Categories
ବିଶେଷ ଖବର ରାଜ୍ୟ ଖବର

ପାରାଦୀପରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କଲେ ୬୫ ହଜାର କୋଟି ଟଙ୍କାର ବୃହତ ଇସ୍ପାତ କାରଖାନା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ପ୍ରକଳ୍ପ ହେଉଛି ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡ ର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୧୩.୨ ମେଟ୍ରିକ ଟନ ଇଣ୍ଟିଗ୍ରେଟେଡ ଷ୍ଟିଲ କାରଖାନା। ଏହା ମାଧ୍ୟମରେ ପ୍ରାୟ ୩୦,୦୦୦ ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ।

ଏଥି ସହିତ ରି ନ୍ୟୁ ଇ-ଫୁଏଲସ ପ୍ରାଇଭେଟ ଲିମିଟେଡର ୨୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୧.୨୦ ମେଟ୍ରିକ ଟନ ଗ୍ରୀନ ଆମୋନିଆ କାରଖାନା,ସିଲୋକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୨୫ ହଜାର ମେଟ୍ରିକ ଟନ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାରାଦୀପ ଆସିଲେ ମୋର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସେ । ୬୦ ମସିହାର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର ସ୍ଥାପନ କରିଥିଲେ। ଓଡିଶା ବିକାଶରେ ଏହା ମାଇଲଷ୍ଟୋନ ଥିଲା। ଆଜି ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ ହୋଇ ପାରିଛି।

ଏକ ବନ୍ଦର ନଗରୀ ଭାବେ ପାରାଦୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି। ଖୁସିର କଥା ଆଜି ଏଠାରେ ଜେଏସଡବ୍ଲୁର  ମେଗା ଇସ୍ପାତ କାରଖାନା ପାଇଁ ଭିତ୍ତି ଦିଆଗଲା। ଏଥି ସହିତ ଗ୍ରୀନ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା।

ଏ ସବୁ ଶିଳ୍ପାନୁଷ୍ଠାନ ଓଡିଶା ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିଛି। ତା ସହିତ ଏ ସବୁ ପ୍ରକଳ୍ପ ମାଧ୍ୟମରେ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଏ ସବୁ ପୁଞ୍ଜି ନିବେଶ କରୁଥିବା ଶିଳ୍ପପତିମାନଙ୍କୁ ଏଥି ପାଇଁ ଧନ୍ୟବାଦ ଦେଇଥିଲେ।

ଓଡିଶାରେ ଶିଳ୍ପ ଅଭିବୃଦ୍ଧି ପାଇଁ ଜିନ୍ଦଲ ଗ୍ରୁପର ସହଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧନ୍ୟବାଦ ଦେଇ କହିଥିଲେ ଯେ ଓଡିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପାଞ୍ଚଳରେ ପରିଣତ କରିବା ପାଇଁ ଆମର ଯାତ୍ରାରେ ଜିନ୍ଦଲ ଗ୍ରୁପର ମହତ୍ୱପୂର୍ଣ୍ଣ ସହଭାଗିତା ରହିଛି।

ଏଥି ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଆଜି ଓଡିଶାର ପରିଚୟ ହୋଇଛି। ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। 5T ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ୱଳ ହୋଇଛି। ସାଧାରଣ ଲୋକ, ଚାଷୀ, ମା’ମାନେ, ଯୁବକ ମାନେ ଆମ ବିକାଶର ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନ ପାଇଁ ଆମ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି।

ପାରାଦୀପର ଶିଳ୍ପ ବିକାଶ ପାଇଁ ପାରାଦୀପ ଓ ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇ ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏବଂ ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ଏହି ସବୁ ପ୍ରକଳ୍ପ ସମଗ୍ର ଜଗତସିଂହପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଜିଲ୍ଲାକୁ ସମୃଦ୍ଧ କରିବ ଏବଂ ରାଜ୍ୟ ଯୁବଗୋଷ୍ଠୀ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିବ ବୋଲି କହିବା ସହିତ ପାରାଦୀପ ତଥା ସମଗ୍ର ଓଡିଶାର ରୂପାନ୍ତର ପାଇଁ ସାରା ଭାରତ ବର୍ଷର ବିକାଶ ପୁରୁଷ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଦିନ ମନେ ରଖିବ ସମଗ୍ର ଦେଶ ବୋଲି ସେମାନେ କହିଥିଲେ।

ଅନ୍ୟତମ ଅତିଥି ଭାବେ JSW ର ମୁଖ୍ୟ ଶ୍ରୀ ସଜ୍ଜନ ଜିନ୍ଦଲ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ ବହୁ ବର୍ଷ ପୂର୍ବେ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ପ୍ରକୃତରେ ଏହା ଥିଲା ବିଜୁବାବୁଙ୍କ ସ୍ୱପ୍ନ। ଆଜି ତାଙ୍କ ସୁପୁତ୍ରଙ୍କ ଦ୍ୱାରା ଏହି ସ୍ୱପ୍ନ ସାକାର ହୋଇଥିବା ଦେଖି ସେ ଖୁସି ଅନୁଭବ କରୁଥିବେ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଆଜି ପ୍ରକୃତ ବିକାଶ ଘଟିଛି ଏବଂ ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ହୋଇଛି ବୋଲି କହି JSW ପାଇଁ ଓଡିଶା ହେଉଛି ପ୍ରମୁଖ ନିବେଶ ସ୍ଥଳୀ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଆମେ ସବୁଦିନ ସହଯୋଗ କରିବୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ଜିନ୍ଦଲ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଏହି ଆଇକନିକ ପ୍ରକଳ୍ପ ର ତ୍ଵରିତ କାର୍ଯ୍ୟକାରିତା ପାଇଁ ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା କରୁଥିଲେ। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର

ଅଗ୍ନିକାଣ୍ଡରେ ଜଳିଗଲା 3 ଦୋକାନ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସମୀକ୍ଷା ବ୍ୟୁରୋ,ପାରାଦୀପ,14/12 : ପାରାଦୀପ ଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି 3ଟି ଦୋକାନ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

Categories
ବିଶେଷ ଖବର

ବିଜେଡ଼ି ଓ ବିଜେପି- ବାପ ପୁଅ ରାଜନୀତିର ମହାନ ରାଜନୈତିକ ଟେଲି ଧାରାବାହିକ

କେଦାର ମିଶ୍ର

 ପୁଅ କହୁଛନ୍ତି- ବାପା ବିଜେପି ରେ ଖୁସି ନାହାନ୍ତି।

ମିଡ଼ିଆ ଅନୁମାନ କରୁଛି- ବାପା ବୋଧହୁଏ ବିଜେପି ଛାଡ଼ି ନିଜର ପୁରୁଣା ଦଳ ବିଜେଡ଼ି କୁ ଫେରିବେ।

ଏପଟେ ବାପା କହିଛନ୍ତି- ମୋତେ ତ ବିଜେଡ଼ି ତଡିଦେବାରୁ ବିଜେପି ସମ୍ମାନ ର ସହ କୋଳେଇ ନେଇଛନ୍ତି। ମୁଁ ବିଜେଡ଼ି କୁ କାଇଁ ଫେରିବି।

ଏକଥା ଯେ କହୁଛି, ସେ ମୋ ପୁଅ ନୁହଁ, ସେ ବିଜେଡି ର ଜଣେ ବିଧାୟକ।

ଏ ସବୁ କୌଣସି ପାରିବାରିକ ଟିଭି ସିରିଆଲ ର ଡାଇଲଗ ଭଳି ଶୁଭୁନାଇ କି? ଦାମ ବାବୁ ଯେତେବେଳେ ବିଜେପି ରେ ଯୋଗ ଦେଲେ ସେତେବେଳେ ସମବେତ ବିଜେପି କର୍ମୀଙ୍କୁ ପଚାରିଥିଲେ- ଆପଣମାନେ ଖୁସି ତ! ତେବେ ସେ ନିଜେ ଆଜି ଖୁସି ନାହାନ୍ତି ବୋଲି ତାଙ୍କ ପୁଅ କହୁଛନ୍ତି କାହିଁକି? ନିର୍ବାଚନ ପୂର୍ବରୁ ଦାମ ବାବୁ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଯାଇ ଲୋକହସା ହୋଇ ସାରିଛନ୍ତି। ଲୁଣିପାଣି ରେ ପଦ୍ମ ଫୁଟିବ ବୋଲି ସେ ଯେଉଁ ଦମ୍ଭ ଦେଖାଉଥିଲେ, ତାହା ବି ଆଜି ଭାଙ୍ଗି ସାରିଛି। ନିଜେ ଦାମ ବାବୁ ଶୋଚନୀୟ ଭାବରେ, ତୃତୀୟ ସ୍ଥାନ ରେ ରହି ପରାସ୍ତ ହୋଇଛନ୍ତି। ତେବେ ପରାଜୟ ପରେ ମଧ୍ୟ ଦାମଙ୍କ ତୁଣ୍ଡରେ ଲଗାମ ଲାଗିନାଇଁ। ଅବଶ୍ୟ ଦାମଙ୍କର ଏକମାତ୍ର ସମ୍ପତ୍ତି ହେଉଛି ତାଙ୍କ ତୁଣ୍ଡ ଖଣ୍ଡକ। କଥା କହିବାରେ ତାଙ୍କ ପରି ଦ୍ଵିତୀୟ ନେତା ଓଡିଶାରେ ନାହାନ୍ତି।

ତେବେ କଥା କହି ଗଣମାଧ୍ୟମର କ୍ୟାମେରା ଆଗରେ ନିଜର ଛବି ଜମେଇ ଦେବାର କଳା ଦାମ ବାବୁ ଜାଣନ୍ତି। ସେଇ କଳାରେ ତାଙ୍କର ସଫଳତା ଓ ସିଦ୍ଧି। ହେଲେ ତାଙ୍କ ନିଜ ଗାଁ ଓ ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କ କଥା ଉପରେ ଆସ୍ଥା ରଖିଲେ ନାଇଁ। ଏତେ ବଡ ନେତା, ଯିଏ ନିଜକୁ ବିଜୁ ବାବୁଙ୍କ ଯୋଗ୍ୟ ଉତ୍ତରାଧିକାରୀ ବୋଲି ଭାବୁଥିଲେ, ସେ ଏମିତି ଶୋଚନୀୟ ଭାବେ ହାରିଲେ କାହିଁକି? ଅବଶ୍ୟ କେହି କେହି କହିଲେ, ପୁଅ ସମ୍ବିତ ରାଉତରାୟ ବିଜେଡି ଟିକଟ ପାଇଲା ପରେ ଦାମ ବାବୁ ଆଉ ନିଜର ଟାଣପଣ ଦେଖେଇଲେ ନାହିଁ। ଶୁଣାଗଲା ଯେ ଦାମ ବାବୁ କୁଆଡେ ପାରାଦୀପର ପୁରୁଣା ବିଜେଡି କର୍ମୀଙ୍କୁ ଡାକି କହିଲେ- ମୋ ପୁଅ ତମକୁ ଲାଗିଲା। ଏ କଥା କେତେ ସତ କେତେ ମିଛ ଆମକୁ ଜଣାନାଇଁ। ହେଲେ ପାରାଦୀପରେ ବିଜେଡି ପ୍ରାର୍ଥୀ ଭାବରେ ସମ୍ବିତ ବିଜୟ ଓ ଏରସମାରେ ଦାମୋଦରଙ୍କ ଶୋଚନୀୟ ପରାଜୟ ଅନେକଟା କାହାଣୀ କହୁଛି।

ନିର୍ବାଚନ ପରେ ଏବେ ହଠାତ ବାପା ଖୁସି ନାହାନ୍ତି ଓ ବିଜେଡି ସୁପ୍ରିମୋ ଚାହିଁଲେ ସେ ଦଳକୁ ଫେରି ପାରିବେ ବୋଲି ସମ୍ବିତ ରାଉତରାୟ କହିବା ପଛରେ ଇଙ୍ଗିତ ଅତ୍ୟନ୍ତ ସ୍ପଷ୍ଟ। ଦାମ ବାବୁ ବିଜେପିର ଉପାଦାନ ନୁହନ୍ତି। ବିଜେପିର ନିୟମ ଓ ଶୃଙ୍ଖଳା ଭିତରେ ବନ୍ଧା ହୋଇ ସେ ରହିପାରିବେ ନାଇଁ। ନିର୍ବାଚନ ପରେ ବିଜେପି ପାଇଁ ତାଙ୍କର ଆଉ ବିଶେଷ ଆବଶ୍ୟକତା ମଧ୍ୟ ନାଇଁ। ବିଜେପିରେ ନିଶିବା ଆଗରୁ ସେ ଓଡିଶାର ଆନ୍ନା ହଜାରେ ହୋଇ ଦୁର୍ନୀତି ବିରୋଧୀ ଆନ୍ଦୋଳନ କରିବେ ବୋଲି ଯାହା କହିଥିଲେ, ତାହା ମଧ୍ୟ ପାଣିର ଗାର ବୋଲି ଲୋକ ଜାଣି ଗଲେଣି। ଅଗତ୍ୟା ରାଜନୀତିରେ ବଞ୍ଚିବାକୁ ହେଲେ ଘରବାହୁଡା ହିଁ ଏକମାତ୍ର ବାଟ! ସେଥିଲାଗି ବାପ ଓ ପୁଅ ହଠାତ ଗଣମାଧ୍ୟମ ଆଗରେ ନିଜର ଭାବପ୍ରବଣ ଡାଇଲଗ ମାରିବା ଆରମ୍ଭ କରିଛନ୍ତି।

ତେବେ ଦାମଙ୍କ ଘରବାହୁଡା ନାଟକରେ, ଘରର ସେଟିଂ ଠିକ ଅଛି ତ! ବିଜେପିରେ ଯେମିତି ତାଙ୍କର କାମ ସରିଯାଇଛି, ବିଜେଡିରେ ମଧ୍ୟ ସେ କେବଳ ବୋଝ ହୋଇ ରହିଥିଲେ। ସରକାରରେ ଥିବାବେଳେ ଓ ସରକାରରୁ ଗଲାପରେ ସେ ବିଜେଡ଼ିର ସବୁଠୁ ବଡ ବିପଦ ହୋଇ କାମ କରିଛନ୍ତି। ବିଜେଡି ଛାଡିଥିବା କୌଣସି ନେତା ଦାମଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ସ୍ତରର ଆକ୍ଷେପ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଟୁ ସମାଲୋଚନା କଲାପରେ ମଧ୍ୟ ଦାମଙ୍କ ପୁଅକୁ ଟିକଟ ଦେଇ ଓ ଦାମଙ୍କ ପତ୍ନୀଙ୍କ ମୃତ୍ୟୁପରେ ତାଙ୍କ ଘରେ ପହଞ୍ଚି ନବୀନ ବାବୁ ବହୁତ ବଡ ହୋଇଗଲେ। ଦାମ ବାବୁ ନବୀନଙ୍କ ବିରୋଧରେ କହିବା ଲାଗି ଆଉ ବିଶେଷ କିଛି ରହିଲା ନାଇଁ। ତେବେ ସେଇ କଥାରୁ ଦାମଙ୍କ ବିଜେଡି ଘର ବାହୁଡା ସହଜ ହେବ ବୋଲି ଭାବିବା ନିର୍ବୋଧତା ହେବ। ବିଜେଡ଼ିରୁ ବିଦା ହେବା ପରେ ଆଉ ଥରେ କେହି ଫେରି ନାହାନ୍ତି। ଏକମାତ୍ର ବ୍ୟତିକ୍ରମ ହେଉଛନ୍ତି ପ୍ରଫୁଲ୍ଲ ଘଡେଇ। ପ୍ରଫୁଲ୍ଲ ବାବୁ ବିଜେଡ଼ିରୁ ନିଲମ୍ବିତ ହେବାର ବହୁ ବର୍ଷ ପରେ ମଧ୍ୟ ବିଜେଡି ବିରୋଧରେ ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ସେଥିଲାଗି ଘଡାଇଙ୍କୁ ଗତ ନିର୍ବାଚନ ପୂର୍ବରୁ ପୁଣି ଥରେ ଦଳକୁ ଫେରାଇ ଅଣା ଯାଇଥିଲା। ଦାମଙ୍କ କ୍ଷେତ୍ରରେ ତାହା ଘଟିବାର ସମ୍ଭାବନା କ୍ଷୀଣ। ପିତା ଓ ପୁତ୍ରଙ୍କ ଏ ଧାରାବାହିକ ଭାବପ୍ରବଣ ନାଟକ, ବିଜେଡି ଶିବିରରେ ବିଶେଷ କିଛି ଆଗ୍ରହ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁନାଇଁ।

Categories
ବିଶେଷ ଖବର

ବହୁ ମାନସ ମନ୍ଥନ ପରେ ବିଜେପିରେ ମିଶିଲେ ଦାମୋଦର ରାଉତ, ହେଲେ ବିଜେପିର ତାଙ୍କର ଭୂମିକା ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ

ସମୀକ୍ଷା ବ୍ୟୁରୋ

“ମୁଁ ବହୁ ବର୍ଷ ଧରି ମାନସ ମନ୍ଥନ କରୁଥିଲି। ଶେଷରେ ମୋ ବିବେକ କହିଲା ବିଜେପିରେ ଯୋଗଦେବି, ଆଉ ଆଜି ସେ ସ୍ବପ୍ନ ସାକାର ହେଲା। ମୁଁ ବିଜେପିରେ ଯୋଗ ଦେଲି।” ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ଅଭିଭାଷଣ। ଯାହା ଆଗରୁ ଶୁଣାଯାଉଥିଲା ତାହା ସତ ହେଲା । ଶେଷରେ ଦାମ ରାଉତ ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାୟକ କନକ ବର୍ଦ୍ଧନ ସିଂଦେଓ ଏବଂ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଯୋଗ ଦେଇଥିଲେ। ପୂର୍ବରୁ ଦାମ ରାଉତ ଦୁଇଦିନ ଧରି ନୂଆ ଦିଲ୍ଲୀରେ ରହି ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଥିଲେ। ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ସଫଳ ନ ହେବାରୁ ସେ ଭୁବନେଶ୍ବର ଫେରିଆସିଥିଲେ। ଏହାର ଦୁଇ ଦିନ ପରେ ପୁଣି ଥରେ ତାଙ୍କୁ ବିଜେପିରେ ମିଶିବା ପାଇଁ ଦିଲ୍ଲୀ ଡକରା ଆସିଲା। ଦାମ ତୁରନ୍ତ ଫ୍ଲାଇଟ ଟିକେଟ କରି ତରବରିଆ ଭାବେ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା  ପରେ ରାତି ଆଠଟାରେ ବିଜେପିରେ ସାମିଲ ହେଲେ। ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ତରବରିଆ ଭାବେ ଦିଲ୍ଲୀକୁ ଡକାଯାଇଥିଲା।

ଏହି ମିଶ୍ରଣ ପର୍ବରେ ଦାମ ତାଙ୍କର ସେହି ଚିରାଚରିତ ଭାଷଣରେ ବିଜେଡିକୁ ବେଶ୍ ସମାଲୋଚନା କରିଥିଲେ। ବିଜେଡି ଦୁର୍ନୀତିଗ୍ରସ୍ତ, ସମବାୟ ଦୁର୍ନୀତିଠାରୁ ଆରମ୍ଭ କରି ଚାରା ଦୁର୍ନୀତି ପ୍ରସଂଗ ପ୍ରଭୃତି ଉଠାଇଥିଲେ । ଆଦିବାସୀଙ୍କୁ ଉପଯୁକ୍ତ ନ୍ୟାୟ ବିଜେଡି ସରକାର ଦେଇପାରି ନାହିଁ, ଏପରିକି ରାଜ୍ୟରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ଏହି ସରକାରରେ ସମୟରେ ଘଟିଛି ବୋଲି ଦାମ କହିଥିଲେ। ଏହାପରେ ସେ ବିଜୁବାବୁ ମୋର ଆଦର୍ଶ ବୋଲି ମଧ୍ୟ ଦୋହରାଇଥିଲେ। ହେଲେ ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵକୁ ପସନ୍ଦ କରି ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେପିରେ ଯୋଗ ଦେଲି ବୋଲି ଦାମ କହିଛନ୍ତି। ତେବେ ସେ ସ୍ପଷ୍ଟ କରି ନ ଥିଲେ ଯେ,ସେ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ କି ନାହିଁ। କାରଣ ବିଜେଡିରୁ ଟିକେଟ ନେଇ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ପାରାଦ୍ବୀପରୁ ଛିଡା ହେବେ। ଏପରି କ୍ଷେତ୍ରରେ ଦାମ କଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏକଦା ଦାମୋଦର ରାଉତ ବିଜେପିକୁ ତୀବ୍ର ସମାଲୋଚନା କରୁଥିଲେ। ପାରାଦ୍ବୀପର ଲୁଣି ପାଣିରେ ପଦ୍ମ ଫୁଟି ପାରିବ ନାହିଁ ବୋଲି କହିଥିଲେ। ଏପରିକି ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଯେଉଁଠାରୁ ଛିଡା ହେଲେ ମୁଁ ତାଙ୍କୁ ହରାଇ ଦେବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଦାମ ରାଉତ ଅଙ୍ଗନବାଡି କର୍ମିଙ୍କୁ ସମାଲୋଚନା କରିଥିବାରୁ ବିଜେପି ମହିଳା ମୋର୍ଚ୍ଚା ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା। ବ୍ରାହ୍ଣଣଙ୍କୁ ନେଇ ଦାମ ସମାଲୋଚନା କରିଥିବାରୁ ତା ବିରୋଧରେ ମଧ୍ୟ ବିଜେପି ଆନ୍ଦୋଳନ କରିଥିଲା। ଏପରି ପରିସ୍ଥିତିରେ ଦାମ ବିଜେପି କର୍ମିଙ୍କ ମଧ୍ୟରେ କେତେ ବିଶ୍ବାସ ଭାଜନ ହୋଇପାରିବେ ସେ ନେଇ ସନ୍ଦେହ ରହିଛି। ନବୀନ ସରକାରଙ୍କ ଗାଦିଚ୍ୟୁତ କରିବା ପାଇଁ ଦାମବାଣ କେତେ କାମ କରିବ ଏବଂ ବିଜେପିରେ ଦାମଙ୍କ ଭୂମିକା କଣ ହେବ ସେ ନେଇ ଉଠିଛି ପ୍ରଶ୍ନ।