Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି। ତାଙ୍କ ଜୀବନର ଗଭୀରତା, ସଦ୍​ଗୁଣ ଓ ଆଦର୍ଶ  ତାଙ୍କୁ ଦେବତାଙ୍କ  ସହିତ ତୁଳନୀୟ  କରିଥିଲା। ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ତାଙ୍କର  ରାଜନୈତିକ ବିରୋଧୀ ଥିଲେ। କିନ୍ତୁ, କେହି ଶତ୍ରୁ ନଥିଲେ। ତେଣୁ, ସେ ଥିଲେ ଅଜାତଶତ୍ରୁ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ  ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ OUAT କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଓଜସ୍ୱିନୀ ବକ୍ତା ଓ ଜଣେ ପ୍ରସିଦ୍ଧ କବି ଭାବେ ଭାରତ ବର୍ଷର ରାଜନୈତିକ ଇତିହାସରେ ସ୍ୱର୍ଗତ ବାଜପେୟୀଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ସେ ପୁଣି କହିଥିଲେ ଯେ ବାଜପେୟୀଜୀ ଥିଲେ ଜଣେ ଯୁଗପୁରୁଷ । ବିଂଶ ଶତାବ୍ଦୀର  ଶେଷ ଭାଗରେ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ଦେଶର ନେତୃତ୍ୱ ନେଇ ସାରା ଦେଶକୁ ଏକ ନୂଆ ଦିଗ୍​ଦର୍ଶନ ଦେଇଥିଲେ।

ଦେଶର ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ସଫଳ ନେତୃତ୍ୱ ହିଁ ପ୍ରମାଣିତ କରିଥିଲା ଯେ, ଏକବିଂଶ ଶତାବ୍ଦୀ ହେବ ଭାରତର ଶତାବ୍ଦୀ ।  ତାଙ୍କ ଶାସନରେ ଦେଶର ବିକାଶର ଗତି ଏକ ନୂତନ ଶିଖର ଛୁଇଁ ଥିଲା ।
ଅର୍ଥନୈତିକ ପ୍ରଗତି ଓ ଭିତ୍ତିଭୂମିର ବିକାଶ ତାଙ୍କ ଶାସନର ଏକ ଉଜ୍ଜ୍ୱଳ ଅଧ୍ୟାୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କୁ ଜଣେ ସୁଶାସକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ତାଙ୍କ ସମୟରେ ଦେଶର ଆର୍ଥିକ ପ୍ରଗତି ନୂତନ ଶିଖର ଛୁଇଁ ଥିଲା।

ବିକାଶର ସୁବୁଠୁ ବଡ ଆବଶ୍ୟକତା  ଭିତ୍ତିଭୂମି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଯଦି ଆମେ ଭାରତର ବିକାଶର ଇତିହାସକୁ ଦେଖିବା, ତେବେ ବାଜପେୟୀଙ୍କ ସମୟ ହେଉଛି, ଭିତ୍ତିଭୂମି  ବିକାଶର  ଏକ ନୂତନ  ଅୟମାରମ୍ଭ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଭାରତର ଚାରି ମହାନଗରୀକୁ ଯୋଡି ସେ ବିକାଶକୁ ଏକ ନୂଆ ଗତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସେ ଦେଶର ଗାଁ ଗୁଡିକରେ ସିମେଣ୍ଟ କଂକ୍ରିଟ ରାସ୍ତା କରି ଗ୍ରାମ୍ୟ ଭିତ୍ତିଭୂମି ସୁଦୃଢ କରିଥିଲେ।  ବାଜପେୟୀଙ୍କ ସୁଦୂର ପ୍ରସାରି ଚିନ୍ତାଧାରା ଗାଁ’ର ପରିବେଶ  ଓ   ଗ୍ରାମ୍ୟ  ଅର୍ଥନୀତିରେ ଏକ  ବ୍ୟାପକ ପରିବର୍ତ୍ତନ ଆଣି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କ ସଂପର୍କରେ କେତେକ  କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଥିଲେ ଜଣେ ସର୍ବ ମାନ୍ୟ ନେତା। ନିଜ ଆଦର୍ଶ ସହିତ ବାଜପେୟୀ କେବେ ବି ସାଲିସ କରି ନ ଥିଲେ ବୋଲି ସେ କହିଥିଲେ।

ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ କିପରି ଜାତିସଂଘରେ   ପାକିସ୍ତାନର  ଚାଲ୍ କୁ ପ୍ରତିହତ କରିବାରେ ସଫଳ ହୋଇଥିଲେ, ୧୯୯୯ ରେ ସରକାର ବଞ୍ଚାଇବା ପାଇଁ ସେ କିପରି ରାଜନୈତିକ ମୂଲ୍ୟବୋଧ ସହିତ ସାଲିସ କରି ନ ଥିଲେ ଆଦି ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ, ନିଜ ନୀତି ଆଦର୍ଶ କିମ୍ବା ବାବା ସାହେବଙ୍କ ପ୍ରଣିତ ସମ୍ବିଧାନର ଆତ୍ମାର ସୁରକ୍ଷା ପାଇଁ ନିଜ ସରକାରକୁ ଉତ୍ସର୍ଗ କରିଦେଇଥିଲେ, କେବଳ ଗୋଟି ଭୋଟ ପାଇଁ।

ଏହି ଦୁଇଟି ପ୍ରସଙ୍ଗରୁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵ, ତାଙ୍କର ଦୁରଦୃଷ୍ଟି ଏବଂ ଦେଶ ତଥା ଗଣତନ୍ତ୍ର ପ୍ରତି ତାଙ୍କର ଆବେଗ ସହଜରେ ଅନୁମେୟ ବୋଲି ସେ କହିଥିଲେ ।

ଆଜି ଭାରତୀୟ ଜନତା ପାର୍ଟି ବିଶ୍ଵର ସବୁଠାରୁ ବଡ ରାଜନୈତିକ ଦଳ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦଳ କଷ୍ଟସାଧ୍ୟ ସମୟରେ ବାଜପେୟୀଙ୍କ  ଦୃଢ଼ ନେତୃତ୍ୱ ଭାରତୀୟ ଜନତା ପାର୍ଟିକୁ ଆଜି ଏକ ସଫଳ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯେଉଁ ଦଳକୁ ବାଜପେୟୀ ଜୀ ସିଞ୍ଚନ କରି ଜାଗ୍ରତ କରିଥିଲେ, ମାନନୀୟ ମୋଦୀ ଜୀ ତାଙ୍କର ପଦାଙ୍କ ଅନୁସରଣ କରି ଦଳକୁ ହୃଷ୍ଟ ପୃଷ୍ଟ କରିଛନ୍ତି ଏବଂ ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତୃତ୍ଵ ଥିଲେ, ଯାହାଙ୍କ ବ୍ୟକ୍ତିତ୍ୱ ଅନ୍ୟ ବିରୋଧୀ ଦଳଙ୍କୁ ଆକର୍ଷିତ କରିଥିଲା ଏବଂ ଭାରତରେ ଏକ ନୂଆ ପ୍ରକାର ରାଜନୀତିର ଅଭ୍ୟୁଦୟ ହୋଇଥିଲା। ବିଭିନ୍ନ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳଙ୍କୁ ନେଇ ଦେଶପାଇଁ ଗଠନମୂଳକ କାର୍ଯ୍ୟ କରିବାର କଳା, କୌଶଳ ତାଙ୍କର ଥିଲା।

ବାଜପେୟୀଙ୍କ ନେତୃତ୍ୱରେ ପୋଖରନ୍ ରେ ପରମାଣୁ ପରୀକ୍ଷଣ, କାରଗିଲ ଯୁଦ୍ଧରେ ବିଜୟ ଆଜି ଦୃଢ଼ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ।

1999ର କାରଗିଲ ବିଜୟ ସଂପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କ ଦୃଢ ନେତୃତ୍ୱର ପରିଚୟ ଦିଏ । ଦେଶର ଅଖଣ୍ଡତା ପାଇଁ ସେ ଦୃଢ ନେତୃତ୍ୱ ପ୍ରଦର୍ଶନ କରିଥିବା ବେଳେ, ଶାନ୍ତି ସ୍ଥାପନ ପାଇଁ  ଟିକିଏ Extra Mile ଚାଲିବାକୁ ସେ ପଛେଇ ଯାଉ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଲେ ଯେ, ପାକିସ୍ତାନ ସହିତ ଶାନ୍ତି ସ୍ଥାପନ ପାଇଁ ସେ  ପାକିସ୍ତାନ ଯାତ୍ରା କରିଥିଲେ ଓ ପାକିସ୍ତାନ ରାଷ୍ଟ୍ରମୁଖ୍ୟଙ୍କୁ ଭାରତ ମଧ୍ୟ ଆମନ୍ତ୍ରଣ କରିଥିଲେ । କିନ୍ତୁ, ଆବଶ୍ୟକ ହେଲେ କଠୋର ରୁ କଠୋରତମ ପଦକ୍ଷେପ ନେବା ପାଇଁ ସେ ତିଳେମାତ୍ର ପଛଉ ନ ଥିଲେ।

ତାଙ୍କ ପାଇଁ ଦେଶର ସ୍ୱାର୍ଥର ସୁରକ୍ଷା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନୀତି, ଆଦର୍ଶ ଏବଂ ଜନତାଙ୍କ ପ୍ରତି ସମର୍ପଣ ମନୋଭାବ ତାଙ୍କୁ ଦେଶର ଏକ ଅଦ୍ୱିତୀୟ ନେତା ଓ ସୁଶାସକର ପରିଚୟ ଦେଇଥିଲା।

ସ୍ୱର୍ଗତ ବାଜପେୟୀଙ୍କର ଓଡିଶା ପ୍ରତି ଅନେକ ଅବଦାନ ରହିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ 1999ର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡିଶା ଯେତେବେଳେ ହତାଶା ମଧ୍ୟରେ ଗତି କରୁଥିଲା, ସେତେବେଳେ ବାଜପେୟୀଜୀ ଓଡିଶା ଆସି ପ୍ରତ୍ୟେକ ଓଡିଶାବାସୀଙ୍କୁ ଆଶାର ଆଲୋକ ଦେଖାଇଥିଲେ ।

ବାଜପେୟୀ କହିଥିଲେ ଯେ, ଓଡିଶାର ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ । ବାଜପେୟୀଜୀଙ୍କ ଏହି ଆଶ୍ୱାସନା ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଥିଲା । ବାଜପେୟୀଜୀ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ 300 କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

ଏହା ବ୍ୟତିତ ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ 7 ଲକ୍ଷ  ଘର ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ । କେବଳ ସେତିକି ନୁହେଁ, ପାରାଦୀପରେ Indian Oil Corporation ଦ୍ୱାରା ଏକ Refinery ସ୍ଥାପନ ଓ ଭୁବନେଶ୍ୱରରେ ଏମ୍​ସ ସ୍ଥାପନ ପାଇଁ ମଧ୍ୟ ସେ ଭିତ୍ତିପ୍ରସ୍ତର ରଖିଥିଲେ । ଏହା ସହିତ 2003 ମସିହାରେ East Coast Railway ମଧ୍ୟ ସ୍ଥାପନ ହୋଇଥିଲା । ବାଜପେୟୀଙ୍କ ସମୟରେ ହିଁ ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଯାଇ, ଦେଶର ଏକ ସରକାରୀ ଭାଷାର ମର୍ଯ୍ୟଦା ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମେ ଜଣେ ସୁଶାସକ କେବଳ ତାଙ୍କୁ ହିଁ କହି ପାରିବା, ଯାହାଙ୍କ ଶାସନରେ ଲୋକ ନିଜକୁ ସବୁ ଦୃଷ୍ଟିରୁ ସୁରକ୍ଷିତ ମନେ କରିବେ । ନିଜର ଏକ ସୁନ୍ଦର ଭବିଷ୍ୟତର ଉଜ୍ଜ୍ୱଳ ଆଶା ମଧ୍ୟ ଲୋକଙ୍କ ଭିତରେ  ସୃଷ୍ଟି ହେଉଥିବା ଆବଶ୍ୟକ ।  ସବୁ ଦୃଷ୍ଟିକୋଣରୁ ବାଜପେୟୀଜୀ ଥିଲେ ଜଣେ ସୁଶାସକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଦେଶ ପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ଜନ୍ମ ଦିବସକୁ ସୁଶାସନ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଜୀଙ୍କୁ, ପ୍ରଧାନମନ୍ତ୍ରୀ ମୋଦୀଜୀ  ବହୁତ୍ ଶ୍ରଦ୍ଧା ଓ  ସମ୍ମାନ କରନ୍ତି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ 2018 ଅଗଷ୍ଟ ୧୬ ତାରିଖ, ଯେଉଁ ଦିନ ବାଜପେୟୀଙ୍କ ଦେହାବସାନ ହେଲା, ସେ ଦିନ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ବାଜପେୟୀଙ୍କ ମର ଶରୀର ସହିତ ପଦରେ ଚାଲି ଚାଲି  ଶେଷକୃତ୍ୟ ସ୍ଥଳକୁ ଯାଇଥିଲେ । ଜଣେ ପୁତ୍ର ସଦୃଶ ସେ ତାଙ୍କର ଶେଷ କୃତ୍ୟ ସମ୍ପାଦନ କରିଥିଲେ।

ଏହା ହେଉଛି, ଭାରତୀୟ ସଂସ୍କାର। ଉଭୟ ବାଜପେୟୀଜୀ ଓ ମୋଦୀଜୀ ହେଉଛନ୍ତି ଏହାର ପ୍ରକୃଷ୍ଟ ଉଦାହରଣ  ବୋଲି ସେ କହିଥିଲେ।

ଓଡ଼ିଶାରେ ନୂଆ ସରକାର କିପରି ସୁଶାସନ ପାଇଁ ପ୍ରଟିବଦ୍ଧ ହୋଇ କାମ କରୁଛି ସେ ସମ୍ପର୍କରେ ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାରେ  ଆମ   ସରକାର  ମାତ୍ର ୬  ମାସ  ପୂରଣ  କରିଛି। କିନ୍ତୁ, ଲୋକଙ୍କୁ ସୁଶାସନ ଦେବାରେ ଆମେ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିନାହୁଁ। ସୁଶାସନର ଏକ ବଡ଼ ଆବଶ୍ୟକତା ହେଉଛି ଲୋକଙ୍କ ଭରସା।

ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର ଗଠନ ହେଲା, ସେହି ଦିନ ହିଁ କ୍ୟାବିନେଟ୍ ବସାଇ ଆମେ ଚାରିଟି ମୁଖ୍ୟ ନିଷ୍ପତ୍ତି ନେଇଥିଲୁ। ସରକାର ଗଠନର ଛ’ ମାସ ମଧ୍ୟରେ ସେହି ଚାରିଟି ଯାକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛୁ। ଶ୍ରୀମନ୍ଦିର’ର ଚାରି ଦ୍ଵାର ଖୋଲିବା, ଶ୍ରୀମନ୍ଦିର’ର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ସହିତ ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଓ ଚାଷୀ ଭାଇ ମାନଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା  ପ୍ରଦାନ —  ସବୁ ପ୍ରତିଶ୍ରୁତି  କାର୍ଯ୍ୟକାରୀ  କରିଛୁ। ଲୋକଙ୍କ ଭିତରେ ସରକାରଙ୍କ ଉପରେ ଭରସା ସୃଷ୍ଟି ହୋଇ ପାରିଛି । ଲୋକ ଅନୁଭବ କରୁଛନ୍ତି, ଯେ ସରକାରଙ୍କ କଥା ଓ କାମ ସମାନ। ଆଉ ଗୋଟିଏ କଥା ହେଉଛି, ଗୋଟିଏ ସରକାର ଭାବେ ଲୋକଙ୍କୁ ନିୟମିତ ଭାବେ ଭେଟିବା, ସେମାନଙ୍କ ସୁଖ ଦୁଃଖ ବୁଝିବା।

ଆମ  ସରକାର ଗଠନର ପ୍ରଥମ ଦିନରୁ ହିଁ ମୁଁ ନିଜେ ଲୋକଙ୍କୁ ନିୟମିତ ଭାବେ ଭେଟୁଛି ଓ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଛି। ପ୍ରତି ସୋମବାର ଦିନ ମୁଁ ଓ ମୋ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କୁ ଶୁଣି ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛୁ । ଆମ ପାଇଁ ଖୁସିର କଥା, ଆମ ସରକାର ‘ଲୋକଙ୍କ ସରକାର’ ବା People’s Government  ଭାବରେ ସୁନାମ ଅର୍ଜନ କରିଛି। ଗୋଟିଏ ନୂଆ ସରକାର ପାଇଁ ଏହା କିଛି କମ୍ ଉପଲବ୍​ଧି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । କେବଳ ସେତିକି ନୁହେଁ, ଓଡ଼ିଶାର ଲୋକଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ‘ଭିଜନ ଡକୁମେଣ୍ଟ’ ମଧ୍ୟ ପ୍ରସ୍ତୁତ କରୁଛୁ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ

୨୦୩୬ କୁ ଦୃଷ୍ଟିରେ ରଖି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଯୋଜନା ପ୍ରସ୍ତୁତ କର

ବାଜପେୟୀଜୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ  ସୁଶାସନ ପାଇଁ ଆମର ଏହି ସଂକଳ୍ପ ଓ କାର୍ଯ୍ୟାବଳୀ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କ ଏକ କାଳଜୟୀ ପଂକ୍ତି ସହିତ ଅଭିଭାଷଣ ଶେଷ କରିଥିଲେ।

କ୍ୟା ହାର୍ ମେଁ, କ୍ୟା ଜିତ୍ ମେଁ,
କିଞ୍ଚିତ୍ ନେହିଁ ଭୟଭୀତ୍ ମେଁ ।
କର୍ତ୍ତବ୍ୟ ପଥ୍ ପର୍ ଯୋ ଭି ମିଲା,
ୟହ  ଭି ସହି, ଓ  ଭି   ସହି,
ବରଦାନ୍ ନେହିଁ ମାଙ୍ଗୁଗାଁ ।
ହୋ କୁଛ,
ପର୍, ହାର୍ ନେହିଁ ମାନୁଙ୍ଗା
ପର୍, ହାର୍ ନେହିଁ ମାନୁଙ୍ଗା ।।

ବିଧାୟକ, ଏକାମ୍ର- ଭୁବନେଶ୍ୱରଶ୍ରୀ ବାବୁ ସିଂହ କହିଥିଲେ ଯେ ବାଜପେୟୀ ଥିଲେ ଦେଶର ଶ୍ରେଷ୍ଠ ପୁରୁଷ। ତାଙ୍କର ସୁଶାସନ ପାଇଁ ଦେଶ ଆଜି ବି ତାଙ୍କର ପୁନର୍ଜନ୍ମ କୁ ଚାହିଁ ରହିଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ ଯେ ବାଜପେୟୀଙ୍କ ଜୀବନୀ ଓ ଆଦର୍ଶ ରୁ ଆମକୁ ବହୁତ୍ କିଛି ଶିଖିବାର ଅଛି। ବିକାଶ ଓ ପ୍ରଗତିର ଏକମାତ୍ର ମାଧ୍ୟମ ହେଉଛି ସୁଶାସନ ବୋଲି ସେ କହିଥିଲେ।

ସ୍ବାଗତ ଭାଷଣ ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭା ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ସେବା ଭାବ, ସମ୍ବେଦନଶୀଳତା  ଓ ଉତ୍ତଦାୟିତା ମାଧ୍ୟମରେ ବାଜପେୟୀ ସୁଶାସନ ପ୍ରତିଷ୍ଠା କରିଥିଲେ।

ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଭୋକ, ଭୟ ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାର ପ୍ରକୃତ ମାର୍ଗ ଦର୍ଶନ କରିଥିଲେ ବାଜପାୟୀ । ତାଙ୍କ ଜୟନ୍ତୀକୁ  ରାଜ୍ୟ ସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇ ଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ।

ଭାରତ ରତ୍ନ ଅଟଳ ବିହାରୀ ଓ ସାମାଜିକ ସମଦର୍ଶିତା ନାମକ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆଜି ମଧ୍ୟାହ୍ନରେ  ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର କବିମାନେ କବିତା ପାଠ କରିବା ସହ ଅଟଳ ବିହାରୀ ବାଜପେୟୀଜୀଙ୍କର ସ୍ମୃତିଚାରଣ କରିଥିଲେ। କବିତାମାନଙ୍କର ଅଟଳଜୀଙ୍କ ଦେଶମାତୃକା ପ୍ରତି ରହିଥିବା ତ୍ୟାଗ ଓ ସମ୍ମାନ ପ୍ରସ୍ଫୁଟିତ ହୋଇଉଠିଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପନିପରିବା, ମାଛ ଓ ତୈଳବୀଜ ଉପରେ ଗବେଷଣା କରୁ କୃଷି ବିଶ୍ବବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ 484 ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ନିର୍ମିତ ନୂତନ କୃଷି ଶିକ୍ଷା ସଦନର(Auditorium) ଉଦଘାଟନ କରିଥିଲେ। ଏଥିରେ 1008ଟି ଆସନ ରହିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ କେବଳ ଧାନରେ ସ୍ବାବଲମ୍ବୀ ହେବା ଯଥେଷ୍ଟ ନୁହେଁ। ଆମକୁ ତୈଳବୀଜ, ପନିପରିବା,ମାଛ,ଅଣ୍ଡା, ଫଳ ଓ ଫୁଲ ଆଦି ଉତ୍ପାଦନ ବୃଦ୍ଧି କରିବା ଏବଂ ଏଥିରେ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ । ପୂର୍ବ ସରକାର ଆଳୁ, ପିଆଜ, ପଣସ ଇତ୍ୟାଦି ଅନେକ ମିସନ କରିଥିଲେ । କିନ୍ତୁ ସେ ସବୁ ବିଫଳ ହେଲା । ତେଣୁ ଆମକୁ ଏଥିରେ ସ୍ବାବଲମ୍ବନଶୀଳ ହେବାକୁ ପଡିବ । ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏ ସମ୍ପର୍କକରେ ନୂତନ ଜ୍ଞାନ କୈଶଳର ବିକାଶ ପାଇଁ OUAT ର ବୈଜ୍ଞାନିକ ମାନଙ୍କୁ ସେ ଆହ୍ବାନ ଦେଇଥିଲେ । ସେମାନେ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ କରିବା ପାଇଁ ସେ ପରାମର୍ଷ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଆଜି ଏକ ବିକଶିତ ରାଷ୍ଟ୍ରହେବା ଲକ୍ଷ୍ୟରେ ଅଗ୍ରଗତି କରୁଛି। ସେ କହିଲେ ଯେ ପ୍ରଧାନମନ୍ତ୍ରୀ ସବୁ ସମୟରେ କୃଷକମାନଙ୍କୁ ଅନ୍ନଦାତାର ଆଖ୍ୟାଦେଇ ସମ୍ମାନିତ କରିଆସିଛନ୍ତି ଏବଂ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ମୋଦୀଜୀଙ୍କ ପ୍ରେରଣାରେ ଓଡିଶା ସରକାର କୃଷକ ମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ଓଡିଶାରେ ଆମେ ପିଏମ କିସାନ ସହିତ ସିଏମ କିସାନ ମଧ୍ୟ କାର୍ଯ୍ୟକାରୀ କରୁଛୁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ସବୁ କୃଷକଙ୍କୁ ସାମିଲ କରାଯିବ ।

ଚଳିତ ବର୍ଷର କୃଷି ବଜେଟକୁ ଯୁଗାନ୍ତକାରୀ ବଜେଟ ଭାବେ ବର୍ଣ୍ଣନା କରି ସେ କହିଲେ ଯେ ଏ ବର୍ଷର କୃଷି ବଜେଟରେ ୩୬ ପ୍ରତିଶତ ବୃଦ୍ଧିକରି ୩୩ ହଜାର ୯ ଶହ ୧୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହା ମଧ୍ୟରେ ‘ସମୃଦ୍ଧ କୃଷକ ଯୋଜନା’ ଅନ୍ତର୍ଭୁକ୍ତ। “ସମୃଦ୍ଧ କୃଷକ ନୀତି” ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା 3100 ଟଙ୍କା ଧାର୍ଯ୍ୟ କରାଯାଇଛି। ଆମ ରାଜ୍ୟରେ ଧାନ ଉତ୍ପାଦନରେ ଅଧିକ ଖର୍ଚ୍ଚ ହେଉଥିବାରୁ ଆମ ଚାଷୀମାନେ କ୍ଷତି ସହି ଥାଆନ୍ତି।

ସେଥିପାଇଁ ନୂଆ ସରକାର ସମୃଦ୍ଧ କୃଷକ ଯୋଜନା ଆଣିବା ଦ୍ଵାରା କୃଷକମାନେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ପାଇବ। ପୂର୍ବ ସରକାର ୧୦୦ ଟଙ୍କାର ବୋନସ ଦେବେ ବୋଲି ଘୋଷଣା କରି ମଧ୍ୟ ଚାଷୀ ନ ପାଇ ହତାସ ଥିଲା। ଧାନ ବିକ୍ରି କରିବାର 48 ଘଣ୍ଟା ମଧ୍ୟରେ ଏହି ଅର୍ଥ କୃଷକମାନଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପ୍ରେରଣ କରାଯିବ। ଏଥି ସହିତ କୃଷିଜାତ ସାମଗ୍ରୀ ବିକ୍ରି କରିବାରେ ସୁବିଧା ଆଣିବା ପାଇଁ ମଣ୍ଡି ଗୁଡିକର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି।

କୃଷି କ୍ଷେତ୍ରପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବର୍ଣ୍ଣନାକରି ସେ କହିଲେ ଯେ ନିକଟରେ, ଆମ ସରକାର ରାଜ୍ୟରେ କୃଷକ-ଅନୁକୂଳ ନୀତି ଅନୁସରଣ କରି ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ପିଲାମାନଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ “କୃଷି ବିଦ୍ୟାନିଧି” ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି। “ବସୁଧା କେନ୍ଦ୍ର” ଯୋଜନା ମାଧ୍ୟମରେ ପ୍ରତି ବ୍ଲକରେ ରହିଥିବା ମଣ୍ଡିଗୁଡିକରେ ଶସ୍ୟ ରହିବା ସ୍ଥାନ, କୃଷକଙ୍କ ବିଶ୍ରାମ ସ୍ଥାନ ଏବଂ ଗୋଦାମ ଘର ନିର୍ମାଣ କରାଯାଉଛି। “ଇ-ନାମ୍” ମାଧ୍ୟମରେ ଓଡିଶାର ସମସ୍ତ ମଣ୍ଡି ମଧ୍ୟରେ ସଂଯୋଗ ସ୍ଥାପନ କରାଯିବା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି।

ରାଜ୍ୟରେ ଜୈବିକ କୃଷି ଏବଂ ପ୍ରାକୃତିକ କୃଷିର ପ୍ରୋତ୍ସାହନ ପାଇଁ ସରକାରଙ୍କ ତରଫରୁ ‘ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ “ଶ୍ରୀ ଅନ୍ନ” ଯୋଜନା ଆରମ୍ଭ କରାଯାଉଛି। ସ୍ବଳ୍ପ ଉତ୍ପାଦିତ ଫସଲଗୁଡିକର ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧତା ମାଧ୍ୟମରେ ସ୍ୱତନ୍ତ୍ର ଭାବେ ପ୍ରୟାସ କରାଯାଇଛି। ଏ ଦିଗରେ ଓୟୁଏଟି ତରଫରୁ ପିଲିପେସରା (Pillipesara) ଫସଲର ଆମ ଦେଶରେ ପ୍ରଥମ କିସମ “ପ୍ରଥମ” ବିକଶିତ ହେବା ଆମ ପାଇଁ ଖୁସିର ବିଷୟ। ଏହା ଏକ ଡାଲିଜାତୀୟ ଗୋଖାଦ୍ୟ ଫସଲ ଅଟେ। ଏହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀ ଚଳିତ ମାସ 11 ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ରାଜ୍ୟର ସମସ୍ତ 58ଟି ସବ୍‌ଡିଭିଜନରେ ଅନ୍ତତଃ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟର ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି, ଉଦ୍ୟାନ ବିଜ୍ଞାନ, ପ୍ରାଣୀ ପାଳନ, କୃଷି ଯାନ୍ତ୍ରିକୀକରଣ (Agriculture Mechanisation), କୃଷି ବନୀକରଣ, ମତ୍ସ ବିଜ୍ଞାନ, ଗୋଷ୍ଠୀ ବିଜ୍ଞାନ ଆଦି ବିଷୟରେ ଶିକ୍ଷାଦାନ ଓ ଗବେଷଣା କରାଯିବା ଆନନ୍ଦର ବିଷୟ। ଏହା ଦ୍ୱାରା କୃଷକମାନଙ୍କ ବହୁବିଧ ସମସ୍ୟାକୁ ଗୋଟିଏ ସ୍ଥାନରେ ସମାଧାନ କରାଯାଇପାରିବ। ଜିଲ୍ଲା ସ୍ତରରେ ରହିଥିବା କୃଷି ବିଜ୍ଞାନ କେନ୍ଦ୍ର ମାନ ଏସବୁ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ଫଳପ୍ରଦ ଭାବେ ପହଞ୍ଚାଇ ପାରିବେ ବୋଲି ମୁଁ ଆଶା କରୁଛି ବୋଲି ସେ କହିଥିଲେ।

ଆମ ରାଜ୍ୟରେ ରହୁଥିବା ତଫସିଲଭୁକ୍ତ ଜାତି ଏବଂ ଜନଜାତି, ଅର୍ଥନୈତିକ ଅନଗ୍ରସର ଲୋକମାନେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ କରିବା ସହିତ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବାର ଏହା ହେଉଛି ପ୍ରକୃଷ୍ଟ ସମୟ ବୋଲି ସେ ମତ ଦେଇଥିଲେ ।

ସେସବୁ ବର୍ଗର ଲୋକମାନଙ୍କ ଆର୍ଥିକ ବିକାଶ ପାଇଁ ଓୟୁଏଟି ତରଫରୁ “ଅନୁସୂଚିତ ଜନଜାତି ସବ୍‌ ପ୍ଲାନ୍‌ ଏବଂ ଅନୁସୂଚିତ ଜାତି ସବ୍ ପ୍ଲାନ୍ ଯୋଜନା” ମାଧ୍ୟମରେ ପ୍ରୟାସ କରାଯାଉଛି। ଏହି କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ଉଦ୍ୟମ କରାଯିବା ନିତାନ୍ତ ଆବଶ୍ୟକ।

କୃଷି ବୈଜ୍ଞାନିକମାନେ ରାଜ୍ୟରେ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗବେଷଣା ଜାରି ରଖିବା ଦରକାର। ଗବେଷଣାର ସୁଫଳ କିପରି ପ୍ରତ୍ୟକ୍ଷ ଭାବେ କୃଷକମାନଙ୍କ ଉପକାରରେ ଆସିପାରିବ ସେଥିପାଇଁ ପ୍ରଚେଷ୍ଟା କରାଯିବା ଆବଶ୍ୟକ। ଏ ଦିଗରେ ବିଶ୍ୱବିଦ୍ୟାଳୟର କୁଳପତି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।

ଏଠାରେ ଉପସ୍ଥିତ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗ କରୁଥିବାର ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ।

ତତ୍‌ସହିତ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭାଗିରଥ ଚୌଧୁରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରୁଛି ଯେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଆମ ଓଡିଶାରେ ସଠିକ ରୂପେ କାର୍ଯ୍ୟାନ୍ବୟନ କରିବାର ବ୍ୟବସ୍ଥାକୁ ନିୟମିତ ତଦାରଖ କରି ଆମ ରାଜ୍ୟକୁ କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ଗଢି ତୋଳିବାରେ ସହାୟକ ହେବେ।

OUATର ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ସେମାନେ କେବଳ ଚାକିରି ଉପରେ ନିର୍ଭର ନ କରି ଆତ୍ମ ନିର୍ଭର ହୁଅନ୍ତୁ ବୋଲି ସେ କହିଥିଲେ। ଏବେ Start-upର ଯୁଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ସରକାର ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ନିଜ ଜ୍ଞାନ କୌଶଳକୁ ଉପଯୋଗ କରି Innovative Project କରିବାକୁ ସେ ପରାମର୍ଷ ଦେଇଥିଲେ ।

ସ୍ରୋତ ବିରୁଦ୍ଧରେ ପହଁରି କୂଳରେ ପହଞ୍ଚିବାର ଅନୁଭୂତି ସଂପୂର୍ଣ୍ଣ ଅଲଗା। ମୁଁ କୁଳପତିଙ୍କୁ ଅନୁରୋଧ କରିବି ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡିଶା ତଥା ଓଡିଶା ବାହାରେ ହୋଇଥିବା ବିଭିନ୍ନ agri-venture କୁ exposurevisit ରେ ନିଅନ୍ତୁ। ଯଦି OUAT ପାଖରେ budget provision ନାହିଁ,ସରକାରଙ୍କୁ proposal ପଠାନ୍ତୁ। ଗତକାଲି ଆମେ ଭାରତର ଚନ୍ଦ୍ର ବିଜୟର ଉତ୍ସବ ପାଳନ କରିଥିଲୁ। ଏହା ଆମର ଛାତ୍ରଛାତ୍ରୀ ଏବଂ ଯୁବ ବୈଜ୍ଞାନିକଙ୍କ ପ୍ରତି ଉଦାହରଣ ଓ ପ୍ରେରଣାର ଉତ୍ସ ହେବା ଉଚିତ ବୋଲି ସେ କହିଥିଲେ ।

ଉତ୍ସବରେ ପୁରସ୍କୃତ ହୋଇଥିବା ଏବଂ ସମ୍ବର୍ଦ୍ଧିତ ହେଉଥିବା କୃଷକ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହିତ ସମ୍ମାନିତ ହୋଇଥିବା ବୈଜ୍ଞାନିକ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ବିଜ୍ଞାନର ପ୍ରୟୋଗରେ କୃଷିର ବିକାଶ କରିବାର ସମୟ ଆସିଛି । ରାଜ୍ୟରେ ଜୈବ କୃଷିର ବିକାଶ ପାଇଁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ପାରମ୍ପରିକ ପଦ୍ଧତିରେ ଚାଷ କରି କୃଷି ଉତ୍ପାଦିତ ଦ୍ରବ୍ୟକୁ ରପ୍ତାନୀ କରିବା ଉଚିତ୍ ବୋଲି ସେ କହିଥିଲେ । ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯୁବଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ ଦେଶ ଗଠନ ପାଇଁ ସର୍ମପିତ ହେବାକୁ ମତ ଦେଇଥିଲେ ।

ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ କହିଥିଲେ ଯେ OUAT ଦେଶର ଅନ୍ୟତମ ଶ୍ରେଷ୍ଠ କୃଷି ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ । ଏବେ ସମୟ ଆସିଛି ପ୍ରାକୃତିକ କୃଷି ଉପରେ ଗୁରୁତ୍ବ ଦେବାକୁ ପଡିବ ଏବଂ market friendly କୃଷି ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳସଚିବ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୃତୀ ବୈଜ୍ଞାନିକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଞ୍ଚଳିକ

ବାଣପୁରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିନିକିଆ ତାଲିମ ଶିବିର

ସମୀକ୍ଷା ବ୍ୟୁରୋ
ବାଣପୁର,୩୦/୧୧: ଶନିବାର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀ ବୁଢାକପିଳେଶ୍ଵର ମନ୍ଦିର ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପସ୍ଥିତିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓ.ୟୁ.ଏ.ଟି) ପକ୍ଷରୁ ଏହି ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଛତୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ନେଇ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା। ଓୟୁଏଟିର ଉଦ୍ଭିଦ ରୋଗ ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ଚିନରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ଶବର(ସହକାରୀ ମତ୍ସ୍ୟ ଅଧିକାରୀ, ବାଣପୁର), ଅନ୍ନପୂର୍ଣ୍ଣା ମହାରଣା (ସହକାରୀ ଉଦ୍ୟାନ କୃଷି ଅଧିକାରୀ,ବାଣପୁର), ଦୁର୍ଗା ଚରଣ ବେହେରା (ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ, ବାଣପୁର) ଏବଂ ନିଜାମୁଦ୍ଦିନ ଖାନ( କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ଅଧିକାରୀ, ବାଣପୁର) ପ୍ରମୁଖ ଯୋଗଦେଇଥିଲେ।

ବାଣପୁର ଏନ.ଏ.ସି ର ଯୁବ ସଂଗଠକ ତଥା ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀଧର ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ମୁଖ୍ୟ ପ୍ରଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ଆନୁଷ୍ଠାନିକ ଭାବେ ତାଲିମ ଶିବିର ଆରମ୍ଭ ହୋଇଥିଲା। ତାଲିମ ଶିବିରରେ ମହିଳାମାନଙ୍କୁ ଛତୁ ଉତ୍ପାଦନ ଓ ପ୍ରକ୍ରିୟାକରଣର ତାଲିମ ପ୍ରଦାନ କରାଯାଇଥିଲା। ଏହା ସହିତ କିପରି ଏହାଦ୍ବାରା ଆର୍ଥିକ ଭାବରେ ସ୍ବଚ୍ଛଳ ହୋଇପାରିବେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନ୍ଦରଟି ୱାର୍ଡର ଚାଳିଶିରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ମାନେ ଯୋଗଦେଇଥିଲେ।

ରିପୋର୍ଟର: ସୀତାରାମ ଅଗ୍ରୱାଲ, ମୋ- ୭୯୭୮ ୧୪୮ ୪୨୬

Categories
ଆଜିର ଖବର

ଓୟୁଏଟିର କୁଳପତି ପଦରୁ ଇସ୍ତଫା ଦେଲେ ସୁରେନ୍ଦ୍ରନାଥ ପଶୁପାଳକ

ଚାକିରିରୁ ଇସ୍ତଫା ଦେଲେ  କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।  ଆଜି ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଚଳିତ ମାସରେ ତାଙ୍କର ଚାକିରିର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଥାନ୍ତା, ତେବେ ତା’ପୂର୍ବରୁ ସେ ଇସ୍ତଫା ଦେଇ ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ଡାକ ଯୋଗେ ପଠାଇଥିବା ଜଣାପଡ଼ିଛି। ପଶୁପାଳକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ କିଛି ଦିନ ତଳେ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଛୁଟିରେ ଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପଶୁପାଳକ ତାଙ୍କ ପଦବୀର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଓୟୁଏଟିରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।