ଭୁବନେଶ୍ବର : ସଟଡାଉନ୍ରେ ସହଯୋଗ ପାଇଁ ଅପିଲ୍ କଲେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଲୋକଙ୍କୁ ଅପିଲ୍ କରାଯାଇଛି । ସଟ୍ ଡାଉନ୍ରେ ସମସ୍ତ ଅଫିସ୍, ଦୋକାନ ବନ୍ଦ ରହିବ। ପୂର୍ବରୁ ମିଳିଥିବା ପାସ୍ ସବୁ ରଦ୍ଦ କରାଯିବ, ଆବଶ୍ୟକ ହେଲେ ସାନି ପାସ୍ ଦିଆଯିବ । ଆଜି ରାଜ୍ୟର ତିନୋଟି ଜିଲ୍ଲାକୁ ସଟଡାଉନ୍ର ଘୋଷଣା କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ 60 ଘଣ୍ଟା ପାଇଁ ସଟଡାଉନ୍ର ଘୋଷଣା ଯାଇଛି । ଏହି ତିନୋଟି ସ୍ଥାନରେ କରୋନା ଆକ୍ରାନ୍ତ ବଢୁଥିବାରୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଗତ 5 ଦିନ ମଧ୍ୟରେ ଏହି ତିନୋଟି ଅଞ୍ଚଳରୁ 28ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟର ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 89ରେ ପହଞ୍ଚିଛି ।
Tag: odishagoverment
କେଦାର ମିଶ୍ର
୨୦୧୯ରେ ପଞ୍ଚମ ଥର ଲାଗି ବିପୁଳ ଆସନ ପାଇ ପୁଣିଥରେ ବିଜେଡି ସରକାର ଗଠିତ ହେବା ପରେ, ହଠାତ ନବୀନ ପଟ୍ଟନାୟକ ସରକାରଙ୍କ ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଛି। ଗତ ୧୯ ବର୍ଷ ଶାସନରେ ଥିବା ବେଳେ ପ୍ରାୟତଃ ରାଜ୍ୟର ଐତିହ୍ୟ ବିଷୟରେ ଉଦାସୀନ ରହି ଆସିଥିବା ସରକାର, ଏବେ ଓଡିଶାର ମନ୍ଦିର ଓ ଐତିହ୍ୟ ସ୍ଥଳଗୁଡିକୁ ବିକଶିତ କରିବା ଲାଗି ସ୍ଵତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୦-୨୧ ରାଜ୍ୟ ବଜେଟରେ “ମନ୍ଦିର” ଶବ୍ଦର ବିଶେଷ ପ୍ରୟୋଗ ଦେଖିବାକୁ ମିଳିଛି। ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ-“ ୩୨୦୮ କୋଟି ଟଙ୍କା ନିବେଶରେ ପୁରୀକୁ ଏକ ବିଶ୍ଵ ଐତିହ୍ୟ ସହର ରେ ପରିଣତ କରିବା ପାଇଁ ବୃହତ ଯୋଜନା କରାଯିବ”। ୩୨୦୮ କୋଟିରୁ ଚଳିତ ବର୍ଷ ପୁରୀକୁ “ଅବଢା” ଯୋଜନାରେ ୬୯୫ କୋଟି ଟଙ୍କା ଦିଆ ଯାଇଛି। ରାଜ୍ୟର ସମୁଦାୟ ପର୍ୟଟନ, ଭାଷା ଓ ସଂସ୍କୃତି ବଜେଟ ଠାରୁ ଏହା ଅଧିକ। ୨୦୨୦- ୨୧ ବର୍ଷ ପାଇଁ ରାଜ୍ୟ ସରକାର ପର୍ୟଟନ ପାଇଁ ୪୦୦.୬୯କୋଟି ଏବଂ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ୧୬୧.୮୧କୋଟି ଟଙ୍କା ଦେଇଛନ୍ତି। ସେହି ତୁଳନାରେ କେବଳ ପୁରୀର ବିକାଶ ଲାଗି ଅଧିକ ଅର୍ଥ ଦିଆ ଯାଇଛି।
ଏହା ସହିତ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିରର ବିକାଶ ଲାଗି ଏକାମ୍ର ଯୋଜନାରେ ୭୦୦ ଟଙ୍କା ଖର୍ଚ୍ଚ ହେବ ଓ ସେଥିରୁ ୧୫୦ ଟଙ୍କା ଏହି ବର୍ଷ ଲାଗି ପ୍ରଦାନ କରା ଯାଇଛି। ତାରା ତାରିଣୀ ମନ୍ଦିର ଓ ସମ୍ବଲପୁରର ସମଲେଶ୍ଵରୀ ମନ୍ଦିର ଲାଗି ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଏଠି ପ୍ରଶ୍ନ ଉଠିପାରେ, ହଠାତ ମନ୍ଦିର ପ୍ରତି ସରକାରଙ୍କର ଏ ଆଗ୍ରହ କାହିଁକି? ଓଡିଶାର ଅର୍ଥନୀତି ଓ ରାଜନୀତିରେ ମନ୍ଦିରର ଐତିହାସିକ ପ୍ରଭାବ ରହି ଆସିଛି। ସରକାର ସେହି ଐତିହାସିକ ସତ୍ୟକୁ ଆଉ ଥରେ ଆବିଷ୍କାର କରିଛନ୍ତି କି? ଅନ୍ୟ ଏକ ମତ ଅନୁସାରେ ରାଜ୍ୟରେ ଭାରତୀୟ ଜନତା ପାର୍ଟିର କ୍ରମ ବର୍ଦ୍ଧିଷ୍ଣୁ ପ୍ରଭାବକୁ ସୀମିତ କରିବା ଲାଗି, ବିଜେପିର ଆକ୍ରାମକ ମନ୍ଦିର ରାଜନୀତି ବିରୋଧରେ ଏହା ଏକ ବିକଳ୍ପ ମନ୍ଦିର ରାଜନୀତି କି?
ଓଡିଶାର ସାଂସ୍କୃତିକ ଜୀବନ ଧାରାରେ ମନ୍ଦିର ଗୁଡିକର ବ୍ୟାପକ ପ୍ରଭାବ ରହିଛି। ପୁରୀ ଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକ ଏବଂ ଧାର୍ମିକ ପ୍ରଭାବ ତ ରହିଛି। ଏହା ବ୍ୟତୀତ ରାଜ୍ୟର ଅର୍ଥନୀତିକୁ ପୁରୀର ଏକ ଭିନ୍ନ ଅବଦାନ ରହିଛି। ରାଜ୍ୟକୁ ଆସୁଥିବା ଦେଶୀ ଏବଂ ବିଦେଶୀ ପର୍ୟଟକଙ୍କ ଭିତରୁ ୯୦ ଭାଗ ପୁରୀକୁ ହିଁ ଆସନ୍ତି। ୨୦୧୮-୧୯ରେ ରାଜ୍ୟକୁ ୧୫୫.୧୦ ଲକ୍ଷ ଭାରତୀୟ ଓ ୧.୧୪ ଲକ୍ଷ ବିଦେଶୀ ପର୍ୟଟକ ଆସିଥିବାର ଆକଳନ କରାଯାଇଛି। ଏଥିରୁ ସର୍ବାଧିକ ପୁରୀକୁ ହିଁ ଆସିଥିବେ। ତେଣୁ ପୁରୀର ବିକାଶ ସହିତ ରାଜ୍ୟର ଅର୍ଥନୀତି ଜଡିତ। ରାଜ୍ୟକୁ ଆସୁଥିବା ପର୍ୟଟକଙ୍କ ତୁଳନାରେ ଆମର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଆମ ପାଖରେ ସମ୍ଭାବନା ଅଛି, ହେଲେ ତାର ଉପଯୋଗ ହୋଇ ପାରୁନି। ଗତ ପାଞ୍ଚ ବର୍ଷ ଧରି ଓଡିଶାରେ ହୋଟେଲ ଶିଳ୍ପ ସ୍ଥିର ହୋଇ ରହିଛି। ଗତ ବର୍ଷ ଫନି ବାତ୍ୟାରେ ପୁରୀ-କୋଣାର୍କ-ଭୁବନେଶ୍ବରର ହୋଟେଲ ଶିଳ୍ପ ଏକ ପ୍ରକାର ଉଜୁଡି ଯାଇଥିଲା। ଏହାର ପୁନରୁଦ୍ଧାର ଆମର ପ୍ରଥମ ଆବଶ୍ୟକତା ହେବା ଉଚିତ।
ଓଡ଼ିଶାକୁ ଆସୁଥିବା ପର୍ୟଟକମାନେ ଅଧିକ ଦିନ ଓଡିଶାରେ ରହୁ ନାହାନ୍ତି। ଗମନାଗମନ ଓ ସେବାକାରୀ ହୋଟେଲ ବ୍ୟବସ୍ଥାର ଅଭାବ ଯୋଗୁଁ, ସାରା ଓଡିଶା ବୁଲିବାକୁ ପର୍ଯଟକଙ୍କର ଆଗ୍ରହ ଆସୁନାହିଁ। ଓଡିଶାରେ ଜଣେ ବିଦେଶୀ ପର୍ୟଟକ ହାରାହାରି ୧୧ ଦିନ ଓ ଦେଶୀ ପର୍ୟଟକ ୩.୭ ରହିଥାନ୍ତି। ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଏହା ଯଥେଷ୍ଟ କମ। ଧାର୍ମିକ ପର୍ୟଟକଙ୍କ ପାଇଁ ପୁରୀ ଓ ଏହାର ଆଖପାଖରେ ସୁବିଧା ଯଥେଷ୍ଟ କମ।
ପ୍ରାଚୀନ କାଳରେ “ଯାତ୍ରୀପଣ୍ଡା” ବ୍ୟବସ୍ଥା ଯୋଗୁଁ ତୀର୍ଥାଟନ ପାଇଁ ଆସୁଥିବା ପର୍ୟଟକଙ୍କ ପାଇଁ ସହଜ ଓ ସୁଗମ ବ୍ୟବସ୍ଥା ଥିଲା। ଆଜିର ପୁରୀରେ ସାଧାରଣ ପର୍ୟଟକ ପାଇଁ ରହିବାର ବା ଖାଇବାର ସହଜ ବ୍ୟବସ୍ଥା କିଛି ରହିଛି କି? ପୁରୀର ମଠ ଓ ଧର୍ମଶାଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଉଠି ଯାଇଥିବାରୁ ଏବେ ସରକାର ଏହାର ବିକଳ୍ପ ବ୍ୟବସ୍ଥା ତୁରନ୍ତ କରିବା ଜରୁରୀ। ସେହିପରି ମହାପ୍ରସାଦ ଦର ସାଧାରଣ ଗରିବ ଭକ୍ତର କ୍ରୟଶକ୍ତି ବାହାରକୁ ଚାଲି ଯାଉଛି। ସେ ସମ୍ପର୍କରେ ସରକାର ଓ ମନ୍ଦିର ପ୍ରଶାସନ ଏକ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରୁଛନ୍ତି କି?
ଐତିହ୍ୟ ସହରର ନିର୍ମାଣ ଓ ଐତିହ୍ୟର ସୁରକ୍ଷା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଏହାର ରାଜନୈତିକ ଦିଗଟି ଅତ୍ୟନ୍ତ ସ୍ପର୍ଶକାତର। ଐତିହ୍ୟ ସ୍ଥଳ ଓ ଧାର୍ମିକ ସ୍ଥଳକୁ ନେଇ ସାମ୍ପ୍ରଦାୟିକ ରାଜନୀତିର ଏକ ଲମ୍ବା ଇତିହାସ ଆମ ଦେଶରେ ରହିଛି। ପୁରୀରେ ଧର୍ମ ସହିତ ରାଜନୀତିକୁ ଯୋଡିବାର ପ୍ରୟାସ କରି ଗତ ନିର୍ବାଚନରେ ବିଜେପି ଯଥେଷ୍ଟ ଲାଭ ଉଠାଇଛି। ମନ୍ଦିର ରାଜନୀତି ବିଜେପିକୁ ସବୁବେଳେ ଅଧିକ ସୁଯୋଗ ଦେଇ ଆସିଛି। ଏକଥା ନବୀନ ବାବୁ ଓ ତାଙ୍କ ପ୍ରଶାସନ ଭଲ ଭାବରେ ବୁଝିଥିବେ ନିଶ୍ଚୟ!!
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବରରେ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନସ୍ଥାନକୁ 13ଟି ନୂଆ ବିମାନ ଚଳାଚଳ ପାଇଁ ମିଟିଂରେ ଆଲୋଚନା ହୋଇଛି। ଭୁବନେଶ୍ବରରୁ ବେଙ୍ଗଲୁରୁ ଓ ସୁରତକୁ 20ରୁ ଆରମ୍ଭ ହୋଇଛି ବିମାନ ସେବା। 24ରୁ ଝାରସୁଗୁଡାରୁ କୋଲକାତା ବିମାନ ଉଡାଣ ଓ 31 ତାରିଖରୁ ଭୁବନେଶ୍ବର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର ବିମାନ ନେଇ ଆଲୋଚନା ମଧ୍ୟ ହୋଇଛି। ଭୁବନେଶ୍ବରରୁସିଙ୍ଗାପୁର, ବ୍ୟାଙ୍କକ୍, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ। ପ୍ରୟାଗରାଜ, କଲାଇକୁଣ୍ଡାକୁ ବିମାନ ଉଡାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ଉପରେ ମଧ୍ୟ ଗୁରୁତ୍ବ ଦେବା ପାଇଁ ଏହି ବୈଠକରେ ଆଲେଚନା କରାଯାଇଛି। ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଘରୋଇ ଉଡାଣ ପାଇଁ 1 ପ୍ରତିଶତ ଭାଟ୍ରେ ଇନ୍ଧନ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହା ସୂଚନା ଦେଇଛନ୍ତି।
ସମୀକ୍ଷା ବ୍ୟୁରୋ
ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି ଓଡିଶାର ଜନ ସାଧାରଣ ଜାଣିବାକୁ ଚାହୁଁଛନ୍ତି, ମାତ୍ର କୋଡିଏ ଦିନ ତଳେ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେଇଥିବା ପୋମା ଟୁଡ଼ୁଙ୍କୁ ହଠାତ ବଦଳି କରାଗଲା କାହିଁକି? ଜଣେ ଜିଲ୍ଲାପାଳ ୨୦ ଦିନର ରହଣି ଭିତରେ କୋରାପୁଟରେ ଏମିତି କଣ କଲେ ଯେ ତାଙ୍କୁ ରାଜ୍ୟ ସରକାର ତୁରନ୍ତ ବଦଳି କରିବାକୁ ଆଦେଶ ଦେଲେ? କେନ୍ଦ୍ର ସରକାରଙ୍କ ପର୍ସୋନେଲ ଏବଂ ତାଲିମ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲାପାଳମାନେ ଅତି କମରେ ୨ ବର୍ଷ ଗୋଟେ ଜିଲ୍ଲାରେ କାମ କରିବାର ସୁଯୋଗ ପାଇବେ। ଦୁଇ ବର୍ଷ ଆଗରୁ ତାଙ୍କୁ ବଦଳି କରିବାକୁ ହେଲେ ଏକ ସ୍ଵତନ୍ତ୍ର ବୋର୍ଡର ଅନୁମତି ଦରକାର ବୋଲି କୁହାଯାଇଥିଲା। ତେବେ ଏହି ନିୟମକୁ ରାଜ୍ୟ ସରକାର ମାନୁଛନ୍ତି କି?
କୋରାପୁଟ ଜିଲ୍ଲାପାଳଙ୍କ ବଦଳି ପ୍ରସଙ୍ଗରେ ଯାହା ଆଲୋଚନା ହେଉଛି, ତାହା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଥିବା କୋଡିଙ୍ଗାମାଳୀ ଖଣି ଉତ୍ତୋଳନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଜିଲାପାଳ ପୋମା ଟୁଡୁ କାର୍ଯ୍ୟରେ ଯୋଗ ଦେବା ପରେ ପରେ କୋଡିଙ୍ଗାମାଳୀ ଖଣି ଦ୍ଵାରା ପ୍ରଭାବିତ ୨୨ ଖଣ୍ଡ ଗାଁ ର ଲୋକେ ଖଣି ଖନନ ବନ୍ଦ କରିବାକୁ ଆନ୍ଦୋଳନ ଆରମ୍ଭ କରିଥିଲେ। କୋଡିଙ୍ଗାମାଳୀରେ ଖଣି ଖନନ ଯୋଗୁଁ ୨୨ ଟି ଗାଁ ର ଲୋକେ ଭୟଙ୍କର ପ୍ରଦୂଷଣ ର ଶିକାର ହେଉଛନ୍ତି ଓ ଖଣି ଖନନ କରୁଥିବା ଠିକାଦାର ସଂସ୍ଥା ଜାଲ ଗ୍ରାମସଭାର ରିପୋର୍ଟ ଆଧାରରେ ଖଣି ଖୋଳା ଚାଲିଛି ବୋଲି ଅଭିଯୋଗ ଆସିଥିଲା। ୩ ତାରିଖ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଓ କୋରାପୁଟ ଏସପି କେ.ବିଶାଳ ସିଂ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଲୋକଙ୍କୁ ବୁଝାଶୁଝା କରି ଫେରୁଥିବା ଜିଲାପାଳଙ୍କୁ ହଠାତ ବଦଳି କରାଗଲା। ମାତ୍ର ୨୦ ଦିନ ଭିତରେ ଲୋକଙ୍କ ସହ ମିଶି ଓ ପୁରା କୋରାପୁଟ ଜିଲ୍ଲା ଗସ୍ତ କରି ଲୋକଙ୍କ ପାଇଁ କାମ କରିବାକୁ ବଦ୍ଧପରିକର ଥିବା ପୋମା ଟୁଡୁଙ୍କୁ ହଠାତ ବଦଳି କରିବାର କାରଣ କଣ?
କୋଡିଙ୍ଗାମାଳୀ ଖଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ରହିଛି। ରାଜନେତା ଓ ଖଣି ଠିକାଦାରଙ୍କ ମିଳିତ ଶୋଷଣର ଶିକାର ହେଉଥିବା ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରୁଛନ୍ତି। କମ୍ପାନୀ ର ପରିବହନ ବିଭାଗରେ କୋରାପୁଟର ପୂର୍ବତନ ସାଂସଦ, ଲକ୍ଷ୍ମୀପୁର ର କିଛି ପୂର୍ବତନ ବିଧାୟକଙ୍କ ଟ୍ରକ ଓ ଟିପର ଲାଗିଥିବାର ଅଭିଯୋଗ ହେଉଛି। ଓଏମସି ଏହି ଖଣିର ମୂଳ ମାଲିକ ହୋଇଥିବା ବେଳେ ଅନ୍ୟ ଏକ କମ୍ପାନୀକୁ ଠିକା ଦେଇ ଖନନ କାମ ଚାଲିଛି। ଏହି କମ୍ପାନୀ ଖଣି ଖନନ ନିୟମର ଉଲ୍ଲଂଘନ କରି ପ୍ରଦୂଷଣ ଓ ଲୋକଙ୍କ ଭିତରେ ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ ଆସିଛି। ଖଣି ମାଫିଆ ଓ ରାଜନେତାଙ୍କ ଅବୈଧ ଚାପକୁ ଅଣଦେଖା କରି ଲୋକଙ୍କ କଥା ଶୁଣିଥିବାରୁ ଓ ଲୋକ ହିତରେ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି ବୋଲି କୋରାପୁଟରେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଛି। ଜାଣିଶୁଣି ବିଧାନସଭା ଅଧିବେଶନ ସାରିବା ପରେ ପରେ ଏହି ବଦଳି କରାଯାଇଛି। ପୋମା ଟୁଡୁ ନୂଆପଡା ଜିଲ୍ଲାପାଳ ଥିବା ବେଳେ ଜିଲାର ଅଗମ୍ୟ ଅଞ୍ଚଳକୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିଲେ। ଜଣେ ଲୋକପ୍ରିୟ ଅଧିକାରୀଙ୍କୁ ଖଣି ମାଫିଆଙ୍କ ଚାପରେ ସତରେ ଯଦି ହଟା ଯାଇଥାଏ, ଏହା ନବୀନ ସରକାରଙ୍କ ସ୍ବଚ୍ଛତା ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିବ।