Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ପୁଲିସର ତଦନ୍ତ ଜାରି

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଗଣ୍ଡିକୀପୁର ତରପଡାରେ ଦୁଇ କୁନି କୁନି ନାବାଳିକାଙ୍କୁ ସେହି ଗ୍ରାମର ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ହି ଗ୍ରାମର ଦୁଇ ପରିବାରର ୪ ବର୍ଷର ଓ ୩ ବର୍ଷର ଦୁଇ ଝିଅ ନିଜ ମା’ ମାନଙ୍କ ସହିତ ଗଣ୍ଡିକୀପୁର ତରପଡା ରାମଚଣ୍ଡି ମନ୍ଦିରକୁ ୨୨ ତାରିଖରେ ଭାଗବତ ରାମାୟଣ ଶୁଣିବାକୁ ଯାଇଥିଲେ । ଏହି ସମୟରେ ଦୁଇ କୁନି ଝିଅ ଖେଳୁଥିବା ବେଳେ କୁରୁକୁରି ଦେଖାଇ ତାଙ୍କୁ ଜଣେ ୧୫ ବର୍ଷର ନାବାଳକ ନିକଟସ୍ଥ ଏକ ନିଛାଟିଆ ଅଂଚଳକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତା ଦୁଇ ନାବାଳିକାଙ୍କ ମା’ ଖୋଜାଖୋଜି କରିବାରୁ ଅଧଘଂଟା ପରେ ପିଲା ମାନଙ୍କୁ ପାଇଥିଲେ। ଏହି ମର୍ମରେ ଦୁଇ ପରିବାର ପକ୍ଷରୁ ଏକ ଅଭିଯୋଗ ହେବା ପରେ କୁଜଙ୍ଗ ଥାନାରେ କେସ୍ ନଂ-୧୧୫/୨୦ରେ ୩୭୬(ଏବି) ୪ ପୋସ୍କୋ ଆକ୍ଟ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି। ଏହି ଘଟଣାକୁ ନେଇ କୁଜଙ୍ଗ ଅଂଚଳରେ ତୀବ୍ର ପ୍ରତ୍ରିକିୟା ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ବାଲି ଚୋରାଚାଲାଣ ନେଇ ସରପଞ୍ଚଙ୍କ ବିରୋଧରେ ମାମଲା : ଅଭିଯୋଗକୁ ସରପଞ୍ଚଙ୍କ ଖଣ୍ଡନ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମରେ ବାଲି ଚୋରାଚାଲାଣକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ସରପଞ୍ଚ ଏବଂ ତାଙ୍କ ପୁଅ ବାଲି ଚୋରାଚାଲାଣ କରିବା ସହିତ ଏହାର ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପକ୍ଷରେ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ 21 ତାରିଖ ଦିନ 5ଟା ବେଳେ 2ଟି ଜେସିବି ଏବଂ 10ଟି ଟ୍ରାକ୍ଟରରେ ବାଲି ଖୋଳାଯାଇ ଚାଲାଣ କରାଯାଉଥିଲା । ଗ୍ରାମବାସୀ ଖବର ପାଇ ଏହି ଘଟଣାକୁ ବିରୋଧ କରିବାରୁ ସରପଞ୍ଚ ପ୍ରମୋଦ ସ୍ବାଇଁ ଏବଂ ତାଙ୍କ ପୁଅ ଦୀପକ ସ୍ବାଇଁଙ୍କ ସହିତ ଗ୍ରାମବାସୀଙ୍କ ବଚସା ହୋଇଥିଲା । ଏହାପରେ ସରପଞ୍ଚ ଏବଂ ତାଙ୍କ ପୁଅ ଗ୍ରାମବାସୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ନାଏବ ସରପଞ୍ଚ ତଥା ଜିଲ୍ଲାନାସୀ ଗ୍ରାମର ନରେଶ ପ୍ରଧାନ ଏହି ଘଟଣାରେ ଗ୍ରାମବାସୀଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ କୁଜଙ୍ଗ ତହସିଲ ଏବଂ କୁଜଙ୍ଗ ଥାନାକୁ ଫୋନ୍‌ କରାଯାଇଥିଲା । ମାତ୍ର ତହସିଲଦାର ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଏବଂ ଥାନାଧିକାରୀ ଦିଲ୍ଲୀପ ସାହୁ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜେସିବି ଏବଂ ଟ୍ରାକ୍ଟର ସହିତ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ତେବେ ଏହି ଘଟଣାକ୍ରମ ନେଇ ସରପଞ୍ଚଙ୍କୁ ସମ୍ପର୍କ କରାଯିବା ପରେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ବର୍ତ୍ତମାନ ସେ କରୋନା ଦାୟିତ୍ବରେ ବ୍ୟସ୍ତ ରହିଥିବା ବେଳେ ବାଲିଚୋରିକୁ ଏକ କପୋଳକଳ୍ପିତ କାହାଣୀ ବୋଲି ଅଭିହିତ କରିଥିଲେ ସରପଞ୍ଚ ପ୍ରମୋଦ ସ୍ବାଇଁ । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଅଞ୍ଚଳରୁ ନିୟମିତ ଭାବରେ ବାଲିଚୋରି କରାଯାଉଥିବା ନେଇ ଅନେକଥର ଅଭିଯୋଗ ଆସିଛି । ଭବିଷ୍ୟତରେ ଏହି ଅଞ୍ଚଳ ଉପରେ ଚଢାଉ କରାଯିବ ବୋଲି ତହସିଲଦାର ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ

ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ଉପକରଣ ପ୍ରଦାନ ସହିତ ବିଭିନ୍ନ ଦେୟ ଛାଡ଼ ଦାବିରେ ଶୋଭାଯାତ୍ରା

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର କୁଜଙ୍ଗ ଶାଖା ପକ୍ଷରୁ ଆଜି କୁଜଙ୍ଗଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରୋନା ଭାଇରସ ଯୋଗୁ ଶିକ୍ଷାକ୍ଷେତ୍ରରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରୀଛାତ୍ରୀମାନଙ୍କୁ ପାଠ୍ୟ ଉପରକରଣ ବିନା ଦେୟରେ ପ୍ରଦାନ କରିବା, ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦେୟ ମୁକ୍ତ କରିବା ଆଦି ଦାବିରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ଼ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ କୁଜଙ୍ଗସ୍ଥିତ ଲୋକନାଥ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି କଟକ-ପାରାଦୀପ ରାଜ୍ୟ ରାଜପଥ ଏବଂ କୁଜଙ୍ଗ ବଜାର ପରିକ୍ରମା କରିଥିଲେ। ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରାକ୍ତନ ଅଖିଳ ଭାରତୀୟ ଛାତ୍ର ସଙ୍ଘର ପ୍ରାକ୍ତନ ରାଜ୍ୟ ସଭାପତି ସୁବାଷ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ ବେବେରା, ଗୌତମ ଦାସ, ଚିନ୍ମୟୀ  ନାୟକ, ତପସ୍ୱିନୀ ସାହୁ, ଜୟଶ୍ରୀ ବେହେରା, ଲିପିକା ବେହେରା, ବେବିନା ମାଝୀ, ଲକ୍ଷ୍ମୀପ୍ରିୟା ବାରିକ, ରୋଜାଲିନ ଦାସ, ପୁଷ୍ପଲତା ସାହୁ, ସୁବ୍ରତ ବେହେରା, ସୂୂର୍ଯ୍ୟକାନ୍ତ ଦାସ ପ୍ରମୁଖ ଛାତ୍ରଛାତ୍ରୀ ତଥା ଛାତ୍ରନେତା ମାନେ କାର୍ଯ୍ୟକ୍ରମରେ ଅଂଶ  ଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକ ଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲା କୁଜଙ୍ଗ ପୋଲିସ

ରଞ୍ଜିତ ପଣ୍ଡା
କୁଜଙ୍ଗ: ମହାମାରୀ କରୋନା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ  ଲକ ଡାଉନ ଘୋଷଣା କରାଯାଇଛି। ଏଥି ସହିତ ପୋଲିସ ପ୍ରଶାସନ ତରଫରୁ ବାରମ୍ବାର ଡାକ ବାଜୀ ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ହେଲେ ସୁଧା ମାନୁନାହାଁନ୍ତି କେତେକ ଅମାନିଆ ଦୋକାନୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତରେ ଥିବା ବାଲିତୁଠ ବଜାରରେ। ସୂଚନା ମୁତାବକ ଲକ ଡାଉନକୁ ଅବମାନନା କରି ଆଜି ସକାଳ ସମୟରେ ବାଲିତୁଠ ବଜାରରେ ଚା, ଜଳଖିଆ, ମିଠା ଦୋକାନ, ପାନ ଦୋକାନ ଏବଂ ସେଲୁନ ମାନଙ୍କରେ ଭିଡ଼ ଲାଗି ରହିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କୁଜଙ୍ଗ ପୋଲିସ ସେଠାରେ ପହଞ୍ଚି ସମସ୍ତ ଏଗାର ଜଣ ଦୋକାନୀଙ୍କୁ ଉଠାଇ ଥାନାକୁ ଆଣିଥଲା। ଅନ୍ୟ ପଟେ ସେମାନେ ଲକ ଡାଉନକୁ ଅବମାନନା କରି ଦୋକାନ ବଜାର ଖୋଲା ରଖିଥିବାରୁ ସେମାନଙ୍କ ବିରୋଧରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କେସ ନମ୍ବର ୧୦୬/୨୦ରେ ଏକ ମାମଲା ରୁଜୁ କରିଥିବା କହିଛନ୍ତି।

Categories
ଆଞ୍ଚଳିକ

ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଳକର ଦୁଇଟି ସ୍ୱୟଂ ସହାୟିକା ଦଳ ଏବଂ ଜଗତସିଂହପୁର ଜିଲ୍ଲା ଚିଙ୍ଗୁଡ଼ି ଚାଷୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୁଧବାର ଅପରାହ୍ନରେ ବାସୁଦେବ ସ୍ୱୟଂ ସହାୟିକା ଦଳ ସଭାନେତ୍ରୀ ମନୋରମା ମହାପାତ୍ର ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରିଭାବେ ପଙ୍କପାଳସ୍ଥିତ ଜଗତଜନନୀ ସ୍ୱୟଂ ସହାୟିକା ଦଳର ସଭାନେତ୍ରୀ ସୌଦାମିନୀ ଦାସ, ସମ୍ପାଦିକା ପ୍ରେମଲତା ଦାସ, ନର୍ମଦା ଷଡ଼ଙ୍ଗୀ, ଅନୁସୟା କର, ରିନାରାଣୀ ଦାସ, ମିନାରାଣୀ ଷଡ଼ଙ୍ଗୀ, ସ୍ୱପ୍ନା ଦାସ, ଲକ୍ଷ୍ମପ୍ରୀୟା ଦାସ. ମନୋରମା ଦାସ, ମଞ୍ଜୁଲତା ନାୟକ ପ୍ରମୁଖ ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ପୂଜା ଲେଙ୍କାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପଙ୍କପାଳ ପଂଚାୟତର ସମିତିସଭ୍ୟ ଅକ୍ଷୟ ସାହୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରିଭାବେ ଜଗତସିଂହପୁର ଜିଲ୍ଲା ଚିଙ୍ଗୁଡ଼ି ଚାଷୀ ସଙ୍ଘର ସଭାପତି ଯୁବ ସମାଜସେବୀ ବିଭୂରଞ୍ଜନ ଦଳାଇ ମଧ୍ୟ ୨୦ ହଜାର ଟଙ୍କା ବିଡ଼ିଓ ଶ୍ରୀମତୀ ଲେଙ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୱେଶ୍ୟରେ ପ୍ରଦାନ କରିଥିଲେ । ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ଫତେପୁର ସରପଂଚଙ୍କ ଦ୍ୱାରା ମାସ୍କ ବଣ୍ଟନ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ଫତେପୁର ପଂଚାୟତର ସରପଞ୍ଚ ସ୍ନେହମୟୀ ଲେଙ୍କା ମାସ୍କ ବଣ୍ଟନ କରିଛନ୍ତି । କରୋନା ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ସ୍ଥାନୀୟ ପଂଚାୟତ ବାସୀଙ୍କୁ ନଜସ୍ୱ ଖର୍ଚ୍ଚ ଏବଂ ଉଦ୍ୟମରେ ମାସ୍କ ବଂଟନ କରୁଥିବା ଜଣାପଡ଼ିଛି । କୋଭିଡ-୧୯ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ପଳରେ ଶ୍ରୀମତୀ ଲେଙ୍କା ନିଜେ ସିଲାଇ ମେସିନରେ ମାସ୍କ ପ୍ରସ୍ତୁତକରି ପଂଚାୟତରେ ବଂଟନ କରୁଥିବା ଜଣାପଡ଼ିଛି । ଏଡି ଘଟଣାକୁ ପଂଚାୟତର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦୀପରେ ରାତିଅଧିଆ ଚୋରାମଦ ଚାଲାଣ

ଋଞ୍ଜିତ ପଣ୍ଡା
କୁଜଙ୍ଗ : ଲକ୍‌ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ କରୁଛନ୍ତି । ଲକ୍‌ଡାଉନ୍ ସମୟରେ ଚୋରା ମଦର ଚାହିଦା ଅହେତୁକ ଭାବରେ ବୃଦ୍ଧି ଘଟି ଏହି ମଦ ଚାରି ଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ବୁଧବାର ରାତିରେ ବିଭିନ୍ନ ମଦ ଦୋକାନର ସିଲ୍ ଖୋଲାଯାଇ ବିଭିନ୍ନ ଚୋରା ବେପାରୀଙ୍କୁ ବିକ୍ରୟ କରାଯାଇଥିବା ଜଣାପଡିଛି । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବାଲିତୁଠରେ ଅବକାରୀ ଅଧିକାରୀ ମାନେ ଭୋଜି କରୁଥିବାର ଦେଖାଯାଇଥିଲା । ଭୋଜିଭାତର ଖୋଳତାଡ କଲେ ଏହି ଘଟଣା ପଛର ନେପଥ୍ୟ ନାୟକ କିଏ ବୋଲି ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Categories
ଆଞ୍ଚଳିକ

ଜ୍ୟୋତି ଫେଡେରେସନ୍ ପକ୍ଷରୁ ଖୋଲିଲା ଶୁଖିଲା ଖାଦ୍ୟ ବିତରଣ କେନ୍ଦ୍ର

ରଞ୍ଜିତ ପଣ୍ଡା
କୁଜଙ୍ଗ : ଜ୍ୟୋତି ଫେଡେରେସନ୍ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କେନ୍ଦ୍ରର ଉଦ୍‌ଘାଟନ କରାଯାଇଛି । ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ କେନ୍ଦ୍ର ଖୋଲାଯାଇଛି । ଏହି ବିତରଣ କେନ୍ଦ୍ରରେ ଚୁଡ. ବିସ୍କୁଟ୍‌, ପାଣି ବଟଲ୍‌, ସାବୁନ୍‌, ଡାଲି, ଚିନି, ଛତୁଆ ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରୟ ପାଇଁ ଏହି ଦୋକାନ ଖୋଲାଯାଇଛି । ଶସ୍ତା ଦରରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବା ପାଇଁ ଏହି କେନ୍ଦ୍ର ଖୋଲାଯାଇଛି । କୁଜଙ୍ଗ ବ୍ଲକ୍ ଅଧିକାରୀ ସନ୍ତୋଷ କୁମାର ଶତପଥୀ, ବ୍ଲକ୍ ଅଧ୍ୟକ୍ଷା ସ୍ମୃତି ରଞ୍ଜନ ବେହେରା, ମହିଳା ଓ ଶିଶୁ ବିକାଶ ଅଧିକାରୀ ତନୁପ୍ରଭା ବେଉରା ଓ ଜ୍ୟୋତି ଫେଡେରେସନ୍‌ର ସଭାନେତ୍ରୀ ମନୋରମା ମହାପାତ୍ର ଏବଂ ପିଓ ପ୍ରିୟଦର୍ଶିନୀ ମହାପାତ୍ର ପ୍ରମୁଖ ଶୁଭାରମ୍ଭ କରିଥିଲେ । ଏହା ସହିତ ସାମାଜିକ ଦୂରତ୍ୱ ଅନୁଯାୟୀ ଲୋକ ଜିନିଷ କିଣୁଥିବାର ଦେଖାଯାଇଥିଲା ।

Categories
ଆଞ୍ଚଳିକ

କୁଜଙ୍ଗରେ କାଳବୈଶାଖୀ: ଗଛ ଡାଳ ପଡି ୩ ରାଜସ୍ୱ ବିଭାଗ କର୍ମଚାରୀ ଆହତ

ରଞ୍ଜିତ ପଣ୍ଡା
କୁଜଙ୍ଗ: ଗୁରୁବାର ସନ୍ଧ୍ୟାରେ କୁଜଙ୍ଗରେ ତୁହାକୁ ତୁହା ବର୍ଷା ସହ ପ୍ରାୟ ୫୦ କିମି ବେଗରେ ପବନ ବହିଛି। ଏହି ସମୟରେ ବିଜୁଳି ସହ ବର୍ଷା ପବନରେ ବହୁ ଅଂଚଳରେ ଗଛ ମଧ୍ୟ ଉପୁଡି ପଡିଛି। କୁଜଙ୍ଗ ତହସିଲର କିଛି କର୍ମଚାରୀ କାମ ସାରି ବାଇକ୍ ଯୋଗେ ଫେରୁଥିବା ବେଳେ କଟକ-ପାରାଦ୍ୱୀପ ରାସ୍ତାରେ ଗଛ ପଡି ଆହତ ହୋଇଥିବା ସୂଚନା ମିଳିଛି। କୁଜଙ୍ଗ ତହସିଲର ବରିଷ୍ଠ କ୍ଲର୍କ ଲାଲା ଅମରେନ୍ଦ୍ର ରାୟ, କିରାଣୀ ବନବିହାରୀ ପ୍ରଧାନ, ଗୁରୁ ପ୍ରସାଦ ରାଉତ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗଛର ଡାଳ ପଡି ଲାଲା ଅମରେନ୍ଦ୍ର ରାୟଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ବନବିହାରୀ ପ୍ରଧାନ ଗୁରୁତର ହୋଇଥିବା ଜଣାପଡିଛି। ଏହି ଅବସରରେ ଅନ୍ୟ ଜଣେ କର୍ମଚାରୀ ଗୁରୁ ପ୍ରସାଦ ରାଉତଙ୍କ ଆଗରେ ମଧ୍ୟ ଗଛର ଡାଳ ପଡି ଯିବାରୁ ସେ ମଧ୍ୟ ଆହତ ହୋଇଛନ୍ତି। ବର୍ଷା ସତ୍ତ୍ୱେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଭର୍ତ୍ତି କରାଇଥିଲେ।

Categories
ଆଞ୍ଚଳିକ

ହାଇଦ୍ରାବାଦ-ପାରାଦୀପ ପାଇଲାଇନକୁ ବିରୋଧ କରି ଚାଷୀଙ୍କ ପଞ୍ଚାୟତ ଘେରାଉ

ରଞ୍ଜିତ ପଣ୍ଡା
କୁଜଙ୍ଗ : ଭାରତୀୟ ତୈଳନିଗମ ପକ୍ଷରୁ ନିର୍ମାଣ କରାଯାଉଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟକୁ ବିରୋଧ କରି କ୍ଷତିଗ୍ରସ୍ତ ଚାଷୀମାନେ ବାଲିତୁଠ ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହା ସହିତ ପାଇପ ଲାଇନ ଯିବାକୁ ଥିବା ଜମିରେ ଆଜିଠାରୁ ପ୍ରତୀକାତ୍ମକଭାବେ ଧାରଣା ଦେଇଥିବା ଜଣାପଡ଼ିଛି । ପାରାଦ୍ୱୀପ- ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ଚାଲିଥିବାବେଳେ କ୍ଷତିଗ୍ରସ୍ତ ଜମି ମାଲିକମାନେ ଉପଯୁକ୍ତ କ୍ଷତି ପୂରଣ ଦାବୀକରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ବାଲିତୁଠ, ବଡ଼ବୁଦା, ବିଜିପୁର, ଆଲିଗଡ଼ ଏବଂ ଗଡ଼କୁଜଙ୍ଗ ଗ୍ରାମର ଚାଷଜମି ଉପରେ ଏଡି ପାଇପ ଲାଇନ ବିଛାଯାଉଛି । ଯାହାଦ୍ୱାରା କି ୧୦୬ ଚାଷୀ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଏହି କ୍ଷତିଗ୍ରସ୍ତ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ଦାବୀକରି ଦୀର୍ଘ ୮ ମାସ ହେବ ଆନ୍ଦୋଳନ କରି ଆସୁଛନ୍ତି । ଏଥିପାଇଁ ଚାଷୀ ଓ ପ୍ରଶାସନ ଆଲୋଚନା ଏକାଧିକ ବାର ବିଫଳ ହୋଇଛି । ତେବେ ଗତ ୪ ତାରିଖ ଦିନ ପୁଲିସ ସହାୟତାରେ ବଳପୂର୍ବକ ପାଇପ ଲାଇନ କାର୍ଯ୍ୟ କରିବାକୁ ମେସିନ ଲଗାଇ କାର୍ଯ୍ୟାଦେଶ ପ୍ରାପ୍ତ ଠିକା ସଂସ୍ଥା ମାଟି ଖୋଳିବାକୁ ଉଦ୍ୟମ କରିଥିବାବେଳେ ଚାଷୀ ମାନଙ୍କ ବିରୋଧ ଯୋଗୁ ଏହା ବନ୍ଦ ରହିଥିଲା । ଦୁଇ ଦିନ ମଧ୍ୟରେ ଏହି ବିବାଦର ସମାଧାନ ହେବାର ଥିଲେ ମଧ୍ୟ ଏହା ନହେବାର ଆଜି କ୍ଷତିଗ୍ରସ୍ତ ଚାଷୀ ପରିବାର ପ୍ରଥମେ ବାଲିତୁଠ ପଂଚାୟତ କାର୍ଯ୍ୟାଳରେ ପହଂଚି ଏଠାରେ କାହିଁକି ଦୀର୍ଘ ୨ ମାସ ହେବ ପୁଲିସ ଫୋର୍ସକୁ ରଖାଯାଇଛି ତାହାର ପ୍ରତିବାଦ କରି ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥଇଲେ । ତୁରନ୍ତ ପୁଲିସ ଫୋର୍ସକୁ ଏଠାରୁ ପ୍ରତ୍ୟାହାର କରିବାକୁ ସ୍ଥାନୀୟ ସରପଂଚଙ୍କ ନିକଟରେ ଦାବୀ କରିଥିଲେ । ପରେ ପାଇପ ଲାଇନ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ଗଡ଼କୁଜଙ୍ଗର ଚାଷ ଜମିରେ ଚାଷୀମାନେ ଧାରଣା ଦେଇଥିଲେ । ଚାଷୀମାନଙ୍କର ଦାବି ପୂରଣ ହେବାପର୍ଯ୍ୟନ୍ତ ଚାଲୁ ରହିବ ବୋଲି କ୍ଷତିଗ୍ରସ୍ତ ଚାଷୀ ମାନେ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁଜଙ୍ଗରେ ବସୁନ୍ଧରା ଯୋଜନା ଘୋଟାଲା : ଭଡାଟିଆଙ୍କୁ ପକାଘର, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭଡ଼ାରେ ରହୁଥିବା ଜନୈକା ମହିଳାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇଛି । ବେଆଇନ ଭାବରେ ମହିଳାଙ୍କୁ ଘରଡ଼ିହ ଏବଂ ବିଜୁ ପକାଘର ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମାନ ଘଟଣାକୁ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା । ମାତ୍ର ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜନୈକ ସ୍ଥାନୀୟ ବ୍ୟକ୍ତି ହାଇକୋର୍ଟରେ ଅଭିଯୋଗ କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ଯଦୁପୁର ଗ୍ରାମର ସ୍ନେହଲତା ପ୍ରଧାନ ନାମକ ଜନୈକା ମହିଳା ତାଙ୍କ ପରିବାର ସହିତ ପାରାଦୀପର ବିଭିନ୍ନ ଶିଳ୍ପାଞ୍ଚଳରେ ଜିବୀକା ନିର୍ବାହ କରନ୍ତି । ନିମିଢ୍ରି ଗ୍ରାମରେ ସେ ଭଡାଘରରେ ଅବସ୍ଥାନ କରନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ତାଙ୍କର ବାପା ଏବଂ ଶଶୁରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମି ରହିଛି । ଏହା ସତ୍ତ୍ବେ ସେ ଭୂମିହୀନଭାବେ ବସୁନ୍ଧରା ଯୋଜନାରେ ଘରଡ଼ିହ ପାଇଁ ଆବେଦନ କରିଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମଧ୍ୟ ଅନୁକୂଳ ରିପୋର୍ଟ ପ୍ରଦାନ କରିଥିଲେ । ଫଳରେ ତାଙ୍କୁ ନିହାରୁଣୀ କନ୍ଧା ଅଂଚଳରେ ସ୍ଥାନୀୟ ତହସିଲ ପକ୍ଷରୁ ଖାତା ନମ୍ବର ୮୨/୧୩୭ରେ ୨୦୧୭ ମସିହାରେ ବସୁନ୍ଧରା ଯୋଜନାରେ ୪ ଡ଼ିସିମିଲ ଘରଡ଼ିହ ପ୍ରଦାନ କାଯାଇଥିଲା ।

ଏହାପରେ ସମ୍ପୃକ୍ତ ମହିଳା ବ୍ଳକ ପ୍ରଶାସନକୁ ହାତକରି ଏକ ବିଜୁ ପକ୍କାଘର ନିଜ ନାମରେ କରାଇ ନେଇଥିଲେ ଏବଂ ସେଠାରେ ନିଜର ଭବ୍ୟ ବାସଭବନ ନିର୍ମାଣ କରିଥିଲେ । ସମ୍ପୃକ୍ତ ମହିଳା ନିଜର ପ୍ରଭାବ ବିସ୍ତାର କରି ପାରାଦୀପଗଡ଼ ପଂଚାୟତର ବିଜୁ ଯୁବ ବାହିନୀର ସଭାନେତ୍ରୀ ପଦକୁ ହାତେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ନିମିଢି ଗ୍ରାମର ବାବୁଲି ନାୟକ ପ୍ରଥମେ ଗତ ୨୦୧୯ ନଭେମ୍ବର ମାସ ୧୫ ତାରିଖରେ କଟକ ଭିଜିଲାନ୍ସ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଭିଜିଲାନ୍ସ ବିଭାଗର ସ୍ଥାଣୁତା କାରଣରୁ ସେ ମାନ୍ୟବର ହାଇ କୋର୍ଟରେ ଗୃହ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ, ଏସପି ଭିଜିଲାନ୍ସ କଟକ, ଡ଼ିଏସପି ଭିଜିଲାନ୍ସ ଜଗତସିଂହପୁରଙ୍କ ପକ୍ଷକରି ସିଆଏଲଏମପି ୧୮୦୮/୨୦୧୯ରେ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ମାମାଲାର ବିଚାରକରି ଭିଜିଲାନ୍ସ ଏସପି କଟକକୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Categories
ଆଞ୍ଚଳିକ

ସରପଂଚଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗବ୍ଳକ ଅନ୍ତର୍ଗତ ବାଗୋଇ ପଂଚାୟତର ପରଲୋକଗତ ସରପଂଚ ଅଧୀର ପ୍ରଧାନଙ୍କର ଏକାଦଶାହ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ସରପଂଚ ବିଜୟ କୁମାର ଖଟେଇଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, କଂଗ୍ରେସ ନେତା ଡ଼କ୍ଟର ଲଲାଟେନ୍ଦୁ ମହାପାତ୍ର, ଅରିନ୍ଦମ ସାର୍କେଲ, କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗବ୍ଳକ କଂଗ୍ରେସର ଆବାହକ ଏଏନଡ଼ି ଯାଦବ, ଆଇନଜିବୀ ରମେଶଚନ୍ଦ୍ର ଦାସ, ପ୍ରଶାନ୍ତ ପଟ୍ଟନାୟକ, କୁଜଙ୍ଗ ସରପଂଚ ଭାରତଭୂଷଣ ନାୟକ, ଜିଲ୍ଲାନାସୀ ସରପଂଚ ପ୍ରମୋଦ ସ୍ୱାଇଁ, ସାଇଲୋ ସରପଂଚ ରୋଜାଲିନ ମହାପାତ୍ର, ହଂସୁରା ସରପଂଚ ସ୍ମୃତିରେଖା ସ୍ୱାଇଁ, ପୋତାନଇ ସରପଂଚ ସଞ୍ଜୟ ଷଡ଼ଙ୍ଗୀ, ମଙ୍ଗରାଜପୁର ସରପଂଚଙ୍କ ପ୍ରତିନିଧ ବିପିନ କୁମାର ତ୍ରିପାଠୀ, ପାଟପୁର ସରପଂଚ ଲକ୍ଷ୍ମୀକାନ୍ତ ସ୍ୱାଇଁ, ପାରାଦୀପଗଡ଼ ସରପଂଚ ମିହିର ରଞ୍ଜନ ସାହୁ, ବିଧାୟକଙ୍କ ପ୍ରତିନିଧି ନୀରଞ୍ଜନ ପ୍ରଧାନ ପ୍ରମୁଖ ସ୍ୱର୍ଗତ ଅଧୀର ପ୍ରଧାନଙ୍କର ସ୍ମୃତିଚାରଣ କରିଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖାଦ୍ୟରେ ନିଶାଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

ରଞ୍ଜିତ ପଣ୍ଡା
କୁଜଙ୍ଗ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୁଜଙ୍ଗ ଥାନାର ପଙ୍କପାଳ ଅଂଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୧୦ ତାରିଖରେ ପଙ୍କପାଳ ଅଂଚଳର ଜିତୁ ସେଠୀ(୨୫) ନିକଟସ୍ଥ ପାଇକସ୍ତା ଅଂଚଳର ଜନୈକା ନାବାଳିକାଙ୍କୁ ରାହାମା ମକର ଦେଖାଇବାକୁ ନେଇଥିଲେ। ସେଠାରେ ତାକୁ ମକର ବୁଲାଇବା ବାହାନାରେ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିଲା। ଅଶ୍ଲୀଳ ଚିତ୍ରକୁ ମୋବାଇଲରେ ରେକର୍ଡ଼ କରିଥିବା ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାରର ପକ୍ଷରୁ କୁଜଙ୍ଗ ଥାନାରେ ହୋଇଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ କୁଜଙ୍ଗ ଥାନା ପକ୍ଷରୁ ଚଢାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏନେଇ ଥାନାରେ କେସ୍‌ ନମ୍ବର ୪୧/୨୦୨୦ ଅନୁଯାୟୀ ୩୬୫, ୩୭୬(ଏ), ୫୦୬, ୩୨୮, ଆଇପିସିର ଧାରା ୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସ୍‌ ଆଇ ଶୁଭ୍ରଜିତ୍‌ ଦାଶ ଏହି ମାମଲାର ତଦନ୍ତକାରୀ ଅଫିସର ରହିଛନ୍ତି।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅଗ୍ନିକାଣ୍ଡରେ ୪ ବଖରା ସହିତ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହଂସିଣା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯିବା ସହିତ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ହଂସିଣାର ଗୌରାଙ୍ଗ ସୂତାରଙ୍କ ଘରେ ଗତକାଲି ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସବୁ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିଲା। କୁଜଙ୍ଗ ତହସିଲଦାର ପ୍ରଭାସ ଚନ୍ଦ୍ର ବେଉରାଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ତଦନ୍ତ କରିବା ସହିତ ଏକ ପାଲ ପ୍ରଦାନ କରିଛନ୍ତି। ପୀଡିତଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।

Categories
ଆଞ୍ଚଳିକ

ବିନା ଲିଜ୍‌ରେ ଛୁଟିଦିନରେ ବାଲି ଉଠାଉଛନ୍ତି ସରପଞ୍ଚ

ରଞ୍ଜିତ୍‌ ପଣ୍ଡା/କୁଜଙ୍ଗ: ଛୁଟିଦିନରେ ମହାନଦୀରୁ ବାଲି ଉଠାଯାଉଛି। ସରପଂଚଙ୍କ ଜେସିବି ଏବଂ ଟ୍ରାକ୍ଟର ଜରିଆରେ ଏହା କରାଯାଉଛି ବୋଲି ଅଭିଯୋଗ ରହିଛି। ତେବେ ବାଲି ଉଠାଣ ନେଇ ପଚାରିବାରୁ ସରକାରୀଭାବେ ଆଇନ ଅନୁଯାୟୀ ଲିଜ୍‌ କଟାଯାଇ ବାଲି ଉଠାଯାଉଥିବା କୁହାଯାଉଛି। ମାତ୍ର ତହସିଲଦାରଙ୍କୁ ଏନେଇ ପଚାରିବାରୁ କୌଣସି ଲିଜ କଟାଯାଇନଥିବାର କହିଛନ୍ତି। ଗତ କିଛିଦିନ ହେବ ସରକାରୀ ଛୁଟିଦିନ ଏବଂ ରବିବାର ଦିନଗୁଡ଼ିକରେ ବାଲି ଉଠାଣ ହେଉଥିବାର ସୂଚନା ମିଳିଛି। ଏହା ବେଆଇନ କିମ୍ବା ଆଇନ ଅନୁମୋଦିତ ତାହା ତଦନ୍ତ ସାକ୍ଷେପ ହୋଇଥିବାବେଳେ ତହସିଲଦାର କିମ୍ବା ଜନପ୍ରତିନିଧିମାନେ ଏହାକୁ ନେଇ ଭିନ୍ନ ଭିନ୍ନ ଉତ୍ତର ରଖୁଥିବାବେଳେ, କିଏ ଠିକ ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ସମୟରେ କୁଜଙ୍ଗ ତହସିଲ ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତ ସଂଲଗ୍ନ ମହାନଦୀର ତେନ୍ତୁଲିଆ ଚନ୍ଦାମୁଣ୍ଡ ଠାରୁ ବାଲି ଉଠୁଥିଲା। ସୂଚନା ମିଳିବାପରେ ତହସିଲଦାର ପ୍ରଭାସ କୁମାର ବେହୁରିଆଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କେଉଁଠାରେୁ ବାଲି ଉଠୁଛି ବୋଲି ଜାଣିବାକୁ ଚାହିଁଥିଲେ ତହସିଲଦାର। ଜିଲ୍ଲାନାସୀ ପଂଚାୟତର ସରପଂଚ ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଏହି ବାଲି ଉଠାଯାଉଥିଲା। ସଙ୍ଗେ ସଙ୍ଗେ  ସରପଂଚଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଏହି ବାଲି ତହସିଲ ଲିଜ ସୂତ୍ରରେ ଉଠାଉଥିବା ଏବଂ ଏହି ବାଲି ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯାଉଥିବା ନେଇ ସେ ସଫେଇ ଦେଇଥିଲେ। ମାତ୍ର ଯଦି ଲିଜ କଟାଯାଇ ବାଲି ଉଠାଯାଉଛି ତାହାଲେ ସବୁ ରବିବାର ଏବଂ ସରକାରୀ ଛୁଟିଦିନରେ କାହିଁକି ବାଲି ଉଠାଯାଉଛି ବୋଲି ପଚରାଯିବାରୁ ସେ ସବୁଦିନ ଏହି ବାଲି ଉଠାଉଥିବା କହିଥିଲେ। ମାତ୍ର ଏହି ବାଲି ଉଠାଇବା ନେଇ କୌଣସି ଲିଜ୍‌ ଦିଆଯାଇନଥିବା ନେଇ ତହସିଲଦାର ପ୍ରକାଶ କରିଛନ୍ତି। ଉଭୟ ନିଜ ନିଜ ବୟାନରେ ଅଟଳ ରହିଥିବାରୁ ତଦନ୍ତ କରାଗଲେ ବାସ୍ତବ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଳୋଚନା ହେଉଛି। ଏଭଳି ବେଆଇନ୍‌ ବାଲି ଉଠାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସାଧରଣ ଲୋକ ମଧ୍ୟ ବାଲି ଉଠାଇବାର ସାହସ କରିବେ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି।

 

Categories
ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ : ଥାନାରେ ଅଭିଯୋଗ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗର ଜନୈକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । କୁଜଙ୍ଗ ସମାଗଳର ପ୍ରମିଳା ବେହେରା (42) ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ନିଜ ଭିବଷ୍ୟତ ନିମନ୍ତେ ପ୍ରମିଳା ନିଜ ଆକାଉଣ୍ଟ ନମ୍ବର 31521530275ରେ 22 ହଜାର 675ଟଙ୍କା ଜମା କରିଥିଲେ । ମାତ୍ର ଶାଶୁଙ୍କ ଦେହ ଖରାପ କାରଣରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଆକାଉଣ୍ଟରେ ଟଙ୍କା ନଥିବା ଦେଖିଥିଲେ । ଏ ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ଏହା ପରେ ପ୍ରମିଳା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ।

Categories
ଆଞ୍ଚଳିକ ରାଜ୍ୟ ଖବର

କୁଜଙ୍ଗରେ ନୂତନ ବିଡିଓଙ୍କ ଦାୟିତ୍ବଗ୍ରହଣ

ରଞ୍ଜିତ ପଣ୍ଡା : କୁଜଙ୍ଗ ବ୍ଲକ୍‌ର ନୂତନ ବ୍ଲକ୍‌ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ହେମନ୍ତ କୁମାର ମହନ୍ତ । ଦୀର୍ଘ ଚାରି ମାସ ହେବ ଖାଲି ପଡିଥିବା ଏହି ସ୍ଥାନ ପାଇଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବିଡିଓ ଶ୍ରୀ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ବିବାଦୀୟ ପରସ୍ଥିତିରେ ପୂର୍ବତନ ବିଡିଓ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ନଭେମ୍ବର 11ରୁ ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡିଥିଲା । ଦୁଇ ଦିନ ତଳେ ହେମନ୍ତ କୁମାର ମହନ୍ତଙ୍କ ନାମ ନୂତନ ବିଡିଓ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଭାବରେ କର୍ଯ୍ୟରେ ଯୋଗ ଦେଇଥିବା ଶ୍ରୀ ମହନ୍ତଙ୍କୁ ସହକାରୀ ବିଡିଓ ସନ୍ତୋଷ କୁମାର ଶତ୍‌ପଥୀଙ୍କ ସମେତ ସମସ୍ତ ବ୍ଲକ୍‌ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି ।

Categories
ଆଞ୍ଚଳିକ ରାଜ୍ୟ ଖବର

କୁଜଙ୍ଗ ଥାନା ପକ୍ଷରୁ ବରିଷ୍ଠ ନାରରିକଙ୍କୁ ପରିଚୟ ପତ୍ର ବଣ୍ଟନ

ରଞ୍ଜିତ ପଣ୍ଡା/କୁଜଙ୍ଗ : କୁଜଙ୍ଗ ଥାନା ପରିସରରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆର୍ ପ୍ରକାଶ ରଙ୍ଗରାଜନ୍‌ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରିଚୟପତ୍ର ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦୀପକ୍ କୁମାର ଜେନା, କୁଜଙ୍ଗ ଥାନାଧିକାରୀ ଦିଲିପ୍ କୁମାର ସାହୁ, ବରିଷ୍ଠ ନାଗରିକ ମଞ୍ଚର ରାଜ୍ୟ ସମ୍ପାଦକ ବାବୁରାମ ଚୌଧୁରୀ ଏବଂ ବୀରେନ୍ଦ୍ର ବିଶ୍ଵାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୂର୍ବରୁ ଅଗଷ୍ଟ 2019ରେ ପ୍ରଥମ ପର୍ଯ୍ୟାୟ ପରିଚୟ ପତ୍ର ବଣ୍ଟନ କରାଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାରେ 190 ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା ।

ଜଗତସିଂହପୁରର ଏକମାତ୍ର ଥାନା ଭାବରେ କୁଜଙ୍ଗ ଥାନାରେ ଏହି ପରିଚୟପତ୍ର ପ୍ରଦାନ କରାଯାଇଛି । ଏହି ପରିଚୟ ପତ୍ରକୁ ବରିଷ୍ଠ ନାଗରିକ ମାନେ ବସ୍‌ ଯାତ୍ରାଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ବ୍ୟବହାର କରିପାରିବେ ବୋଲି ଜଣାପଡିଛି । କୁଜଙ୍ଗ ଥାନାଧିକାରୀ ଦିଲିପ୍‌ ସାହୁଙ୍କ ଏପରି ଅଭିନବ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳ ବାସୀ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Categories
ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ସିଏଏ ବିରୋଧୀ ପ୍ରତିବାଦ ସଭା

ରଞ୍ଜିତ ପଣ୍ଡା
କୁଜଙ୍ଗ: ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିକ୍ଷୋଭ କରାଯାଉଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ନାଗରିକତା ଆଇନ ବିରୋଧରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି ସଭାପତିତ୍ବ କରିଥିଲେ । ପ୍ରତିବାଦ ସଭା ପରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନାଗରିକତ୍ବ ଆଇନକୁ ବିରୋଧ କରି ତିର୍ତ୍ତୋଲର କଟକ ପାରାଦ୍ଵୀପ ରାସ୍ତାରେ ଏକ ଶୋଭାଯାତ୍ରା କରାଯାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Categories
ଆଞ୍ଚଳିକ ରାଜ୍ୟ ଖବର

ନେତାଜୀ ଜୟନ୍ତୀ ଉପଲକ୍ଷେ କୁଜଙ୍ଗରେ ରକ୍ତଦାନ ଶିବିର

ରଞ୍ଜିତ ପଣ୍ଡା
କୁଜଙ୍ଗ: ନେତାଜୀ ଜୟନ୍ତୀ ଉପଲକ୍ଷେ କୁଜଙ୍ଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ ଓଡିଶା ଏବଂ ଏସ୍‌ଟିଇଆର୍‌ ପକ୍ଷରୁ ମିଳିତ ଭାବରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରରେ ସମୁଦାୟ ୩୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଜଗତସିଂହପୁର ସାଂସଦ କୁଳମଣି ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରକ୍ତଦାନ ଏକ ମହତ କାର୍ଯ୍ୟ। ଆଜିର ଯୁବପିଢି ନିଜକୁ ଏହି ଧାରାରେ ସାମିଲ କରିବା ଉଚିତ୍‌ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ୍‌ କୁମାର ସାହୁ , ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ମାଝୀ ଏବଂ ଆଇନଜୀବୀ ମଞ୍ଜୁଲତା ରାଉତ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଏସ୍‌ଟିଇଆର୍‌ ସଂସ୍ଥାର ପ୍ରତିଷ୍ଠାତା ଦୁଷ୍ମନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ଆଘାତରେ ଓ୍ବେଲ୍ଡର ମୃତ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ବଜାରରେ ଦୀର୍ଘଦିନ ହେବ ଓ୍ବେଲ୍ଡିଂ ଦୋକାନ କରିଥିବା ହେମନ୍ତ ପାତ୍ର(୫୬)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେମନ୍ତଙ୍କ ଘର କୁଜଙ୍ଗ ବ୍ଲକ୍‌ର ବାଲିଆ ଗ୍ରାମରେ ବୋଲି ଜଣାପଡିଛି । ବୁଧବାର ଅପରାହ୍ନ ଗୋଟାଏ ସମୟରେ ଏହି ଅଘଟଣ ଘଟିଥିଲା । ଦୋକାନ ମଧ୍ୟରେ ଥିବାବେଳେ କୌଣସି କାରଣରୁ ହେମନ୍ତଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ସଜ୍ଞାହୀନ ହୋଇସେଠାରେ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକମାନେ କୁଜଙ୍ଗ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।