ଚେନ୍ନାଇରେ ସିଏଏ ବିରୋଧୀ ଆନ୍ଦୋଳନ : ଡିଏମ୍‌କେ ସହିତ ଯୋଗଦେଲେ ଚିଦାମ୍ବରମ

Published: Dec 23, 2019, 1:53 pm IST

ଚେନ୍ନାଇ,23/12 : ଚେନ୍ନାଇରେ ନାଗରିକତ୍ବ ସଂଶୋଧନ ବିରୋଧରେ ଡିଏମ୍‌କେ ପକ୍ଷରୁ ଏକ ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଡିଏମ୍‌କେର ଏହି ମେଗା ଶୋଭାଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଯୋଗ ଦେଇଛନ୍ତି । ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଚିଦାମ୍ବରମ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଆଇନ ବଳରେ ମୁସଲିମ୍‌ ସମ୍ପ୍ରଦାୟ ପ୍ରତିଚ ଅନ୍ୟାୟ କରାଯାଉଛି ବୋଲି ଡିଏମ୍‌କେ ସାଂସଦ କେ କାନିମୋଝି ପ୍ରକାଶ କରିଥିଲେ । ସେହିପରି ଶ୍ରୀଲଙ୍କାରେ ଅବସ୍ଥାନ କରୁଥିବା ତାମିଲ ହିନ୍ଦୁଙ୍କୁ ମଧ୍ୟ ସମାନ ଭାବରେ ନାଗରିକତ୍ବର ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି କାନିମୋଝି କହିଥିଲେ । ଡିଏମ୍‌କେର ଏହି ଆନ୍ଦୋଳନର ଭିଡିଓ ରେକର୍ଡିଂ କରିବା ପାଇଁ ମାଡ୍ରାସ ହାଇକୋର୍ଟ ରବିବାର ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଲିନ ଏବଂ ଚିଦାମ୍ବରମଙ୍କ ବ୍ୟତୀତ ସହଯୋଗୀ ଦଳ ଏମ୍‌ଡିଏମ୍‌କେ ମୁଖ୍ୟ ଭାଇକୋ ଏବଂ ଅନ୍ୟ ବାମପନ୍ଥୀ ଦଳର ନେତୃବୃନ୍ଦ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଚିଦାମ୍ବରମ ଏହି ଶୋଭାଯାତ୍ରରେ ମୁଖ୍ୟମନ୍ତ୍ରୀ ପଲାନିସାମିଙ୍କୁ ସମାଲୋଚନା କରିଥିଲେ । ଏଆଇଡିଏମ୍‌କେର ସହାୟତା ବିନା ଏହି ବିଲ୍‌ ରାଜ୍ୟସଭାରେ ପାଶ୍‌ ହୋଇପାରିନଥାନ୍ତା ବୋଲି କହିଛନ୍ତି ଚିଦାମ୍ବରମ । (ଏଜେନ୍ସୀ)

Related posts