Categories
ଆଜିର ଖବର

ଶ୍ରୀଲଙ୍କାକୁ 263 ରନ୍‌ରେ ପରାସ୍ତ କରି ସିରିଜ୍‌ ଜିତିଲା ପାକିସ୍ତାନ

କରାଚୀ,23/12 : କରାଚୀରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହେବା ସହିତ ସିରିଜ୍‌ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ପଛୁଆ ରହିବା ସତ୍ତ୍ବେ ପାକିସ୍ତାନ 263 ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମ ଇନିଂସରେ ପାକିସ୍ତାନ ମାତ୍ର 191 ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା 271 ରନ୍‌ ସଂଗ୍ରହ କରିଥିଲା । 80 ରନ୍‌ର ପଛୁଆ ପାକିସ୍ତାନ ପକ୍ଷରୁ ଦ୍ବିତୀୟ ଇନିଂସରେ ଟପ୍‌ ଅର୍ଡରର ପ୍ରଥମ ଚାରି ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିଥିଲେ । ଦୁଇ ଓପ୍ନର ଆବିଦ୍‌ ଅଲୀ(174) ଏବଂ ସାନ୍‌ ମାସୁଦ୍‌(135) ପ୍ରଥମ ଓ୍ବିକେଟ୍‌ରେ 278 ରନ୍‌ ଯୋଡିଥିଲେ । ପରେ ଅଧିନାୟକ ଆଝାର ଅଲୀ (118) ଏବଂ ବାବର ଆଜାମ(100) ଶତକ ହାସଲ କରିବାରୁ ପାକିସ୍ତାନ 3 ଓ୍ବିକେଟ୍‌ ବିନିମୟରେ 555 ରନ୍‌ ସଂଗ୍ରହ କରିଥିଲା । 476 ରନ୍‌ର ବିଜୟ ଲକ୍ଷ୍ୟରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଶ୍ରୀଲଙ୍କା 212 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଓସାଡା ଫର୍ଣ୍ଣାଣ୍ଡୋ(102) ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତାରୁ ଦଳ ପରାଜୟ ବରଣ କରିଥିଲା । ଆବିଦ୍‌ ଅଲୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ : 15 ମୃତ, 20ରୁ ଅଧିକ ଆହତ

କରାଚୀ, 13/12 : ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି 15 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି 15 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ 44 ଜଣ ବ୍ୟକ୍ତି ବସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

କାଠୁଆ,12/12 : ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ 5ରୁ 6ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି 8.30ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥକିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍‌ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଏପରି ପରସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢିବା ନିହାତି କଷ୍ଟସାଧ୍ୟ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।(ଏଜେନ୍ସୀ)

Categories
ଆଜିର ଖବର

ଡେଭିସ୍‌ କପ୍‌ : ପାକିସ୍ତାନକୁ 4-0 ରେ ପରାସ୍ତ କଲା ଭାରତ

ଡେଭିସ୍‌ କପ୍‌ରେ ପାକିସ୍ତାନକୁ 4-0 ରେ ପରାସ୍ତ କରିଛି ଭାରତ । ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ ରେକର୍ଡ 44ତମ ବିଜୟ ସହ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହିତ ଭାରତ 2020 ବିଶ୍ବଗ୍ରୁପ୍‌ ପାଇଁ ଯୋଗ୍ୟତା ହାସଲ କରିଛି । ସୁମିତ୍‌ ନାଗଲ୍‌ ଏବଂ ରାମକୁମାର ରାମନାଥନ ସିଙ୍ଗିଲ୍ସରେ ବିଜୟୀ ହୋଇଥିବା ବେଳେ, ପେସ୍‌-ଜୀବନ ଡବଲ୍ସ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ରିଭର୍ସ ସିଙ୍ଗିଲ୍ସ ମ୍ୟାଚ୍‌ରେ ସୁମିତ୍‌ ନାଗଲ୍‌ ବିଜୟୀ ହେବା ସହିତ ଭାରତକୁ 4-0ରେ ଅଗ୍ରଣୀ କରାଇଥିଲେ । ଏହାପରେ ପାକିସ୍ତାନ ଓହରିଯିବାରୁ ଭାରତ ବିଜୟୀ ହୋଇଥିଲା ।

Categories
ଆଜିର ଖବର

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।

Categories
ବିଶେଷ ଖବର

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା: କରତର କାଠ ପ୍ରେମ ବ୍ୟତୀତ ଅଧିକ କିଛି ନୁହେଁ

କେଦାର ମିଶ୍ର

ଜାମ୍ମୁ-କାଶ୍ମୀରରେ ଭାରତ ସରକାର ଯଦି କିଛି ଭୁଲ କରନ୍ତି, ତାର ପ୍ରତିରୋଧ ଆମେ ଭାରତୀୟମାନେ କରିବୁ, ହେଲେ ଏଥିରେ ପାକିସ୍ତାନର କୌଣସି ଭୂମିକାକୁ ବରଦାସ୍ତ କରିବୁ ନାହିଁ। କାଶ୍ମୀର ପ୍ରସଙ୍ଗରେ ସବୁ ଭାରତୀୟ ସରକାରକୁ ସମର୍ଥନ କରିନାହାନ୍ତି ବା ସବୁ ଦେଶବାସୀ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ପାଗଳ ପରି ଚିତ୍କାର କରୁନାହାନ୍ତି ଯେ, କିଲ ଦେମ ଇନ ଥାଇଜେଣ୍ଡ୍ସ। ନା, ଆଜି ମଧ୍ୟ କାଶ୍ମୀରର ଗଣତାନ୍ତ୍ରିକ ଅଧିକାର ଓ ମାନବିକ ଅଧିକାର ଲାଗି ଲକ୍ଷ ଲକ୍ଷ ଭାରତୀୟ ଚିନ୍ତିତ ଓ ସେମାନେ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା ଅତ୍ୟନ୍ତ ପିଲାଳିଆ, ଭୟାଳୁ ଓ ମୂର୍ଖତାପୂର୍ଣ । ଏହାକୁ କରତର କାଠ ପ୍ରେମ ବୋଲି କୁହାଯାଇପାରେ, ଯିଏ କି ବାରମ୍ବାର କାଟିବା ଓ ରକ୍ତାକ୍ତ କରିବା ଛଡା ଅଧିକ କିଛି କରିପାରିବ ନାହିଁ।  ୧୯୪୭ ରୁ ପାକିସ୍ତାନ ଗଠନ ହେବା ଦିନଠୁ ଏହା କାଶ୍ମୀରର ସବୁଠୁ ବଡ ଶତ୍ରୁ। ୧୯୪୭ ଅକ୍ଟୋବରରେ କାଶ୍ମୀର କୁ ଦୁଇ ଖଣ୍ଡ କରିଥିବା ପାକିସ୍ତାନ, କାଶ୍ମୀରର ସବୁଠୁ ବଡ ବିପଦ। ଭାରତୀୟ ନେତୃତ୍ଵ କାଶ୍ମୀରକୁ ନିଜ ସଂସ୍କୃତି ଓ ଜୀବନବୋଧର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିଥିବା ବେଳେ ପାକିସ୍ତାନ ବାରମ୍ବାର କାଶ୍ମୀରର ଆତ୍ମା ଉପରେ ପ୍ରହାର କରିଛି। ନରସଂହାର, ରକ୍ତପାତ, ବିଭାଜନ, ବିଭ୍ରାନ୍ତି ଓ ବିଶ୍ଵାସଘାତକତା ବ୍ୟତୀତ ପାକିସ୍ତାନ କାଶ୍ମୀରକୁ ଅଧିକ କିଛି ଦେଇନାହିଁ। ସନ୍ତ୍ରାସବାଦର ଭୟଙ୍କର ଜାଲରେ କାଶ୍ମୀରକୁ ଦୀର୍ଘ ବର୍ଷ ଧରି ବ୍ୟବହାର କରିଥିବା ପାକିସ୍ତାନକୁ କାଶ୍ମୀରର ସଂଖ୍ୟାଧିକ ଜନସାଧାରଣ କେବେହେଲେ ବିଶ୍ବାସକୁ ନେଇ ନାହାନ୍ତି।

ତେଣୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତିକ୍ରିୟାର କୌଣସି ମୂଲ୍ୟ ନାହିଁ। ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଭାରତରେ ଏବେ ମଧ୍ୟ ଅନେକ ବିତର୍କ ଓ ସମୀକ୍ଷା ର ବାଟ ଅଛି। ସୁପ୍ରିମ କୋର୍ଟରେ ଏହାକୁ ନେଇ ଶୁଣାଣି ହେବ ଓ ଦେଶରେ ଏହାକୁ ନେଇ ଗଣତାନ୍ତ୍ରିକ ବାଦ ପ୍ରତିବାଦ ଜାରି ରହିବ। କାଶ୍ମୀର ଭାରତର ବୈଧାନିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଭିନ୍ନ ଅଙ୍ଗ ହୋଇ ରହିଛି, ଏବଂ ରହିଥିବ। ଏହାକୁ ନେଇ ପାକସ୍ତାନରେ ଭାରତର ରାଷ୍ଟ୍ରଦୂତଙ୍କୁ ବିଦା କରିବା, କୂଟନୈତିକ ସମ୍ପର୍କ ଛିନ୍ନ କରିବା ଓ ଆକାଶପଥକୁ ବନ୍ଦ କାଲେ, ଏହାର କିଛି ପ୍ରଭାବ ଭାରତ ଉପରେ ପଡିବାର ନାଇଁ। ଅର୍ଥନୈତିକ ବା ରାଜନୈତିକ ଦୃଷ୍ଟିରୁ ପାକିସ୍ତାନ ଭାରତ ପାଇଁ ବିଶେଷ ଗୁରୁତ୍ଵ ବହନ କରେନାହିଁ। ତେଣୁ ପାକିସ୍ତାନ ଯେତେ ପ୍ରତିକ୍ରିୟା ପ୍ରକାଶ କରିବା ତାହା ଭାରତ ପାଇଁ ଏକ ଶୁଭ ସଙ୍କେତ ବୋଲି ବରଂ କୁହାଯାଇପାରେ।

ତେବେ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନର ପ୍ରତିକ୍ରିୟା ଅପେକ୍ଷା ଆନ୍ତର୍ଜାତିକ ଗଣମାଧ୍ୟମ, ଜାତିସଂଘ, ଆମେରିକା ଓ ଇସ୍ଲାମିକ ରାଷ୍ଟ୍ର ଗୁଡିକର ପ୍ରତିକ୍ରିୟା ଉପରେ ସବୁଠୁ ଅଧିକ ନଜର ରଖିବାକୁ ପଡିବ। ଦୀର୍ଘ ଦିନ ଧରି କାଶ୍ମୀରରେ ଯଦି ଅସ୍ଵାଭାବିକ ପରିସ୍ଥିତି ଲାଗିରହେ, ତାହେଲେ ଏହାକୁ ଆନ୍ତର୍ଜାତିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯିବ। ଇତିମଧ୍ୟରେ ୱାଶିଂଟନ ପୋଷ୍ଟ ଓ ଦି ଗାର୍ଡିଏନ ଭଳି ବଡ ଖବରକାଗଜରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମାଲୋଚନା ଆରମ୍ଭ ହେଲାଣି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗର ପ୍ରାରମ୍ଭିକ ପ୍ରତିକ୍ରିୟା ମଧ୍ୟ ଉତ୍ସାହଜନକ ନୁହେଁ।  ତେଣୁ ଏ ସମ୍ପର୍କରେ ଅଧିକ ଛାତି ବାଡଉଥିବା ସରକାର, କୂଟନୈତିକ ସ୍ତରରେ ଏହାର ମୁକାବିଲା କେମିତି କରିବେ ସେକଥା ଭାବିବା ଦରକାର।

ପାକିସ୍ତାନକୁ ଅଣଦେଖା କରିବାର ବେଳ ଏବେ ଆସିଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପକ୍ଷଭୁକ୍ତ କରିବାର ଆବଶ୍ୟକତା ହୁଏତ ନାହିଁ। ହେଲେ ସେଥିଲାଗି କାଶ୍ମୀରରେ ସ୍ଵାଭାବିକ ସ୍ଥିତି ଆସିବା ଜରୁରୀ। ମୁଖ୍ୟଧାରାର କାଶ୍ମିରୀ ରାଜନେତାମାନଙ୍କୁ ଯେଉଁ ପ୍ରକାର ଭାବରେ ସରକାରୀ ଓ ବେସରକାରୀ ସ୍ତରରେ ନିନ୍ଦିତ କରାଯାଉଛି, ଏହା ପରିସ୍ଥିତିକୁ ଅଧିକ ଜଟିଳ କରିବ। କାଶ୍ମୀରର ରାଜନୈତିକ ଦଳ ଓ ନେତାମାନେ ସମସ୍ତେ ରାକ୍ଷସ ବୋଲି କହିବାର ଏକ ବିଚିତ୍ର ଗୁଜବ ତନ୍ତ୍ର ଏବେ ଭାରତରେ ମାଡିଚାଲିଛି। ଏହା ବଦଳିବା ଦରକାର। କାଶ୍ମୀର ଲାଗି ଏବେ ସବୁଠୁ ବଡ ଆବଶ୍ୟକତା ହେଉଛି, ସେଠି ଜନଜୀବନ ତୁରନ୍ତ ସ୍ଵାଭାବିକ ହେବା ଜରୁରୀ ତଥା ସରକାରଙ୍କ ଘୋଷଣା ସପକ୍ଷରେ ବା ବିପକ୍ଷରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କଥା କହିବାର ଅଧିକାର କାଶ୍ମୀରବାସୀଙ୍କୁ ମିଳିବା ଆବଶ୍ୟକ।

Categories
ବିଶେଷ ଖବର ମତାମତ

କାଶ୍ମୀରକୁ ନେଇ ପୁଣିଥରେ ସତ ଓ ମିଛର ଖେଳ- କାଶ୍ମୀର ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ କହୁଛନ୍ତି କି ?

କେଦାର ମିଶ୍ର

ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥି ହେବାକୁ ଅନୁରୋଧ କରିଥିଲେ। ଟ୍ରମ୍ଫ ଏକଥା କହିବାର ଅର୍ଥ ହେଉଛି, ଗତ ୫୦ ବର୍ଷ ଧରି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିବାର ସନ୍ଦେହ ଉପୁଜିବା। ୧୯୭୨ ଶିମଳା ରାଜିନାମା ପରେ ଭାରତ ଓ ପାକିସ୍ତାନ ନିଜ ଭିତରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବେ। ପୁନଶ୍ଚ କାଶ୍ମୀର ଭାରତର ନିଜସ୍ଵ ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ଦ୍ଵିତୀୟ ବା ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ ବାରମ୍ବାର କହିଆସିଛି। ତେବେ ହଠାତ ଆମେରିକା ରାଷ୍ଟ୍ରପତି ଏ ପ୍ରସଙ୍ଗରେ ଏମିତି କହିବାର କାରଣ କଣ? ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଟ୍ରମ୍ଫ ଭାରତର ଏକ ସଂବେଦନଶୀଳ ପ୍ରସଙ୍ଗକୁ ଏପ୍ରକାର ଅଣକୂଟନୈତିକ ଢଙ୍ଗରେ କହିବାର ମାନେ କଣ?

ଏବେ ଆସନ୍ତୁ, ଟ୍ରମ୍ଫ କଣ କହିଲେ ତାର ବିଚାର କରିବା। “ଦୁଇ ସପ୍ତାହ ତଳେ ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଖା ହୋଇଥିଲା। ସେ ମୋତେ କହିଥିଲେ, ମୁଁ ମଧ୍ୟସ୍ଥି ଭାବରେ ଏକ ସମସ୍ୟାର ସମାଧାନ କରିବାକୁ ଚାହିଁବି କି? ମୁଁ ପଚାରିଲି- କେଉଁଠି। ସେ କହିଲେ କାଶ୍ମୀର। ମୁଁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଖୁସିରେ ରାଜିହେବି।“ କଥାଟି ବଡ ଜଟିଳ। ଭାରତର ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ରବିଶ କୁମାର ଏକ ବିବୃତିରେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତିଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ ଡି ସପ୍ତାହ ତଳେ ସେମିତି କିଛି ଆଲୋଚନା ହୋଇନାହିଁ ଓ ଏ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଶିମଳା ଚୁକ୍ତି ତଥା ଲାହୋର ଘୋଷଣାନାମା ଅନୁଯାୟୀ ଦ୍ଵିପାକ୍ଷିକ ଆଲୋଚନା ଆଧାରରେ ନିଜ ଭିତରର ସମସ୍ୟାର ସମାଧାନ କରିବେ। ତେବେ ସେଥିଲାଗି ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରଥମେ ସମାପ୍ତ କରିବାକୁ ପଡିବ।

ଭାରତର ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ଫ ମିଛ କହୁଛନ୍ତି। ଆମେରିକା ରାଷ୍ଟ୍ରପତି ସତରେ ଯଦି ମିଛ କହୁଛନ୍ତି, ତେବେ ତାହା ଅତ୍ୟନ୍ତ ଭୟଙ୍କର କଥା। ଅବଶ୍ୟ ଟ୍ରମ୍ଫ ଦାୟିତ୍ଵହୀନ ମନ୍ତବ୍ୟ ଦେବାରେ ସବୁଠୁ ଆଗରେ ରହିଆସିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ଫ ମିଛ କହିଥାନ୍ତୁ ବା ସତ କହିଥାନ୍ତୁ, ଏଥିରେ ଆମଲାଗି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଛି। ବିନା କାରଣରେ କାଶ୍ମୀର କୁ ନେଇ ଆନ୍ତର୍ଜାତିକ କୂଟନୀତିରେ ତର୍କ ବଢିବାର ସୁଯୋଗ ସୃଷ୍ଟି ହୋଇଛି। ବାସ୍ତବରେ ପାକିସ୍ତାନ ତାହା ହିଁ ଚାହୁଁଥିଲା। ଏଠି ଆଉ ଏକ ଭିନ୍ନ ପ୍ରଶ୍ନ ମଧ୍ୟ ଉଠିପାରେ। ଯେହେତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ଫ ଏହା କହିଛନ୍ତି, ଏଥିରୁ କଣ ଆମେ ବୁଝିନେବା ଯେ ଇମ୍ରାନ ଖାଁ ଟ୍ରମ୍ଫଙ୍କୁ ପ୍ରଭାବିତ କରି ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ କୁହାଇ ପାରିଛନ୍ତି? ଆଜି ପର୍ୟନ୍ତ ଭାରତକୁ ଆମେରିକା ନିଜର ସ୍ଵାଭାବିକ ସହଯୋଗୀ ବୋଲି କହିଆସୁଥିଲା। ବିଭିନ୍ନ ସମୟରେ ଟ୍ରମ୍ଫ ପାକିସ୍ତାନ ବିରୋଧରେ ଅତ୍ୟନ୍ତ କଟୁ ଶବ୍ଦ ପ୍ରୟୋଗ ମଧ୍ୟ କରିଛନ୍ତି। ହଠାତ ତାଙ୍କର ମନୋଭାବ ପରିବର୍ତ୍ତିତ ହେବାର କାରଣ କଣ?

ସବୁଠୁ ବଡ କଥା ହେଉଛି ହ୍ଵାଇଟ ହାଉସରେ ଖୋଲାଖୋଲି କାଶ୍ମୀରକୁ ନେଇ ଇମ୍ରାନ ଖାଁ ଓ ଡୋନାଲ୍ଡ ଟ୍ରମ୍ଫ ଯେଉଁ ପ୍ରକାର କଥାବାର୍ତ୍ତା କଲେ ସେଥିରେ ଭାରତର କାଶ୍ମୀରକୁ ନେଇ ରହିଥିବା କୂଟନୈତିକ ସ୍ଥିତି ସଙ୍କଟରେ ପଡିଯାଇଛି। ଆମେ ଏବେ ଡୋନାଲ୍ଡ ଟ୍ରମ୍ଫଙ୍କୁ ମିଛୁଆ ବୋଲି କହିବାକୁ ବାଧ୍ୟ ଓ ଏହା ଅନେକାଂଶରେ ଭାରତ-ଆମେରିକା ସଂପର୍କକୁ ପ୍ରଭାବିତ କରିବ। ପରିସ୍ଥିତି ଏମିତି ହୋଇଛି ଯେ ଆଜି ଆମକୁ ପାକିସ୍ତାନକୁ ଛାଡି ଟ୍ରମ୍ପଙ୍କୁ ଗାଳି କରିବାକୁ ପଡୁଛି। ଏହା କାଶ୍ମୀରକୁ ନେଇ ଆମର କୂଟନୀତିକୁ ଏକ ଦୋଛକିରେ ଠିଆ କରେଇଦେଇଛି।

Categories
ଆଜିର ଖବର

ଆତଙ୍କୀଙ୍କୁ ଅର୍ଥନୈତିକ ସହାୟତା ବନ୍ଦ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଚେତାବନୀ

ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଟିଏଫ୍‌) ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଯଦି ଆଗାମୀ ଦିନରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରାନଯାଏ ତେବେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛି ଏଫ୍‌ଏଟିଏଫ୍‌। ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନିମନ୍ତେ ଆବେଦନ କରାଯାଇଥିବା ବେଳେ ଚୀନ୍‌ ପାକିସ୍ତାନର ସମର୍ଥନରେ ବାହାରିଥିଲା। ମାତ୍ର ମାସୁଦ୍‌ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଚୀନ୍‌ ମଧ୍ୟ ପାକିସ୍ତାନର ହାତ ଛାଡି ଦେଇଥିଲା। ଏହି ଘଟଣା ପରେ ଅକ୍ଟୋବର ୨୦୧୯ ସୁଦ୍ଧା ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛି ଏଫ୍‌ଏଟିଏଫ୍‌।

Categories
ଖେଳ ବିଶେଷ ଖବର

ବିରାଟ ବାହିନୀର ବିରାଟ ବିଜୟ : ପାକିସ୍ତାନକୁ ହରାଇ ଇତିହାସ ରଚିଲା ଭାରତ

ସମୀକ୍ଷା ବ୍ୟୁରୋ

ଭାରତ 89 ରନରେ ଜିତି ବିଶ୍ୱକପରେ ଆଉ ଏକ ବିଜୟ ସହ ପାକିସ୍ତାନକୁ ମୋଟ 7 ଟି ମ୍ୟାଚରୁ ସମସ୍ତ 7ଟି ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରର ଓଲ୍‌ଡଟ୍ରାଫୋର୍ଡରେ ଖେଳାଯାଇଥିବା ବିଶ୍ବକପରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ କେ ଏଲ୍‌ ରାହୁଲ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର 5  ଓ୍ବିକେଟ ହରାଇ 336 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 140 ରନ୍‌ ସଂଗ୍ରହ କରିଥିଲେ । ରୋହିତ 113 ବଲ୍‌ରୁ 14ଟି ଚୌକା 3ଟି ଛକ୍କା ସହିତ 140 ରନ୍‌ ସଂଗ୍ରହ କରିଥିଲେ । ଲୋକେଶ ରାହୁଲ୍ 57 ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି 77 ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ପ୍ରଥମ ଓ୍ବିକେଟ୍‌ ପାଇଁ ରାହୁଲ -ରୋହିତ 136 ରନ୍‌ ଯୋଡିଥିଲେ । ରାହୁଲ୍‌ 78 ବଲ୍‌ର ସମ୍ମୁଖୀନ ହୋଇ 57 ରନ୍‌ କରିଥିଲେ । ତୃତୀୟ ଓ୍ବିକେଟ୍‌ ପାଇଁ କୋହଲି(71, 62 ବଲ୍‌) ଏବଂ ରୋହିତ 98 ରନ୍‌ର ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 19 ବଲ୍‌ରୁ 26 ରନ୍‌ ସଂଗ୍ରହ କରିଥିବା ବେଳେ ଦ୍ରୁତ ରନ୍‌ ସଂଗ୍ରହ କରିବା ପାଇଁ ଆଉଟ ହୋଇଥିଲେ । ଏହାପରେ ଧୋନୀ ଅମିରଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର 10 ଓଭରରେ ଗୋଟିଏ ମେଡେନ୍‌ ସହିତ 47  ରନ୍‌ କରି 3 ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହସନ ଅଲୀ ଏବଂ ଓ୍ବାହାବ ରିଆଜ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ଭାରତୀୟ ଦଳର ବିଶାଳ ଲକ୍ଷକୁ ପୂରଣ କରିବା ପାଇଁ ପାକିସ୍ତାନ ଦ୍ଵିତୀୟ ପାଳିରେ ତାହାର ବ୍ୟାଟିଂ ଆରମ୍ଭ କରିଥିଲା | ପାକିସ୍ତାନର ଦଳୀୟ ସ୍କୋର ମାତ୍ର 13 ରନ ଥିବାବେଳେ ଇମାମ ଉଲ ହକ 7ରନ କରି ବିଜୟ ଶଙ୍କରଙ୍କ ପ୍ରଥମ ବଲରେ ଏଲ ବି ଡ଼ବ୍ଲୁ ହୋଇ ପ୍ୟାବିଲିଅନ ଫେରିଥିଲେ | ତାଙ୍କ ପରେ ବାବର ଆଜମ ପଡିଆ ମଧ୍ୟକୁ ଆସିଥିଲେ | ବାବର ଏବଂ ଓପନର ଫକର ଜମାନଙ୍କ ଯୋଡି ଦଳୀୟ ଖାତାରେ 104ରନ ଯୋଡିଥିଲେ| ଦଳୀୟ ସ୍କୋର 117ରନ ଥିବାବେଳେ ପାକିସ୍ତାନର ଦ୍ଵିତୀୟ ଉଇକେଟର ପତନ ଘଟିଥିଲା| ଏହାପରେ ପାକିସ୍ତାନର କ୍ରମାଗତ ଭାବରେ ଉଇକେଟ ପତନ ଘଟିବାରେ ଲାଗିଲା | ଯେତେବେଳେ 33 ଓଭରରେ ଦଳର ସ୍କୋର 166ରନରେ  6 ଟି ଉଇକେଟ ହରାଇ  ଦଳ ବିପଦରେ ଥିଲା ସେତେବେଳେ ବର୍ଷା ଆରମ୍ଭ ହୋଇ ଯାଇଥିଲା | ବର୍ଷା ଥମିବା ପରେ ପାକିସ୍ତାନ ଦଳକୁ 40 ଓଭରରେ 302 ରନର ଟାର୍ଗେଟ ପ୍ରଦାନ କରାଯାଇଥିଲା | କିନ୍ତୁ ଦଳ 40 ଓଭରରେ 6 ଉଇକେଟ ହରାଇ ମାତ୍ର 212 ରନ କରିପାରିଥିଲା|

ଭାରତୀୟ ଦଳ ପକ୍ଷରୁ ବିଜୟ ଶଙ୍କର 5.2 ଓଭରରେ 22 ରନ ବ୍ୟୟ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ| ସେହିପରି କୂଳଦୀପ ଯାଦବ 32 ରନ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ|

|

Categories
ଆଜିର ଖବର

ଆଜି ଭାରତ୍‌ ପାକ୍‌ ହାଇ ଭୋଲ୍‌ଟେଜ୍‌ ମୁକାବିଲା : ୭-୦ ଲକ୍ଷ୍ୟରେ ଭାରତ

ଚଳିତ କ୍ରିକେଟ୍‌ ବିଶ୍ବକପ୍‌ରେ ମୁକାବିଲା କରିବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ। ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ମୁକାବିଲାରୁ ଦର୍ଶକ ଏକ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ମୁକାବିଲା ଆଶା କରୁଛନ୍ତି। ଦୁଇ ଦେଶର ମୁକାବିଲାରେ ଭାରତ ଆଗୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହେବାକୁ ଚେଷ୍ଟା କରିବ ବିରାଟ କୋହଲିଙ୍କ ଭାରତୀୟ ଦଳ। ପୂର୍ବରୁ ଉଭୟ ଦଳ ପରସ୍ପର ସହିତ ବିଶ୍ବକପ୍‌ରେ ୬ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ସମସ୍ତ ଥର ବାଜି ମାରି ନେଇଛି। ଏହି ମୁକାବିଲାରେ ବିଜୟୀ ହୋଇ ଭାରତ ୭-୦ ର ଲକ୍ଷ୍ୟ ରଖିଛି। ପାକିସ୍ତାନ ପକ୍ଷରୁ ଭେଟେରାନ୍‌ ସୋଏବ ମଲ୍ଳିକ, ଫକର ଜମାନ ଏବଂ ମହମ୍ମଦ ଆମିରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଭାରତ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ମାଞ୍ଚେଷ୍ଟର ପିଚ୍‌ ସର୍ବଦା ପେସ୍‌ ବୋଲରଙ୍କୁ ସୁହାଉଥିବାରୁ ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଖେଳାଇପାରେ ଭାରତ।
ସ୍ଥାନ : ମାଞ୍ଚେଷ୍ଟର, ଓଲ୍‌ଡ ଟ୍ରାଫୋର୍ଡ
ସମୟ : ଅପରାହ୍ନ ୩:୦୦ଟା

 

Categories
ଆଜିର ଖବର

କର୍ମୀଙ୍କ ଉପରେ ଆକ୍ରମଣ ପରେ ପୋଲିଓ ମିଶନ ବନ୍ଦ କଲା ପାକିସ୍ତାନ

ପୋଲିଓ କର୍ମୀଙ୍କ ଉପରେ ବର୍ଦ୍ଧିତ ଆକ୍ରମଣ କାରଣରୁ ପୋଲିଓ ମିଶନ ବନ୍ଦ କରିଛି ପାକିସ୍ତାନ। ବିଗତ ୭ ବର୍ଷ ମଧ୍ୟରେ ଟୀକାକରଣ ନିମନ୍ତେ ଆସୁଥିବା ୬୮ କର୍ମୀଙ୍କ ପ୍ରାଣହାନି ପରେ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୨ପରଠାରୁ ଦେଶର ବିଭିନ୍ନ ସ୍ଥାନରେ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ୬୮ ଜଣ କର୍ମୀ ପ୍ରାଣ ହରାଇଥିବା ବେଳେ ଅନେକ କର୍ମୀ ଆହତ ହୋଇଛନ୍ତି। ପାକିସ୍ତାନରେ ୩.୯କୋଟି ପିଲାଙ୍କୁ ପୋଲିଓ ଟୀକାକରଣ ପାଇଁ ଯୋଜନା ରଖାଯାଇଥିବା ବେଳେ ଏ ନେଇ ୨ଲକ୍ଷ ୬୦ହଜାର ଟୀକାକରଣ କର୍ମୀଙ୍କୁ ନିଯୁକ୍ତ କରାଯାଇଥିଲା। ପେଶାଓ୍ବାରରେ ଟୀକାକରଣ ପରେ କିଛି ଶିଶୁ ଅସୁସ୍ଥ ହୋଇ ପଡିବା ପରେ କର୍ମୀଙ୍କ ଉପରେ ଆକ୍ରମଣ ଜୋରଦାର ହୋଇଥିଲା। ଉତ୍ତର ପଶ୍ଚିମ ପାକିସ୍ତାନରେ କିଛି କର୍ମୀଙ୍କୁ ଅଜଣା ଆତତାୟୀ ଗୁଳି କରି ହତ୍ୟା କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ପୋଲିଓ ଅଭିଯାନକୁ ବନ୍ଦ କରିବା ପାଇଁ ବିପକ୍ଷ ଗୋଷ୍ଠୀଙ୍କର ଏହା ଚକ୍ରାନ୍ତ ବୋଲି କହିବା ସହିତ ଖୁବ୍‌ ଶୀଘ୍ର ଏହି ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି।

Categories
ଆଜିର ଖବର

ପାକିସ୍ତାନ ଶାନ୍ତିପ୍ରିୟ ରାଷ୍ଟ୍ର, ଭାରତ ଆତଙ୍କବାଦର ପ୍ରଚାର କରୁଛି : ଆରିଫ୍‌ ଆଲ୍‌ଭି

ପାକିସ୍ତାନ ରାଷ୍ଟ୍ରପତି ଡ. ଆରିଫ୍‌ ଆଲ୍‌ଭି ପାକିସ୍ତାନକୁ ଶାନ୍ତିପ୍ରିୟ ରାଷ୍ଟ୍ର ବୋଲି ଅଭିହିତ କରିବା ସହିତ ଭାରତ ଆତଙ୍କବାଦର ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି। ବୁଧବାର ଇସଲାମାବାଦ ବିଶ୍ବବିଦ୍ୟାଳୟରେ ଏକ ସମାବର୍ତ୍ତନ ଉତ୍ସବରେ ଏହି ମନ୍ତବ୍ୟ ଦେଇଛନ୍ତି ଡ. ଅଲୀ। ସେ କହିଥିଲେ, ଧର୍ମାନ୍ଧତାକୁ ଦୂର କରିବା ପାଇଁ ପାକିସ୍ତାନର ଶତ ଚେଷ୍ଟା ସତ୍ତ୍ବେ ଭାରତ ଆତଙ୍କବାଦର ପ୍ରଚାର କରୁଛି। ସୀମାରେ ଭାରତର ଏପରି ବ୍ୟବହାରକୁ ନାପସନ୍ଦ କରିଛନ୍ତି ଆଲ୍‌ଭି। ଭାରତ ପାକିସ୍ତାନ ମଧ୍ୟରେ ନିକଟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଆଲ୍‌ଭି ଏହି ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃୟାରୀରେ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ଯବାନ ଶହିଦ ହେବା ପରେ ଭାରତ ପକ୍ଷରୁ ପାକିସ୍ତାନ ମାଟିରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଉଭୟ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିଲେ ମଧ୍ୟ ଭାରତର ଓ୍ବିଙ୍ଗ କମାଣ୍ଡରଙ୍କୁ ପାକ୍‌ ହସ୍ତାନ୍ତର ପାକ୍‌ର ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାରର ଏକ ଉଦାହରଣ ବୋଲି ଆଲ୍‌ଭି କହିଥିଲେ।

Categories
ଆଜିର ଖବର

ପାକିସ୍ତାନରେ ପାଞ୍ଚ ଆତଙ୍କବାଦୀ ନିହତ

ପାକିସ୍ତାନର ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରା ଯାଇଥିଲା। ଏହି ଆକ୍ରମଣରେ ୫ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ ଅଫିସରଙ୍କ ପ୍ରାଣହାନି ଘଟିଛି। ୧୫ଘଣ୍ଟା ଧରି ଚାଲିଥିବା ଏହି ସୁଟ୍‌ଆଉଟ୍‌ରେ ଅନ୍ୟ ତିନି ଜଣ ପୋଲିସ୍‌ ଅଫିସର୍‌ ଆହତ ହୋଇଛନ୍ତି। ହୟାତାବାଦର ଏକ କୋଠାରେ ସୋମବାର ରାତିରୁ ଏହି ଆକ୍ରମଣ ଚାଲିଥିଲା। ଗୁଇନ୍ଦା ସୂଚନା ଅନୁଯାୟୀ ଜନୈକ ଅବସରପ୍ରାପ୍ତ ବିଚାରପତି ଏବଂ ପୋଲିସ୍‌ ଆଇଜିଙ୍କୁ ହତ୍ୟା କରିବା ପାଇଁ ଏହି ଆତଙ୍କୀ ଯୋଜନା ଚଳାଇଥିଲେ। ପୋଲିସ୍‌ ପକ୍ଷରୁ ଆତଙ୍କୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିବା ବେଳେ ଗୁଳିଚାଳନା ହେବାରୁ ପୁଲିସ ପାଲଟା ଗୁଳିଚାଳନା କରିଥିଲା। ଆତଙ୍କୀଙ୍କ ପକ୍ଷରୁ ଗ୍ରେନେଡ୍‌ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଜଣେ ପୋଲିସ୍‌ ଅଫିସର ପ୍ରାଣ ହରାଇଥିଲେ।

Categories
ଆଜିର ଖବର

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୬ ମୃତ

ପାକିସ୍ତାନରେ ଏକ ଶକ୍ତିଶାଳୀ ବୋମା ବିସ୍ଫାେରଣରେ ୧୬ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନୀ ସହର କ୍ବେଟାର ଦକ୍ଷିଣ ପଶ୍ଚିମ ଇଲାକାରେ ଏହି ବିସ୍ଫୋରଣ ଘଟିଛି। ସିଆ ସମ୍ପ୍ରଦାୟର ଲୋକ ମାନେ ରହୁଥିବା ଏହି ଅଞ୍ଚଳରେ ବିସ୍ଫୋରଣରେ ଅନ୍ୟୁନ ୧୬ ଜଣ ନିହତ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସ ମୁଖ୍ୟ ଅବ୍‌ଦୁର ରଜାକ୍‌ ଶୁକ୍ରବାର ସକାଳୁ ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି। କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୁନ୍ନି ଜିହାଦୀ ମାନେ ଅତୀତରେ ଏଭଳି କାଣ୍ଡ ଘଟାଇଥିବାରୁ ଏହି ଘଟଣାରେ ମଧ୍ୟ ସୁନ୍ନି ସଙ୍ଗଠନର ହାତ ରହିଥିବା ନେଇ ରଜାକ ସନ୍ଦେହ ପ୍ରକଟ କରିଛନ୍ତି। ବେଲୁଚିସ୍ତାନର ରାଜଧାନୀ କ୍ବେଟା ପ୍ରାକୃତିକ ଗ୍ୟାସ୍‌ ଏବଂ ତୈଳରେ ଭରପୁର ରହିଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଏହାକୁ ଅକ୍ତିଆର କରିବା ନେଇ ପ୍ରତିଦ୍ବନ୍ଦିତା ଚଳାଇଛନ୍ତି।

Categories
ଆଜିର ଖବର

ମୋଦିଙ୍କ ରାଜନୈତିକ ଫାଇଦା ପାଇଁ ପାକ୍‌ କରିଥିଲା ପୁଲଓ୍ବାମା ଆକ୍ରମଣ : କେଜ୍ରିଓ୍ବାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେ ଏକାଧିକ ଟ୍ବିଟ୍‌ ଜରିଆରେ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ମୋଦିଙ୍କୁ ରାଜନୈତିକ ଫାଇଦା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ମୋଦି ବିଜୟ ହେବା ନେଇ ଆଶାପୋଷଣ କରିବା ପରେ ଏହି ମତ ରଖିଛନ୍ତି କେଜ୍ରିଓ୍ବାଲ। ସେ କହିଛନ୍ତି ପାଳକିସ୍ତାନ ଆମର ୪୦ ଯବାନଙ୍କୁ ହତ୍ୟା କରିଥିଲା କେବଳ ମୋଦିଙ୍କୁ ରାଜନୈତିକ ଫାଇଦା ପ୍ରଦାନ କରିବା ପାଇଁ। ଆଜିଠାରୁ ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାଶିତ ଅଞ୍ଚଳରେ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମୋଦିଙ୍କୁ ଆକ୍ରମଣ କରି ସେ କହିଛନ୍ତି, ପାକିସ୍ତାନ ସହିତ ମୋଦିଙ୍କର ଗୁପ୍ତ ରାଜିନାମା ରହିଛି ଏବଂ ମୋଦିଙ୍କ ନମୋ ଚ୍ୟାନେଲରେ ପାକିସ୍ତାନ ଅର୍ଥ ନିବେଶ କରିଛି। କେବଳ କେଜ୍ରିଓ୍ବାଲ ନୁହନ୍ତି ଅନ୍ୟାନ୍ୟ ଦଳର ରାଜନୈତିକ ନେତା ମାନେ ମଧ୍ୟ ଇମ୍ରାନଙ୍କ ମୋଦିଙ୍କୁ ଖୋଲା ସମର୍ଥନ ଉପରେ ପ୍ରଶ୍ନ ଉଠାଇଛନ୍ତି। ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି, ଓମାର ଅବଦୁଲ୍ଲା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ପ୍ରମୁଖ ଏହି ଘଟଣା ନେଇ ଉଭୟ ମୋଦି ଏବଂ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରିଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ବଂସ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ

ପାକିସ୍ତାନରେ ରହିଥିବା ସବୁ ଆତଙ୍କୀ ଶିବିରକୁ ଧ୍ଵଂସ କରିବାକୁ ଆମେରିକା ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି। ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ଏହ ପ୍ରସ୍ତାବ ଆଣିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି। ଏହି ଦେଶର ମାଟିରେ ଆଦଙ୍କାବାଦୀଙ୍କ ଜନ୍ମ ହେଉଛି। ତେଣୁ ଏଠାରୁ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା ଜରୁରୀ। ସଂସଦରେ ଅନୁଷ୍ଠିତ ପ୍ରତିନିଧିମାନଙ୍କ ସଭାରେ ସ୍କଟ ପେରିଙ୍କ ଦ୍ବାରା ଆଗତ ହୋଇଥିବା ପ୍ରସ୍ତାବରେ ଭାରତର ପୁଲୱାମାରେ ଗତ ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଅକ୍ରମଣକୁ ନିନ୍ଦା କରାଯାଇଛି, ଯେଉଁଥିରେ ୪୦ରୁ ଊର୍ଦ୍ଧ୍ଵ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ସ୍କଟ ପେରି କହିଛନ୍ତି ଯେ, ଆତଙ୍କବାଦ ପାଇଁ ପାକିସ୍ତାନ ଉତ୍ତରଦାୟୀ ରହିବାର ସମୟ ଆସିଛି। ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କୁ ମୂଳରୁ ନିପାତ କରିବାକୁ ଆମେରିକା ପ୍ରୟାସ କରୁଛି। ଏହାସତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଉଛି, ଯାହାର ଲମ୍ବା ଇତିହାସ ରହିଛି। ସେ ଆହୁରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଯୋଗୁ ସାଧାରଣ ଜନତାଙ୍କ ଜୀବନ ହାନି ଘଟୁଛି। ଆକ୍ରମଣକୁ ରୋକିବା ବଦଳରେ ପାକିସ୍ତାନ କଠୋରପନ୍ଥୀ ଆତଙ୍କୀମାନଙ୍କୁ ଆଲିଙ୍ଗନ କରୁଛି।

Categories
ଆଜିର ଖବର

ମାସୁଦ ଆଝାର ଭାଇ ସମେତ ୪୪ ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ

ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରର ଭାଇ ଅବଦୁଲ ରାଉଫ୍‌ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ ଥିବା ଏହି ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କୁହାଯାଉଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ମୁଫତି ଅବଦୁଲ ରାଉଫ ଅସଗର ଓ ଜେଏମ୍‌ ପ୍ରମୁଖ ମସୁଦ ଆଝାରର ଭାଇ ସାମିଲ ଅଛି। ରାଉଫ୍‌ ଅସଗରକୁ  ବିଚାର ବିଭାଗ ହେପାଜତରେ ରଖାଯାଇଛି। ଏହି ଖବରର ଘୋଷଣା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସହରୟାର ଅଫ୍ରିଦି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ନେଇ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହାପରେ ଏହି ପଦକ୍ଷେପ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଦିଆଯାଇଥିବା ଚାପ ହେତୁ ନେଇଥିବା କୁହାଯାଉଛି।

Categories
ବିଶେଷ ଖବର

ଯୁଦ୍ଧର ଘନଘଟା ଓ ନିର୍ବାଚନ ପ୍ରଚାର ଏକା ସାଙ୍ଗରେ ଚାଲିପାରିବ କି ?

କେଦାର ମିଶ୍ର

ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା ସାମ୍ବାଦିକମାନେ ଏବେ ଆମ ସେନାବାହିନୀର ନୀତି ନିର୍ଦ୍ଧାରକ। ତେଣୁ ଯୁଦ୍ଧଖୋର ସାମ୍ବାଦିକଙ୍କ ନେତୃତ୍ଵରେ ଏବେ ସାରାଦେଶରେ ଯୁଦ୍ଧ ହିଁ ଚାଲିଛି। ଷୋଡଶ ଲୋକସଭା ପାଇଁ ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହଟେ ବାକି ଥିବା ବେଳେ ଟେଲିଭିଜନ ପରଦାରେ ଯୁଦ୍ଧ ନାଟକ ସାଧାରଣ ଭାରତୀୟ ନାଗରିକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି। ପାକିସ୍ତାନ ପରି ଏକ ଦେଶ ଯାହାର ସରକାର ସେନାବାହିନୀ ଦ୍ଵାରା ନିୟନ୍ତ୍ରିତ ବୋଲି କୁହାଯାଏ, ସେଠାରେ ଆମେ ଭାରତ ପାକିସ୍ତାନର ମୁହାଁମୁହିଁ ଅବସ୍ଥା ବିଷୟରେ ସଂସଦୀୟ ବିତର୍କ ଦେଖୁଛୁ। ହେଲେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ବୋଲି ଗର୍ବ କରୁଥିବା ଆମ ଦେଶରେ ରାଜନୈତିକ ନେତୃତ୍ୱ ଗୋଟେ ପ୍ରକାର ଭକ୍ତି ଭାଗବତ ପାଲଟି ଯାଇଛି। ନିର୍ବାଚନ ପୂର୍ବରୁ ନିର୍ବାଚିତ ସରକାରର ସଫଳତା ଓ ବିଫଳତା ବିଷୟରେ ଆକଳନ କରିବା ଆଉ ସମ୍ଭବପର ନୁହେଁ।

ନିର୍ବାଚନ ପୂର୍ବରୁ ସାରା ଦେଶର ଜନମତକୁ ଯୁଦ୍ଧ ଓ ଶାନ୍ତି ଭିତରେ ବାଣ୍ଟି ଦିଆ ଯାଇଛି। ଯେଉଁମାନେ ଯୁଦ୍ଧର କଥା କହୁଛନ୍ତି ସେମାନେ ଦେଶପ୍ରେମୀ ଓ ଯେଉଁମାନେ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଛନ୍ତି ସେମାନଙ୍କୁ ଦେଶଦ୍ରୋହୀ ବୋଲି କହିବାର ଏକ ଭୟଙ୍କର ଷଡଯନ୍ତ୍ର ଏ ଦେଶର ମୂଳ ଅସ୍ତିତ୍ଵକୁ ଦୋହଲାଇ ଦେଉଛି। ଗୋଟିଏ ପକ୍ଷରେ ଆନ୍ତର୍ଜାତିକ ଚାପ ଆଗରେ ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧ ଉତ୍ତେଜନାକୁ ପ୍ରଶମିତ କରିବାର ଉଦ୍ୟମ କରୁଥିବା ବେଳେ ଉଭୟ ଦେଶର ଗଣମାଧ୍ୟମରେ ଏହାକୁ ନେଇ ବିକୃତ ବିଚାର ବଢିଚାଲିଛି। ତେବେ ପାକିସ୍ତାନରେ ଅବିକା ନିର୍ବାଚନ ହେବାର ନାହିଁ। ଭାରତ କିନ୍ତୁ ନିର୍ବାଚନ ସପ୍ତାହରେ ପ୍ରବେଶ କରିସାରିଛି। ଦେଶର ପ୍ରଧାନମନ୍ତ୍ରୀ ଷାଠିଏ ମାସ ସମୟ ମାଗିଥିଲେ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ। ଆଜି ତାଙ୍କୁ ପ୍ରଶ୍ନ ପଚାରିବାର ଓ ସେ ନିହାତି ଉତ୍ତର ଦେବାର ସମୟ ଆସିଛି। ହେଲେ ଠିକ ସେଇ ସମୟରେ ଆମେ ଯୁଦ୍ଧର ନିଶାରେ ମାତିଛୁ। ଆମର ଶହୀଦ ସୈନିକଙ୍କ ଶବ ଉପରେ ଶାସକ ଦଳ ନିଜର ଆସନ ସଂଖ୍ୟା ଗଣୁଛି।

ଫେବୃଆରୀ ୧୪ ପୁଲବାମା ଆକ୍ରମଣ ପରଠୁ ଏମିତି ଗୋଟେ ଦିନ ନାହିଁ, ଯେଉଁ ଦିନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କରିନାହାନ୍ତି। ଯୁଦ୍ଧ ସମୟରେ ସାରା ଦେଶ ଏକ ରହିବା ଉଚିତ ବୋଲି କହି ପରବର୍ତ୍ତୀ ଧାଡିରେ ପ୍ରଧାନମନ୍ତ୍ରୀ ବିରୋଧିଦଳଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପରୋକ୍ଷ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଭୁଲି ଯାଉଛନ୍ତି ଯେ, ଯୁଦ୍ଧ ସମୟରେ ଦଳ ମତ ନିର୍ବିଶେଷରେ ସବୁ ନାଗରିକଙ୍କୁ ଏକ କରିବାର ଦାୟିତ୍ଵ ତାଙ୍କର। ପ୍ରଧାନମନ୍ତ୍ରୀ ଏଠି ଗୋଟେ ନିର୍ଦ୍ଦିଷ୍ଟ ଦଳର ପ୍ରଧାନମନ୍ତ୍ରୀ ହୋଇ କଥାବାର୍ତ୍ତା କରୁଛନ୍ତି। ତାଙ୍କ ଆଚରଣ ଓ ଉଚ୍ଚାରଣରେ ଦେଶପ୍ରେମ ଅପେକ୍ଷା ନିର୍ବାଚନ ପ୍ରେମ ଅଧିକ ବାରି ହୋଇପଡୁଛି। ଏଠି କହି ରଖିବା ଉଚିତ ହେବ ଯେ ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ନିଜର ରଣନୀତି ରଖିବେ ଓ ସେମାନଙ୍କ ବିଶ୍ଵସ୍ତତାର ଆଧାରରେ ଲୋକ ତାଙ୍କୁ ନିର୍ବାଚିତ କରିବେ। ସେହି ସମୟରେ ଶାସକ ଦାୟିତ୍ବରେ ଥିବା ଦଳ ଯଦି ଅନ୍ୟ ପ୍ରତିପକ୍ଷ ଦଳଙ୍କ ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଏ ତାହା ସବୁଠୁ ବଡ ଦେଶ ବିରୋଧୀ କାର୍ୟ।

ଭାରତର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ରାଜନୈତିକ ଦଳ ତଥା ଗଣମାଧ୍ୟମର ଦାୟିତ୍ଵ। ଏହା ନିଭାଇବାରେ ସମର୍ଥ ନହୋଇ ନିର୍ବାଚନ ସମୟରେ ଯୁଦ୍ଧ ଉନ୍ମାଦ ସୃଷ୍ଟି କରିବା ଆମ ଗଣତନ୍ତ୍ର ଲାଗି ସବୁଠୁ ବଡ ବିପଦ । କେହି କେହି ଯୁକ୍ତି କରିପାରନ୍ତି ଦେଶ ବଡ ନା ନିର୍ବାଚନ ବଡ। ସେମାନଙ୍କୁ ଆମର ଉତ୍ତର ହେବ, ଆଜ୍ଞା, ଏମିତି ଯୁକ୍ତିରେ ପାକିସ୍ତାନରେ ସର୍ବାଧିକ ସମୟ ସାମରିକ ଶାସନ ହୋଇଛି। ଏହି ସମାନ ଯୁକ୍ତିର ଆଧାରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ତେଣୁ ଦେଶର ସୁରକ୍ଷା ଅର୍ଥ ଗଣତନ୍ତ୍ର ଓ ସମ୍ବିଧାନର ପ୍ରତ୍ୟାଖ୍ୟାନ ନୁହେଁ। ଗଣତନ୍ତ୍ର ବିନା ଦେଶର ପରିକଳ୍ପନା ମଧ୍ୟ ସମ୍ଭବ ନୁହେଁ। ଯେଉଁମାନେ ଦେଶର ସମ୍ବିଧାନକୁ ଛୁଇଁ ଦେଶ ଶାସନର ଦାୟିତ୍ଵ ନେଇଛନ୍ତି ସେମାନେ ଦେଶର ସେନାବାହିନୀକୁ ନିଜର ଭୋଟ ରାଜନୀତିରେ ବ୍ୟବହାର କରିପାରିବେ ନାହିଁ। ଭାରତୀୟ ସେନାବାହିନୀ ଏ ଦେଶର ଗଣତନ୍ତ୍ର ପ୍ରତି ଏକ ପ୍ରତିବଦ୍ଧ ଅନୁଷ୍ଠାନ। ତେଣୁ ଗଣତନ୍ତ୍ର ବିରୋଧରେ ସେନାକୁ ବ୍ୟବହାର କରିବାର ଉଦ୍ୟମ କଦାପି ସଫଳ ହେବନାହିଁ ବୋଲି ଆମେ ଆଶା କରୁଛୁ।

ରାଜନୀତିରେ ନିର୍ବାଚନର ସମୟ ଆସିଛି। ଏଠି ସବୁ ଦଳ ନିଜର ମତ ଓ ପ୍ରତିଶୃତି ରଖିବେ। ସେଠି କେହି ଯଦି ନିଜକୁ ଅନ୍ୟ ଦଳଠାରୁ ବେଶୀ ଦେଶପ୍ରେମୀ କହୁଛି , ସେ ଦଳର ଦେଶପ୍ରେମ ଉପରେ ଘୋର ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି। ନିର୍ବାଚନ ସମୟରେ ଯୁଦ୍ଧର ଘନଘଟା ଓ ଦେଶପ୍ରେମର ଉଗ୍ର ନାଟକ ଉପରେ ବିରାମ ଚିହ୍ନ ଲଗାଇବା ଏବେ ନିର୍ବାଚନ କମିଶନଙ୍କ ପ୍ରାଥମିକ ଦାୟିତ୍ଵ ହେବା ଉଚିତ।