ବିନା ଲିଜ୍‌ରେ ଛୁଟିଦିନରେ ବାଲି ଉଠାଉଛନ୍ତି ସରପଞ୍ଚ

Published: Feb 11, 2020, 3:03 pm IST

ରଞ୍ଜିତ୍‌ ପଣ୍ଡା/କୁଜଙ୍ଗ: ଛୁଟିଦିନରେ ମହାନଦୀରୁ ବାଲି ଉଠାଯାଉଛି। ସରପଂଚଙ୍କ ଜେସିବି ଏବଂ ଟ୍ରାକ୍ଟର ଜରିଆରେ ଏହା କରାଯାଉଛି ବୋଲି ଅଭିଯୋଗ ରହିଛି। ତେବେ ବାଲି ଉଠାଣ ନେଇ ପଚାରିବାରୁ ସରକାରୀଭାବେ ଆଇନ ଅନୁଯାୟୀ ଲିଜ୍‌ କଟାଯାଇ ବାଲି ଉଠାଯାଉଥିବା କୁହାଯାଉଛି। ମାତ୍ର ତହସିଲଦାରଙ୍କୁ ଏନେଇ ପଚାରିବାରୁ କୌଣସି ଲିଜ କଟାଯାଇନଥିବାର କହିଛନ୍ତି। ଗତ କିଛିଦିନ ହେବ ସରକାରୀ ଛୁଟିଦିନ ଏବଂ ରବିବାର ଦିନଗୁଡ଼ିକରେ ବାଲି ଉଠାଣ ହେଉଥିବାର ସୂଚନା ମିଳିଛି। ଏହା ବେଆଇନ କିମ୍ବା ଆଇନ ଅନୁମୋଦିତ ତାହା ତଦନ୍ତ ସାକ୍ଷେପ ହୋଇଥିବାବେଳେ ତହସିଲଦାର କିମ୍ବା ଜନପ୍ରତିନିଧିମାନେ ଏହାକୁ ନେଇ ଭିନ୍ନ ଭିନ୍ନ ଉତ୍ତର ରଖୁଥିବାବେଳେ, କିଏ ଠିକ ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ସମୟରେ କୁଜଙ୍ଗ ତହସିଲ ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତ ସଂଲଗ୍ନ ମହାନଦୀର ତେନ୍ତୁଲିଆ ଚନ୍ଦାମୁଣ୍ଡ ଠାରୁ ବାଲି ଉଠୁଥିଲା। ସୂଚନା ମିଳିବାପରେ ତହସିଲଦାର ପ୍ରଭାସ କୁମାର ବେହୁରିଆଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କେଉଁଠାରେୁ ବାଲି ଉଠୁଛି ବୋଲି ଜାଣିବାକୁ ଚାହିଁଥିଲେ ତହସିଲଦାର। ଜିଲ୍ଲାନାସୀ ପଂଚାୟତର ସରପଂଚ ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଏହି ବାଲି ଉଠାଯାଉଥିଲା। ସଙ୍ଗେ ସଙ୍ଗେ  ସରପଂଚଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଏହି ବାଲି ତହସିଲ ଲିଜ ସୂତ୍ରରେ ଉଠାଉଥିବା ଏବଂ ଏହି ବାଲି ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯାଉଥିବା ନେଇ ସେ ସଫେଇ ଦେଇଥିଲେ। ମାତ୍ର ଯଦି ଲିଜ କଟାଯାଇ ବାଲି ଉଠାଯାଉଛି ତାହାଲେ ସବୁ ରବିବାର ଏବଂ ସରକାରୀ ଛୁଟିଦିନରେ କାହିଁକି ବାଲି ଉଠାଯାଉଛି ବୋଲି ପଚରାଯିବାରୁ ସେ ସବୁଦିନ ଏହି ବାଲି ଉଠାଉଥିବା କହିଥିଲେ। ମାତ୍ର ଏହି ବାଲି ଉଠାଇବା ନେଇ କୌଣସି ଲିଜ୍‌ ଦିଆଯାଇନଥିବା ନେଇ ତହସିଲଦାର ପ୍ରକାଶ କରିଛନ୍ତି। ଉଭୟ ନିଜ ନିଜ ବୟାନରେ ଅଟଳ ରହିଥିବାରୁ ତଦନ୍ତ କରାଗଲେ ବାସ୍ତବ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଳୋଚନା ହେଉଛି। ଏଭଳି ବେଆଇନ୍‌ ବାଲି ଉଠାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସାଧରଣ ଲୋକ ମଧ୍ୟ ବାଲି ଉଠାଇବାର ସାହସ କରିବେ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି।

 

Related posts