ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବେ, କାର୍ତ୍ତିକ ମାସରେ ହବିଷ୍ୟ ପାଳନ କରି ପୁଣ୍ୟ ଅର୍ଜନ କରିବେ। ଏହି ଆଶା ନେଇ ଘରୁ ବାହାରିଥିଲେ। ହେଲେ ଜଗନ୍ନାଥ ଧାମରୁ ହସଖୁସିରେ ଫେରିବା ସ୍ୱପ୍ନ ଅଧାରେ ରହିଗଲା। କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ମୃତ ହବିଷ୍ୟାଳି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ୬୬ ବର୍ଷୀୟା ରଙ୍ଗଲତା ଭଞ୍ଜ।
ସୂଚନା ଅନୁସାରେ, ରଙ୍ଗଲତା ଭଞ୍ଜ କାର୍ତ୍ତିକ ମାସରେ ହବିଷ୍ୟ ପାଳନ କରିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମରେ ରହି ଧାର୍ମିକ ରୀତିନୀତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ଆସିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ତାଙ୍କ ରହିବାର ବ୍ୟବସ୍ଥା ହୋଇଥିଲା। ସେଠାରେ ରହି ସେ ନିୟମିତ ଭାବେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ।
ତେବେ ଗତକାଲି ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ତାଙ୍କୁ ତୁରନ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇନଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଦୁର୍ଭାଗ୍ୟବଶତଃ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ଆଜି ସକାଳେ ରଙ୍ଗଲତା ଆଖି ବୁଜିଛନ୍ତି। ଏହି ଖବର ପରେ ହବିଷ୍ୟାଳି ଶିବିରରେ ଶୋକର ଛାୟା ଖେଳିଯାଇଛି। କାର୍ତ୍ତିକ ବ୍ରତ ପାଳନ କରିବାକୁ ଶ୍ରୀକ୍ଷେତ୍ର ଆସିଥିବା ଜଣେ ବୃଦ୍ଧାଙ୍କ ଏଭଳି ମୃତ୍ୟୁ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।


