ହାଇଦ୍ରାବାଦ-ପାରାଦୀପ ପାଇଲାଇନକୁ ବିରୋଧ କରି ଚାଷୀଙ୍କ ପଞ୍ଚାୟତ ଘେରାଉ

Published: Mar 8, 2020, 1:01 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : ଭାରତୀୟ ତୈଳନିଗମ ପକ୍ଷରୁ ନିର୍ମାଣ କରାଯାଉଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟକୁ ବିରୋଧ କରି କ୍ଷତିଗ୍ରସ୍ତ ଚାଷୀମାନେ ବାଲିତୁଠ ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହା ସହିତ ପାଇପ ଲାଇନ ଯିବାକୁ ଥିବା ଜମିରେ ଆଜିଠାରୁ ପ୍ରତୀକାତ୍ମକଭାବେ ଧାରଣା ଦେଇଥିବା ଜଣାପଡ଼ିଛି । ପାରାଦ୍ୱୀପ- ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ଚାଲିଥିବାବେଳେ କ୍ଷତିଗ୍ରସ୍ତ ଜମି ମାଲିକମାନେ ଉପଯୁକ୍ତ କ୍ଷତି ପୂରଣ ଦାବୀକରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ବାଲିତୁଠ, ବଡ଼ବୁଦା, ବିଜିପୁର, ଆଲିଗଡ଼ ଏବଂ ଗଡ଼କୁଜଙ୍ଗ ଗ୍ରାମର ଚାଷଜମି ଉପରେ ଏଡି ପାଇପ ଲାଇନ ବିଛାଯାଉଛି । ଯାହାଦ୍ୱାରା କି ୧୦୬ ଚାଷୀ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଏହି କ୍ଷତିଗ୍ରସ୍ତ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ଦାବୀକରି ଦୀର୍ଘ ୮ ମାସ ହେବ ଆନ୍ଦୋଳନ କରି ଆସୁଛନ୍ତି । ଏଥିପାଇଁ ଚାଷୀ ଓ ପ୍ରଶାସନ ଆଲୋଚନା ଏକାଧିକ ବାର ବିଫଳ ହୋଇଛି । ତେବେ ଗତ ୪ ତାରିଖ ଦିନ ପୁଲିସ ସହାୟତାରେ ବଳପୂର୍ବକ ପାଇପ ଲାଇନ କାର୍ଯ୍ୟ କରିବାକୁ ମେସିନ ଲଗାଇ କାର୍ଯ୍ୟାଦେଶ ପ୍ରାପ୍ତ ଠିକା ସଂସ୍ଥା ମାଟି ଖୋଳିବାକୁ ଉଦ୍ୟମ କରିଥିବାବେଳେ ଚାଷୀ ମାନଙ୍କ ବିରୋଧ ଯୋଗୁ ଏହା ବନ୍ଦ ରହିଥିଲା । ଦୁଇ ଦିନ ମଧ୍ୟରେ ଏହି ବିବାଦର ସମାଧାନ ହେବାର ଥିଲେ ମଧ୍ୟ ଏହା ନହେବାର ଆଜି କ୍ଷତିଗ୍ରସ୍ତ ଚାଷୀ ପରିବାର ପ୍ରଥମେ ବାଲିତୁଠ ପଂଚାୟତ କାର୍ଯ୍ୟାଳରେ ପହଂଚି ଏଠାରେ କାହିଁକି ଦୀର୍ଘ ୨ ମାସ ହେବ ପୁଲିସ ଫୋର୍ସକୁ ରଖାଯାଇଛି ତାହାର ପ୍ରତିବାଦ କରି ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥଇଲେ । ତୁରନ୍ତ ପୁଲିସ ଫୋର୍ସକୁ ଏଠାରୁ ପ୍ରତ୍ୟାହାର କରିବାକୁ ସ୍ଥାନୀୟ ସରପଂଚଙ୍କ ନିକଟରେ ଦାବୀ କରିଥିଲେ । ପରେ ପାଇପ ଲାଇନ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ଗଡ଼କୁଜଙ୍ଗର ଚାଷ ଜମିରେ ଚାଷୀମାନେ ଧାରଣା ଦେଇଥିଲେ । ଚାଷୀମାନଙ୍କର ଦାବି ପୂରଣ ହେବାପର୍ଯ୍ୟନ୍ତ ଚାଲୁ ରହିବ ବୋଲି କ୍ଷତିଗ୍ରସ୍ତ ଚାଷୀ ମାନେ ପ୍ରକାଶ କରିଛନ୍ତି ।

Related posts