ବାଲି ଚୋରାଚାଲାଣ ନେଇ ସରପଞ୍ଚଙ୍କ ବିରୋଧରେ ମାମଲା : ଅଭିଯୋଗକୁ ସରପଞ୍ଚଙ୍କ ଖଣ୍ଡନ

Published: May 22, 2020, 7:15 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମରେ ବାଲି ଚୋରାଚାଲାଣକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ସରପଞ୍ଚ ଏବଂ ତାଙ୍କ ପୁଅ ବାଲି ଚୋରାଚାଲାଣ କରିବା ସହିତ ଏହାର ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପକ୍ଷରେ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ 21 ତାରିଖ ଦିନ 5ଟା ବେଳେ 2ଟି ଜେସିବି ଏବଂ 10ଟି ଟ୍ରାକ୍ଟରରେ ବାଲି ଖୋଳାଯାଇ ଚାଲାଣ କରାଯାଉଥିଲା । ଗ୍ରାମବାସୀ ଖବର ପାଇ ଏହି ଘଟଣାକୁ ବିରୋଧ କରିବାରୁ ସରପଞ୍ଚ ପ୍ରମୋଦ ସ୍ବାଇଁ ଏବଂ ତାଙ୍କ ପୁଅ ଦୀପକ ସ୍ବାଇଁଙ୍କ ସହିତ ଗ୍ରାମବାସୀଙ୍କ ବଚସା ହୋଇଥିଲା । ଏହାପରେ ସରପଞ୍ଚ ଏବଂ ତାଙ୍କ ପୁଅ ଗ୍ରାମବାସୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ନାଏବ ସରପଞ୍ଚ ତଥା ଜିଲ୍ଲାନାସୀ ଗ୍ରାମର ନରେଶ ପ୍ରଧାନ ଏହି ଘଟଣାରେ ଗ୍ରାମବାସୀଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ କୁଜଙ୍ଗ ତହସିଲ ଏବଂ କୁଜଙ୍ଗ ଥାନାକୁ ଫୋନ୍‌ କରାଯାଇଥିଲା । ମାତ୍ର ତହସିଲଦାର ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଏବଂ ଥାନାଧିକାରୀ ଦିଲ୍ଲୀପ ସାହୁ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜେସିବି ଏବଂ ଟ୍ରାକ୍ଟର ସହିତ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ତେବେ ଏହି ଘଟଣାକ୍ରମ ନେଇ ସରପଞ୍ଚଙ୍କୁ ସମ୍ପର୍କ କରାଯିବା ପରେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ବର୍ତ୍ତମାନ ସେ କରୋନା ଦାୟିତ୍ବରେ ବ୍ୟସ୍ତ ରହିଥିବା ବେଳେ ବାଲିଚୋରିକୁ ଏକ କପୋଳକଳ୍ପିତ କାହାଣୀ ବୋଲି ଅଭିହିତ କରିଥିଲେ ସରପଞ୍ଚ ପ୍ରମୋଦ ସ୍ବାଇଁ । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଅଞ୍ଚଳରୁ ନିୟମିତ ଭାବରେ ବାଲିଚୋରି କରାଯାଉଥିବା ନେଇ ଅନେକଥର ଅଭିଯୋଗ ଆସିଛି । ଭବିଷ୍ୟତରେ ଏହି ଅଞ୍ଚଳ ଉପରେ ଚଢାଉ କରାଯିବ ବୋଲି ତହସିଲଦାର ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି ।

Related posts