Categories
ଆଜିର ଖବର ଜାତୀୟ ଖବର

ସିଏଏ ଓ ଏନ୍‌ଆରସି ବିରୋଧରେ ଷ୍ଟାଲିନ୍‌ ଓ  କାନିମୋଝିଙ୍କ ଅଭିନବ ବିରୋଧ ପ୍ରଦର୍ଶନ

ଚେନ୍ନାଇ, 30/12: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି) ବିରୋଧରେ ପ୍ରଦର୍ଶନ ଜାରି ରହିଛି । ସୋମବାର ଚେନ୍ନାଇଠାରେ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଓ ଡିଏମ୍‌କେ ସାଂସଦ କାନିମୋଝି ଅଭିନବ ଉପାୟରେ ସିଏଏ ଓ ଏନ୍‌ଆରସିର ବିରୋଧ ପ୍ରଦର୍ଶନ କରିଛନ୍ତି । ଷ୍ଟାଲିନ୍‌ ଓ କାନିମୋଝି ଘର ବାହାରେ ଏନ୍ଆରସି ଓ ସିଏଏ ବିରୋଧରେ ରଙ୍ଗୋଲି କରିଛନ୍ତି ।

ଡିଏମ୍‌କେ  ଦଳ ତରଫରୁ ଦଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ନିଜ ଘର ବାହାରେ ରଙ୍ଗୋଲି ତିଆରି କରି ସିଏଏ ଓ ଏନ୍‌ଆରସିର ବିରୋଧ ପ୍ରଦର୍ଶନ କରିବା ଉପରେ ନିଷ୍ପତ୍ତି ନେଇଛନ୍ତି ।  ଏହାର ଆରମ୍ଭ ଷ୍ଟାଲିନ୍‌ ଓ କାନିମୋଝୀ ପ୍ରାରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଚେନ୍ନାଇଠାରେ ନାଗରିକତା ସଂଶୋଧନ ଅଧିନିୟକ (ସିଏଏ), ରାଷ୍ଟ୍ରୀୟ ନାଗରିକ  ରେଜିଷ୍ଟାର (ଏନ୍‌ଆରସି), ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍‌ଟାର (ଏନ୍‌ପିଆର)ର ବିରୋଧରେ ଅନନ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏଠାରେ କିଛି ମହିଳା  ରବିବାର ବସନ୍ତ ନଗର ଅଞ୍ଚଳରେ ନୋ ଟୁ ସିଏଏ, ନୋ ଟୁ ଏନ୍‌ଆରସି ଓ ନୋ ଟୁ ଏନ୍‌ପିଆର ରଙ୍ଗୋଲି କରିଥିଲେ।  ଏହି ରଙ୍ଗୋଲି ବହୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିବାବେଳେ ଏହାକୁ ଦେଖିବାକୁ ନେଇ ବହୁତ ଭିଡ ହୋଇଥିଲା । ଏହି ଘଟଣାରେ ସିଟି ପୁଲିସ୍‌ ଛ’ଜଣ ମହିଳାଙ୍କୁ ଅଟକ ରଖିଥିଲା । ଏହି ଘଟଣାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କରିବା ସହିତ ସାମ୍ବିଧାନିକ ମୌଳିକ ଅଧିକାରକୁ ସରକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

Categories
ଆଜିର ଖବର

ଚେନ୍ନାଇରେ ସିଏଏ ବିରୋଧୀ ଆନ୍ଦୋଳନ : ଡିଏମ୍‌କେ ସହିତ ଯୋଗଦେଲେ ଚିଦାମ୍ବରମ

ଚେନ୍ନାଇ,23/12 : ଚେନ୍ନାଇରେ ନାଗରିକତ୍ବ ସଂଶୋଧନ ବିରୋଧରେ ଡିଏମ୍‌କେ ପକ୍ଷରୁ ଏକ ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଡିଏମ୍‌କେର ଏହି ମେଗା ଶୋଭାଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଯୋଗ ଦେଇଛନ୍ତି । ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଚିଦାମ୍ବରମ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଆଇନ ବଳରେ ମୁସଲିମ୍‌ ସମ୍ପ୍ରଦାୟ ପ୍ରତିଚ ଅନ୍ୟାୟ କରାଯାଉଛି ବୋଲି ଡିଏମ୍‌କେ ସାଂସଦ କେ କାନିମୋଝି ପ୍ରକାଶ କରିଥିଲେ । ସେହିପରି ଶ୍ରୀଲଙ୍କାରେ ଅବସ୍ଥାନ କରୁଥିବା ତାମିଲ ହିନ୍ଦୁଙ୍କୁ ମଧ୍ୟ ସମାନ ଭାବରେ ନାଗରିକତ୍ବର ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି କାନିମୋଝି କହିଥିଲେ । ଡିଏମ୍‌କେର ଏହି ଆନ୍ଦୋଳନର ଭିଡିଓ ରେକର୍ଡିଂ କରିବା ପାଇଁ ମାଡ୍ରାସ ହାଇକୋର୍ଟ ରବିବାର ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଲିନ ଏବଂ ଚିଦାମ୍ବରମଙ୍କ ବ୍ୟତୀତ ସହଯୋଗୀ ଦଳ ଏମ୍‌ଡିଏମ୍‌କେ ମୁଖ୍ୟ ଭାଇକୋ ଏବଂ ଅନ୍ୟ ବାମପନ୍ଥୀ ଦଳର ନେତୃବୃନ୍ଦ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଚିଦାମ୍ବରମ ଏହି ଶୋଭାଯାତ୍ରରେ ମୁଖ୍ୟମନ୍ତ୍ରୀ ପଲାନିସାମିଙ୍କୁ ସମାଲୋଚନା କରିଥିଲେ । ଏଆଇଡିଏମ୍‌କେର ସହାୟତା ବିନା ଏହି ବିଲ୍‌ ରାଜ୍ୟସଭାରେ ପାଶ୍‌ ହୋଇପାରିନଥାନ୍ତା ବୋଲି କହିଛନ୍ତି ଚିଦାମ୍ବରମ । (ଏଜେନ୍ସୀ)