଡ, ପାସପୋର୍ଟ, ଆଧାର, ଲାଇସେନ୍ସ, ବୀମାର ପେପର୍‌, ଜନ୍ମ ପ୍ରମାଣପତ୍ର, ସ୍କୁଲ ସାର୍ଟିଫିକେଟ୍‌, ଘରର କାଗଜପତ୍ର ଅବା କୌଣସି ସରକାରୀ ଅଧିକାରୀଙ୍କ ଦ୍ବାରା କିଛି ପ୍ରମାଣପତ୍ରକୁ ସାମିଲ୍‌ କରିବାର ସମ୍ଭାବନା ରହିଛି। ଏହି ପ୍ରମାଣପତ୍ରର ସୂଚୀ ଆହୁରି ଦୀର୍ଘ ହେବାର ସମ୍ଭାବନା ରହିଛି, କାରଣ ଭାରତୀୟ ନାଗରିକଙ୍କୁ ଯେପରି କୌଣସି ପ୍ରକାରର ଅସୁବିଧା ନହେବେ, ସେପରି କିଛି ପ୍ରମାଣପତ୍ର ଏଥିରେ ରଖିବାର ସମ୍ଭାବନା ରଖାଯାଇଛି।

ପ୍ରଶ୍ନ ୮ – ଯଦି ଏନ୍‌ଆରସି ଲାଗୁ ହେବ, ତେବେ କ’ଣ ୧୯୭୧ ପୂର୍ବରୁ ବଂଶାବଳୀର ପ୍ରମାଣ ଦେବାକୁ କ’ଣ ବାଧ୍ୟ?

ଉତ୍ତର – ଏପରି ନୁହେଁ। ୧୯୭୧ପୂର୍ବରୁ ବଂଶାବଳୀ ପାଇଁ ଆପଣଙ୍କ ପାଖରେ କୌଣସି ପ୍ରକାରର ପ୍ରମାଣପତ୍ର ତଥା ମାତାପିତା ତଥା ପୂର୍ବଜଙ୍କ ଜନ୍ମପ୍ରମାଣପତ୍ର ପରି କିଛି ପ୍ରମାଣପତ୍ର ପ୍ରସ୍ତୁତ କରିବାର ଆବଶ୍ୟକତା ନାହିଁ। ଏହା କେବଳ ଆସାମ ଏନ୍‌ଆରସି ପାଇଁ ମାନ୍ୟ ଅଟେ, ପୁନଶ୍ଚ ଏହା ‘ଆସାମଚୁକ୍ତି’ ଓ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଆଧାର ଉପରେ ଆଧାରିତ। ଦେଶର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ। ଏହା ଜାତୀୟ ନାଗରିକ ଅଧିକାର ନିୟମ ୨୦୦୩ ଆଧାରରେ ଏନ୍‌ଆରସିର ପ୍ରକ୍ରିୟା ପୂରାପୂରି ଭିନ୍ନ ଅଟେ।

ପ୍ରଶ୍ନ ୯ – ଯଦି ଆସାମରେ ଏହା ଏତେ ସହଜରେ ନାଗରିକ ଚିହ୍ନଟ କରିପାରିବ, ତେବେ ଆସାମରେ ୧୯ ଲକ୍ଷ ଲୋକ ଏନ୍‌ଆରସିରେ ବାହାର କେମିତି ହେଲେ?

ଉତ୍ତର – ଆସାମର ସମସ୍ୟାକୁ ପୂରା ଦେଶରେ ଯୋଡ଼ିବା ଠିକ୍‌ ନୁହେଁ। କାରଣ ସେଠାରେ ଅନୁପ୍ରବେଶକାରୀଙ୍କ ସମସ୍ୟା ଦୀର୍ଘଦିନରୁ ଚାଲିଆସିଛି। ଏହାର ବିରୋଧ ସେଠାରେ ୬ ବର୍ଷ ହେବ ଚାଲୁଛି। ଏହି ଅନୁପ୍ରବେଶକାରୀଙ୍କ ପାଇଁ ରାଜୀବ ଗାନ୍ଧି ସରକାରଙ୍କୁ ମଧ୍ୟ ଏକ ସମଝୋତା (ଚୁକ୍ତି)  କରିବାକୁ ପଡ଼ିଥିଲା। ଏପରିକି ସେଠାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ୨୫ ମାର୍ଚ, ୧୯୭୧କୁ  କଟ୍‌ ଅଫ୍‌ ଡେଟ୍‌ ରଖାଯାଇଛି, ଯାହା ଆଧାରରେ ଏନ୍‌ଆରସି ହୋଇଛି।

ପ୍ରଶ୍ନ ୧୦ – କ’ଣ ଏନ୍‌ଆରସି ପାଇଁ ପୁରୁଣା ପ୍ରମାଣପତ୍ର ମଗାଯିବ, ଯାହାକୁ ପ୍ରସ୍ତୁତ କରିବା କାଠିକର ପାଠ?

ଉତ୍ତର – ଚିହ୍ନଟ ପାଇଁ ବହୁତ ସାମାନ୍ୟ ପ୍ରମାଣପତ୍ର ଆବଶ୍ୟକ। ରାଷ୍ଟ୍ରୀୟ ସ୍ତରରେ ଏନ୍‌ଆରସିର ଘୋଷଣା ହେବା ସହିତ ଏଥିପାଇଁ ସରକାର ନିୟମ ଓ ନିର୍ଦ୍ଦେଶ ମଧ୍ୟ ପ୍ରସ୍ତୁତ କରିବେ । ଯାହା ଆଧାରରେ ଆପଣମାନେ ସହଜରେ ପ୍ରମାଣପତ୍ର ଦେଇପାରିବେ।

ପ୍ରଶ୍ନ ୧୧- ଯଦି କୌଣସି ବ୍ୟକ୍ତି ଅଶିକ୍ଷିତ ଅର୍ଥାତ୍‌ ଲେଖା ପଢା ଜାଣିନାହାନ୍ତି, ସେମାନେ କିପରି ଭାବରେ ନିଜକୁ ପ୍ରମାଣିତ କରିବେ ?

ଉତ୍ତର –ଏହି ମାମଲାରେ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣ ରୂପେ ଅନୁମତି ଦେବେ। ଏତଦ୍‌ବ୍ୟତୀତ ଅନ୍ୟ ପ୍ରମାଣପତ୍ର ଓ କମ୍ୟୁନିଟି ଭେରିଫିକେସନ୍‌ ଆଦିର ଅନୁମତି ଦିଆଯିବ। ଏକ ଉଚିତ ପ୍ରକ୍ରିୟାର ପାଳନ କରାଯିବ। କେୌଣସି ଭାରତୀୟ ନାଗରିକକୁ କୌଣସି ପ୍ରକାରର ଅସୁବିଧାରେ ପକାଇ ଦିଆଯିବ ନାହିଁ।

ପ୍ରଶ୍ନ ୧୨– ଭାରତରେ ଏକ ବଡ଼ ଅଂଶର ଏପରି ଲୋକ ରହିଛି, ଯେଉଁମାନଙ୍କ ପାଖରେ ଘର ନାହିଁ, ଗରିବ ଶ୍ରେଣୀର ଓ ପାଠ-ଶାଠ ମଧ୍ୟ ପଢିନାହାନ୍ତି, ଏପରିକି ସେମାନଙ୍କ ପାଖରେ ନିଜର ପ୍ରମାଣପତ୍ର କିଛି ନାହିଁ, ସେମାନଙ୍କ ପାଇଁ କ’ଣ କରାଯିବ?

ଉତ୍ତର–ଏହା ଭାବିବା ଠିକ୍‌ ନୁହେଁ। ଏପରି ଲୋକ କୌଣସି ନା କୌଣସି ଆଧାରରେ ଭୋଟ ଦେଉଛନ୍ତି ଓ ସରକାର ଏମାନଙ୍କୁ କିଛି କଲ୍ୟାଣକାରୀ ଯୋଜନାର ଲାଭ ମଧ୍ୟ ଦେଉଛନ୍ତି। ଏହି ଆଧାରରେ ଏମାନଙ୍କୁ ପ୍ରମାଣିତ କରାଯିବ।

ପ୍ରଶ୍ନ ୧୩ – କ’ଣ ଏନ୍‌ଆରସି କୌଣସି ତୃତୀୟ ଲିଙ୍ଗ, ନାସ୍ତିକ, ଆଦିବାସୀ, ଦଳିତ, ମହିଳା ଓ ଭୂମିହୀନଙ୍କୁ ଲୋକଙ୍କୁ ବାହାର କରିବ, ଯାହା ପାଖରେ କିଛି ପ୍ରମାଣପତ୍ର ନାହିଁ।

ଉତ୍ତର – ନା। ଏନ୍‌ଆରସି ଯେବେ ଲାଗୁ ହେବ, ତେବେ ଉପରୋକ୍ତ କୌଣସି ବି ବର୍ଗଙ୍କୁ ପ୍ରଭାବିତ କରିବ ନାହିଁ।

ନିଜକୁ ଭ୍ରମରେ ପକାନ୍ତୁନି, ଭୁଲ୍‌ ସୂଚନାର ଶିକାର ହୁଅନ୍ତୁନି, ନାଗରିକତା ସଂଶୋଧନ ଆଇନର ତଥ୍ୟକୁ ଠିକ୍‌ ରୂପେ ବୁଝନ୍ତୁ।

ନିଜ ସ୍ବାର୍ଥ ପାଇଁ ନିଜେ ଏହି ନିୟମକୁ ପଢନ୍ତୁ। କୌଣସି ଭ୍ରମାତ୍ମକ ଖବରକୁ ବିଶ୍ବାସକୁ ନିଅନ୍ତୁ ନାହିଁ। ଏହି ମାମଲାରେ ନିଜ ରାୟ ରଖନ୍ତୁ ବୋଲି ସରକାରଙ୍କ ଦ୍ବାରା ଏକ ବିଜ୍ଞାପନ ଦିଆଯାଇଛି।

ସୂଚନାଯୋଗ୍ୟ. କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା ଏହି ନୂତନ ଆଇନ ଆଧାରରେ ଆଫଗାନିସ୍ଥାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ୍‌, ଜୈନ୍‌, ବୌଦ୍ଧ, ଈଶାଇ, ଫାର୍ସୀ ଆଦି ସମୁଦାୟଙ୍କ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦିଆଯିବ। ଏତଦ୍‌ବ୍ୟତୀତ ନାଗରିକତା ମିଳିବାର ରଖାଯାଇଥିବା ସମୟସୀମା ୧୧ ବର୍ଷରୁ ହ୍ରାସ କରାଯାଇ ୬ ବର୍ଷକୁ କରିଦିଆଯାଇଛି। ଏହାକୁ ନେଇ ବିରୋଧୀମାନେ ସମ୍ବିଧାନର ଆର୍ଟିକିଲ୍‌ ୧୪ର ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରିଛନ୍ତି।

Categories
ବିଶେଷ ଖବର

ଏ ନିଆଁ ଲଗାଇଛି ଯିଏ, ତାକୁ ଲିଭାଇବାର ଦାୟିତ୍ଵ ମଧ୍ୟ ସେ ନେବା ଉଚିତ!!

କେଦାର ମିଶ୍ର

ଯେତେବେଳେ ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ସରକାର ସବୁଠୁ ବେଶି ଚିନ୍ତା କରିବାର ଆବଶ୍ୟକତା ଥିଲା, ସେତେବେଳେ ପୂରା ଦେଶର ମୁଣ୍ଡରେ ଅର୍ଥନୀତିକୁ ବାହାର କରି ଧର୍ମକୁ ପୂରେଇ ଦିଆଗଲାଦେଶରେ ଅନୁପ୍ରବେଶକାରୀଙ୍କୁ ସବୁଠୁ ବଡ ସମସ୍ୟା ଭାବରେ ଉପସ୍ଥାପନ କରାଯିବା ଓ ଧର୍ମ ଆଧାରରେ ଅନୁପ୍ରବେଶକାରୀଙ୍କୁ ନାଗରିକର ସ୍ଵୀକୃତି ଦେବା ଲାଗି ମୋଦୀ ସରକାର ହଠାତ ତତ୍ପର ହୋଇ ଉଠିବାର କାରଣ ଅବଶ୍ୟ ଅତ୍ୟନ୍ତ ସ୍ପଷ୍ଟଏହାକୁ ନେଇ ଦେଶର ସଙ୍ଖ୍ୟାଲଘୁଙ୍କ ମନରେ ଆଶଙ୍କା ସୃଷ୍ଟି ହେବ ଓ ଏହା ଦେଶର ଧର୍ମ ନିରପେକ୍ଷ ଆଦର୍ଶର ପରିପନ୍ଥୀ ବୋଲି ମୋଦୀ ସରକାର ଭଲ ଭାବରେ ଜାଣିଥିଲେଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିବିଧ ପ୍ରତିକ୍ରିୟା ପ୍ରକାଶ ପାଇବ ବୋଲି ମଧ୍ୟ ସ୍ପଷ୍ଟ ଜଣାଥିଲାହୁଏତ ପ୍ରତିକ୍ରିୟା ଏତେ ବ୍ୟାପକ ବା ଉଗ୍ର ହେବା କଥା ସରକାର ଭାବି ନଥିବେ। ହେଲେ ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷର ବାତାବରଣ ଆସିବ ଓ ତାହା ଆସୁ ବୋଲି ମୋଦୀ ସରକାର ଚାହିଁଛନ୍ତିଅର୍ଥନୀତି ତୁଳନାରେ ସାମ୍ପ୍ରଦାୟିକତାର ବିତର୍କକୁ ଜାଣିଶୁଣି ଲୋକଙ୍କ ଉପରେ ସରକାର ଲଦି ଦେଇଛନ୍ତି

ପ୍ରଥମରୁ ଏହାକୁ ନେଇ ମତ ପାର୍ଥକ୍ୟ ରହିବ ଓ ସୋସିଆଲ ମିଡିଆରେ ଏହାକୁ ନେଇ କିଛିଟା ରୋଚକ ବିତର୍କରେ କଥା ସରିଯିବ ବୋଲି ସରକାରଙ୍କ ଚିନ୍ତା ଥିଲାହିନ୍ଦୁ ବନାମ ମୁସଲମାନ ବିବାଦରେ ସରକାରଙ୍କର ମୂଳ ବିଫଳତାକୁ ନେଇ ଆଉ ପ୍ରଶ୍ନ ଯେମିତି ନଉଠେ ସରକାର ସେ ବ୍ୟବସ୍ଥା କରିବାକୁ ନାଗରିକତା ସଂଶୋଧନ ଆଇନ କୁ ହଠାତ ଆଣିଥିଲେତେବେ ଏ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଯେଉଁ ନିଆଁ ଲାଗିଛି, ସେଥିରେ ପୂରା ଦେଶର ସାମାଜିକ ସଂହତି ଓ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛିଗୋଟିଏ ପରେ ଗୋଟିଏ ରାଜ୍ୟକୁ ଏହି ଆଂଦୋଳନର ନିଆଁ ମାଡି ଚାଲିଛିଏହି ଆଇନ ବିରୋଧରେ ସ୍ଵତଃସ୍ଫୂର୍ତ୍ତ ବିରୋଧ ବଢି ଚାଲିଛି

ପରିସ୍ଥିତି ଏମିତି ହୋଇଛି ଯେ ଏବେ ସଂଖ୍ୟାଧିକ ରାଜ୍ୟରେ ଇଣ୍ଟରନେଟ କାଟି ଦିଆ ଯାଉଛି, କର୍ଫ୍ଯୁ ଲାଗୁ ହେଉଛି, ପୋଲିସର ଗୁଳି ଓ ଲାଠି ଚାଳନା ହେଉଛି, ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଉଛନ୍ତି ଓ ବ୍ୟାପକ ଧନ ଜୀବନ ବିପର୍ୟସ୍ତ ହେଉଛିଆରମ୍ଭରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାକୁ କେବଳ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି କହି ଆଡେଇଯିବାର ଉଦ୍ୟମ କରୁଥିଲେହେଲେ ଗତକାଲି ଦିଲ୍ଲୀ, ବାଙ୍ଗାଲୋର, ମାଙ୍ଗାଲୋର ଓ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଯେଉଁ ପ୍ରକାର ପ୍ରତିରୋଧର ଚିତ୍ର ଆସିଲା, ତାହା ସରକାରଙ୍କ ନିଦ ହଜାଇ ଦେବାକୁ ବାଧ୍ୟ।କେତେକ ଜାଗାରେ ପ୍ରତିରୋଧ ହିଂସ୍ର ହେଉଥିବାବେଳେ ଅନେକାଂସ୍ଥାନରେ ଏହା ସତ୍ୟାଗ୍ରହର ରୂପ ନେଉଛି। ଦେଶର ଖ୍ୟାତନାମା ବୁଦ୍ଧିଜୀବୀ ଓ ଲେଖକ ଏହି ଆନ୍ଦୋଳନ ଓ ସତ୍ୟାଗ୍ରହର ନେତୃତ୍ଵ ନେଉଛନ୍ତିବିଜେପିର ଟ୍ରୋଲ ବାହିନୀ ଏବଂ ପୁଲିସର ଲାଠି ଗୁଳିକୁ ବେଖାତିର କରି ଏ ଆନ୍ଦୋଳନ ତୀବ୍ର ହେଉଛି। ଗତକାଲି ପୋଲିସ ଗୁଳିରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କେତେକ ସ୍ଥାନରେ ସତ୍ୟାଗ୍ରହିମାନେ ପୋଲିସକୁ ଗୋଲାପ ଫୁଲ ଦେଇ ସତ୍କାର କରିଛନ୍ତି। ତାରି ଭିତରେ ଦେଶର ଜଣାଶୁଣା ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ପୋଲିସ ଅପବ୍ୟବହାର କରିବାର ଦୃଶ୍ୟ ନିଆଁରେ ଘିଅ ଢାଳିଛି।

ଆଜି କୌଣସି ରାଜନୈତିକ ଦଳ ବା ଗୋଷ୍ଠୀ ହାତରେ ଏହି ଆନ୍ଦୋଳନ ଆଉ ନାହଁଆପେ ଆପେ ଏ ଆନ୍ଦୋଳନ ଲୋକଙ୍କ ହାତକୁ ଚାଲି ଆସିଛିୟୁପିଏ ସରକାର ଅମଳରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଲୋକଙ୍କର ଯେଉଁ ପ୍ରକାର ଅଂଶିଦାରିତା ଦେଖିବାକୁ ମିଳିଥିଲା, ଏହି ଆନ୍ଦୋଳନ ଏବେ ସେ ଦିଗକୁ ଗତି କରୁଛିଏତେ ବ୍ୟାପକ ପ୍ରତରୋଧ ଓ ଜଣ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ସରକାର କଣ କରିବେ, ତାହା ଏବେ ସବୁଠୁ ଚିନ୍ତାର ବିଷୟ

ମୋଦୀ ସରକାର ନିଜ ନିଷ୍ପତ୍ତି ଯେ ବଦଳାଇବେ, ଏ ବିଶ୍ଵାସ କାହାର ନାହଁ। ତେଣୁ ଆଗାମୀ ଦିନରେ ପୋଲିସ ଲଗାଇ ଲୋକଙ୍କ ଉପରେ ଅଧିକ ଜୁଲମ କରାଯାଇପାରେ କିମ୍ବା ଅଧିକ ଆକ୍ରାମକ ଭାବେ ଏହାକୁ ରାଜନୈତିକ ସ୍ତରରେ ବିଜେପି ମୁକାବିଲା କରିପାରେତେବେ ମାତ୍ରାଧିକ ବଳ ପ୍ରୟୋଗ କରି ସରକାର ଯଦି ଜୁଲମ ଓ ଦମନ ଚଳାଇ ରଖନ୍ତି ତାହେଲେ, ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଉଗ୍ର ହେବ

ଆଜି ସରକାରଙ୍କର ପ୍ରଥମ ଦାୟିତ୍ଵ ହେବା ଉଚିତ, କେମିତି ଏ ନିଆଁ ପ୍ରଶମିତ ହେବ। ଦେଶର ଅର୍ଥନୀତିକୁ ଏ ପ୍ରକାର ଜନ ପ୍ରତିରୋଧ ଅଧିକ ପ୍ରଭାବିତ କରିବସରକାର ନିଜେ ଏ ନିଆଁ ଲଗାଇଛନ୍ତି, ତେଣୁ ଏ ନିଆଁ କୁ ପ୍ରଶମିତ କରିବାର ଦାୟିତ୍ଵ ମଧ୍ୟ ସରକାରଙ୍କର।          

 

Categories
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ କି?

କେଦାର ମିଶ୍ର

ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସଂସଦରେ ତାଙ୍କ ଦଳ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜାତୀୟ ନାଗରିକ ରେକର୍ଡ ବା ଏନଆରସିକୁ ସମର୍ଥନ କରିବ ନାହିଁ। ନବୀନ ବାବୁଙ୍କ ମତରେ ନାଗରିକତା ସଂଶୋଧନ ଆଇନରେ ଭାରତର କୌଣସି ନାଗରିକ ପ୍ରଭାବିତ ହେବେନାହିଁ, କାରଣ ଏହା କେବଳ ବିଦେଶୀଙ୍କ ପାଇଁ ଲାଗୁ ହେବ ବୋଲି ବ୍ୟବସ୍ଥା ରହିଛି। ଆପାତତଃ ନବୀନ ବାବୁ ଠିକ କହୁଛନ୍ତି। ନାଗରିକ ସଂଶୋଧନ ଆଇନର କୌଣସି ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବ ନାହିଁ। ତେବେ ଏହି ଆଇନକୁ ବିରୋଧ କରିବାର କାରଣ ଆଦୌ ସ୍ଵଦେଶୀ ବା ବିଦେଶୀ ନୁହେଁ, ବରଂ ଏହି ଆଇନକୁ ବିରୋଧ କରିବାର ଏକମାତ୍ର କାରଣ ହେଉଛି, ଏହା ନାଗରିକତାର ବିଚାର ପାଇଁ ଧର୍ମକୁ ଏକ ଯୋଗ୍ୟତା ଭାବେ ଗ୍ରହଣ କରିଛି। ଜଣେ ବିଦେଶୀ ଭାରତର ନାଗରିକତା ଗ୍ରହଣ କରିବାର ଏକମାତ୍ର ଯୋଗ୍ୟତା ହେଉଛି, ସେ ଆମର ସମ୍ବିଧାନକୁ ମାନିବା ସହିତ ଆମର ସାର୍ବଭୌମତ୍ଵକୁ ଅନ୍ତଃକରଣରେ ସ୍ଵୀକାର କରିବ। ଭାରତ ପ୍ରତି ସେ ନିଜର ନିଷ୍ଠା ଓ ପ୍ରେମ ପ୍ରମାଣିତ କରିଥିବ । ଏହା ବ୍ୟତୀତ ଅନ୍ୟ କୌଣସି ଯୋଗ୍ୟତା ନାଗରିକତା କ୍ଷେତ୍ରରେ ବିବେଚିତ ହେବା ଆମ ସମ୍ବିଧାନର ବିରୋଧାଚରଣ କରୁଛି ଓ କରିବ।

ସମ୍ବିଧାନର ଧାରା ୧୪ ଓ ୧୫ ଅନୁଯାୟୀ ସମାନତାର ଅଧିକାର ନାଗରିକତା କ୍ଷେତ୍ରରେ ସବୁଠୁ ଅପରିହାର୍ୟ ଉପାଦାନ। ଯେଉଁ ମାନଙ୍କୁ ନୂଆ ନାଗରିକତା ଦେବାର କଥା ଉଠିବ ସେଥିରେ ଧାରା ୧୪ ଓ ୧୫ ପ୍ରଯୁଜ୍ୟ ନୁହେଁ ବୋଲି ବିଜେପି ଯୁକ୍ତି କରୁଛି। ଏହି ଯୁକ୍ତି ପଛରେ ସବୁଠୁ ବଡ ଷଡଯନ୍ତ୍ର ରହିଛି। ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ଦେବା ପ୍ରସଙ୍ଗରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଗୋଟେ ଭିନ୍ନ ୟୁନିଟ ଭାବରେ ଗ୍ରହଣ କରିବାର କାରଣ କଣ? ବିଜେପିର ଯୁକ୍ତି ହେଲା ଏହି ତିନୋଟି ଦେଶ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହୋଇଥିବାରୁ ଏ ନିୟମ ଜରୁରୀ। ତେବେ ଆରବ ରାଜ୍ୟ ବା ଇଣ୍ଡୋନେସିଆ ବା ମାଲେସିୟା ଭଳି ଦେଶ କ୍ଷେତ୍ରରେ ଏହା ଲାଗୁ ହେବନାହିଁ କାହିଁକି? କାଲି ଇଣ୍ଡୋନେସିଆ ବା ମାଲେସିଆରେ ରହୁଥିବା ହିନ୍ଦୁ, ବୌଦ୍ଧ, ପାର୍ସି, ଶିଖ, ଜୈନ ବା ଖ୍ରୀଷ୍ଟିୟାନ ନିର୍ୟାତିତ ହୋଇ ଭାରତକୁ ଶରଣ ମାଗିଲେ ଆଉ ଗୋଟେ ଅଲଗା ନିୟମ ତିଆରି ହେବ କି? ଆମର ଅନ୍ୟ ତିନି ପଡୋଶୀ ମିଆଁମାର, ନେପାଳ ଓ ଶ୍ରୀଲଙ୍କାରେ ପାଇଁ ଏ ଆଇନ ଲାଗୁ ହେବନାହିଁ କାହିଁକି? ତିନୋଟି ନିର୍ଦ୍ଦିଷ୍ଟ ମୁସଲମାନ ବହୁଳ ଦେଶରୁ କେବଳ ଅଣ ମୁସଲମାନଙ୍କୁ ନାଗରିକତା ଦେବାର ସର୍ତ୍ତ ରଖିବା ଫଳରେ ଏହି ଆଇନ ଯେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଉଦ୍ଦେଶ୍ୟ କରି ତିଆରି ହୋଇଛି, ତାହା ଅତ୍ୟନ୍ତ ସ୍ପଷ୍ଟ। ଭାରତର ସମ୍ବିଧାନ ଧାର୍ମିକ ଉଦ୍ଦେଶ୍ୟ ରାଖୀ ତିଆରି ହୋଇଥିବା ଆଇନକୁ ସବୁବେଳେ ଅସ୍ଵୀକାର କରେ। ତେଣୁ ସମ୍ବିଧାନ ଆଧାରରେ ଏ ଆଇନକୁ ବିରୋଧ କରିବା ପ୍ରତ୍ୟେକ ଭାରତୀୟର ପ୍ରଥମ କର୍ତ୍ତବ୍ୟ।

ପୁନଶ୍ଚ ଏହି ଆଇନ ସହିତ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି। ଏହି ଆଇନ ଜନ୍ମ ନେଇଛି ଆସାମରେ ଜାତୀୟ ନାଗରିକ ରେକର୍ଡ ତିଆରି କରିବାର ନିର୍ବୋଧତାରୁ। ଆସାମରେ କୋଟି କୋଟି ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ବୋଲି ବିଜେପି ଓ ସଂଘ ପରିବାର ଯେଉଁ ପ୍ରଚାର କରୁଥିଲେ, ତାର ଅସଲ ମୁଖା ଆସାମ ଏନଆରସି ତଥ୍ୟ ଖୋଲି ଦେଇଥିଲା। ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରି ଆସାମରେ ଯେଉଁ ରେକର୍ଡ ପ୍ରସ୍ତୁତ କରାଗଲା ସେଥିରୁ ମାତ୍ର ୧୯ ଲକ୍ଷ ଲୋକ ନିଜର ନାଗରିକତା ପ୍ରମାଣିତ କରି ପାରିନାହାନ୍ତି। ବିଜେପିର ମୁଣ୍ଡ ବିନ୍ଧା ସେତେବେଳେ ଅଧିକ ବଢିଗଲା, ଯେତେବେଳେ ଜଣାପଡିଲା ଯେ ୧୯ ଲକ୍ଷ ଅନୁପ୍ରବେଶକାରୀଙ୍କ ଭିତରୁ ପ୍ରାୟ ୧୩ ଲକ୍ଷ ହିନ୍ଦୁ ବା ଅଣମୁସଲମାନ ରହିଛନ୍ତି। ସେମାନଙ୍କୁ ନାଗରିକତା ଦେବାର ଅଭିସନ୍ଧିରୁ ଏହି ବିଲ କୁ ଆଇନରେ ପରିଣତ କରିବାର ଯୋଜନା ଆରମ୍ଭ ହୋଇଥିଲା।

ସାରା ଦେଶ ଏହି ଆଇନକୁ ସାମ୍ବିଧାନିକ ଦୃଷ୍ଟିରୁ ବିରୋଧ କରୁଥିବା ବେଳେ ଆସାମ ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକ କୌଣସି ଅନୁପ୍ରବେଶକାରୀଙ୍କୁ ନାଗରିକତା ନ ଦେବାକୁ ଦାବି କରୁଛନ୍ତି। ତେଣୁ ଜାତୀୟ ନାଗରିକତା ରେକର୍ଡ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିବାର ଅର୍ଥ ହେଉଛି ନିଜକୁ ନିଜେ ପ୍ରବଞ୍ଚନା ଦେବା।

ଅମିତ ଶାହ ଅନେକ ଥର ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ରେକର୍ଡକୁ ଏକାଠି ଦେଖିବାର କଥା କହିଛନ୍ତି। ହଠାତ ଭାରତକୁ ଅନୁପ୍ରବେଶକାରୀଙ୍କର ଏକ ଦେଶ ବୋଲି କହିବାର ଏକ ଷଡଯନ୍ତ୍ର ଏବେ ଆରମ୍ଭ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରତ୍ୟେକ ନାଗରିକଙ୍କୁ ସନ୍ଦେହ କରାଯାଉ ବୋଲି ବିଜେପି ଓ ସଂଘ ପରିବାର ଚାହୁଁଛନ୍ତି। ବିଜେପିର ଏହି ଷଡଯନ୍ତ୍ର ପଛରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବୈଚାରିକ ଆଧାର ରହିଛି। ସେ ସମ୍ପର୍କରେ ନବୀନ ପଟ୍ଟନାୟକ ବା ବିଜୁ ଜନତା ଦଳ ଯଦି ଜାଣି ନାହାନ୍ତି, ତାହେଲେ ସେମାନେ ଇତିହାସ-ଅନ୍ଧ ବୋଲି ଆମକୁ ଭାବିନେବାକୁ ପଡିବ।

ନାଗରିକତା ସଂଶୋଧନ ଆଇନ ସହିତ ଜାତୀୟ ନାଗରିକ ରେକର୍ଡର ଗଭୀର ସମ୍ପର୍କ ରହିଛି। ଗୋଟାଏ କୁ ସମର୍ଥନ କରି ଆରଟିକୁ ବିରୋଧ କରିବାର ଅର୍ଥ ହେଉଛି, ଦେଶର ସମ୍ବିଧାନ ତିଆରି କରିଥିବା ମୌଳିକ ଧର୍ମନିରପେକ୍ଷ ଆଧାରକୁ ଦୋହଲାଇ ଦେବା।

Categories
ଆଜିର ଖବର

ମୁଁ ଷ୍ଟୁଡେଣ୍ଟସ୍‌ଙ୍କ ସହ ରହିଛି, କିନ୍ତୁ ସରକାର ଆଇନକୁ ନେଇ ପ୍ରଥମେ ସ୍ପଷ୍ଟତା ଆଣିବା ଦରକାର : ଆୟୁଷ୍ମାନ ଖୁରାନା

ନୂଆଦିଲ୍ଲୀ, 17/12: ଦିଲ୍ଲୀ ଜାମିଆ ବିଶ୍ବଦ୍ୟାଳୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନକୁ ନେଇ ହୋଇଥିବା ହିଂସା ଘଟଣାକୁ ନେଇ ଏବେ ସାରା ଦେଶ ସରଗରମ। ଏହି ଘଟଣାକୁ ନେଇ ଦେଶର ଅନେକ ବିଶ୍ବବିଦ୍ୟାଳୟ ମଧ୍ୟ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ ଅଭିନେତା ଆୟୁଷ୍ମାନ ଖୁରାନା କହିଛନ୍ତି ଯେ, ମୁଁ ଜଣେ ଛାତ୍ର ରହିଆସିଛି, ଦେଶର ଭବିଷ୍ୟ ନୁହେଁ, ବର୍ତ୍ତମାନ ବି ଛାତ୍ରଙ୍କ ହାତରେ ରହିଛି। ସେମାନେ ବୁଝି ବିଚାରି କିଛି କହିବାକୁ ଚାହାଁନ୍ତି। କିନ୍ତୁ ଏହା ହେଉଛି ଗାନ୍ଧିଙ୍କ ଦେଶ । ଆମକୁ ସ୍ବାଧୀନ ଭାବେ ଅଭିବ୍ୟକ୍ତି କରିବାର ସ୍ବାଧୀନତା ରହିଛି।

ଆୟୁଷ୍ମାନ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସରକାରର ଦାୟିତ୍ବ ହେଉଛି, ଯେଉଁ ବିଲ୍‌ ଆଣୁଛନ୍ତି, ତାହାକୁ ନେଇ ପ୍ରଥମେ ଛାତ୍ର ଓ ତାଙ୍କ ଭିତରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରନ୍ତୁ। ଯଦି ଅଳ୍ପସଂଖ୍ୟକ ଛାତ୍ର ସମୁଦାୟ ଏହି ବିଲ୍‌କୁ ନେଇ ଅସୁରକ୍ଷିତ ରହୁଛନ୍ତି, ତେବେ ସରକାର ପ୍ରଥମେ ସେହି କାରଣ ସମ୍ପର୍କରେ ଜାଣି ସେମାନଙ୍କର ଦ୍ବନ୍ଦ୍ବକୁ ଦୂର କରନ୍ତୁ।

ସୂଚନାଯୋଗ୍ୟ ଆୟୁଷ୍ମାନ ଜାମିଆ ବିଶ୍ବବିଦ୍ୟାଳୟର ଘଟଣାକୁ ନେଇ ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌କୁ ନେଇ ତାଙ୍କୁ ଉଭୟ ନକାରାତ୍ମକ ଓ ସକାରାତ୍ମକ କମେଣ୍ଟ ମିଳିଥିଲା। ସେ ଟୁଇଟ୍‌ରେ କହିଥିଲେ ଯେ, ଏବେ ଦେଶର ଷ୍ଟୁଡେଣ୍ଟସ୍‌ ଯେଉଁପରି ଅବସ୍ଥାରେ ରହିଛନ୍ତି, ତାକୁ ନେଇ ମୁଁ ବହୁତ ଦୁଃଖୀ ରହିଛି। ମୁଁ ଏହାର ନିନ୍ଦା କରୁଛି। ଆମ ସମସ୍ତଙ୍କୁ ବିରୋଧ ପ୍ରଦର୍ଶନ କରିବା ଦରକାର। ଆମକୁ ଆମର ସ୍ବାଧୀନ ଭାବେ ଅଭିବ୍ୟକ୍ତି କରିବାର ଅଧିକାର ରହିଛି। କିନ୍ତୁ ଆମେ ହିଂସା ବିରୋଧୀ ପ୍ରଦର୍ଶନ କରିବା ଉଚିତ୍‌ ନୁହେଁ। ଏମିତି କିଛି କରନ୍ତୁ ନାହିଁ, ଯାହା ଆମ ଦେଶର ସମ୍ପତ୍ତିକୁ ନଷ୍ଟ କରିବ। ଏହା ହେଉଛି ଗାନ୍ଧିଙ୍କ ଦେଶ। ଅହିଂସା ଉପାୟରେ ବିରୋଧ ପ୍ରଦର୍ଶନ କରିବା ଆବଶ୍ୟକ। ଲୋକତନ୍ତ୍ର ଉପରେ ଭରସା ରଖିବା ଆବଶ୍ୟକ। (ଏଜେନ୍ସି)

Categories
ଆଜିର ଖବର

ଦେଶରେ ନିଆଁ ଜଳୁଛି, କିନ୍ତୁ ଏମାନେ ପୋଷାକକୁ ଦେଖୁଛନ୍ତି : ମମତା ବାନାର୍ଜୀ

କଲିକତା, 17/12: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ମମତା କହିଛନ୍ତି ଯେ, ସାରା ଦେଶ ଜଳୁଛି, ସେମାନଙ୍କୁ ପୋଷାକ ଦେଖୁଛନ୍ତ। ରବିବାର ଝାରଖଣ୍ଡରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ମମତା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ, ଆପଣ ପୋଷାକରୁ କେମିତି କାହାର ପରିଚୟ କରିପାରିବେ । ଟୋପି ପିନ୍ଧିବା ଅର୍ଥ ନୁହେଁ ଯେ ସେ ମୁସଲମାନ । ଏହି ଅବସରରେ ମମତା ପ୍ରଶ୍ନ କରିଛନ୍ତି ଯେ, ମୋ ପୋଷାକରୁ କ’ଣ ଆପଣ କହିପାରିବେ ମୁଁ କିଏ ବୋଲି ?

ସୂଚନାଯୋଗ୍ୟ, ରବିବାର ଝାରଖଣ୍ଡରେ ଏକ ନିର୍ବାଚନୀ ରାଲିରେ ମୋଦି ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲ ଯେ, ହିଂସା ଉସୁକାଉଥିବା ଲୋକର ପରିଚୟ ତା’ ପୋଷାକରୁ ଜଣାପଡିଥାଏ। କଂଗ୍ରେସ ଓ ତାଙ୍କ ସାଥୀମାନେ ଏହାକୁ ନେଇ ଏକ ବିରାଟ ତୁଫାନ ସୃଷ୍ଟି କରିଛନ୍ତି। ଏହାକୁ ନେଇ ଦେଶ ସାରା ନିଆଁ ଲଗାଉଛନ୍ତି। ଏପରି ଲୋକଙ୍କ ପରିଚୟ ତାଙ୍କ ପୋଷାକରୁ ମିଳିଯାଉଛି। ଆଜି  ମମତା କଲିକତାର ଯାଧପୁରଠାରୁ ଏକ ଜାଦୁ ବାବୁ ବଜାର ପର୍ଯ୍ୟନ୍ତ ସିଏବିକୁ ନେଇ ଏକ ବିରୋଧୀ ରାଲି ବାହାର କରିଥିଲେ। ଏହି ରାଲିରେ ସାଂସଦ ମିମି ଚକ୍ରବର୍ତ୍ତୀ, ନୁସରତ୍‌ ଜହାଁ ପ୍ରମୁଖ ସାମିଲ୍‌ ରହିଥିଲେ। ମମତା ଏହି ଅବସରରେ  ନୋ କେବ୍‌, ନୋ ଏନ୍‌ଆରସି ଇନ୍‌ ବଙ୍ଗାଲ ବୋଲି  ନାରା ଦେଇଥିଲେ।   (ଏଜେନ୍ସି)

Categories
ଆଜିର ଖବର

ଆଇନ୍‌କୁ ହାତକୁ ନ ନେବା ପାଇଁ ଜନସାଧାରଣଙ୍କୁ ଅପିଲ୍‌ କଲେ ମମତା

କୋଲକାତା, ୧୪/୧୨: ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ପୂର୍ବ ଭାରତରେ ବିରୋଧ, ହିଂସା ଓ ଉତ୍ତେଜନା ଲାଗି ରହିଛି। ଦେଶରେ ଅଧିକାଂଶ ଭାଗରେ ଏହାକୁ ବିରୋଧ କରାଯାଉଛି। ପଶ୍ଚିମବଙ୍ଗରେ ମଧ୍ୟ ଏହାକୁ ନେଇ ବିରୋଧ ଦେଖାଦେଇଛି। ଏପରି ପରିସ୍ଥିତିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ କୌଣସି ପ୍ରକାରର ହିଂସା ସୃଷ୍ଟି ନ କରିବାକୁ ଅନୁରୋଧ କରିଛନ୍ତି।  ପଶ୍ଚିମବଙ୍ଗରେ ଏନ୍‌ଆରସି ଲାଗୁ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମମତା। ତେଣୁ ଏହି ନିୟମକୁ ବିରୋଧ କରି ଆଇନକୁ ହାତକୁ ନ ନେବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି । ପୁର୍ବ ଭାରତରେ ଦେଖାଦେଇଥିବା ବିରୋଧ ଯୋଗୁଁ ଭାରତୀୟ ଟ୍ରେନ୍‌ ଚଳାଚଳା ବିଶେଷ ଭାବରେ ବାଧାପ୍ରାପ୍ତ ହୋଇଛି। (ଏଜେନ୍ସି)

Categories
ଆଜିର ଖବର

ବିକ୍ଷୋଭ ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ : ଜାଣନ୍ତୁ ଟ୍ରେନ୍‌ ବାତିଲ୍‌ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ବର, ୧୪/୧୨:

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ବିରୋଧ ଲାଗି ରହିଥିବାବେଳେ ଏହା ଟ୍ରେନ୍‌ ଚଳାଚଳକୁ ପ୍ରଭାବିତ କରିଛି। ଓଡ଼ିଶାକୁ ଓ ଓଡ଼ିଶା ମଧ୍ୟ ଦେଇ ଯାତ୍ରା କରୁଥିବା  ଟ୍ରେନ୍‌ଗୁଡ଼ିକ ମଧ୍ୟରେ ଅଧିକାଂଶ ଟ୍ରେନ୍‌ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା ନୟାଵାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ନିମ୍ନ ଅନୁଯାଇ ପ୍ରଭାବିତ ହୋଇଛି ।

ଆଜି ହାଓଡ଼ାରୁ ବାତିଲ ହୋଇଥିବା ଟ୍ରେନ   –

୧. ୨୦୮୮୯ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ

୨. ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୩. ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୪. ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୫. ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୬. ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ

୭. ୧୨୮୬୦ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସଂଲଗ୍ନ ଟ୍ରେନ ବାତିଲ ଯୋଗୁଁ ପୁରୀରୁ ବାତିଲ ହେଉଥିବା ଟ୍ରେନ –

୧.  ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀ ଠାରୁ

୨.  ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତା କଲି ପୁରୀରୁ

୩. ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତା କଲି ପୁରୀରୁ

ଆଂଶିକ ବାତିଲ ହେଉଥିବା ଟ୍ରେନ –

ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗ୍ପୁର ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ  ।

ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ମେଛେଦIଠାରୁ ଫେରିବ ଓ ମେଛେଦI ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ  ।

ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ :

୧. ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରା ଠାରେ

୨. ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ଠାରେ

୩. ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରେ

୪. ପୁରୀ-ହାଓଡ଼ା ଧଉଳି ଏକ୍ସପ୍ରେସ କଟକ ଠାରେ

(ଏଜେନ୍ସି)

Categories
ଆଜିର ଖବର

ନାଗରିକତ୍ବ ବିଲ୍‌ ବିରୋଧରେ ମେଗା ରାଲିର ଆହ୍ବାନ କଲେ ମମତା

କଲିକତା,13/12 : ନାଗରିକତ୍ବ ବିଲ୍‌କୁ ଦେଶର ଉତ୍ତର ପୂର୍ବୀୟ ପ୍ରାନ୍ତରେ ବିରୋଧ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହା ବିରୋଧରେ ଏକ ମେଗା ରାଲିର ଆହ୍ବାନ ଦେଇଛନ୍ତି ମମତା ବାନାର୍ଜୀ । ଏହି ବିଲ୍‌କୁ ନେଇ ପୂର୍ବରୁ ଆସାମ ,ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଜାରି ରହିଥିବା ବେଳେ ମମତା ନିଜକୁ ଏହି ଧାରାରେ ସାମିଲ କରିଛନ୍ତି । ଏହି ସଂଶୋଧନ ବିରୋଧରେ ଏକାଧିକ ରାଲି କରିବାକୁ ଯାଉଛନ୍ତି ମମତା । ଏହି ବିଲ୍‌ ଦେଶର ବିଭାଜନ କରିଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଗୁରୁବାର ରାତିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି । (ଏଜେନ୍ସୀ)

Categories
ଆଜିର ଖବର

‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଉଠିଲା ଝଡ

ନୂଆଦିଲ୍ଲୀ, ୧୩/୧୨: ଆଜି ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରେପ୍ ଇନ ଇଣ୍ଡିଆ ବୟାନକୁ ନେଇ ଗୃହରେ ହଙ୍ଗାମା ହୋଇଛି। ଲୋକସଭାରେ ମଧ୍ୟ ରାହୁଲ କ୍ଷମା ମାଗନ୍ତୁ ବୋଲି ନାରା ଦିଆଯାଇଥିଲା। କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ୍‌ଙ୍କ ଏହି ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ରାହୁଲ୍‌ ଏପରି କହି ମହିଳାଙ୍କ ଅପମାନ କରିଛନ୍ତି ବୋଲି କହିଛନ୍ତି ସ୍ମୃତି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଡିସେମ୍ଵର ୧୨ରେ ଝାରଖଣ୍ଡରେ ଗୋଡ୍ଡାରେ ଏକ ରାଲିରେ ସମ୍ଵୋଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦି କହିଥିଲେ ଯେ, ଏବେ ଦୁନିଆ ଭାରତକୁ ‘ମେକ ଇନ୍‌ ଇଣ୍ଡିଆ ନୁହେଁ, ବରଂ ରେପ୍‌ ଇନ୍‌ ଇଣ୍ଡିଆ ନାମରେ ଜାଣୁଛି।  ରାହୁଲଙ୍କ ଏହି ବୟାନକୁ ନେଇ ପ୍ରବଳ ବିରୋଧ ହୋଇଛି।  ଅପରପକ୍ଷେର ରାହୁଲ୍‌ ଏଇ ବୟାନ ନେଇ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀକୁ ରେପ୍‌ କ୍ୟାପିଟାଲ୍‌ ବୋଲି କହିଥିଲେ। ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର, ସିଏବି ବିଲ୍‌କୁ ନେଇ  ଆସାମ–ତ୍ରିପୁରାରେ ଚାଲିଥିବା ହିଂସକ ଘଟଣା ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏପରି କରୁଛି ବୋଲି କହିଛନ୍ତି ରାହୁଲ୍‌। (ଏଜେନ୍ସି)

Categories
ଆଜିର ଖବର

ବାଂଲାଦେଶ ମନ୍ତ୍ରୀଙ୍କ ପରେ ଭାରତ ଗସ୍ତ ଋଦ୍ଦ କଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,13/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିରୋଧ କରି ଦୁଇ ବାଂଲାଦେଶ ମନ୍ତ୍ରୀ ନିଜର ଭାରତ ଗସ୍ତ ଋଦ୍ଦ କରିଥିବା ବେଳେ ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି ଧାରାରେ ସାମିଲ ହୋଇଛନ୍ତି । ଆସାମର ରାଜଧାନୀ ଗୌହାଟୀରେ ଭାରତ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ, ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଚାଲି ରହିଥିବାରୁ ଏହି ସମ୍ମିଳନୀ ହେବା ନେଇ ଆଶଙ୍କା ଦେଖା ଦେଇଛି । ରବିବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରବିବାର ଭାରତ ଗସ୍ତରେ ଆସିବାର ଥିଲା ମାତ୍ର ବର୍ତ୍ତମାନ ଆବେ ଭାରତ ଗସ୍ତ ଋଦ୍ଦ କରିବାର ଯୋଜନା କରୁଛନ୍ତି ବୋଲି ଜାପାନ ପକ୍ଷରୁ ପ୍ରକାଶ କରାଯାଇଛି । ଜାପାନ ପ୍ରଧାନନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ମିଳି ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ଆସାମ ଓ ତ୍ରିପୁରା ପରେ ମେଘାଳୟରେ ହିଂସା : ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ

ଶିଲଂ,13/12: ନାଗରିକତ୍ବ ବିଲ୍‌ରେ ସଂଶୋଧନକୁ ନେଇ ଭାରତର ଉତ୍ତର ପୂର୍ବୀୟ ସୀମା ଜଳୁଛି । ଦୁଇ ଦିନ ହେବ ଆସାମ ଏବଂ ତ୍ରିପୁରାରେ ହିଂସା ଲାଗି ରହିଥିବା ବେଳେ ଏହା ବର୍ତ୍ତମାନ ମେଘାଳୟକୁ ବ୍ୟାପିଛି । ମେଘାଳୟକୁ ଏହି ହିଂସା ବ୍ୟାପିବା ପରେ ସତର୍କତା ପଦକ୍ଷେପ ସ୍ବରୂପ ମେଘାଳୟରେ ଇଣ୍ଟରନେଟ ସେବା ଏବଂ ମୋବାଇଲ୍ ଏସଏମ୍‌ଏସ୍‌ ସେବା ବନ୍ଦ କରି ଦିଆଯାଇଛି । ଦୁଇ ଦିନ ପାଇଁ ଏହି ସେବା ବନ୍ଦ ରଖାଯାଇଛି । ଶିଲଂରୁ 250 କିମି ଦୂର ଓ୍ବିଲିୟମ୍‌ନଗରରୁ ଏହି ହିଂସା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ବିରୋଧ କରାଯାଇଥିଲା । ମେଘାଳୟ ପୋଲିସ୍‌ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ଟ୍ବିଟ୍ଟର ଜରିଆରେ ନିବେଦନ କରାଯାଇଛି ।(ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ : ଆଇନରେ ପରିଣତ ହେଲା ସିଏବି

ନୂଆଦିଲ୍ଲୀ,13/12 : ଶେଷରେ ଆଇନରେ ପରିଣତ ହେଲା ନାଗରକତ୍ବ ସଂଶୋଧନ ବିଲ୍‌ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ୍‌ଟି ଆଇନରେ ପରିଣତ ହୋଇଛି । ଗୁରୁବାର ବିଳମ୍ବିତ ରାତ୍ରରେ ରାଷ୍‌ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲେ । ପୂର୍ବରୁ ବିଲ୍‌ଟି ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ଏବଂ ଏହା ଆଇନରେ ପରିଣତ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲୋକସଭାରେ ଏହି ବିଲ୍‌ଟି ସୋମବାର ପାଶ୍‌ ହୋଇଥିବା ବେଳେ ବୁଧବାର ଦିନ ରାଜ୍ୟସଭାରେ ପାଶ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହି ନିୟମ ଅନୁଯାୟୀ ଭାରତରେ 6 ବର୍ଷରୁ ଅଧିକ ଦିନ ଅବସ୍ଥାନ କରିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସଲିମ ନାଗରିକଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ ।(ଏଜେନ୍ସୀ)

Categories
ଆଜିର ଖବର

ଆସାମରେ କର୍ଫ୍ୟୁ : ପରସ୍ଥିତି ନିୟନ୍ତ୍ରଣ ପାଇଁ ଆସାମ ଓ ତ୍ରିପୁରାରେ 8 କମ୍ପାନୀ ସେନା ମୁତୟନ

ନୂଆଦିଲ୍ଲୀ, 12/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକରେ ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ଠାରୁ ଆସାମରେ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରାଯାଇଥିବା ବେଳେ ଗୁରୁବାର 8 କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି । ନାଗରିକତ୍ବ ବିଲ ସଂଶୋଧନକୁ ନେଇ ସମ୍ପୂର୍ଣ୍ଣ ଆସାମରେ ଆନ୍ଦୋଳନ ଚାଲିଥିବା ବେଳେ 70ରୁ ଅଧିକ ଟ୍ରେନ୍‌ ଏବଂ 30ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ଆସାମ ସମେତ ତ୍ରିପୁରାରେ ମଧ୍ୟ 3 କମ୍ପାନୀ ଯବାନ ମୁତୟନ କରାଯାଇଛି । ଆସାମରେ ଶାନ୍ତି ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।(ଏଜେନ୍ସୀ)

Categories
ଫଟୋ ଖବର

ରାଜ୍ୟସଭାରେ ବିଭିନ୍ନ ଦଳର ସାଂସଦଙ୍କ ଚାର୍ଟ

Rajya Sabha Number Cruncher. (IANS Infographics)

Categories
ଫଟୋ ଖବର

ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିରୋଧ କରି ସଂସଦର ଗାନ୍ଧୀ ମୂର୍ତ୍ତି ତଳେ ବାମ ଦଳଙ୍କ ପ୍ରତିବାଦ

New Delhi: Left Parties protest against Citizenship (Amendment) Bill, or CAB in front of Mahatma Gandhi statue at the Parliament in New Delhi on Dec 10, 2019. (Photo: IANS)