ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଲେ ମମତା

Published: Mar 27, 2020, 9:14 am IST

କୋଲକତା : ଦେଶରେ କରୋନା ମୁକାବିଲା ପାଇଁ 21 ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯିବା ସହ ସାମାଜିକ ଦୂରତ୍ବ ରଖିବାକୁ ଅନୁରୋଧ କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅପିଲ୍‌ କରିଛନ୍ତି । ଯଦି ଘରୁ ବାହାରୁଛନ୍ତି ତେବେ ସୋସିଆଲ୍‌ ଡିଷ୍ଟାସିଂ ବା ସାମାଜିକ ଦୂରତ୍ବ ରଖିବାକୁ କହିଛନ୍ତି।  ମୋଦିଙ୍କ କଥାକୁ ସମେସ୍ତ ଗ୍ରହଣ କରୁଥିବାର ଦେଖାଯାଉଛି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ ସାମାଜିକ ଦୂରତ୍ବ ରଖିବା ନିମେନ୍ତ ନିଜ ନିଜ କ୍ଷେତ୍ରରେ ବହୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ରାସ୍ତାକୁ ଆସି ଲୋକଙ୍କୁ ଏହି ସମ୍ବନ୍ଧରେ ସଚେତନ କରୁଛନ୍ତି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଆସି ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଛନ୍ତି । ଏକ ଫଳ ମାର୍କେଟ୍‌କୁ ମମତା ଯାଇ ସେଠାରେ ଗୋଲାକାର ବୃତ୍ତ ଅଙ୍କନ କରି ସାମାଜିକ ଦୂରତ୍ବ ନିମେନ୍ତ ନିଜ ଭିତରେ ଅତି କମ୍‌ରେ 1 ମିଟର ଦୂରତ୍ବ ରଖିବା ନିମେନ୍ତ ଲୋକଙ୍କୁ ବୁଝାଇଥିଲେ । ଦୋକାନ ଆଗରେ ନିର୍ମିତ ହୋଇଥିବା ଗୋଲାକାର ବୃତ୍ତ ମଧ୍ୟରେ ଛିଡା ହୋଇ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ କହିଥିଲେ । ମମତା ରାସ୍ତା ଉପରେ ଲୋକଙ୍କୁ ଏପରି ସଚେତନ କରାଉଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି । ମମତା ଧଳା ଶାଢି ପିନ୍ଧିଥିବାବେଳେ ମୁହଁରେ ରୁମାଲ୍‌ ବାନ୍ଧି ରାସ୍ତାକୁ ଆସିଥିବାବେଳେ ଲୋକଙ୍କୁ ସାମାଜିକ ଦୂରତ୍ବ ରଖିବା ନେଇ ଅପିଲ୍‌ କରିଥିଲେ ।

ଲକ୍‌ ଡାଉନ୍‌ ସମୟରେ ଲୋକଙ୍କର ଯେପରି କିଛି ଅସୁବିଧା ନହୁଏ, ସେଥିପ୍ରତି ସରକାର ସଜାଗ ଅଛନ୍ତି ବୋଲଇ କହିଛନ୍ତି ମମତା । ସମସ୍ତ ପୋଲିସ୍‌ ଷ୍ଟେସନ୍‌ ଲୋକଙ୍କ ଘର ଦୁଆର ମୁହଁରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟ ମାଜିଷ୍ଟ୍ରଟ୍‌ ଓ ପୋଲିସ୍‌ ଅଧୀକ୍ଷକଙ୍କ ଦାୟିତ୍ବରେ କରାଯାଉଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 694 ରହିଥିବାବେଳେ ଏଥିରେ 16ଜଣଙ୍କର ମୃତ୍ୟୁ ହୋଇଛି ।(ଏଜେନ୍ସି)

Related posts