Categories
ଆଜିର ଖବର ଖେଳ

କରୋନାରେ ଆକ୍ରାନ୍ତ ହେଲେ ଏହି ପାକିସ୍ତାନୀ କ୍ରିକେଟର

କରାଚୀ : ପାକିସ୍ତାନୀ କ୍ରିକେଟର ସାହିଦ୍‌ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନର ଏହି 40 ବର୍ଷୀୟ କ୍ରିକେଟର ଶନିବାର ଦିନ କରୋନା ପଜିଟିଭ୍‌ ହୋଇଥିବା ନେଇ ଟ୍ବିଟ୍ କରିଛନ୍ତି । ଗୁରୁବାର ଠାରୁ ଅସୁସ୍ଥ ଥିବା ଆଫ୍ରିଦିଙ୍କ ରିପୋର୍ଟ ଆଜି ପଜିଟଗିଭ୍‌ ଆସିଥିଲା । ଏହା ସହିତ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଫ୍ୟାନ୍‌ ମାନଙ୍କୁ ଅନୁରୋଧ କରିବା ସହିତ ଇନ୍‌ସା ଆଲ୍ଲା ବୋଲି ଟ୍ବିଟ୍‌ କରିଥିଲେ ଆଫ୍ରିଦି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଅନ୍ୟତମ ପାକିସ୍ତାନ ଖେଳାଳି ତୌଫିକ୍‌ ଉମର୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ କୋଭିଡ-୧୯ ଦ୍ୱାରା ସଂକ୍ରମିତ ୨୫୩ ସ୍ୱାସ୍ଥ୍ୟ କର୍ମୀ

ଇସଲାମବାଦ: ଜାତୀୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅତି କମରେ ୨୫୩ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ଡାକ୍ତରୀ କର୍ମଚାରୀ ପାକିସ୍ତାନରେ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ବୁଧବାର ପର୍ଯ୍ୟନ୍ତ ତଥ୍ୟ ଥିବା ରିପୋର୍ଟକୁ ଆଧାର କରି ଦେଶରେ ୧୨୪ ଡାକ୍ତର, ୩୯ ନର୍ସ ଏବଂ ୯୦ ଜଣ ସ୍ୱାସ୍ଥ୍ୟ କର୍ମୀ ଏହି ଜୀବାଣୁ ସଂକ୍ରମିତ ହୋଇଛନ୍ତି ବୋଲି ଡନ୍ ନ୍ୟୁଜ୍ ଶୁକ୍ରବାର ଦିନ ପ୍ରକାଶ କରିଛି। ଏହି ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରୁ ବାଇଶି ଜଣ ବିଚ୍ଛିନ୍ନ ଅଛନ୍ତି, ୧୨୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ୩୩ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ସ୍ଥାନୀୟ ମେଡିକାଲ୍ ସମ୍ପ୍ରଦାୟ ମଧ୍ୟରେ ପ୍ରଥମ କୋଭିଡ଼-୧୯ ମୃତ୍ୟୁ ଗିଲଗିଟ୍ ବାଲ୍ଟିସ୍ତାନରେ ଘଟିଥିଲା ​​ଯେତେବେଳେ ଗତ ମାସରେ ଜଣେ ଯୁବ ଡାକ୍ତର ଉସାମା ରିଆଜ୍ ଏହି ରୋଗରେ ପୀଡିତ ହୋଇଥିଲେ। ୨୫୩ ଟି ମାମଲା ମଧ୍ୟରୁ ପଞ୍ଜାବରେ ୮୩ ଟି ସଂକ୍ରମଣ, ସିନ୍ଧ ୫୬, ଖାଇବର ପାଖ୍ଟନଖୱା ୩୦, ବାଲୁଚିସ୍ତାନ ୩୨, ଇସଲାମାଦ ୩୧, ପାକିସ୍ତାନ କାଶ୍ମୀର ଚାରି, ଏବଂ ଗିଲଗିଟ ବାଲ୍ଟିସ୍ତାନ ୧୭ ରିପୋର୍ଟ କରିଛି। ବୁଧବାର, ପାକିସ୍ତାନ ୧୦,୦୦୦ କୋଭିଡ଼-୧୯ ମାମଲାର ଘୋର ମାଇଲଖୁଣ୍ଟ ଅତିକ୍ରମ କରିଛି। ଶୁକ୍ରବାର ସୁଦ୍ଧା ପାକିସ୍ତାନରେ ୧୧,୪୨୯ ମାମଲା ରେକର୍ଡ ହୋଇଥିବା ବେଳେ ୨୩୭ ଜଣଙ୍କର ମୃତ୍ୟୁ ଘଟିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦକ୍ଷିଣ ଏସିଆ ଦେଶଗୁଡିକ ମଧ୍ୟରେ କରୋନା ଯୋଗୁଁ ଅଧିକ ମୃତ୍ୟୁ ହୋଇଛି ଭାରତରେ, ପାକିସ୍ତାନ ରହିଛି ଦ୍ବିତୀୟ ସ୍ଥାନରେ

ନୂଆଦିଲ୍ଲୀ: ଭୟାନକ କରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। 210ଟି ଦେଶରେ କରୋନା ବ୍ୟାପିଥିବାବେଳେ କରୋନା ଯୋଗୁଁ ବିଶ୍ବରେ ଏପର୍ଯ୍ୟନ୍ତ 18 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ସେହିପରି 1 ଲକ୍ଷ 14 ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଏସିଆ ଦେଶଗୁଡିକୁ ଲକ୍ଷ୍ୟ କଲେ ସର୍ବାଧିକ ମୃତ୍ୟୁ କେବଳ ଭାରତରେ ହିଁ ହୋଇଛି। ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନରେ କରୋନା ଜନିତ ମୃତ୍ୟୁରେ ଦ୍ବିତୀୟ ସ୍ଥାନରେ ରହିଛି।

ଭାରତରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9 ହଜାର 152 ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର  ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁହୋଇଛି । ସେହିପରି ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 5000ରୁ ଉର୍ଦ୍ଧ୍ବ ରହିଥିବାବେଳେ 93 ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଭାରତରକୁ ଅପେକ୍ଷାକୃତ କମ୍‌ ରହିଛି।

ଭାରତ ପାକିସ୍ତାନ ବ୍ୟତୀତ ଆଫଗାନିସ୍ଥାନରେ 607 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେଠାରେ 19 ଜଣଙ୍କର ମୃତ୍ୟୁ ହୋଇଛି। ଏହାପରେ ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ 210ଟି ମାମଲା ସାମ୍ନାକୁ ଆସିଥିବାବେଳେ 7ଜଣଙ୍କର ମୃତ୍ୟୁ ହୋଇଛି।

ଦକ୍ଷିଣ ଏସିଆର ଅନ୍ୟତମ ଦେଶ ଅର୍ଥାତ୍‌ ଭାରତର ପଡେଶୀ ଦେଶ ନେପାଳରେ 13 ଜଣ କରୋନା ସଂକ୍ରମିତ ରହିଥିବାବେଳେ ଭୂଟାନରେ ରହିଛନ୍ତି ପାଞ୍ଚଜଣ ଓ ମାଲଦୀପରେ ମାତ୍ର ଦୁଇଜଣ କରୋନା ସଂକ୍ରମିତ ରହିଛନ୍ତି। ଏହି ତିନୋଟି ଦେଶରେ ଏପର୍ଯ୍ୟନ୍ତ କରୋନା ଜନିତ କୌଣସି ମୃତ୍ୟୁ ହୋଇନାହିଁ।  (ଏସିଆ)

Categories
ଆଜିର ଖବର ଜାତୀୟ ଖବର

ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର : ସମଗ୍ର ବିଶ୍ବ କରୋନା ପ୍ରଭାବରେ ଆକ୍ରାନ୍ତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଉଭୟ ରାଷ୍ଟ୍ର କରୋନାରେ ପ୍ରଭାବିତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ରବିବାର ଦିନ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପୁଞ୍ଚର କିର୍ଣ୍ଣି ଏବଂ କସ୍‌ବା ସେକ୍ଟରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଥିବା ଜଣାପଡିଛି । ଦିନ ପ୍ରାୟ 1.40 ମିନିଟ୍‌ରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ପାକିସ୍ତାନରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି

ପାକିସ୍ତାନ : ସାରା ବିଶ୍ବରେ ବେଶ ଭୟଙ୍କର ଭାବରେ ବ୍ୟାପୁଥିବା କରୋନା ଭାଇରସ୍‌ ପାକିସ୍ତାନରେ ବି ବେଶ୍‌ ଭୟଙ୍କର ଭାବରେ ବ୍ୟାପି ଚାଲିଛି । ଏହି ଭାଇରସ୍‌ ଯୋଗୁଁ ପାକିସ୍ତାନରେ 21 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ 12 ଘଣ୍ଟା ମଧ୍ୟରେ 54ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1664ରେ ପହଞ୍ଚିଛି ।

ଜାଣନ୍ତୁ କେଉଁଠାରେ କିପରି ରହିଛି ସ୍ଥିତି :

ପଞ୍ଜାବ – 683, ସିନ୍ଧ – 508, ଖୈବର୍‌ ପଖ୍ତୁନଖାହ – 192, ବେଲୁଚିସ୍ତାନର -141, ଗିଲଗିଟ୍‌-ବାଲ୍ଟିସ୍ତାନ – 128, ଇସଲାମବାଦ-51, ପାକିସ୍ତାନ ଅଧିକୃତ କାଶ୍ମୀରେ 6ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏଠାରେ 21 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ ପାକିସ୍ତାନରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ସର୍ବମୋଟ 28 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 11 ଜଣଙ୍କର ଅବସ୍ଥା ବେଶ୍‌ ସଂକଟାପନ୍ନ ରହିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ପାକିସ୍ତାନ ସରକାର ବେଶ୍‌ ପଦକ୍ଷେପ ନେଇଥିବାବେଳେ 27 ପ୍ରତିଶତ ସ୍ଥାନୀୟ ସଂକ୍ରମିତ ମାମଲା ବୋଲି ଜଣାପଡିଛି । ପାକିସ୍ତାନରେ ଅନ୍ତର୍ରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।  ପାକିସ୍ତାନରେ କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ଲକ୍‌ ଡାଉନ୍‌ ମଧ୍ୟ ଘୋଷଣା କରାଯାଇଛି । ଏହି ଲକ୍‌ ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ 163ଜଣଙ୍କୁ ଅଟକ ରଖାଯାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସାର୍କ ସମ୍ମିଳନୀରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ଚଳିତ ବର୍ଷର ସାର୍କ ସମୁଦାୟ ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଉଥିବା ବେଳେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । କୋରୋନା ଭାଇରସ୍‌ କାରଣରୁ ବିଶ୍ବ ସଙ୍କଟରେ ରହିଥିବା ବେଳେ ପାକିସ୍ତାନର ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଜମ୍ମୁ କାଶ୍ମୀରରୁ ସମସ୍ତ ପ୍ରକାର କଟକଣା ଉଠାଇବା ପାଇଁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ଏହି ସମ୍ମିଳନୀରେ ମୋଦି ସମସ୍ତ ରାଷ୍ଟ୍ରଙ୍କୁ କୋରୋନାର ମୁକାବିଲାର ପରାମର୍ଶ ଦେଇଥିଲେ । ପ୍ରସ୍ତୁତ ରହିବା ସହିତ ଦୃଢ ଭାବରେ ଭାଇରସ୍‌ର ମୁକାବିଲା କରିବା ପାଇଁ ମୋଦି ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଭୟଭୀତ ନହେବା ପାଇଁ ମୋଦି ପରାମର୍ଶ ଦେଇଥିଲେ । ଏହା ସହିତ ସମସ୍ତ ସାର୍କ ସମୁଦାୟ ରାଷ୍ଟ୍ର ନିମନ୍ତେ ଭାରତୀୟ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ରହିଛି । କୌଣସି ରାଷ୍ଟ୍ର ଆବଶ୍ୟକ କଲେ ମେଡିକାଲ୍‌ ଟିମ୍‌ ପଠାଯିବ ବୋଲି ମୋଦି କହିଥିଲେ । ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107 ପହଞ୍ଚିଥିବା ବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଧ୍ବଂସ ପାଇଲା ଏଫ୍‌-16 : ପାଇଲଟ୍‌ ମୃତ

ଇସଲାମାବାଦ : ପାକିସ୍ତାନରେ ଏକ ଲଢୁଆ ଏଫ୍‌ 16 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଜଣେ ପାଇଲଟ୍‌ ପ୍ରାଣ ହରାଇଛନ୍ତି । ବୁଧବାର ପାକିସ୍ତାନର 23 ତମ ମାର୍ଚ୍ଚ ପରେଡ୍‌ ଅବସରରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ନୋମାନ ଆକ୍ରମ ଏହି ଯୁଦ୍ଧ ବିମାନର ପାଇଲଟ୍‌ ରହିଥିଲେ । ଇସଲାମାବାଦରେ ଘଟିଥିବା ଦୁର୍ଘଟଣାରେ ପାଇଲଟ୍‌ ଜଣକ ଶହୀଦ ହୋଇଛନ୍ତି । ଓ୍ବିଙ୍ଗ କମାଣ୍ଡର ଆକ୍ରମ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ଏକ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭାରତ ପରେ ପାକିସ୍ତାନରେ କାୟା ବିସ୍ତାର କରୁଛି କୋରୋନା : 16 ଆକ୍ରାନ୍ତ

ଇସଲାମାବାଦ : ଭାରତରେ କାୟା ବିସ୍ତାର କରିବା ପରେ ପଡୋଶୀ ପାକିସ୍ତାନରେ ନିଜର ଆତଙ୍କ ମଚାଇଛି କୋରୋନା ଭାଇରସ୍‌ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଛୁଇଁଥିବା ବେଳେ ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 16ରେ ପହଞ୍ଚିଛି । ସୋମବାର ଦିନ କରାଚୀରେ 7 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମଙ୍ଗଳବାର 9 ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । 16 ଜଣଙ୍କ ମଧ୍ୟରୁ 13 ଜଣ କରାଚୀରୁ ରହିଥିବା ବେଳେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଦୁଇ ଜଣ ଏବଂ ଇସଲାମାବାଦରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ରୋଗୀଙ୍କ ମଧ୍ୟରୁ 9 ଜଣ ବିଦେଶ ଗସ୍ତ କରିଥିଲେ । 6 ଜଣ ଦୋହାରୁ ଫେରିଥିବା ବେଳେ ତିନି ଜଣ ଲଣ୍ଡନରୁ ଦୁବାଇ ଦେଇ ପାକ୍‌ ଫେରିଥିଲେ ।(ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଭୟଙ୍କର ବର୍ଷା : 17 ଜଣଙ୍କ ପ୍ରାଣହାନି

କରାଚୀ : ଭୟଙ୍କର ବର୍ଷାରେ ପ୍ରପୀଡିତ ହୋଇଛି ପାକିସ୍ତାନ । ପାକିସ୍ତାନରେ ପ୍ରବଳ ବର୍ଷା କାରଣରୁ 24 ଘଣ୍ଟା ମଧ୍ୟରେ 17 ଜଣଙ୍କ ପ୍ରାଣହାନି ଘଟିଛି । ଶନିବାର ପାକିସ୍ତାନୀ ସରକାରୀ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ପାକିସ୍ତାନର ଖାଇବର୍‌ ପଖ୍‌ତୁନ୍‌ଖା ପ୍ରଦେଶରେ ସର୍ବାଧିକ 12 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ସହିତ ପ୍ରବଳ ବର୍ଷାରେ 10ଟି ଘର ଏବଂ ଏକାଧିକ ସ୍କୁଲ ଭୁଷୁଡି ପଡିଛି । ସେହିପରି ପଞ୍ଜାବ ଏବଂ ବେଲୁଚିସ୍ତାନ ପ୍ରଦେଶରେ 5 ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି । ବିଗତ ଦୁଇ ଦିନ ଧରି ପାକିସ୍ତାନରେ ପ୍ରବଳ ବର୍ଷା ହୋଇଥିବାରୁ ପରସ୍ଥିତି ଅଧିକ ଖରାପ ହୋଇପାରେ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ଜଓ୍ବାଦ ଖଲିଲ୍‌ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଟ୍ରେନ୍‌-ବସ୍‌ ଧକ୍କା : 20 ମୃତ

ଇସଲାମାବାଦ : ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି । ସିନ୍ଧ ପ୍ରଦେଶରେ ଏକ ଟ୍ରେନ୍‌ ଏବଂ ବସ୍‌ ମଧ୍ୟରେ ଦୁର୍ଘଟଣା ଘଟି 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୁକୁର୍‌ ସହରର ରୋହ୍‌ରୀ ରେଳ ଷ୍ଟେସନ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍‌ଟି କରାଚୀରୁ ରାଓ୍ବଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏକ ରେଲଓ୍ବେ କ୍ରସିଂରେ କୌଣସି ଗେଟ୍‌ ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ବସ୍‌ରେ 20 ଜଣ ଯାତ୍ରୀ ରହିଥିବା ବେଳେ ବସ୍‌ଟି ଟ୍ରେନ୍‌ ଆଗରେ 150ରୁ 200 ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ । ସମସ୍ତ ବସ୍‌ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ବେଳେ ଟ୍ରେନ୍‌ର କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏକାଧିକଙ୍କ ଅବସ୍ଥା ଗୁରୁତର ରହିଛି । ପାକିସ୍ତାନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଗ୍ୟାସ୍‌ ଲିକ୍‌ : 5 ମୃତ, 70 ଆହତ

କରାଚୀ : ପାକିସ୍ତାନର କରାଚୀରେ ଗ୍ୟାସ୍‌ ଲିକ୍‌ ଘଟି 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନର ଦକ୍ଷିଣ ପ୍ରାନ୍ତରେ ଏକ କଣ୍ଟେନରରୁ ଗ୍ୟାସ୍‌ ଲିକ୍‌ ହେବା ସହିତ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70 ଜଣ ଅଚେତ ହୋଇ ପଡିଛନ୍ତି । ଦକ୍ଷିଣ କରାଚୀର ଡିଜିପି ସର୍ଜିଲ ଖରାଲ ଏହି ଗ୍ୟାସ୍‌ ଲିକ୍‌ ନେଇ ସୂଚନା ଦେଇଛନ୍ତି । କରାଚୀର କେମାରୀ ବନ୍ଦରରେ ଏକ କଣ୍ଟେନର ଲାଗିବା ପରେ ଏଥିରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ 5 ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତ ମାନଙ୍କୁ ସ୍ଥାନୀୟ ଆବ୍ବାସୀ ଶହୀଦ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହଫିଜ୍‌ ସଇଦ୍‌ଙ୍କୁ 5 ବର୍ଷର କାରାଦଣ୍ଡ

ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌କୁ ପାକିସ୍ତାନରର ଏକ କୋର୍ଟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନୀ କୋର୍ଟ ହାଫିଜ୍‌କୁ ଦୋଷୀ ସାବ୍ୟସ୍ତ କରିବା ସହିତ 5 ବର୍ଷ ପାଇଁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଲସ୍କର ଏ ତୋଏବା ଏବଂ ଜମାତ ଉଦ୍‌ ଦାଓ୍ବାକୁ ଅର୍ଥଯୋଗାଣ ଅଭିଯୋଗରେ ଦାୟର କରାଯାଇଥିବା ଦୁଇଟି ମାମଲାରେ ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ହଫିଜ୍‌ଙ୍କୁ ଦଣ୍ଡାଦେଶ ଶୁଣାଇଛି । ଏହା ସହିତ ଉଭୟ ମାମଲାରେ ହଫିଜ୍‌ଙ୍କୁ 15 ହଜାର ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।(ଏଜେନ୍ସି)

Categories
ଆଜିର ଖବର ଖେଳ

ଯଶସ୍ବୀଙ୍କ ଶତକ: ପାକକୁ ପରାସ୍ତ କରି ବିଶ୍ଵକପ ଫାଇନାଲରେ ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ସେମି ଫାଇନାଲରେ ଏକପାଖିଆ ବିଜୟ ହାସଲ କରିଛି ଭାରତ। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଥିବା ବେଳେ ଭାରତ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା। ପ୍ରଥମେ ଭାରତୀୟ ବୋଲରଙ୍କ ସଫଳତା କାରଣରୁ ପାକିସ୍ତାନ ମାତ୍ର ୧୭୨ ରନ୍‌ରେ ଅଲଆଉଟ ହୋଇଥିଲା। ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର ୬୨ ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍‌ନର ହାଇଦର ଅଲୀ ୫୬ ରନ୍‌ ସଂଗ୍ରହ କରିଥିଲେ। ଜବାବରେ ଦୁଇ ଭାରତୀୟ ଓପ୍‌ନର ଯଶସ୍ବୀ ଏବଂ ଦିବ୍ୟାଂଶ ପାକିସ୍ତାନୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୩୫.୨ ଓଭରରେ ଉଭୟ ୧୭୬ରନ୍‌ ଯୋଗ କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ। ଜୟସ୍ବାଲ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଏବଂ ୪ଟି ଛକ୍କା ସହାୟତାରେ ୧୦୫ ରନ୍‌ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ ସକ୍ସେନା ୯୯ଟି ବଲ୍‌ରୁ ୬ଟି ଚୌକା ବଳରେ ୫୯ ରନ୍‌ ସଂଗ୍ରହ କରିଥିଲେ। ଯଶସ୍ବୀ ଜୟସ୍ବାଲଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଆତଙ୍କୀ ମୃତ

କରାଚୀ : ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଜଣ ଆତଙ୍କୀ ନିହତ ହୋଇଛନ୍ତି । ସ୍ଥାନୀୟ ମିଡିଆ ଏବଂ ସେନାବାହିନୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବୁଧବାର ରାତିରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଥିଲେ । ପାକିସ୍ତାନର ଦତା ଖେଲ ଏବଂ ଉତ୍ତର ଓ୍ବଜିରସ୍ତାନରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଓ୍ବଜିରସ୍ତାନର ଖାଇବର୍‌ ପ୍ରଦେଶରେ ସଙ୍ଗଠିତ ଏନକାଉଣ୍ଟରରେ 6 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଥିଲେ । ସେହିପରି ଦତା ଖେଲରେ ସଙ୍ଗଠିତ ଏନ୍‌କାଉଣ୍ଟରରେ 4 ଆତଙ୍କୀ ପ୍ରାଣ ହରାଇଛନ୍ତି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିବାହ ମଣ୍ଡପରୁ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଧର୍ମ ପରିବର୍ତ୍ତନ କରାଇ ଜବରଦସ୍ତି କରାଯାଉଛି ବାହାଘର

ପାକିସ୍ତାନ : ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ମୁସଲମାନ ଯୁବକ ସହ ବିବାହ କରିବାର ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ଧର୍ମାନ୍ତୀକରଣ କରାଇଥିବାର ଏକ ସନ୍‌ସିନ୍‌ ମାମଲା ସାମ୍ନାକୁ ଆସିଛି ।  ସିନ୍ଧ ସୁବେରୋରୁ 24 ବର୍ଷୀୟା ହିନ୍ଦୁ ମହିଳାଙ୍କୁ ଅପହରଣ କରି ମୁସଲିମ୍‌ ଯୁବକଙ୍କ ସହି ବିବାହ କରାଇଦିଆଯାଇଛି । ଭାରତୀ ବାଈ ନାମ୍ନୀ ଜଣେ ମହିଳାଙ୍କୁ ଦିନ ଦ୍ବିପ୍ରହରରେ ବାହାଘର ସମାରୋହରୁ ଅପହରଣ କରି ଜବରଦସ୍ତି ଉଠାଇ ନିଆଯାଇଥିଲା । ଏହା ପରେ ତାଙ୍କ ଉପରେ ଚାପ ପ୍ରୟୋଗ କରି ମୁସଲମାନ ଧର୍ମକୁ ଗ୍ରହଣ କରାଇଛନ୍ତି । ତା’ପରେ ଜଣେ ମୁସଲମାନ ଯୁବକଙ୍କ ସହ ବିବାହ କରାଇ ଦେଇଛନ୍ତି।

ଭାରତୀଙ୍କ ପିତା କିଶୋର ଦାସ ଅଭିଯୋଗ କରିଛନ୍ତି ଯେ, ଭାରତୀ ବାଈଙ୍କ ବିବାହ ଜଣେ ହିନ୍ଦୁ ଯୁବକଙ୍କ ସହ ହେବାର ଥିଲା । ବିବାହର ପ୍ରସ୍ତୁତି ମଧ୍ୟ ବିବାହ ମଣ୍ଡପରେ ଆରମ୍ଭ ହୋଇଯାଇଥିଲା । କିନ୍ତୁ ହଠାତ୍‌ କିଛି ବଦମାସ୍‌ ବିବାହ ମଣ୍ଡପକୁ ପଶିଆସିଥିଲେ ଓ ଭାରତୀକୁ ଜବରଦସ୍ତି ଉଠାଇ ନେଇଥିଲେ । ପରେ ଜବଦରସ୍ତି ଧର୍ମ ପରିବର୍ତ୍ତନ କରାଇ ବିବାହ କରାଇଥିଲା ।

ଏହା ପୂର୍ବରୁ ପାକିସ୍ତାନରେ ଏପରି ଅନେକ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ହିନ୍ଦୁ ଝିଅଙ୍କୁ ଜବରଦସ୍ତି ଉଠାଇ ଧର୍ମ ପରିବର୍ତ୍ତନ କରାଇ ମୁସଲମାନ ପୁଅଙ୍କ ସହିତ ବିବାହ କରାଇ ଦେଉଛନ୍ତି । ଏଥିପାଇଁ ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ଲଗାତାର ଭାବରେ କମିବାରେ ଲାଗିଛି।

 

Categories
ଆଜିର ଖବର ଖେଳ

ଟି 20 ବିଶ୍ବକପ୍‌ ବର୍ଜନ ନେଇ ପାକିସ୍ତାନର ଧମକ

ଲାହୋର : ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ ପୂର୍ବରୁ ପିସିବି ପକ୍ଷରୁ ଏକ ବଡ ବୟାନ ପ୍ରଦାନ କରାଯାଇଛି । ଯଦି ଭାରତ ପାକିସ୍ତାନରେ ଆୟୋଜିତ ଏସିଆ କପ୍‌ରେ ଅଂଶ ଗ୍ରହଣ ନକରେ ତେବେ 2021ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌କୁ ପ୍ରତ୍ୟାଖ୍ୟାନର ଧମକ ଦେଇଛି ପାକିସ୍ତାନ । ବାଂଲାଦେଶ ପକ୍ଷରୁ ପାକିସ୍ତାନ ଗସ୍ତ କରାଯିବା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର କ୍ଷମତା ହାସଲ କରିଛି । ମାତ୍ର ସୁରକ୍ଷାଗତ କାରଣ ଦର୍ଶାଇ ବିସିସିଆଇ ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ । ଯଦି ବିସିସିଆଇ ଭାରତୀୟ ଟିମ୍‌କୁ ନପଠାଏ ତେବେ ପିସିବି ମଧ୍ୟ ଟି 20 ବିଶ୍ବକପ୍‌ ବର୍ଜନ କରିବ ବୋଲି ପିସିବି ମୁଖ୍ୟ ଓ୍ବାସିମ୍‌ ଖାନ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ବାଂଲା-ପାକ୍‌ ଟି20 ମୁକାବିଲା : 1-0ରେ ଆଗୁଆ ପାକିସ୍ତାନ

ଲାହୋର : ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି20 ମୁକାବିଲାରେ ପାକିସ୍ତାନ ବିଜୟୀ ହୋଇଛି । ପ୍ରଥମ ମୁକାବିଲାରେ ବିଜୟୀ ହେବା ସହିତ ତିନିଟିକିଆ ସିରିଜ୍‌ରେ 1-0ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 141 ରନ୍‌ ସଂଗ୍ରହ କରିଥିବା ବେଳେ ତିନୋଟି ବଲ୍‌ ପୂର୍ବରୁ ପାକିସ୍ତାନ 5 ଓ୍ବିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ପାକିସ୍ତାନ ପକ୍ଷରୁ ସୋଏବ୍‌ ମଲିକ୍‌ ଅପରାଜିତ 58 ରନ୍‌ ସଂଗ୍ରହ କରିଥିବା ବେଳେ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ବାଂଲାଦେଶ ପକ୍ଷରୁ ଦୁଇ ଓପ୍‌ନର ମହମ୍ମଦ ନଇମ୍‌ (43) ଏବଂ ତାମିମ୍‌ ଇକ୍‌ବାଲ (39) ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ ଦଳ ବଡ ସ୍କୋର କରିପାରିନଥିଲା । ପାକିସ୍ତାନ ପକ୍ଷରୁ ଭେଟେରାନ୍‌ ସୋଏବ୍‌ ମଲିକ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ 45 ବଲ୍‌ 58 ଦଳକୁ 3ଟି ବଲ୍‌ ପୂର୍ବରୁ ବିଜୟ ରେଖା ପାର କରାଇଥିଲା । ମଲିକ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଘଜନଭୀ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ପାକିସ୍ତାନ

କରାଚୀ : ପାକିସ୍ତାନ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲଞ୍ଚ କରାଯାଉଥିବା କ୍ଷେପଣାସ୍ତ୍ର ଘଜନଭୀର ଲଞ୍ଚ କରାଯାଇଛି । ଗୁରୁବାର ଆଇଏସ୍‌ପିଆର ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ ଦୂରତା 290 କିମି ରହିଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଥିବା ନେଇ ପାକିସ୍ତାନ ସେନାର ଲ୍ୟୁଟନାଣ୍ଟ ଜେନେରାଲ ନଦୀମ୍‌ ଜାକି ମଞ୍ଜ ସୂଚନା ଦେଇଛନ୍ତି । ଏହି କ୍ଷେପଣାସ୍ତ୍ର ପାକିସ୍ତାନ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ ବୋଲି ମଞ୍ଜ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ପାକିସ୍ତାନ ପରେ ବାଂଲାଦେଶ ମଧ୍ୟ ଭାରତର ଶତ୍ରୁ ହେଉ ବୋଲି ବିଜେପି ଚାହୁଁଛି କାହିଁକି?

କେଦାର ମିଶ୍ର

ବିଜେପିର ରାଜନୀତି, କେବେହେଲେ ସକାରାତ୍ମକ ବା ଗଠନମୂଳକ ରାଜନୀତି ନଥିଲା। ବିଜେପି ଓ ଏହାର ପ୍ରାକ୍ତନ ଅବତାର ଜନସଙ୍ଘ ସବୁବେଳେ ବିଭାଜନର ରାଜନୀତିରେ ବିଶ୍ଵାସ କରି ଆସିଛନ୍ତି। ଯଦିଓ ରାଜନୀତିରେ ବିଭାଜନ ବା ସୋସିଆଲ ଇଞ୍ଜିନିୟରିଂର ଏକ ଭିନ୍ନ ଭୂମିକା ସବୁବେଳେ ରହି ଆସିଛି, ବିଜେପି ରାଜନୀତିରେ ଏହା ଧାର୍ମିକ ବିଭେଦ ସୃଷ୍ଟି କରି ଏକ ଭୟଙ୍କର ସାମାଜିକ ବିଦ୍ଵେଷ ସୃଷ୍ଟି କରିବାର ଅନେକ ଉଦାହରଣ ରହିଛି। କ୍ଷମତା ଦଖଲ କରିବାକୁ ଭାରତ ଭିତରେ ପାକିସ୍ତାନକୁ କେନ୍ଦ୍ର କରି ଏକ ଅଦ୍ଭୁତ ରାଜନୀତି ବିଜେପି ଓ ଏହାର ସମର୍ଥକମାନେ ତିଆରି କରିବାରେ ସଫଳ ହୋଇଛନ୍ତି। ନିଜର ରାଜନୈତିକ ବିରୋଧୀଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବାର ଏକ ନାଟକୀୟ ସୂତ୍ର ବିଜେପି ପାଖରେ ରହିଛି। ଏହା ରାଜନୀତିରୁ ଆସି ଏବେ ପ୍ରଶାସନକୁ ମଧ୍ୟ ଗିଳିବା ଆରମ୍ଭ କଲାଣି। ନାଗରିକ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଉତ୍ତର ପ୍ରଦେଶ ପୋଲିସ “ପାକିସ୍ତାନ ଚାଲିଯାଅ’’ ବୋଲି କହୁଥିବାର ଦେଖିବା ପରେ ଏ ବିଷ ଯେ କେତେ ଭୟାନକ ସ୍ତରରେ ପହଞ୍ଚିଲାଣି ତାହା ବୁଝି ହେଉଛି।

ଏବେ ସବୁ କଥାରେ ପାକିସ୍ତାନକୁ ନେଇ ଆମର ଚର୍ଚ୍ଚା ଆରମ୍ଭ ହେଉଛି ଏବଂ ସେଥିରେ ଶେଷ ମଧ୍ୟ ହେଉଛି। ପାକିସ୍ତାନ ସହିତ ଯଦିଓ ଆମର କୂଟନୈତିକ ସମ୍ପର୍କ ଅବ୍ୟାହତ ରହିଛି ତଥାପି ରାଜନୀତିରେ ଆମକୁ ଏମିତି ଦେଖା ଯାଉଛି, ସତେକି ଆମେ ପାକିସ୍ତାନର ଛାଇ ମାଡିବାକୁ ମଧ୍ୟ ପ୍ରସ୍ତୁତ ନୋହୁ। ଏବେ ପାକିସ୍ତାନ ସହିତ ବାଂଲାଦେଶକୁ ମଧ୍ୟ ବିଜେପି ନିଜର ନୂଆ ଶତ୍ରୁ ତାଲିକାରେ ରଖିବା ଆରମ୍ଭ କରିଛି। ନୂଆ ନାଗରିକତା ଆଇନ ଆସିବା ପରେ, ଏବେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ବାଂଲାଦେଶ ବିରୋଧରେ ସର୍ବାଧିକ ବୟାନବାଜି ଦେଖିବାକୁ ମିଳୁଛି। ଆଜିର ସମୟରେ ବାଂଲାଦେଶ ବିରୋଧୀ ମନ୍ତବ୍ୟ ଦେବାର ନେତୃତ୍ଵ  ଖୋଦ ଗୃହମନ୍ତ୍ରୀ ଅମିତ ଶାହ ନେଉଛନ୍ତି।

ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ବାଂଲାଦେଶରୁ ଯେଉଁ ଅନୁପ୍ରବେଶକାରୀ ରହୁଛନ୍ତି, ସେମାନଙ୍କୁ ଧର୍ମ ଆଧାରରେ ନାଗରିକତା ଦେବାକୁ ବିଜେପି ସରକାର ଚାହୁଁଛନ୍ତି। ଏହାକୁ ଉତ୍ତର ପୂର୍ବରେ କଡା ବିରୋଧ କରାଯାଉଛି। ଧର୍ମ ଓ ଜାତି ଆଧାରରେ କୌଣସି ଅନୁପ୍ରବେଶକାରୀଙ୍କୁ ଆସାମରେ ରହିବାର ସୁଯୋଗ ଦିଆଯିବ ନାହିଁ ବୋଲି ଆନ୍ଦୋଳନ ଚାଲିଛି। ଉତ୍ତର ପୂର୍ବରେ ବାଂଲାଦେଶ ବିରୋଧୀ ମତ ପ୍ରବଳ ରହିଛି। ପ୍ରାରମ୍ଭିକ ଭାବରେ ଯେତେବେଳେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ଆନ୍ଦୋଳନ ବ୍ୟାପକ ହେଲା, ସେତେବେଳେ ଭାରତ ଗସ୍ତରେ ଆସିବାକୁ ଥିବା ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ତାଙ୍କର ଗସ୍ତ ବାତିଲ କରିଥିଲେ।

ବାଂଲାଦେଶର ସରକାର ଏ ବିଷୟରେ ମପାଚୁପା ପ୍ରତିକ୍ରିୟା ରଖୁଥିଲେ ମଧ୍ୟ ସେଠିକାର ରାଜନୀତିରେ ଭାରତରେ ଚାଲିଥିବା ବାଂଲାଦେଶ ବିରୋଧୀ ମତକୁ ନେଇ ଉତ୍ତେଜନା ଆରମ୍ଭ ହୋଇଛି। ରୋହିଙ୍ଗିୟା ଅନୁପ୍ରବେଶକାରୀ ଏବଂ ଆସାମ ଜାତୀୟ ନାଗରିକତା ପଞ୍ଜିକରଣ ରେକର୍ଡ ପରେ ବାଦ ପଡିଥିବା ୧୯ ଲକ୍ଷ ଲୋକଙ୍କୁ ସିଧା ସିଧା ବାଂଲାଦେଶୀ ବୋଲି କୁହାଯାଉଥିବାରୁ, ବାଂଲାଦେଶ ଏହାକୁ ନାପସନ୍ଦ କରୁଛି। ସେହିପରି ପାକିସ୍ତାନ ସହିତ ବାଂଲାଦେଶକୁ ତୁଳନା କରିବା ଓ ବିଜେପି ବାଂଲାଦେଶୀ ମୁସଲମାନଙ୍କୁ ମଧ୍ୟ ଆତଙ୍କବାଦୀ ବୋଲି ଅପପ୍ରଚାର କରିବାର ପ୍ରଭାବ ଉଭୟ ଦେଶର ବନ୍ଧୁତାକୁ ପ୍ରଭାବିତ କରୁଛି।

ବାଂଲାଦେଶ ଗଠନରେ ଭାରତର ବହୁତ ବଡ ଅବଦାନ ରହିଥିବାରୁ ଉଭୟ ଦେଶ ମଧ୍ୟରେ ସବୁବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଆସିଥିଲା। ନିଜର ସାମ୍ପ୍ରଦାୟିକ ରାଜନୀତିକୁ ତେଜେଇ ରଖିବା ପାଇଁ ବିଜେପି ଏବେ ପାକିସ୍ତାନ ସହିତ ବାଂଲାଦେଶକୁ ମଧ୍ୟ ଗୋଟିଏ ବନ୍ଧନୀରେ ରଖୁଛି। ପୂର୍ବ ପାକିସ୍ତାନ ବା ଆଜିର ବାଂଲାଦେଶକୁ ସଂଖ୍ୟାଲଘୁ ବିରୋଧୀ ବୋଲି ବିଜେପି ତରଫରୁ ବାରମ୍ବାର ପ୍ରଚାର କରାଯାଉଛି।ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ୟାତିତ ଓ ବିତାଡିତ କରାଯାଉଥିବାରୁ ନାଗରିକତା ସଂଶୋଧନ ଆଇନ ଭାରତ ଆଣିବାକୁ ବାଧ୍ୟ ହୋଇଛି ବୋଲି ଯାହା କୁହାଯାଉଛି, ସେଥିରେ ବାଂଲାଦେଶର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିବାର ଅଭିଯୋଗ ଆସୁଛି।

ଅପର ପକ୍ଷରେ ପାକିସ୍ତାନ ନିଜକୁ ଏକ ଇସ୍ଲାମିକ ରାଷ୍ଟ୍ର ଭାବରେ ଘୋଷଣା କରିଥିବା ବେଳେ ବାଂଲାଦେଶ ନିଜକୁ “ସମାଜବାଦୀ –ଧର୍ମ ନିରପଏଖ-ଗଣତାନ୍ତ୍ରିକ” ରାଷ୍ଟ୍ର ବୋଲି ସାମ୍ବିଧାନିକ ଭାବେ ଗ୍ରହଣ କରିଛି। ସେହି ହିସାବରେ ଦେଖିଲେ, ବାଂଲାଦେଶକୁ ବାରମ୍ବାର ସମାଲୋଚନା କରିବା ବିଜେପି ର ଅପରିଣାମଦର୍ଶୀ ରାଜନୀତି କଥା ପ୍ରମାଣିତ କରୁଛି।

ଭାରତ ଓ ବାଂଲାଦେଶ ମଧ୍ୟରେ ରହିଥିବା ବନ୍ଧୁତାକୁ ବଜାୟ ରଖିବା ଭାରତର ପ୍ରଥମ ଆବଶ୍ୟକତା ହେବା ଉଚିତ। ନାଗରିକତା ସଂଶୋଧନ ଆଇନ ଏହି ବନ୍ଧୁତା ଆଗରେ ଏକ ବଡ ସନ୍ଦେହ ଠିଆ କରିଛି। ଇତି ମଧ୍ୟରେ ବଂଗୋପ ସାଗର ତଥା ଭାରତ ମହାସାଗର ଅଞ୍ଚଳରେ ନିଜର ପତିଆରା ବଢାଇବାକୁ ଚୀନ ଆମର ପଡୋଶୀ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶରେ ପ୍ରଚୁର ପୁଞ୍ଜି ଲଗାଉଛି। ଭାରତର ବାଂଲାଦେଶ ବିରୋଧୀ ମନୋଭାବ ଏହି ଦେଶରେ ଚୀନର ପତିଆରା ବଢାଇବ ବୋଲି ଆମ ନେତୃତ୍ଵ ବୁଝି ପାରୁନାହାନ୍ତି କି?

ପଡୋଶୀ ଦେଶ ଗୁଡିକ ସହିତ ଶାନ୍ତି ଓ ସଦଭାବନା ଦେଶର ଅର୍ଥନୈତିକ ବିକାଶ ଲାଗି ଅତ୍ୟନ୍ତ ଜରୁରୀ। ହେଲେ ନିଜର ରାଜନୈତିକ ସ୍ଵାର୍ଥ ଲାଗି ଓ  ଅହଙ୍କାରର ରାଜନୀତିକୁ ଗୌରବମଣ୍ଡିତ କରିବାର ବେକାର ଲକ୍ଷ୍ୟରେ ଶାସକ ବିଜେପି ନିରନ୍ତର ଶତ୍ରୁତାର ବାତାବରଣକୁ ବଞ୍ଚାଇ ରଖିବାକୁ ଚାହୁଁଛି। ଏଥିରେ ଦେଶର କ୍ଷତି ହିଁ ସର୍ବାଧିକ, ଏକଥା ବିଜେପି ବୁଝିବାକୁ ଚାହୁଁନାହିଁ।

Categories
ବିଶେଷ ଖବର ମତାମତ

ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଭାରତରେ ପାକିସ୍ତାନକୁ ନେଇ ଅଧିକ ଚର୍ଚ୍ଚା ହେଉ, ହେଲେ କାହିଁକି?

କେଦାର ମିଶ୍ର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି, ଆମେ ଦେଶବାସୀ ପାକିସ୍ତାନ ବିଷୟରେ ଅଧିକ ଚର୍ଚ୍ଚା କରୁ। ଆମେ ଗତ ସତୁରୀ ବର୍ଷ ଭିତରେ ପାକିସ୍ତାନ ସଙ୍ଖ୍ୟାଲଘୁଙ୍କ ଉପରେ କଣ କରିଛି ତାକୁ ନେଇ ଚର୍ଚ୍ଚା କାହିଁକି କରୁନାହୁଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଦେଶର ସଂସଦକୁ ପ୍ରଶ୍ନ କରିବା ଅପେକ୍ଷା ପାକିସ୍ତାନକୁ ପ୍ରଶ୍ନ କରିବା ଜରୁରୀ ବୋଲି କର୍ଣ୍ଣାଟକରେ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଲା ପରେ, ଅନେକ ଲୋକ ଏବେ ପଚାରୁଛନ୍ତି, ଆଜ୍ଞା, ଆମେ ଭାରତରେ ରହି ପାକିସ୍ତାନର ଚିନ୍ତା କରିବୁ କାହିଁକି? ଭାରତର ସମ୍ବିଧାନ ଆମକୁ ଗଣତନ୍ତ୍ରର ଗୌରବ ଦେଇଛି। ସେହି ଗଣତନ୍ତ୍ର ଆମକୁ ଆମର ସରକାରକୁ ପ୍ରଶ୍ନ କରିବାର ଅଧିକାର ଦେଇଛି। ଆମେ ଆମ ସରକାରକୁ ଓ ଆମ ରାଷ୍ଟ୍ରକୂ ପ୍ରଶ୍ନ ନକରି ଗୋଟେ ବିଦେଶୀ ରାଷ୍ଟ୍ରକୂ ପ୍ରଶ୍ନ କରିବୁ କାହିଁକି? ପାକିସ୍ତାନ ଆମର ଚିନ୍ତା ଓ ଭାବନାରେ କେବଳ ଏକ ପଡୋଶୀ ଦେଶ ଓ ଏହାର ରାଜନୈତିକି ଇତିହାସ ଅତ୍ୟନ୍ତ କଳଙ୍କିତ। ସେମିତି ଏକ ଦେଶ ବିଷୟରେ ଚିନ୍ତା କରିବାର ଆବଶ୍ୟକତା କଣ?

ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ବର୍ଗର ଲୋକଙ୍କ ପାଇଁ ସେଠିକାର ମାନବ ଅଧିକାର କର୍ମୀ ଓ ଅନ୍ୟାନ୍ୟ ସଂଗଠନ ସ୍ଵର ଉତ୍ତୋଳନ କରୁଛନ୍ତି। ତାହା ସେମାନଙ୍କର ଦାୟିତ୍ଵ। ଯେମିତି ଭାରତରେ ରହୁଥିବା ସଙ୍ଖ୍ୟାଲଘୁଙ୍କ ପ୍ରତି ହେଉଥିବା ଆଚରଣ ବିଷୟରେ ପାକିସ୍ତାନର ପ୍ରଶ୍ନ କରିବାର ଅଧିକାର ନାହିଁ, ସେମିତି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ଆମର ମଧ୍ୟ କିଛି କହିବାର ନାହିଁ। ତେବେ ମାନବ ଅଧିକାରର ଉଲ୍ଲଙ୍ଘନ ହୋଇଥିବାର ପ୍ରମାଣ ମିଳିଲେ ଆମେ ପାକିସ୍ତାନକୁ ଜାତିସଙ୍ଘରେ ନିନ୍ଦିତ କରିପାରିବା। ସେ ଦାୟିତ୍ଵ ଭାରତ ସରକାରଙ୍କର। ଏଥିପାଇଁ ଭାରତର ବିରୋଧୀ ଦଳ ବା ନାଗରିକ ସଙ୍ଗଠନମାନଙ୍କର ବିଶେଷ କିଛି ଭୂମିକା ନାହିଁ। ଭାରତରେ ଭାରତର ସମସ୍ୟା ଓ ସରକାରଙ୍କ ନୀତିକୁ ସମାଲୋଚନା କରିବା ଆମର ନୈତିକ ଦାୟିତ୍ଵ। ସେଥିରେ ପାକିସ୍ତାନକୁ ଟାଣିବାର ଅପପ୍ରୟାସକୁ ହାସ୍ୟାସ୍ପଦ ବୋଲି କହିବାକୁ ପଡିବ।

ପ୍ରଧାନମନ୍ତ୍ରୀ ମହୋଦୟ, ଅନେକ ସମୟରେ ଭାବପ୍ରବଣ ହୋଇ ଏମିତି କିଛି କହୁଛନ୍ତି, ଯେଉଁଥିରେ ଗଣତନ୍ତ୍ର ପ୍ରତି ତାଙ୍କର ଆସ୍ଥା ନଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ସେ ଭାବୁଛନ୍ତି, ସରକାର ବା ସଂସଦକୁ ପ୍ରଶ୍ନ କରିବା ଅନୁଚିତ। ସଂସଦ ଯେହେତୁ ନାଗରିକତା ସଂଶୋଧନ ଆଇନକୁ ଗ୍ରହଣ କରିସାରିଛି, ତାହାର ବିରୋଧ କରିବା ସଂସଦ ପ୍ରତି ଅବମାନନା ବୋଲି କହିବାକୁ ସେ ଚେଷ୍ଟା କରିଛନ୍ତି। ଏଠି ଆମେ ମନେ ପକାଇଦେବାକୁ ଚାହୁଁ ଯେ, ସଂସଦ ନେଇଥିବା ଅନେକ ନିଷ୍ପତ୍ତିକୁ ଦେଶବାସୀ ବିଭିନ୍ନ ସମୟରେ ପ୍ରଶ୍ନ କରିଛନ୍ତି ଓ ଆବଶ୍ୟକ ସ୍ଥଳେ ତାକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଜାର ଥର ଇନ୍ଦିରା ଗାନ୍ଧୀଙ୍କର ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରିଛନ୍ତି। କରିବା ଯଥାର୍ଥ ମଧ୍ୟ। ତେବେ ସେକାମ କଲାବେଳେ ମୋଦୀ ମନେ ରଖିବା ଉଚିତ ଯେ, ଜରୁରୀକାଳିନ ପରିସ୍ଥିତି ପ୍ରତି ତତ୍କାଳୀନ ସଂସଦର ସମର୍ଥନ ରହିଥିଲା। ସଂସଦରେ ଜରୁରୀକାଳୀନ ପରିସ୍ଥିତି ଜାରି ପ୍ରସ୍ତାବକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ତା ସତ୍ତ୍ୱେ ଜରୁରୀ ପରିସ୍ଥିତି ବିରୋଧରେ ସାରା ଦେଶ ସଂଘର୍ଷ କରି ବିଜୟୀ ହୋଇଥିଲା। ମୋଦୀ କଣ କହିବାକୁ ଚାହାନ୍ତି ଯେ, ସଂସଦକୁ ପ୍ରଶ୍ନ ନ ପଚାରି ନାଗରିକମାନେ ସବୁକଥାକୁ ମୁଣ୍ଡ ପାତି ଗ୍ରହଣ କରିନିଅନ୍ତୁ?

ଗଣତନ୍ତ୍ରରେ ନାଗରିକ ପ୍ରଶ୍ନ ପଚାରିବାର ପୂର୍ଣ୍ଣ କ୍ଷମତା ପାଇଛି। ସେ କ୍ଷମତା ଛଡେଇ ନେବାର ଅଧିକାର ଆମ ସମ୍ବିଧାନ ଆଉ କାହାକୁ ଦେଇନାହିଁ। ସ୍ଵାଧୀନତା ଓ ସମାନତାର ଅଧିକାର ଆମ ସମ୍ବିଧାନରେ ଚିରସ୍ଥାୟୀ। ଏହାକୁ ମୋଦୀ ବା ଅନ୍ୟ କେହି ବଦଳାଇ ପାରିବେ ନାହିଁ। ସଂଖ୍ୟା ଗରିଷ୍ଠତାର ଅହଂକାରରେ ସଂସଦ ଯେତେବେଳେ ବି କିଛି ଭୁଲ ନିଷ୍ପତ୍ତି ନେଇଛି ଲୋକେ ତାକୁ ବିରୋଧ କରିଛନ୍ତି ଓ କରିବେ। ଯଦି ବିରୋଧ ନଥାନ୍ତା ତାହେଲେ ଆଜି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥାନ୍ତେ। କଂଗ୍ରେସ ସରକାର ବିରୋଧରେ ଥରେ ନୁହେଁ, ଶହ ଶହ ଥର ରାସ୍ତାରେ ଲୋକ ସଂଘର୍ଷ କରିଛନ୍ତି। ବିଜେପି ବେଳକୁ ତାର ବ୍ୟତିକ୍ରମ ହେବନାହିଁ।

ସରକାର ଯଦି ଦେଶର ସମ୍ବିଧାନ ବିରୋଧରେ ଏବଂ ଲୋକଙ୍କ ବିରୋଧରେ କାମ କରେ ବୋଲି ଲୋକେ ଅନୁଭବ କରିବେ, ତାହେଲେ ସେମାନେ ବିରୋଧ କରିବେ। ବିରୋଧକୁ ପ୍ରତିହତ କରିବାକୁ ଯାଇ ସବୁ ପ୍ରତିବାଦ ଆଗରେ ପାକିସ୍ତାନକୁ ଏକ ପ୍ରସଙ୍ଗ କରି ଥୋଇବା ବିଜେପିର ପୁରୁଣା ଅଭ୍ୟାସ ବୋଲି ଲୋକ ଜାଣି ସାରିଲେଣି। ଏବେ ଆଉ ପାକିସ୍ତାନ ପ୍ରସଙ୍ଗ ଆଉ ଜାତୀୟ ରାଜନୀତିରେ କାମ କରିବ ନାହିଁ। ଯେତେବେଳେ ବି ସରକାର ଲୋକଙ୍କ ବିରୋଧର ସମ୍ମୁଖୀନ ହେଉଛି, ସେତେବେଳେ ବୁଲି ବଙ୍କେଇ ପାକିସ୍ତାନକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ବିଜେପି ସରକାର ଉଦ୍ୟମ କରୁଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଯେଉଁ ତୀବ୍ର ପ୍ରତିବାଦର ଧାରା ଚାଲିଛି, ତା ଆଗରେ ପାକିସ୍ତାନକୁ ଥୋଇବା ପାଇଁ ଏହା ଯେ ପ୍ରଧାନମନ୍ତ୍ରୀଙ୍କର ଏକ ସୁଚିନ୍ତିତ ଉଦ୍ୟମ, ଏକଥା ଲୋକ ବୁଝି ସାରିଛନ୍ତି। ତେଣୁ ଏ ପ୍ରସଙ୍ଗରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ବେଶ ବିଦ୍ରୁପାତ୍ମକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତେହରିକ୍‌ ଏ ତାଲିବାନ୍‌ର ପାକିସ୍ତାନ ମୁଖ୍ୟ ନିହତ

କାବୁଲ,30/12 : ତେହରିକ୍‌ ଏ ତାଲିବାନ୍‌ର (ଟିଟିପି) ପାକିସ୍ତାନ ମୁଖ୍ୟଙ୍କୁ ଆଫଗାନିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ଟିଟିପି କମାଣ୍ଡର କାରୀ ସଫିଉଲ୍ଲା ମେହସୁଦ୍‌ ନିହତ ହୋଇଛନ୍ତି । ଖୋସ୍ତ ପ୍ରଦେଶର ଗୁଲୁନ୍‌ ସେନା କ୍ୟାମ୍ପ ବାହାରେ ଏହି ଘଟଣା ସଙ୍ଗଠିତ ହୋଇଥିଲା । ହକ୍କାନୀ ନେଟଓ୍ବର୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । 2007ରେ ଟିଟିପି ପ୍ରତିଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ଏହା 4 ଭାଗରେ ବିଭକ୍ତ ହୋଇ ଯାଇଛି । ମେହସୁଦ୍‌ ଏହି 4 ସଙ୍ଗଠନକୁ ଏକତ୍ର କରିବାର ଚେଷ୍ଟା ଚଳାଇଥିବା ବେଳେ ଏହା ଟିଟିପି ପାଇଁ ବଡ ଧକ୍କା ଏବଂ ଆଫଗାନୀ ସେନା ପାଇଁ ବଡ ସଫଳତା ଭାବରେ ବିବେଚନା କରାଯାଉଛି । (ଏଜେନ୍ସୀ)