କୁଜଙ୍ଗ: କୁଜଙ୍ଗ ପୁଲିସ୍ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି।କୁଜଙ୍ଗ ଥାନା ଅଞ୍ଚଳରୁ ଏକାଧିକ ଚୋରୀ ମାମଲାରେ ୬ ଜଣ ଚୋର ସହ ଜଣେ ସ୍ଵର୍ଣ୍ଣ ଅଳଙ୍କାର ବ୍ୟବସାୟୀକୁ ବାନ୍ଧିଛି।ଅଭିଯୁକ୍ତ ମାନେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚନ୍ଦନନଗର ଗ୍ରାମର କୁନା ଦାସ(୩୫), ବିଦେଶ ଦାସ (୧୯), ଇନ୍ଦ ଦାସ( ୩୦), ବର୍ଷା ଦାସ(୨୫),ବିଜୟ ଦାସ(୨୭), ରାଜନଗର ଥାନା ହତିନା ଗ୍ରାମର କାଶୀନାଥ ସାମଲ(୪୩)। ଏମାନଙ୍କ ଠାରୁ ପ୍ରାୟ ୯୪ ଗ୍ରାମ ସୁନା ଅଳଙ୍କାର, ନଗଦ ୩୮ ହଜାର ଟଙ୍କା ଏବଂ ମୋବାଇଲ ଜବତ୍ ହୋଇଥିବା ନେଇ ଆଜି ପୁଲିସ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ ଏବଂ ଥାନା ଅଧିକାରୀ ଶିବାଶିଷ ଦାସ ସୂଚନା ପ୍ରଦାନ କରିଛନ୍ତି।ପୁଲିସ୍ କହିବା ମୁତାବକ,ଏହି ଚୋର ମାନେ କେଳା ସମ୍ପ୍ରଦାୟର ଅଟନ୍ତି। ଏମାନେ କୁଜଙ୍ଗ ଅଞ୍ଚଳରେ ଆସି ବସବାସ କରନ୍ତି।ଏବଂ ଦିନରେ ଭିକ ମାଗିବା ଓ ଘୁଷୁରୀ ଜଗିବା ଆଳରେ ଲୁଟ୍ ପାଇଁ ରେକି କରିଥାନ୍ତି ଏବଂ ରାତି ହେଲେ ରେକି କରିଥିବା ଘରକୁ ଟାର୍ଗେଟ କରି କଳା କନା ବୁଲାନ୍ତି।ଲୁଟ୍ ପରେ ସୁନା ଅଳଙ୍କାରକୁ ନେଇ ପତ୍ନୀଙ୍କ ଦ୍ଵାରା କେନ୍ଦ୍ରାପଡ଼ା ଜିଲ୍ଲା ରେ ବିକ୍ରୀ କରନ୍ତି।
ଏମାନେ ଗତ ୩ ମାସ ମଧ୍ୟରେ କୁଜଙ୍ଗ ଥାନା ଅଂଚଳରେ ପ୍ରାୟ ୧୦ ସ୍ଥାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ କରିଥିଲେ।ଗତ ୫ ଦିନ ପୂର୍ବେ ବଡ଼ବୁଦା ଗ୍ରାମର ଲିଲିମା ରାଉତ ଙ୍କ ଘରୁ ସୁନା ଅଳଙ୍କାର, ୩୮ ହଜାର ଟଙ୍କା ଏବଂ ଆଧାରକାର୍ଡ ଲୁଟିଥିଲେ।ଏହି ଘଟଣାରେ ପୁଲିସ୍ ତନାଘନା କରିବା ପରେ କୁନା ଦାସ ର ସଂପୃକ୍ତି ଆସିଥିଲା।ତୁରନ୍ତ ପୁଲିସ୍ କୁନା କୁ ଉଠାଇ ଆଣି ପଚରା ଉଚରା କରିବାରୁ ଚୋରୀର ଖିଅ ମିଳିଥିଲା।ପର ମୁହୂର୍ତ୍ତରେ ଘଟଣାରେ ସଂପୃକ୍ତି ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଉଠାଇ ଆଣି ଜେରା କରିବା ପରେ ସେମାନେ ସବୁ ମାନି ଯାଇଥିଲେ।ଏବଂ ସମସ୍ତ ଚୋରୀ ସୁନା ଅଳଙ୍କାର କେନ୍ଦ୍ରାପଡ଼ା ରାଜନଗର ହତିନା ଅଞ୍ଚଳର କାଶୀନାଥ ସାମଲ ଙ୍କ ସୁନା ଅଳଙ୍କାର ବ୍ୟବସାୟୀ ପ୍ରତିଷ୍ଠାନରେ କମ୍ ଦରରେ ବିକ୍ରୀ କରିଥିବା ମଧ୍ୟ ପୁଲିସ୍ କୁ ସୂଚନା ଦେଇଥିଲେ। ପୁଲିସ୍ ଉକ୍ତ ସୁନା ଅଳଙ୍କାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ୭୮ ଟା ସୁନା ମୁଦି, ଏକ ହଳ କାନ ଫୁଲ, ହଳେ ପାଉଁଜି, ୮ ଟା ସୁନା ଚେନ୍ ଆଦି ଜବତ କରିଥିବା ଜଣାପଡିଛି।ଏମାନଙ୍କ ନାଁରେ ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପ ଲକ୍, ଏରସମା, ତିର୍ତୋଲ, ରଘୁନାଥପୁର ଏବଂ କେନ୍ଦ୍ରାପଡ଼ା, ପୁରୀ, ଯାଜପୁର, କଟକ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ୍ କହିଛି। ସମସ୍ତ ଅଭିଯୁକ୍ତ ମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି।


