ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ନିର୍ବାଚନ ହାରିବା ପରେ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଆଜି ଏକ ପ୍ରେସମିଟ କରିଛନ୍ତି । ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିପୁଳ ବିଜୟକୁ ବିଜେପି ଏବଂ ନିର୍ବାଚନ କମିଶନଙ୍କ ମଧ୍ୟରେ ହୋଇଥିବା ଷଡ଼ଯନ୍ତ୍ରର ଫଳାଫଳ ବୋଲି କହିଛନ୍ତି। ସେ କହିଛନ୍ତି ଯେ “ଆମେ ନିଶ୍ଚିତ ଭାବରେ ପୁଣି ଫେରିବୁ। ଯେତେବେଳେ ବିଜେପିକୁ ଗାଦିଚ୍ୟୁତ କରାଯିବ ।” ସେ ଆହୁରି କହିଛନ୍ତି ଯେ ରାଜନୀତିରେ ଏପରି ଘୃଣ୍ୟ ଖେଳ ପୂର୍ବରୁ କେବେ ହୋଇନାହିଁ। “ମୁଁ ମୋର ଛାତ୍ର ଜୀବନରୁ ନିର୍ବାଚନ ଦେଖୁଛି। ମୁଁ ଅନେକ ସରକାର ଦେଖିଛି, କିନ୍ତୁ ମୁଁ ଏପରି ଅତ୍ୟାଚାର କେବେ ଦେଖିନାହିଁ। ନିର୍ବାଚନ ଜିତା ଯାଏ ନହେଲେ ହରାଯାଏ ମାତ୍ର କେବେ ଛଡ଼ାଇ ନିଆଯାଏ ନାହିଁ।”
ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, “ଆମେ ନିଶ୍ଚିତ ଭାବରେ ସେମାନଙ୍କ (ନିର୍ବାଚନ କମିଶନ ଏବଂ ଭାରତୀୟ ଜନତା ପାର୍ଟି) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ, କିନ୍ତୁ ପାରସ୍ପରିକ ଆଲୋଚନା ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସ୍ଥିର କରାଯିବ। ତେଣୁ, ଆମେ ବର୍ତ୍ତମାନ ଆମର ରଣନୀତି ପ୍ରକାଶ କରିବୁ ନାହିଁ। ଆମେ ୧୦ ଜଣ ସଦସ୍ୟଙ୍କୁ ନେଇ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ମମତା ଆହୁରି ମଧ୍ୟ କହିଛନ୍ତି ଯେ, “ସେମାନେ ଆମର ସମସ୍ତ ଦଳୀୟ କାର୍ଯ୍ୟାଳୟ ଦଖଲ କରିଥିଲେ। ଏହା ବ୍ୟତୀତ, ସେମାନେ ଗତକାଲି (ସୋମବାର, ୪ ମଇ, ୨୦୨୬) ଆମର ଦଳୀୟ ମୁଖ୍ୟାଳୟ ତୃଣମୂଳ ଭବନ ଦଖଲ କରିବାକୁ ମଧ୍ୟ ଆସିଥିଲେ। ସେମାନେ ଅଭିଷେକଙ୍କ କାର୍ଯ୍ୟାଳୟରେ ପଥର ମାଡ଼ କରିଥିଲେ।” ମମତା ବାନାର୍ଜୀ କହିଛନ୍ତି ଯେ ଗତକାଲି, ସୋମବାର ପଶ୍ଚିମବଙ୍ଗରେ ଯାହା ଘଟିଥିଲା, ତାହା ବଙ୍ଗଳା ପାଇଁ ଏକ କଳା କାହାଣୀ ଥିଲା, ଏବଂ ଇତିହାସ ପୁନରାବୃତ୍ତି ହୁଏ। ଆମେ ନିର୍ବାଚନ କମିଶନଙ୍କ ଆଚରଣକୁ ଦୃଢ଼ ନିନ୍ଦା କରୁଛୁ ବୋଲି କହିଛନ୍ତି ମମତା ।


