Categories
ଆଜିର ଖବର ଜାତୀୟ ଖବର

ଦିଦିଙ୍କ ଗଡରେ ଶାହାଙ୍କ ଋଣ ହୁଙ୍କାର

କୋଲକାତା : ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍‌ ଶାହା । ଦିଦିଙ୍କ ଗଡରେ ଅମିତ୍‌ ଶାହା ମମତାଙ୍କ ଉପରେ ବରଷିଛନ୍ତି । ମଦିନାପୁରଠାରେ ହୋଇଥିବା ଆଜି ରାଲିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ଟିଏମ୍‌ସିର ଟାଣୁଆ ନେତା ଥିବା ଶୁଭେନ୍ଦୁ ଅଧିକାରୀ ଆଜି ବିଧିବଦ୍ଧ ଭାବେ ବିଜେପିର ହାତ ଧରିଛନ୍ତି ।  ଆଜି ଶାହାଙ୍କ ମିଦାନପୁର ରାଲିରେ 11 ଜଣ ନେତା ବିଜେପି ହାତ ଧରିଛନ୍ତି । ଦୀର୍ଘ ସମୟ ଧରି ଟିଏମ୍‌ସିର ବିଶ୍ବସ୍ତ ନେତା ଥିବା  ଶୁଭେନ୍ଦୁ ଅଧିକାରୀ ଆଜି ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ବ୍ୟତୀତ ଟିଏମ୍‌ସି ସାଂସଦ ସୁନୀଲ୍‌ ମଣ୍ଡଲ ମଧ୍ୟ ବିଜେପିର ହାତ ଧରିଛନ୍ତି ।  କଂଗ୍ରେସ ଓ ବାମ ଦଳର 10 ଅନ୍ୟ ବିଧାୟକମାନେ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି ।

ଅନ୍ୟପଟେ ବିଜେପିରେ ମିଶିବା ଉପରେ ମମତାଙ୍କୁ ଟାର୍ଗେଟ କରି ଶୁଭେନ୍ଦୁ। ବଙ୍ଗ ଦଖଲ ପାଇଁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ। ଆଜି ମିଦନାପୁରରେ ଅନ୍ୟ ନେତାଙ୍କ ସହିତ ଜଣେ ଚାଷୀଙ୍କ ଘରେ ଭୋଜନ କରିଥିଲେ ଶାହ। ଏହି ଅବସରର ଶାହା କହିଛନ୍ତି ଯେ, ନିର୍ବାଚନ ବେଳକୁ ମମତା ଏକାକୀ ରହିଯାଇଥିବେ।

Categories
ଆଜିର ଖବର ଜାତୀୟ ଖବର

ବଢୁଛି ମମତାଙ୍କ ଅଡୁଆ : ଦୁଇ ଦିନରେ ତିନି ବିଧାୟକଙ୍କ ଇସ୍ତଫା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆଜି ଜଣେ ଟିଏମସି ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି । ଗତକାଲି ଦୁଇ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିଥିବା ବେଳେ ଆଜି ଆଉ ଜଣେ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି । ଗତକାଲି ଦୁଇ ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବଂ ଜିତେନ୍ଦ୍ର ତିୱାରୀ ନିଜର ଇସ୍ତଫା ପ୍ରଦାନ କରିଥିଲେ । ଶୁକ୍ରବାର ସକାଳୁ ବିଧାୟକ ଶିବଭଦ୍ର ଦତ୍ତ ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।

ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଏହି ବିଧାୟକ ମାନେ ଇସ୍ତଫା ପ୍ରଦାନ କରିଥିବାରୁ ସମସ୍ତେ ବିଜେପିରେ ଯୋଗ ଦେଇ ପାରନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ 2021 ମସିହାରେ ହେବାକୁ ରହିଛି । ଏହି ସମୟରେ ଜଣକ ପରେ ଜଣେ ବିଧାୟକଙ୍କ ଇସ୍ତଫା ଦିଦିଙ୍କ ଚିନ୍ତା ବଢାଇଛି । 2016 ବିଧାନସଭାରେ ତୃଣମୂଳର ସଫଳତାରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ ଭୂମିକା ରହିଥିବା ବେଳେ ସେ ବିଜେପିରେ ଯୋଗ ଦେଲେ ବିଜେପିର ଶକ୍ତି ବୃଦ୍ଧି ଘଟିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ପଶ୍ଚିମ କଲିକତାରେ ଅଧିକାରୀଙ୍କ ପ୍ରଭାବ ଅଧିକ   । ଏହି ଅଞ୍ଚଳରେ ପ୍ରାୟ 50 ଆସନରେ ଅଧିକାରୀଙ୍କ ଦବଦବା ଜାରି ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ 31 ଯାଏ ଲକଡାଉନ୍ ବଢାଇଲା ଏହି ରାଜ୍ୟ, କାହିଁକି ନେଲେ ଏପରି ନିଷ୍ପତ୍ତି ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଲକଡାଉନକୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦେଶରେ ଲଗାତର ଭାବରେ  କରୋନାର ପ୍ରକୋପ ବୃଦ୍ଧିକୁ   ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଜୁଲାଇ 31 ପର୍ଯ୍ୟନ୍ତ ରାଜ୍ୟରେ ଟ୍ରେନ୍ କିମ୍ବା ମେଟ୍ରୋ ସେବା ବନ୍ଦ ରହିବ। ଏହାସହ ସ୍କୁଲ୍ ଓ କଲେଜ୍ ମଧ୍ୟ ବନ୍ଦ ରଖାଯିବ। ଏପରିକି କାର୍ଯ୍ୟାଳୟରେ ସାମାଜିକ ଦୂରତା ସହ ଯେପରି କାମ ଚାଲୁଛି, ତାହା ଜାରି ରହିବ।

ସୂଚନୋଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 15,173ରେ ପହଞ୍ଚିଛି। ରାଜ୍ୟରେ କୋରୋନ ଜନିତ ମୃତ୍ୟୁ ସଂଖ୍ୟା 591କୁ ବୃଦ୍ଧି ହୋଇଛି। (ଏଜେନ୍ସି)

Categories
ବିଶେଷ ଖବର

ଦୋଷ ଲଦିବାର ରାଜନୀତି ଅପେକ୍ଷା କରୋନା ମୁକାବିଲା ଲାଗି ରାଜ୍ୟମାନେ ପରସ୍ପରର ସହଯୋଗୀ ହେବା ଜରୁରୀ 

କେଦାର ମିଶ୍ର

ସାରା ପୃଥିବୀରେ କରୋନା ଭୂତାଣୁର ମୁକାବିଲା ବେଳେ ଗୋଟେ ବିଚିତ୍ର ରାଜନୈତିକ ଚିତ୍ର ଆମେ ଦେଖୁଛୁ। କରୋନା ମୁକାବିଲାରେ ସଂପୂର୍ଣ୍ଣ ବିଫଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏଥିପାଇଁ କେତେବେଳେ ତାଙ୍କର ପୂର୍ବସୂରୀ ବାରାକ ଓବାମାଙ୍କୁ ଦାୟୀ କରୁଛନ୍ତି ତ ଆଉ କେତେବେଳେ ଚୀନ କୁ ଏଥିପାଇଁ ଦାୟୀ କରୁଛନ୍ତି। କେବେ କେମିତି ସେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଙ୍ଘକୁ ମଧ୍ୟ ଏଥିଲାଗି ଦାୟୀ କରୁଛନ୍ତି। ହେଲେ ନିଜ ଦେଶର ଜଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ତାଙ୍କ ପ୍ରଶାସନର ବିଫଳତାକୁ ସେ ସ୍ଵୀକାର କରୁନାହାନ୍ତି। ସେମିତି ଭାରତରେ କରୋନା ସଂକ୍ରମଣ ଲାଗି କେତେବେଳେ ବିଦେଶୀ, ପୁଣି କେତେବେଳେ ତବଲିଗି ଜମାତକୁ ଦାୟୀ କରି ପ୍ରଚାର ଚାଲିଛି। ହେଲେ ଅସଲ ସତ୍ୟ ହେଉଛି କରୋନା ଭୂତାଣୁ କୌଣସି ରାଜନୈତିକ ସୀମା ଭିତରେ ନାହିଁ। ଏହା ପୃଥିବୀର ସବୁ ଧର୍ମ, ସବୁ ଦେଶ ଓ ସବୁ ବର୍ଗଙ୍କୁ ଆକ୍ରମଣ କରି ଚାଲିଛି। ତେଣୁ ଦେଶ ଦେଶ ଭିତରେ ଶତ୍ରୁତା ଅପେକ୍ଷା ଆଜି ସହଯୋଗୀ ହେବାର ଆବଶ୍ୟକତା ବେଶୀ।

ଗତ ସପ୍ତାହରେ ହଠାତ ଓଡିଶାରେ ଆକ୍ରାନ୍ତଙ୍କର ସଂଖ୍ୟା ବଢିଯାଇଛି। ଆଜି ସୁଦ୍ଧା ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ସପ୍ତାହରେ ପ୍ରାୟ ୨୪ ଜଣ ଆକ୍ରାନ୍ତଙ୍କର “କଲିକତା ସଂଯୋଗ” ବା “ବେଙ୍ଗଲ ଯାତ୍ରା” ର କଥା ଉଠିଛି। ଏହି ସମୟରେ ଚିହ୍ନଟ ହୋଇଥିବା ଲୋକଙ୍କ ଭିତରୁ ଅଧିକାଂଶ କଲିକତା କିମ୍ବା ସୀମାନ୍ତ ପଶ୍ଚିମ ବଙ୍ଗ ଅଞ୍ଚଳରୁ ଆସିଛନ୍ତି। ତେବେ ଏଥିପାଇଁ ପଶ୍ଚିମବଙ୍ଗ ହିଁ ଓଡିଶାରେ କରୋନା ସଂକ୍ରମଣ ପାଇଁ ଦାୟୀ ବୋଲି କହିବା ଠିକ ହେବ କି? ଭାରତର ବିଭିନ୍ନ ରାଜ୍ୟ ଭିତରେ ଯିବା ଆସିବା ଏକ ସାଧାରଣ ବ୍ୟବସ୍ଥା। ଲକ ଡାଉନ ସମୟରେ ଏହା ବନ୍ଦ ରହିଥିଲେ ମଧ୍ୟ ବିଭିନ୍ନ ସ୍ତରରେ ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିଛି। ଭୂତାଣୁ ସଂକ୍ରମଣ ଲାଗି ଏକ ନିର୍ଦ୍ଦିଷ୍ଟ ରାଜ୍ୟକୁ ଦାୟୀ କରିବା କେବଳ ପିଲାଳିଆମୀ ନୁହେଁ, ଏହା ନିର୍ବୋଧତା।

ପଶ୍ଚିମ ବଙ୍ଗରୁ ଯେଉଁମାନେ ଫେରିଛନ୍ତି, ସେମାନେ ସମସ୍ତେ ଓଡିଆ। ତେଣୁ ସେ ଦିଗ ପ୍ରତି ଆମେ ଅଧିକ ସଂବେଦନ ରହିବା ଉଚିତ। କୋଟି କୋଟି ଲୋକ ଏବେ ଲକ ଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ହୁଏତ ଯୋଗାଡଯନ୍ତ୍ର କରି ନିଜ ଘରକୁ ଫେରି ଆସୁଛନ୍ତି। ସେମାନଙ୍କ ଭିତରେ କିଛି ସଂକ୍ରମିତ ମଧ୍ୟ ଅଛନ୍ତି। ସେମାନଙ୍କ ଭିତରେ କିଏ ଓଡିଆ, କିଏ ବଙ୍ଗାଳୀ, ତାହା ଜଣା ପଡିବ ନାହିଁ। କରୋନାକୁ ଭୌଗୋଳିକ, ସାମାଜିକ ଏବଂ ଧାର୍ମିକ ବନ୍ଧନୀରେ ବାନ୍ଧିବାକୁ ଚେଷ୍ଟା କଲେ ଆମେ ଏହାର ମୁକାବିଲା କରି ପାରିବା ନାହିଁ।

ଆଜି ହଠାତ ପଶ୍ଚିମବଙ୍ଗ କୁ ଦୋଷ ଦେଇ ଆମେ ଗଣମାଧ୍ୟମରେ କିମ୍ବା ସୋସିଆଲ ମିଡିଆରେ ବଡ ବଡ କଥା କହୁଛେ। ଏ କଥା କହିଲା ବେଳେ ଭୁଲି ଯାଆନ୍ତୁ ନାହିଁ ଯେ ଲକ୍ଷ ଲକ୍ଷ ଓଡିଆ ଆଜି ବି କଲିକତାରେ ଅଛନ୍ତି ଓ ପଶ୍ଚିମ ବଙ୍ଗ ସହିତ ଆମର ରୋଜ ଯିବା ଆସିବା ରହିଛି। ଦେଶ ଭିତରେ ରାଜ୍ୟ ରାଜ୍ୟକୁ ନେଇ ବିଭାଜନ ରେଖା ଟାଣିବା ଆମକୁ ମହଙ୍ଗା ପଡିବ। କେହି କେହି ଏହି ଘଟଣାରେ ପଶ୍ଚିମ ବଙ୍ଗ ସରକାରଙ୍କୁ ଖଳ ନାୟକ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତ୍ୟେକ ରାଜ୍ୟ ସରକାର ନିଜ ନିଜ ଲୋକଙ୍କୁ ସୁରକ୍ଷା ଦେବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ତେଣୁ ସବୁ ରାଜ୍ୟ ସରକାରଙ୍କ ଭିତରେ ସହଯୋଗର ସମ୍ପର୍କ ଆଜି ଜରୁରୀ। ଯେଉଁମାନେ ଆନ୍ତଃ ରାଜ୍ୟ ସୀମା ସିଲ ହୋଇନାହିଁ କାହିଁକି ବୋଲି ପ୍ରଶ୍ନ କରୁଛନ୍ତି, ସେମାନେ ଦେଶ ଭିତରେ ରାଜ୍ୟ ଗୁଡିକର ସୀମା କେମିତି ଥାଏ, ତାହା ବୋଧହୁଏ ଜାଣନ୍ତି ନାଇଁ। କେବଳ ଜାତୀୟ ରାଜପଥକୁ ଛାଡି ଦେଲେ ଅନ୍ୟ ସବୁ ରାସ୍ତା ଓ ସୀମାକୁ ସିଲ କରିବା ସମ୍ଭବ କି?

ଭାରତ ହେଉଛି ରାଜ୍ୟମାନଙ୍କର ଏକ ସଂଘ। ତେଣୁ ଏଠି ରାଜ୍ୟ ରାଜ୍ୟ ଭିତରେ ସୀମାରେଖା କେବଳ ଏକ ରାଜସ୍ୱ ଆବଶ୍ୟକତା। ଏହାକୁ ଆମେ ପାକିସ୍ତାନ ବା ଚୀନର ସୀମା ବୋଲି ଭାବିବା ଉଚିତ ନୁହଁ। ପଶ୍ଚିମ ବଙ୍ଗ ଓ ଓଡିଶା ଭିତରେ ପ୍ରାୟ ୫୦୦ କିଲୋମିଟର ର ସୀମାରେଖା ରହିଛି। ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ। ସେ କଥା ଭାବିବା ମଧ୍ୟ ମୂର୍ଖାମୀ। ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିବ ଓ ଏହାକୁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ଆମଲାଗି ସବୁଠୁ ବଡ ଆହ୍ଵାନ ହେଉଛି, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ କଣ କଣ କରିପାରିବା। ଆଜି ସଂକ୍ରମଣ ଗୋଷ୍ଠୀ ସ୍ତରରେ ପହଞ୍ଚି ସାରିଛି। ଲକ ଡାଉନ ମାଧ୍ୟମରେ ତାକୁ କିଛିଟା ନିୟନ୍ତ୍ରଣରେ ସିନା ରଖିହେବ,  ହେଲେ ଏହାକୁ ସମୂଳେ ମାରି ହେବନାଇଁ।

ଧର୍ମ, ଗୋଷ୍ଠୀ ଓ ରାଜ୍ୟ ଗୁଡିକ ଏବେ ପରଷ୍ପରର ସହଯୋଗୀ ହୋଇ କାମ କରିବାର ସମୟ ଆସିଛି। ତାହା ନକରି ପରଷ୍ପରକୁ ଦୋଷ ଦେବାର ରାଜନୀତି କଲେ ଆମେ ନିଜେ ନିଜ ଗୋଡରେ କୁରାଢି ମାରିବା।

Categories
ଆଜିର ଖବର ଜାତୀୟ ଖବର

ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଲେ ମମତା

କୋଲକତା : ଦେଶରେ କରୋନା ମୁକାବିଲା ପାଇଁ 21 ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯିବା ସହ ସାମାଜିକ ଦୂରତ୍ବ ରଖିବାକୁ ଅନୁରୋଧ କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅପିଲ୍‌ କରିଛନ୍ତି । ଯଦି ଘରୁ ବାହାରୁଛନ୍ତି ତେବେ ସୋସିଆଲ୍‌ ଡିଷ୍ଟାସିଂ ବା ସାମାଜିକ ଦୂରତ୍ବ ରଖିବାକୁ କହିଛନ୍ତି।  ମୋଦିଙ୍କ କଥାକୁ ସମେସ୍ତ ଗ୍ରହଣ କରୁଥିବାର ଦେଖାଯାଉଛି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ ସାମାଜିକ ଦୂରତ୍ବ ରଖିବା ନିମେନ୍ତ ନିଜ ନିଜ କ୍ଷେତ୍ରରେ ବହୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ରାସ୍ତାକୁ ଆସି ଲୋକଙ୍କୁ ଏହି ସମ୍ବନ୍ଧରେ ସଚେତନ କରୁଛନ୍ତି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଆସି ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଛନ୍ତି । ଏକ ଫଳ ମାର୍କେଟ୍‌କୁ ମମତା ଯାଇ ସେଠାରେ ଗୋଲାକାର ବୃତ୍ତ ଅଙ୍କନ କରି ସାମାଜିକ ଦୂରତ୍ବ ନିମେନ୍ତ ନିଜ ଭିତରେ ଅତି କମ୍‌ରେ 1 ମିଟର ଦୂରତ୍ବ ରଖିବା ନିମେନ୍ତ ଲୋକଙ୍କୁ ବୁଝାଇଥିଲେ । ଦୋକାନ ଆଗରେ ନିର୍ମିତ ହୋଇଥିବା ଗୋଲାକାର ବୃତ୍ତ ମଧ୍ୟରେ ଛିଡା ହୋଇ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ କହିଥିଲେ । ମମତା ରାସ୍ତା ଉପରେ ଲୋକଙ୍କୁ ଏପରି ସଚେତନ କରାଉଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି । ମମତା ଧଳା ଶାଢି ପିନ୍ଧିଥିବାବେଳେ ମୁହଁରେ ରୁମାଲ୍‌ ବାନ୍ଧି ରାସ୍ତାକୁ ଆସିଥିବାବେଳେ ଲୋକଙ୍କୁ ସାମାଜିକ ଦୂରତ୍ବ ରଖିବା ନେଇ ଅପିଲ୍‌ କରିଥିଲେ ।

ଲକ୍‌ ଡାଉନ୍‌ ସମୟରେ ଲୋକଙ୍କର ଯେପରି କିଛି ଅସୁବିଧା ନହୁଏ, ସେଥିପ୍ରତି ସରକାର ସଜାଗ ଅଛନ୍ତି ବୋଲଇ କହିଛନ୍ତି ମମତା । ସମସ୍ତ ପୋଲିସ୍‌ ଷ୍ଟେସନ୍‌ ଲୋକଙ୍କ ଘର ଦୁଆର ମୁହଁରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟ ମାଜିଷ୍ଟ୍ରଟ୍‌ ଓ ପୋଲିସ୍‌ ଅଧୀକ୍ଷକଙ୍କ ଦାୟିତ୍ବରେ କରାଯାଉଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 694 ରହିଥିବାବେଳେ ଏଥିରେ 16ଜଣଙ୍କର ମୃତ୍ୟୁ ହୋଇଛି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ବୈଠକକୁ ଦିଦିଙ୍କ ନା : ଏକଲା ଲଢିବେ ବୋଲି କହିଲେ ମମତା

ପଶ୍ଚିମବଙ୍ଗ: ଦିଲ୍ଲୀଠାରେ ଜାନୁଆରୀ 13 ତାରିଖରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ୍‌ ହେବେ ନାହିଁ। ମମତା ଏହି ବୈଠକକୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ମମତା କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଓ ସିପିଏମ୍‌ ଡାର୍ଟି ପଲିଟିକ୍ସ କରୁଛନ୍ତି। ଏହି କାରଣରୁ ସେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି) ବିରୋଧରେ ଏକା ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦେଶବ୍ୟାପୀ ହୋଇଥିବା ଭାରତ ବନ୍ଦକୁ ନେଇ ମମତା ବାମପନ୍ଥୀ ଦଳକୁ ନିଶାନା କରି କହିଛନ୍ତି ଯେ, ଏହି ଦଳ ପ୍ରଦର୍ଶନ କରି କେବଳ ଲୋକପ୍ରିୟତା ପାଇବାକୁ ଚାହୁଁଛି। କେବଳ ହିଂସ କରି ନିଜର ଉପସ୍ଥିତ ଜତାଇବାକୁ ବାମପନ୍ଥୀ ଚାହୁଁଛି। କାରଣ ସମସ୍ତେ ଦିଲ୍ଲୀରେଏହା କରିପାରିବେ ନାହିଁ। ସେଥିପାଇଁ ପଶ୍ଚିମବଙ୍ଗରେ ଆସି କରୁଛନ୍ତି। ତାଙ୍କ ଦଳର ମୁଖ୍ୟାଳୟ ଏଠାରେ ଅଛି । ଯଦି କିଛି ହିଂସା ହୁଏ, ତେବେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେବ।

ସୂଚନାଯୋଗ୍ୟ, ଗତକାଲି ବାମପନ୍ଥୀ ଦଳ ତରଫରୁ ସିଏଏ ଓ ଏନ୍‌ଆରସିକୁ ନେଇ ଦେଶବ୍ୟାପୀ ବନ୍ଦ ପାଳ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଓ ତାଙ୍କ ସରକାର ଏହାର ବିରୋଧ କରିଥିଲେ। ବନ୍ଦ ଯୋଗୁଁ ପଶ୍ଚିମବଙ୍ଗର କିଛି ସ୍ଥାନରେ ଟିଏମ୍‌ସି ଓ ବାମପନ୍ଥୀଙ୍କ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଟଣାଓଟରା ହୋଇଛି। ବାମପନ୍ଥୀଙ୍କ ଏହି ମନୋଭାବ ପାଇଁ ଦିଦି ନାରାଜ ରହିଛନ୍ତି। ଏଥିପାଇଁ ବିରୋଧ ଦଳରେ ଭାଗ ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନର ରାଷ୍ଟ୍ରଦୂତ କହି ମୋଦିଙ୍କୁ କଟାକ୍ଷ କଲେ ଦିଦି

କୋଲକତା, 3/1: ନାଗରିତା ସଂଶୋଧନ ଆଇନ (ସିଏଏ)କୁ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ,  ସେ ସର୍ବଦା ଆମ ଦେଶ ସହିତ ପାକିସ୍ତାନର ତୁଳନା କରୁଛନ୍ତି। ଆପଣଙ୍କୁ ହିନ୍ଦୁସ୍ତାନ ବା ଭାରତୀୟଙ୍କ କଥା କହିବା ଉଚିତ୍‌ । ଆମକୁ ପାକିସ୍ତାନ ନିର୍ମାଣ କରିବାର ନାହିଁ । ଆମେ ଭାରତକୁ ପ୍ରେମ କରୁଛୁ। କିନ୍ତୁ ସେ ସବୁବେଳେ ପାକିସ୍ତାନ ବିଷୟରେ କହୁଛନ୍ତି। ପାକିସ୍ତାନର ଚର୍ଚ୍ଚା ପାକିସ୍ତାନ କରିବା ଉଚିତ୍‌ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ ପାକିସ୍ତାନର ରାଷ୍ଟ୍ରଦୂତ ବୋଲି ପ୍ରଶ୍ନ କରିଛନ୍ତି ମମତା। ଆମେ ଭାରତରେ ପାକିସ୍ତାନ ବିଷୟରେ ଚର୍ଚ୍ଚା କ’ଣ ପାଇଁ କରିବା। ଏହା ଆମର ଜନ୍ମଭୂମି। ଏତେ ବର୍ଷ ପରେ ବି ଆମକୁ ଆମ ନାଗରିକତ୍ବ ପ୍ରମାଣ କରିବାକୁ ପଡିବ । ଗୃହମନ୍ତ୍ରୀ କହିଲେ ଦେଶରେ ଏନ୍‌ଆରସି ହେବ କିନ୍ତୁ ପ୍ରଧାନମନ୍ତ୍ରୀ କହିଲେ ତାଙ୍କୁ ସେ ବିଷୟରେ ଜଣାନାହିଁ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏନ୍‌ପିଆରକୁ ଅନୁମତି ନ ଦେବା ନେଇ କହିଛନ୍ତି ଯେ, ପ୍ରଥମେ ଆମେ ଏହାକୁ ଜନଗଣନାର ଅଂଶବିଶେଷ ଭାବୁଥିଲୁ। କିନ୍ତୁ ଏବେ ଜଣାପଡିଲା ଯେ, ଏଥିରେ ଅନ୍ୟ ବିବରଣୀ ମଧ୍ୟ ଦେବାକୁ ପଡିବ । ଆମର ଠିକଣା ପାକିସ୍ତାନ ନୁହେଁ, ଆମେ ସ୍ବତନ୍ତ୍ର ଭାରତର ନାଗରିକ। ଆମଠୁ ଆମ ଅଧିକାର ଛଡାଇ ନେବାକୁ ଦେବୁ ନାହୁଁ ବୋଲି କହିଛନ୍ତି ମମତା। (ଏଜେନ୍ସି)

Categories
ଆଜିର ଖବର

ଦେଶରେ ନିଆଁ ଜଳୁଛି, କିନ୍ତୁ ଏମାନେ ପୋଷାକକୁ ଦେଖୁଛନ୍ତି : ମମତା ବାନାର୍ଜୀ

କଲିକତା, 17/12: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ମମତା କହିଛନ୍ତି ଯେ, ସାରା ଦେଶ ଜଳୁଛି, ସେମାନଙ୍କୁ ପୋଷାକ ଦେଖୁଛନ୍ତ। ରବିବାର ଝାରଖଣ୍ଡରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ମମତା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ, ଆପଣ ପୋଷାକରୁ କେମିତି କାହାର ପରିଚୟ କରିପାରିବେ । ଟୋପି ପିନ୍ଧିବା ଅର୍ଥ ନୁହେଁ ଯେ ସେ ମୁସଲମାନ । ଏହି ଅବସରରେ ମମତା ପ୍ରଶ୍ନ କରିଛନ୍ତି ଯେ, ମୋ ପୋଷାକରୁ କ’ଣ ଆପଣ କହିପାରିବେ ମୁଁ କିଏ ବୋଲି ?

ସୂଚନାଯୋଗ୍ୟ, ରବିବାର ଝାରଖଣ୍ଡରେ ଏକ ନିର୍ବାଚନୀ ରାଲିରେ ମୋଦି ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲ ଯେ, ହିଂସା ଉସୁକାଉଥିବା ଲୋକର ପରିଚୟ ତା’ ପୋଷାକରୁ ଜଣାପଡିଥାଏ। କଂଗ୍ରେସ ଓ ତାଙ୍କ ସାଥୀମାନେ ଏହାକୁ ନେଇ ଏକ ବିରାଟ ତୁଫାନ ସୃଷ୍ଟି କରିଛନ୍ତି। ଏହାକୁ ନେଇ ଦେଶ ସାରା ନିଆଁ ଲଗାଉଛନ୍ତି। ଏପରି ଲୋକଙ୍କ ପରିଚୟ ତାଙ୍କ ପୋଷାକରୁ ମିଳିଯାଉଛି। ଆଜି  ମମତା କଲିକତାର ଯାଧପୁରଠାରୁ ଏକ ଜାଦୁ ବାବୁ ବଜାର ପର୍ଯ୍ୟନ୍ତ ସିଏବିକୁ ନେଇ ଏକ ବିରୋଧୀ ରାଲି ବାହାର କରିଥିଲେ। ଏହି ରାଲିରେ ସାଂସଦ ମିମି ଚକ୍ରବର୍ତ୍ତୀ, ନୁସରତ୍‌ ଜହାଁ ପ୍ରମୁଖ ସାମିଲ୍‌ ରହିଥିଲେ। ମମତା ଏହି ଅବସରରେ  ନୋ କେବ୍‌, ନୋ ଏନ୍‌ଆରସି ଇନ୍‌ ବଙ୍ଗାଲ ବୋଲି  ନାରା ଦେଇଥିଲେ।   (ଏଜେନ୍ସି)

Categories
ଆଜିର ଖବର

ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ୨୭ ଜଣ

କଲିକତା,୪/୧୨: ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁ ପରସ୍ଥିତିରେ ସୁଧାର ଆସିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭ ଜଣ ବ୍ୟକ୍ତି ପ୍ରାଣ ହରଇଛନ୍ତି। ୨୦୧୮ରେ ଡେଙ୍ଗୁରେ ୮୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟାକୁ ସରକାର ୨୭କୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୪୪ ହଜାର ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଡେଙ୍ଗୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ୩ ହଜାର ଡାକ୍ତର ଏବଂ ୪ ହଜାର ନର୍ସଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସମୁଦାୟ ୪୭୫ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମମତା ସୂଚନା ଦେଇଛନ୍ତି। (ଏଜେନ୍ସୀ)

 

Categories
ବିଶେଷ ଖବର

ଝୁଲା ସଂସଦର ସମ୍ଭାବନା; ପଶ୍ଚିମବଙ୍ଗ ଓ ଓଡିଶା ର ଫଳାଫଳ ଉପରେ ନିର୍ଭର କରୁଛି ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ

କେଦାର ମିଶ୍ର

ଆଜି ସନ୍ଧ୍ୟାରେ ୧୭ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯାୟ ଲାଗି ଭୋଟ ଗ୍ରହଣ କରାଯିବ। ଶେଷ ପର୍ଯାୟରେ ଆଉ ୫୯ ଟି ଆସନରେ ଭୋଟ ଗ୍ରହଣ ବାକିଥିବା ବେଳେ ୪୮୩ ଆସନରେ ଭୋଟ ଗ୍ରହଣ ସରିଯାଇଛି। ମୋଟାମୋଟି ଏବେ ଦେଶର ଜନମତ କେଉଁ ଦିଗକୁ ଯିବ ତାର ଏକ ସ୍ପଷ୍ଟ ଚିତ୍ର ଜଣା ପଡିଯାଉଛି। ନିର୍ବାଚନ ଆରମ୍ଭ ସମୟରେ ପୁଲୱାମା ଆକ୍ରମଣ ଓ ତାର ପରବର୍ତ୍ତୀ ସାମରିକ ଉତ୍ତେଜନା କୁ କେନ୍ଦ୍ର କରି ରାଜନୀତି ଚଳଚଞ୍ଚଳ ଥିଲା। ଡିସେମ୍ବର ୨୦୧୭ ରେ ବିଜେପି ମଧ୍ୟପ୍ରେଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ହାରିବା ପରେ ଦଳ ଭିତରେ ଯେଉଁ ଆଶଙ୍କା ଥିଲା ତାହା ପୁଲୱାମା ଓ ବାଲାକୋଟ ମାଧ୍ୟମରେ ଦୂର ହୋଇ ଯାଇଥିଲା। ତେବେ ନିର୍ବାଚନ ଘୋଷଣା ପରେ ସେନାବାହିନୀକୁ ନେଇ ବିଜେପି ରାଜନୀତି ଖୁବ ବେଶୀ ପ୍ରଭାବଶାଳୀ ସାବ୍ୟସ୍ତ ହେଲାନାହିଁ।

ପାଞ୍ଚ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ସଫଳତା ଆଧାରରେ ଭୋଟ ନ ମାଗି, କଂଗ୍ରେସକୁ ଗାଳି ଦେବାକୁ ମୁଖ୍ୟ ପ୍ରସଙ୍ଗ କଲେ। ଏହି ନିର୍ବାଚନ ପ୍ରଚାରରେ ହଠାତ ପଣ୍ଡିତ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଗଲେ। ନରେନ୍ଦ୍ର ମୋଦୀ ନିଜ ସଫଳତାର ମୂଳ ଭାବରେ ଗାନ୍ଧୀ ପରିବାରର ବିଫଳତା ବୋଲି ବୋଧେ ଭାବିନେଲେ! ଯାହାର ପରିଣତି ସ୍ଵରୂପ ନିର୍ବାଚନ ପ୍ରଚାରରେ କୌଣସି ବାସ୍ତବ ପ୍ରସଙ୍ଗ ଆଉ ଆଲୋଚିତ ହେଲାନାହିଁ। ରାଜନୀତିର ଗମ୍ଭୀର ଚିନ୍ତନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆମ୍ବ ଖାଆନ୍ତି କି ନାଇଁ, ଯଦି ଖାଆନ୍ତି ତାକୁ ଚୁଚୁମି କି ନା କାଟିକରି ଖାଆନ୍ତି, ତାହା ଚର୍ଚ୍ଚାରେ ରହିଲା। ଏପରିକି ପ୍ରଧାନମନ୍ତ୍ରୀ ମନି ପର୍ସ ଧରନ୍ତି କି ନାଇଁ, ତାହା ମଧ୍ୟ ଚର୍ଚ୍ଚାରେ ରହିଲା। ମୂଳତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ନିର୍ବାଚନକୁ ଏକ ଅଣରାଜନୈତିକ ନିର୍ବାଚନ କରିବାକୁ ପ୍ରବଳ ପ୍ରୟାସ କରିଥିଲେ।

ତେବେ ପ୍ରଧାନମନ୍ତ୍ରୀ ରାଜନୀତି ଚର୍ଚ୍ଚା ରୁ ଯେତେ ଦୂରେଇବାକୁ ଚାହିଁଲେ ମଧ୍ୟ ନିର୍ବାଚନ ରାଜନୀତିର ସବୁଠୁ ବଡ ଖେଳ,ଏହାକୁ ଅସ୍ଵୀକାର କରି ନିର୍ବାଚନ ଲଢି ହେବନାହିଁ। ନିର୍ବାଚନର ପ୍ରଥମ  ପର୍ୟାୟରୁ ଶେଷ ପର୍ଯାୟ ପର୍ଯନ୍ତ ପ୍ରଧାନମନ୍ତ୍ରୀ ବାରମ୍ବାର ପ୍ରସଙ୍ଗ ବଦଳାଇଛନ୍ତି ଓ ବିଜେପିର ଏକମାତ୍ର ଏଜେଣ୍ଡା ଯେ କେବଳ ନରେନ୍ଦ୍ର ମୋଦୀ, ତାହା ପ୍ରମାଣିତ କରିଛନ୍ତି। ତେବେ ଛଅ ଟି ପର୍ଯାୟର ନିର୍ବାଚନ ଫଳାଫଳ ବିଜେପି ଲାଗି ଖୁବ ଉତ୍ସାହଜନକ ନୁହେଁ ବୋଲି ଏବେ ଦିଲ୍ଲୀ ମହଲରେ ଚର୍ଚ୍ଚା ଚାଲିଛି। ବିଶେଷକରି ଉତ୍ତରପ୍ରଦେଶରେ ପ୍ରବଳ ବିଜେପି ବିରୋଧୀ ହାୱା ବିଷୟରେ ସବୁଠି ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶରେ ଗତଥର ବିଜେପିକୁ ୮୦ ରୁ ୭୩ ଆସନ ମିଳିଥିବା ବେଳେ ଚଳିତ ନିର୍ବାଚନରେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ବିଜେପିର ବାଟ ଓଗାଳିଛି। ମେଣ୍ଟ ଅତି କମରେ ୪୦ ରୁ ୫୦ ଆସନ ଏଥର ପାଇବ ବୋଲି ଏବେ ଆକଳନ କରାହେଉଛି।

ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ଛତିଶଗଡ, ହରିୟାନା ଓ କର୍ଣ୍ଣାଟକ ରେ ଗତଥର ଭଳି ସମାନ ଫଳାଫଳ ବିଜେପି ଖାତାକୁ ଆସୁନାହିଁ। ତେଣୁ ଉତ୍ତର ଭାରତ ଓ ପଶ୍ଚିମ ଭାରତର ରାଜ୍ୟ ଗୁଡିକରେ ବିଜେପି ଯେଉଁ କ୍ଷତି ସହିବ ତାହା ଓଡିଶା ଓ ପଶ୍ଚିମବଙ୍ଗରେ ଭରଣା ହୋଇ ପାରିବ ବୋଲି ବିଜେପି ଚିନ୍ତା କରୁଛି। ଓଡିଶାରେ ୧୨ଓ ପଶ୍ଚିମ ବଙ୍ଗରେ ୨୨ ଟି ଆସନ ପାଇବାକୁ ବିଜେପି ଆଶା ରଖିଛି। ତେବେ ଓଡିଶାରେ କେଉଁ ୧୨ଟି ଆସନ ବିଜେପି ପାଇବ ଓ ଏହା ପଛରେ ନିର୍ବାଚନୀ ଯୁକ୍ତି କଣ, ତାହା ବିଜେପିକୁ ଜଣା ନାହିଁ। ବିଜେପିର ଯୁକ୍ତି ହେଲା ଗୋଟିଏ ଲୋକସଭା ଆସନର କୌଣସି ବିଧାନସଭା ଆସନ ନ ଜିତିଲେ ମଧ୍ୟ ଲୋକସଭା ଆସନ ବିଜେପି ଖାତାକୁ ଆସିବ। ଯଦି ସତରେ ତାହା ଘଟେ ଏହା ଭାରତୀୟ ନିର୍ବାଚନୀ ଇତିହାସରେ ଏକ ବିସ୍ମୟକର ଘଟଣା ବୋଲି ଆମକୁ ମାନିବାକୁ  ପଡିବ।

ପ୍ରଥମଥର ଲାଗି ଓଡିଶା ନିର୍ବାଚନରେ ଏଥର ଭୋଟ ବିଭାଜନର ପ୍ରଶ୍ନ ଉଠିଛି। ଲୋକସଭାରେ ଓ ବିଧାନସଭା ରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାର ପ୍ରବଣତା ଦେଖିବାକୁ ମିଳିଛି। ତେବେ ଏ ପ୍ରକାର ପ୍ରବଣତା ବିଜେପିକୁ କେତୋଟି ଆସନ ଦେବ, ତାହା କହିବା ମୁସ୍କିଲ। ଭୋଟ ପ୍ରତିଶତ ବଢିଲେ ଯେ ଦଳର ଆସନ ସଂଖ୍ୟା ବଢିବ, ତାହା ବିଲକୁଲ କହିହେବ ନାହିଁ। ଏହା ଆଗରୁ ବିଜେଡି ବିରୋଧରେ ବିଜେପିର ଯେଉଁ ମୁହଁ ଫୁଟାଣି ଥିଲା ଆଜି ଆଉ ତାହା ନାହିଁ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବେ ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନରେ ଲାଗି ପଡିଛନ୍ତି। ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ବିଜେପିର ଓଡିଶା ଆଶା ନବୀନଙ୍କ ଭରସାରେ ଚାଲିଛି। ପଶ୍ଚିମବଙ୍ଗରେ ବିଜେପି ଏଥର ଏକ ପ୍ରକାର “କର ବା ମର” ସଂଘର୍ଷ କରୁଛି। ତ୍ରିଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନରେନ୍ଦ୍ର ମୋଦୀଙ୍କ ଏକ ନମ୍ବର ଶତ୍ରୁ ଭାବରେ ଉଭା ହୋଇଛନ୍ତି। ପଶ୍ଚିମ ବଙ୍ଗ ନିର୍ବାଚନରେ ବ୍ୟାପକ ହିଂସା ଓ ବିଜେପି ତଥା ତୃଣମୂଳ ଭିତରେ ଯେଉଁ କଟୁ ସଂଘର୍ଷ ଚାଲିଛି, ସେଥିରୁ ଗୋଟେ କଥା ଜଣ ପଡୁଛି ଯେ, ବିଜେପି ଲାଗି ପଶ୍ଚିମବଙ୍ଗ ହିଁ ଶେଷ ଆଶା।

ପଶ୍ଚିମବଙ୍ଗ ରାଜନୀତି ରେ ଭୟଙ୍କର ଧୃବୀକରଣ ଯୋଗୁଁ ବିଜେପି ଲାଭବାନ ହେବ ବୋଲି ବିଜେପି ତରଫରୁ ପ୍ରଚାର ଚାଲିଛି। ତେବେ ବାସ୍ତବ କ୍ଷେତ୍ରରେ ମମତା ଦିଦିଙ୍କୁ ମାତ ଦେବା ଭଳି ପରିସ୍ଥିତି ବଙ୍ଗଳାରେ ଆସିନାହିଁ। ଓଡିଶା ଓ ବଙ୍ଗଳା କୁ ମିଶେଇ ବିଜେପି ୧୫ ଆସନ ପାଇଲେ ବହୁତ ବଡ ସଫଳତା ହେବ। ବର୍ତ୍ତମାନର ପରିସ୍ଥିତି ଓ ପୃଷ୍ଠଭୂମିରୁ ଏକଥା କୁହାଯାଇପାରେ ଯେ ଆମେ ଏକ ଝୁଲା ଭବିଷ୍ୟତ ଆଡକୁ ଗତି କରୁଛୁ।

Categories
ଆଜିର ଖବର

ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ଦିଦିଙ୍କ ନିଦ ହଜି ଯାଇଛି : ମୋଦି

ପଶ୍ଚିମବଙ୍ଗରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି ମୋଦି। ମୋଦି କହିଛନ୍ତି ରାଜ୍ୟରେ ଦୁଇଟି ପର୍ଯ୍ୟାୟର ନିର୍ବାଚନ ପରେ ବର୍ତ୍ତମାନ ଦିଦିଙ୍କ ନିଦ ହଜିଯାଇଛି। ମେ ୨୩ରେ ନିର୍ବାଚନ ଫଳାଫଳ ଆସିବା ପରେ ଗୁଣ୍ଡାଗର୍ଦ୍ଦି, ସାଧାରଣ ଜନତାଙ୍କ ଅର୍ଥ ହରିଲୁଟ ଏବଂ ବିକାଶରେ ବାଧା ସୃଷ୍ଟି କରିବାର ପରିଣାମ କଣ ହୁଏ ତାହା ଜାଣି ପାରିବେ ବୋଲି କହିଥିଲେ ମୋଦି। ମୋଦି କହିଥିଲେ ରାଜ୍ୟର ବିକାଶରେ ବାଧା ସୃଷ୍ଟି କରୁଥିବା ସ୍ପିଡ୍‌ ବ୍ରେକର୍‌ ଦିଦିଙ୍କ ନିଦ ବର୍ତ୍ତମାନ ହଜିଯାଇଛି। ୨୩ ତାରିଖରେ ମୋଦି ସରକାର ଗଠନ ହେବା ପରେ ପଶ୍ଚିମବଙ୍ଗକୁ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କୁ ରୋକିବାରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୋଦି କହିଥିଲେ। ସର୍ବଦା ମମତା ‘ମା, ମାଟି , ମାନୁଷ’ର ନାରା ଦେଉଥିଲେ ମଧ୍ୟ ପଶ୍ଚିମବଙ୍ଗ ବାସୀଙ୍କ ଅର୍ଥକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟିଛନ୍ତି ବୋଲି ମୋଦି କହିଥିଲେ। ସେହିପରି ଏକ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ପ୍ରଭାବିତ କରିବା ପାଇଁ ପଡୋଶୀ ରାଷ୍ଟ୍ରର ଅଭିନେତାଙ୍କୁ ଆଣି ପ୍ରଚାର ଚଳାଇଥିଲେ। ସେହିପରି ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ନେତାଙ୍କ ମଧ୍ୟରେ ମମତା ଅନ୍ୟତମ ବୋଲି ମୋଦି କହିଛନ୍ତି।

Categories
ଆଜିର ଖବର

ମୋଦିଙ୍କୁ ଦିଦିଙ୍କ କଡ଼ା ସମାଲୋଚନା : ହିଟଲର୍‌ ବଞ୍ଚିଥିଲେ ମୋଦିଙ୍କ କାର୍ଯ୍ୟ ଦେଖି ଆତ୍ମହତ୍ୟା କରିଥା’ନ୍ତେ

ମତଦାନର ପ୍ରଥମ ପର୍ଯ୍ୟାୟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏବେ ନିର୍ବାଚନୀ ପ୍ରଚାର ପୂରା ଜୋରସୋର୍‌ରେ ଚାଲିଛି। ସମସ୍ତ ରାଜନୈତିକ ଦଳ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନରେନ୍ଦ୍ର ମୋଦୀ ଦଙ୍ଗା ଓ ହିଂସା ରାସ୍ତା ଦେଇ ରାଜନୀତିକୁ ଆସିଛନ୍ତି। ଏପରିକି ସେ ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ ହିଟ୍‍ଲରଙ୍କୁ ବଳି ଯାଇଛନ୍ତି। ଏବେ ଯଦି ହିଟ୍‍ଲର ଜୀବିତ ଥାନ୍ତେ, ତେବେ ମୋଦୀଙ୍କ ଗତିବିଧି ତଥା କାର୍ଯ୍ୟକଳାପ ଦେଖି ଆତ୍ମହତ୍ୟା କରିଦେଇଥାନ୍ତେ। ମମତା କେବଳ ବିଜେପିକୁ ସମାଲୋଚନା କରିନାହାନ୍ତି, ସେ କଂଗ୍ରେସକୁ ମଧ୍ୟ କଡ଼ା ନିନ୍ଦା କରି କହିଛନ୍ତି ଯେ, କଂଗ୍ରେସ ନିଜ ଦମ୍‌ରେ କେନ୍ଦ୍ରରେ ସରକାର କରିପାରିବ ନାହିଁ। ବିଜେପିର ଉତ୍ଥାନ ପଛରେ କଂଗ୍ରେସ ହାତ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ଲୋକଙ୍କ ଆଶା ପୂରଣ କରିବାରେ ବିଫଳ ହେବାରୁ ବିଜେପିର ଅଭ୍ୟୁଦୟ ହେଲା। ମୋଦୀଙ୍କୁ ହଟାଇବା ପାଇଁ ସବୁ ରାଜ୍ୟରେ ମେଣ୍ଟ କରାଯାଇଛି। ନିକଟରେ ମୋଦି ମମତାଙ୍କୁ ଟାର୍ଗେଟ୍‌ କରି ସ୍ବିଡ୍‌ ବେକ୍ରର୍‌ ଦିଦି ବୋଲି କହି କଟାକ୍ଷ କରିଥିଲେ। ତେବେ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଟିଏମ୍‌ସି ନିଜର ଲଢେଇ ଜାରି ରଖିବ ବୋଲି ମମତା କହିଛନ୍ତି।

Categories
ଆଜିର ଖବର

ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ବୁଥ୍‌ କରିବା ପ୍ରସଙ୍ଗ : ବିଜେପି ବିରୋଧରେ ଗର୍ଜିଲେ ମମତା

ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ବୁଥ୍‌ ଘୋଷଣା କରିବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଥିଲେ। ତେବେ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ। ଏଠାରେ କୌଣସି ବୁଥ୍‌ ସମ୍ବଦେନଶୀଳ ନୁହେଁ, ଏଠାରେ ସେପରି କୌଣସି ପରିସ୍ଥିତି ନ ଥାଇ ମଧ୍ୟ ବିଜେପି ଏପରି ଅଭିଯୋଗ କରିଛି। ବିଜେପି ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ଭାବେ ଦେଖୁଛି, କିନ୍ତୁ ବାସ୍ତବରେ ପଶ୍ଚିମବଙ୍ଗ ବହୁତ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ମମତା କହିଛନ୍ତି।

Categories
ଆଜିର ଖବର

ସରକାର ଆଗାମୀ ମାସରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରନ୍ତି – ମମତା ବାନାର୍ଜୀ

ଏୟାର୍ ଷ୍ଟ୍ରାଇକ୍ କୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଟିଏମସି ପ୍ରମୁଖ ତଥା ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଆଗାମୀ ମାସରେ ସରକାରଙ୍କ ଦ୍ବାରା ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇପାରେ ବୋଲି ମମତା କହିଛନ୍ତି।  ତେବେ ଏହା କେଉଁ ପ୍ରକାର ଆକ୍ରମଣ ହେବ କହିପାରିନଥିବାବେଳେ କିନ୍ତୁ ଅପ୍ରେଲରେ ତଥାକଥିତ… ତଥାକଥିତ … ତଥାକଥିତ ନାମରେ ହେବ ବୋଲି କହିଛନ୍ତି। ଏଥିପାଇଁ ନିର୍ବାଚନ ପ୍ରକ୍ରିୟାକୁ ଏତେ ସମୟ ପର୍ଯ୍ୟନ୍ତ ନିଆଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୧ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ୧୯ ମଇ ପର୍ଯ୍ୟନ୍ତ ଜାରୀ ରହିବ। ବିଜେପି ପାଇଁ ପଶ୍ଚିମବଙ୍ଗରେ ବାତାବରଣ ବହୁତ ଖରାପ ହେଉଛି ବୋଲି କହିବା ସହିତ ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥା ପ୍ରତି ତାଙ୍କର ବହୁତ ସମ୍ମାନ ରହିଛି ବୋଲି ମମତା କହିଛନ୍ତି ।

Categories
ଆଜିର ଖବର

ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଇଲେ ମମତା

ଗତ ୨୬ ତାରିଖରେ ହୋଇଥିବା ଭାରତ ପକ୍ଷରୁ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏୟାର ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାର ପାର୍ଟି ବୈଠକ ଡକାଇନଥିଲେ ତେଣୁ ବାୟୁସେନା ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହିଁଛନ୍ତି ମମତା । ତାଙ୍କ ମତରେ ବାୟୁସେନା ଦ୍ଵାରା କରାଯାଇଥିବା ଏୟାର୍‌ ଷ୍ଟ୍ରାଇକ୍‌ ସମ୍ବନ୍ଧ କେଉଁ କେଉଁ ସ୍ଥାନରେ ବୋମା ପଡିଥିଲା ଏବଂ କେତେ ଜଣ ଲୋକ ଏଥିରେ ମରିଥିଲେ ସେ ସବୁର ଟିକିନିଖି ତଥ୍ୟ ଜାଣିବାକୁ ଚାହିଁଛନ୍ତି ।  ମମତା କିଛି ବିଦେଶୀ ମିଡ଼ିଆ ରିପୋର୍ଟରେ ଭାରତର ଏହି ଏୟାର ଷ୍ଟ୍ରାଇକରେ କାହାର ମଧ୍ୟ ଜୀବନ ଯାଇନାହିଁ ଏବଂ ଆଉ କିଛି ରିପୋର୍ଟରେ ଜଣକର ଜୀବନ ହରାଇଥିବାର ସୂଚନା ପାଇଛନ୍ତି ତେଣୁ ଏହି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚାହୁଁଛନ୍ତି ମମତା । ଭାରତୀୟ ବାୟୁସେନା ତରଫରୁ ଏହି ହମ୍‌ଲାରେ ୩୦୦ରୁ ୩୫୦ ଆତଙ୍କବାଦୀ ମରିଯିବାର ସୂଚନା ଦିଆଯାଇଛି । ଏହି ସ୍ପଷ୍ଟୀକରଣକୁ ମମତା ଗ୍ରହଣ ନ କରି ସରକାରଙ୍କୁ ଏହି ଆକ୍ରମଣର ସମ୍ପୁର୍ଣ୍ଣ ବିବରଣୀ ମାଗିଛନ୍ତି ।